Posted inଫୁରସତ

କେଶବତୀଙ୍କ କଥା

ଆଈ ମା’ କାହାଣୀରୁ କେଶବତୀମାନଙ୍କ କଥା ଶୁଣି ଶୁଣି ସତ ସତିକା ତାଙ୍କୁ ଦେଖିବାର ଇଚ୍ଛା କାହାର ବା ନଥାଏ। ହେଲେ କାହାଣୀ ନୁହେଁ ସତରେ ବି ଏମିତି ଅଛନ୍ତି କେଶବତୀ କନ୍ୟାମାନେ, ଯାହାଙ୍କ କଥାକୁ ନେଇ ଏଥରର ପ୍ରଚ୍ଛଦ…

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ
୧୯୬୦ ମସିହାରେ ଜନ୍ମଗ୍ରହଣ କରିଥିବା ଜି କୁଇପିଙ୍ଗ୍‌ ହେଉଛନ୍ତି ଚାଇନାର ଜଣେ ମହିଳା। ପିଲାଟି ଦିନରୁ ଲମ୍ବା କେଶ ପ୍ରତି ତାଙ୍କର ରହିଥିଲା ଖୁବ୍‌ ଦୁର୍ବଳତା। ଆଉ କେଶ ପ୍ରତି ଥିବା ତାଙ୍କର ସେହି ଦୁର୍ବଳତା ଯେ ତାଙ୍କୁ ଦିନେ ବିଶ୍ୱ ଦରବାରରେ ଚର୍ଚ୍ଚିତ କରାଇବ, ସେ କଥା ସିଏ କଳ୍ପନା ବି କରି ନ ଥିଲେ। ମାତ୍ର ୧୩ ବର୍ଷ ବୟସରୁ ସେ ଆଉ କେଶ ନ କାଟି ତାହାକୁ ବଢ଼ାଇବାକୁ ଲାଗିଥିଲେ। କେବଳ କେଶକୁ ବଢ଼ାଉଥିଲେ ତାହା ନୁହେଁ, ତା’ର କିପରି ଠିକ୍‌ ଯତ୍ନ ନେଇହେବ ସେଥିପ୍ରତି ବି ସେ ଥିଲେ ଖୁବ୍‌ ସଚେତନ। ଯେଉଁଥିପାଇଁ ତାଙ୍କର କେଶ ଦିନକୁ ଦିନ ଘନ ଆଉ କଳା ହେବା ସହ ଲମ୍ବା ମଧ୍ୟ ହେଉଥିଲା। ଆଉ ସେହି କେଶ ପାଇଁ ବି ସେ ଧୀରେ ଧୀରେ ଚର୍ଚ୍ଚିତ ମଧ୍ୟ ହେବାକୁ ଲାଗିଲେ। ଏପରିକି ୨୦୦୪ ମସିହାରେ ଲମ୍ବା କେଶ ପାଇଁ ତାଙ୍କ ନାମକୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ଦିଆଗଲା। ସେ ସମୟରେ ତାଙ୍କ କେଶର ଲମ୍ବ ପ୍ରାୟ ୫.୬୨୭ ମିଟର ରହିଥିଲା। ବାସ୍‌ ତା’ପରଠୁ ତାଙ୍କର ଲୋକପ୍ରିୟତା ଆହୁରି ବଢ଼ିଗଲା। ବିଭିନ୍ନ ମିଡିଆ ସଂସ୍ଥା ତାଙ୍କର ସାକ୍ଷାତ୍‌କାର ବି ନେଲେ। ଆଉ ପ୍ରତି ସାକ୍ଷାତ୍‌କାରରେ ଜି କୁଇପିଙ୍ଗ୍‌ ଗୋଟିଏ କଥା ହିଁ କହୁଥିଲେ ଯେ, ‘କେଶ କେତେ ଲମ୍ବା ହେବ ଆଉ ତାହା କିପରି ସୁସ୍ଥ ଓ ସୁନ୍ଦର ରହିବ, ତାହା ଆମ ନିଜ ଉପରେ ହିଁ ନିର୍ଭର କରିଥାଏ। ଆମେ କେଶର ଯେତେ ଭଲ ଯତ୍ନ ନେବା ତାହା ସେତେ ଆକର୍ଷଣୀୟ ଲାଗିବ।’

ଲମ୍ବା କେଶ ଓ ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସ
ମହିଳାଙ୍କର କେଶ ଯେତେ ଲମ୍ବା ଆଉ ଘନ ହେବ, ଚେହେରା ସେତେ ଆକର୍ଷଣୀୟ ଲାଗିବ। କିନ୍ତୁ ଏଭଳି ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନ ଥାଏ। ହେଲେ ମହାରାଷ୍ଟ୍ରର ଥାଣେ ଅଞ୍ଚଳରେ ରହୁଥିବା ଆକାଂକ୍ଷା ଯାଦବ ଏ କ୍ଷେତ୍ରରେ କିନ୍ତୁ ପୂରା ଲକି। କାରଣ ତାଙ୍କର ରହିଛି ପ୍ରାୟ ୩.୦୧ ମିଟର ଲମ୍ବର ଘନ କଳା କେଶ। ଏତେ ଲମ୍ବା କେଶର ଯତ୍ନ ନେବାରେ ବି ସେ ବେଶ୍‌ ମାହିର। ସେଥିପାଇଁ ତ ତାଙ୍କ ନାମ ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇସାରିଛି। ସୂଚନାନୁଯାୟୀ, ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସର ୩୦ତମ ସଂସ୍କରଣରେ ଆକାଂକ୍ଷାଙ୍କ ନାମକୁ ଭାରତର ସବୁଠାରୁ ଲମ୍ବା କେଶ ରଖିଥିବା ମହିଳା ଭାବେ ବିବେଚନା କରାଯାଇଛି। ତା’ସହିତ ଏହା ମଧ୍ୟ କୁହାଯାଉଛି ଯେ, ଯେବେଠୁ ଆକାଂକ୍ଷାଙ୍କୁ ଏହି ଟାଇଟଲ୍‌ଟି ମିଳିଛି, ସେବେଠୁ ତାଙ୍କର ଏହି ରେକର୍ଡକୁ ଆଉ କେହି ଭାଙ୍ଗି ପାରିନାହାନ୍ତି। ଆକାଂକ୍ଷା ବୃତ୍ତିରେ ଜଣେ ଫାର୍ମାସ୍ୟୁଟିକାଲ୍‌ ଏବଂ ମ୍ୟାନେଜ୍‌ମେଣ୍ଟ ପ୍ରଫେଶନାଲ୍‌ ଭାବେ କାମ କରନ୍ତି। କିନ୍ତୁ ଲମ୍ବା କେଶ ରଖିବା ତାଙ୍କର ଏକ ସଉକ। ସେଥିପାଇଁ ଅଧିକାଂଶ ସମୟରେ ଆକାଂକ୍ଷାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ସୁନ୍ଦର ମୁଲାୟମ୍‌ କେଶ ସହିତ ଫଟୋ ଓ ଭିଡିଓ ଅପ୍‌ଲୋଡ୍‌ କରୁଥିବାର ଦେଖିବାକୁ ମିଳିଥାଏ। ତେବେ ଆକାଂକ୍ଷାଙ୍କର ଏତେ ସୁନ୍ଦର କେଶ ହେବା ପଛର ରହସ୍ୟ କ’ଣ ଏବଂ ସେ କିପରି ଏହାର ଯତ୍ନ ନିଅନ୍ତି, ସେ ସମ୍ପର୍କରେ ଜାଣିବା ପାଇଁ ୟା’ଭିତରେ ଅନେକ ମିଡିଆ ସଂସ୍ଥା ତାଙ୍କର କେତେଥର ସାକ୍ଷାତ୍‌କାର ନେଇସାରିଲେଣି। କିନ୍ତୁ ଆକାଂକ୍ଷା ଆଜିଯାଏ କାହାରିକୁ ଠିକ୍‌ ଉତ୍ତର ଦେଇନାହାନ୍ତି। ପଚାରିଲେ ଖାଲି ହସି ଦିଅନ୍ତି ଆଉ କୁହନ୍ତି, ‘ଏହା ହେଉଛି ଭଗବାନଙ୍କର ମୋ ପ୍ରତି ବରଦାନ। ସେଥିପାଇଁ ମୋତେ ବିଶେଷ କିଛି କରିବାକୁ ପଡ଼େନି। ଖାଲି ଦିନକ ଭିତରେ ମାତ୍ର ୨୦ ମିନିଟ୍‌ ମୁଁ ସମୟ ନେଇଥାଏ, ମୁଣ୍ଡ ସଫା କରି ତାହାକୁ ଭଲ ଭାବେ କୁଣ୍ଡାଇବା ପାଇଁ। ବାସ୍‌ ସେତିକି ହିଁ କରେ। ’ ହେଲେ ଆକାଂକ୍ଷାଙ୍କର ଏହି ଉତ୍ତର ଆଜିଯାଏ କାହାରିକୁ ସନ୍ତୁଷ୍ଟି ଦେଇପାରିନି କି ତାଙ୍କର ଲମ୍ବା କେଶ ପଛର ରହସ୍ୟ କ’ଣ ତାହା କେହି ଭେଦ କରିପାରି ନାହାନ୍ତି।

ଲମ୍ବା କେଶ କାଟି ଦାନ କରିଦେଲେ
ଗୁଜରାଟର ନୀଳାଂଶୀ ପଟେଲ ନାମରେ ଜଣେ ଝିଅ ବି ଲମ୍ବା କେଶ ରଖି ଦିନେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଥିଲେ। କିନ୍ତୁ କିଛି ମହତ୍‌ ଉଦ୍ଦେଶ୍ୟ ରଖି ଶେଷରେ ନିଜର ସୁନ୍ଦର ଲମ୍ବା କେଶକୁ କାଟିବାକୁ ସେ ବାଧ୍ୟ ହେଲେ। ଦିନେ ଲମ୍ବା କେଶ ପାଇଁ ଚର୍ଚ୍ଚିତ ହୋଇଥିଲେ ଆଉ ଏବେ କେଶ କାଟିସାରିବା ପରେ ବି ସେ ଚର୍ଚ୍ଚାର ପରିସରରେ ରହିଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣାଟି ଥିଲା ଏହିପରି- ନୀଳାଂଶୀଙ୍କୁ ଯେତେବେଳେ ମାତ୍ର ୬ ବର୍ଷ ବୟସ ହୋଇଥିଲା, ସେତେବେଳେ ଭୁଲ୍‌ରେ ଜଣେ କେଶ କଟାଳି ତାଙ୍କର କେଶକୁ ଟିକେ ଏପଟସେପଟ କରି କାଟି ଦେଇଥିଲେ; ଯାହାକି ନୀଳାଂଶୀଙ୍କୁ ବହୁତ ଖରାପ ଲାଗିଥିଲା। ବାସ୍‌ ସେବେଠାରୁ ସିଏ ନିଷ୍ପତ୍ତି ନେଇଥିଲେ ଯେ, ଆଉ କେବେ ବି କେଶ କାଟିବେ ନାହିଁ। ଏକଥାରେ ତାଙ୍କ ମା’ବାପା ବି ରାଜିଥିଲେ। ସେମାନେ ଝିଅର ଖୁସି ପାଇଁ ତାକୁ କେଶ ରଖିବାକୁ ଦେଲେ। ଏପରିକି କେଶର ଠିକ୍‌ ଯତ୍ନ ନେବାରେ ବି ଝିଅକୁ ସେମାନେ ବହୁତ ସାହାଯ୍ୟ ମଧ୍ୟ କରୁଥିଲେ। ଯଦ୍ଦ୍ବାରା ନୀଳାଂଶୀଙ୍କର କେଶ ଦିନକୁ ଦିନ ଘନ କଳା ହୋଇ ବଢ଼ିବାକୁ ଲାଗିଲା। ୨୦୧୮ ମସିହା ବେଳକୁ ନୀଳାଂଶୀଙ୍କର କେଶ ପ୍ରାୟ ୧୭୦ ସେଣ୍ଟିମିଟର ଲମ୍ବା ହୋଇଯାଇଥିଲା। ଆଉ ସେତେବେଳେ ତାଙ୍କ ନାମକୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ଦିଆଯାଇଥିଲା। କିନ୍ତୁ ପୁଣିଥରେ ୨୦୨୦ ମସିହା ବେଳକୁ ତାଙ୍କର କେଶକୁ ମାପିବାରୁ ତାହା ଆହୁରି ବଢି ପ୍ରାୟ ୨୦୦ ସେଣ୍ଟିମିଟର ଅର୍ଥାତ୍‌ ୨ ମିଟର ହୋଇଯାଇଥିଲା। ଯଦ୍ଦ୍ବାରା ସିଏ ତାଙ୍କର ପୁରୁଣା ରେକର୍ଡକୁ ଭାଙ୍ଗିବାରେ ପୁଣିଥରେ ସକ୍ଷମ ହୋଇପାରିଥିଲେ। ସେଥିପାଇଁ ନୀଳାଂଶୀ ଯେତିକି ଖୁସି ଥିଲେ ତାଙ୍କ ପ୍ରଶଂସକମାନେ ବି ତା’ଠାରୁ ଅଧିକ ଖୁସି ଥିଲେ। ହେଲେ ହଠାତ୍‌ ତାଙ୍କ ଜୀବନରେ ସବୁକିଛି ପରିବର୍ତ୍ତନ ହୋଇଗଲା, ଯେତେବେଳେ ତାଙ୍କ ମା’ ନୀଳାଂଶୀଙ୍କୁ କହିଲେ ଯେ, ତାଙ୍କର ଏହି ଲମ୍ବା କେଶକୁ କାଟି ଚ୍ୟାରିଟିକୁ ଦାନ କରିବାକୁ। କେବଳ ନୀଳାଂଶୀ ନୁହନ୍ତି, ତାଙ୍କ ମା’ ବି ନିଜ କେଶ କାଟି ଏକ ଚ୍ୟାରିଟିକୁ ଦାନ କରିବାର ଯୋଜନା କରିଥିଲେ। ଯେଉଁ ଚ୍ୟାରିଟି କ୍ୟାନ୍‌ସର ପୀଡିତ ପିଲାମାନଙ୍କୁ କେଶ ଦାନ କରିବାର କାର୍ଯ୍ୟ କରିଥାଏ। ମା’ଙ୍କର ଏହି କଥା ଶୁଣି ନୀଳାଂଶୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ହେଁ, ତା’ ପଛରେ ଥିବା ମହତ୍‌ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରି ଶେଷରେ କେଶ କାଟିବାକୁ ରାଜି ହୋଇଯାଇଥିଲେ। ଏବେ କେଶ କାଟିବା ପରେ ବି ନୀଳାଂଶୀ ପୂର୍ବପରି ସେମିତି ଚୁଲ୍‌ବୁଲି ଆଉ ସୁନ୍ଦର ଲାଗୁଛନ୍ତି। ଆଉ କେଶ କାଟିବା ପଛରେ ଥିବା ତାଙ୍କର ମହତ୍‌ ଉଦ୍ଦେଶ୍ୟକୁ ବୁଝିପାରି ତାଙ୍କ ପ୍ରଶଂସକମାନେ ବି ତାଙ୍କୁ ଆହୁରି ପ୍ରଶଂସା କରୁଛନ୍ତି। ତା’ସହିତ ଏତେ ସୁନ୍ଦର କେଶର ସେ କିପରି ଯତ୍ନ ନେଉଥିଲେ ସେ ନେଇ ବି ଅନେକ ମିଡିଆ ସଂସ୍ଥା ତାଙ୍କର ସାକ୍ଷାତ୍‌କାର ନେଉଛନ୍ତି, ଯାହାର ଉତ୍ତରରେ ନୀଳାଂଶୀ କହୁଛନ୍ତି, ‘ମୁଁ ପ୍ରତି ସପ୍ତାହରେ ଥରେ ମାତ୍ର ମୁଣ୍ଡ ସଫା କରୁଥିଲି। ଅତି ବେଶିରେ ୩୦ ମିନିଟ୍‌ ଲାଗୁଥିଲା ତାହାକୁ ଶୁଖିବାକୁ କିନ୍ତୁ ତାକୁ କୁଣ୍ଡାଇ ପୁଣିଥରେ ଠିକ୍‌ କରିବାକୁ ପ୍ରାୟ ୧ ଘଣ୍ଟା ଲାଗିଯାଉଥିଲା। ମୋତେ କେଶ ଖୋଲା କରି ରଖିବାକୁ ବହୁତ ଭଲ ଲାଗୁଥିଲା। କିନ୍ତୁ କେଶର ଠିକ୍‌ ଯତ୍ନ ପାଇଁ ତାହାକୁ ଖୋଲିବା ଠିକ୍‌ ନୁହେଁ ଭାବି ମୋତେ ବାଧ୍ୟ ହୋଇ ତାକୁ ବାନ୍ଧିବାକୁ ପଡୁଥିଲା। ବିଶେଷ କରି ଟେବୁଲ୍‌ ଟେନିସ୍‌ ଖେଳିଲାବେଳେ ମୋତେ ତାହାକୁ ବାନ୍ଧି ଖୋଷା କରିବାକୁ ପଡୁଥିଲା। କେଶକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କେଶରେ ମୁଁ ଉଷୁମ ତେଲ ମାଲିସ କରୁଥିଲି। ତା’ସହିତ ସୁଷମ ଖାଦ୍ୟ ବି ଖାଉଥିଲି। ସବୁଠୁ ବଡ଼ କଥା ହେଉଛି କେଶ ଲମ୍ବା ହେବା କିମ୍ବା ଘନ ହେବା ତାହା ବଂଶଗତ ମଧ୍ୟ ହୋଇଥାଏ। ମୋ ମା’ଙ୍କର ଯେହେତୁ ଭଲ କେଶ ଥିଲା, ସେଥିପାଇଁ ହୁଏତ ମୋର ଏତେ ଭଲ ଲମ୍ବା କେଶ ହୋଇପାରିଥିଲା।’

କେଶବତୀଙ୍କ ଗାଁ
ସମସ୍ତଙ୍କର ଇଚ୍ଛା ଥାଏ ତାଙ୍କ କେଶ ଘନ, କଳା ଆଉ ଲମ୍ବା ହେଉ। ବିଶେଷକରି ଏହି ଅଭିଳାଶ ପ୍ରତ୍ୟେକ ମହିଳାଙ୍କର ରହିଥାଏ। କିନ୍ତୁ ବଢୁଥିବା ପ୍ରଦୂଷଣ, ଦୂଷିତ ଜଳ, କେମିକାଲ୍‌ଯୁକ୍ତ ପ୍ରସାଧାନ ସାମଗ୍ରୀର ବ୍ୟବହାର ଏପରିକି ଚିନ୍ତା ଆଦି କାରଣ ପାଇଁ କାହାର କେଶ ଝଡ଼ିବା ସମସ୍ୟା ଦେଖାଯାଏ ତ ଆଉ କାହାର କେଶ ଅସମୟରେ ପାଚି ଧଳା ପଡ଼ିଯାଏ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦକ୍ଷିଣ ଚାଇନାରେ ହୁଆଙ୍ଗଲୁଓ ନାମରେ ଏପରି ଏକ ଗାଁ ରହିଛି; ଯେଉଁଠି ପ୍ରାୟ ସବୁ ମହିଳାଙ୍କର ରହିଛି ଘନ, କଳା ଆଉ ଖୁବ୍‌ ଲମ୍ବା କେଶ। ସେଥିପାଇଁ ତ ଏହି ଗାଁଟିର ନାଁ ଦୁନିଆର ସବୁଠୁ ଲମ୍ବା କେଶ ଥିବା ଗାଁ ଭାବେ ଗିନିଜ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇସାରିଛି। ସୂଚନାନୁଯାୟୀ, ଏହି ଗାଁର ଅଧିକାଂଶ ମହିଳାଙ୍କର କେଶର ଲମ୍ବା ପାଖାପାଖି ୧.୫ ମିଟର ହେବ। ଏପରିକି କିଛି କିଛି ମହିଳାଙ୍କର ୨ ମିଟର ଲମ୍ବର କେଶ ବି ରହିଛି। ତେବେ ଏହି ମହିଳାମାନଙ୍କର କେଶ ଏତେ ଲମ୍ବା ହେବା ପଛର କାରଣ ହେଉଛି, ଏମାନେ କେଶକୁ ଆଦୌ କାଟନ୍ତି ନାହିଁ। କାରଣ ତାଙ୍କର ବିଶ୍ୱାସ ରହିଛି ଯେ, କେଶ ମଥାରେ ଉଠୁଥିବା କୌଣସି ଏକ ସାଧାରଣ ଜିନିଷ ନୁହେଁ; ବରଂ ତାଙ୍କର ପୂର୍ବଜଙ୍କ ସହ ସମ୍ପର୍କ ସ୍ଥାପନ କରିବାର ଏହା ହେଉଛି ଏକ ମାଧ୍ୟମ। ସେଥିପାଇଁ ଏମାନେ କେଶକୁ ନ କାଟି ସେମିତି ରଖି ପୂର୍ବଜଙ୍କୁ ଖୁସି କରିବାକୁ ଚେଷ୍ଟା କରିଥା’ନ୍ତି। ଅବଶ୍ୟ ୧୮ ବର୍ଷ ବୟସରେ ଏଠାରେ ପ୍ରତି ଝିଅଙ୍କର କେଶ କାଟିବାର ଏକ ନିୟମ ରହିଛି। ଆଉ ସେହି କଟାଯାଇଥିବା କେଶକୁ ଝିଅର ବାପଘର ଲୋକେ ଖୁବ୍‌ ଯତ୍ନର ସହ ସାଇତି ରଖିଥା’ନ୍ତି। ପରେ ଯେତେବେଳେ ଝିଅଟିର ବାହାଘର ହୁଏ, ସେହି କଟାଯାଇଥିବା କେଶକୁ ଜ୍ୱାଇଁଙ୍କୁ ଉପହାର ସ୍ବରୂପ ଦେବାର ବିଧି ଏଠାରେ ଆଜିଯାଏ ପ୍ରଚଳିତ ହୋଇଆସୁଛି। ସେହିପରି ଅବିବାହିତ ଝିଅମାନେ କେଶକୁ ଖୋଲା ନ ଛାଡି ବରଂ ଏକ ସ୍ବତନ୍ତ୍ର ସ୍କାର୍ଫ ଦ୍ୱାରା ବାନ୍ଧିକି ରଖିବାର ନିୟମ ଏଠାରେ ପାଳନ କରିଥା’ନ୍ତି। ଅନ୍ୟପକ୍ଷେ ବିବାହିତ ମହିଳାମାନେ ବି କେଶକୁ ମୁଣ୍ଡ ଚାରିପଟେ ଗୁଡ଼ାଇ ଗୁଡ଼ାଇ ମଥା ଉପରେ ଏକ ଜୁଡା କରି ଦେଇଥା’ନ୍ତି। କାରଣ ଏଠାରେ ଯୁବତୀ ହୁଅନ୍ତୁ କି ମହିଳା କେହି ବି ଖୋଲା କେଶକରି ବୁଲିବା ନିୟମ ବିରୁଦ୍ଧ। ଏପରିକି ଘରର କୌଣସି ଯୁବତୀ କି ମହିଳା ନିଜ ପରିବାର ଲୋକଙ୍କ ବ୍ୟତୀତ ବାହାରର କୌଣସି ପୁରୁଷଙ୍କୁ ନିଜର ଖୋଲା କେଶ ଦେଖାଇବା ବି ଏଠାରେ ଅନେକ ଦିନ ଧରି ବାରଣ ରହିଥିଲା। କିନ୍ତୁ ୧୯୮୦ ମସିହା ପରଠୁ ଏଠାକୁ ମହିଳାମାନଙ୍କର କେଶ ଦେଖିବାକୁ ଟୁରିଷ୍ଟମାନଙ୍କର ଧୀରେ ଧୀରେ ସଂଖ୍ୟା ବଢିବାରୁ ସ୍ଥାନୀୟ ବାସିନ୍ଦାଙ୍କର ଭଲ ଦୁଇ ପଇସା ରୋଜଗାର ହେଲା। ବାସ୍‌ ତା’ପରଠୁ ଏଠାକାର ମହିଳାମାନଙ୍କୁ ଆଉ କେଶ ଲୁଚାଇବା ବାଧ୍ୟତାମୂଳକ ହୋଇ ରହିଲାନି। ସୂଚନାନୁଯାୟୀ, ସେବେଠାରୁ ପ୍ରତିବର୍ଷ ମାର୍ଚ୍ଚ ମାସରେ ଏଠାରେ ‘ଲଙ୍ଗ ହେୟାର୍‌ ଫେଷ୍ଟିଭାଲ’ ପାଳିତ ହୋଇଆସୁଛି; ଯେଉଁଥିରେ କେବଳ ବିବାହିତା ମହିଳାମାନେ ଭାଗ ନେଇ ସୁନ୍ଦର ଗୀତ ଗାଇ ଆଉ ନାଚ କରି ନିଜର ସୁନ୍ଦର କେଶକୁ ପର୍ଯ୍ୟଟକଙ୍କୁ ପ୍ରଦର୍ଶିତ କରିଥା’ନ୍ତି। ଏଥିରୁ ସେମାନଙ୍କର ଭଲ ରୋଜଗାର ବି ହୋଇଥାଏ। ବିବାହିତା ମହିଳା ସିନା ନିଜ କେଶକୁ ସମସ୍ତଙ୍କୁ ଦେଖାଇ ଦିଅନ୍ତି ହେଲେ ଅବିବାହିତା ଯୁବତୀ ବିବାହ ପରେ ହିଁ ପ୍ରଥମେ ନିଜର ସ୍ବାମୀଙ୍କୁ ତାଙ୍କର ଖୋଲା କେଶ ଦେଖାଇଥା’ନ୍ତି। ତା’ପରେ ଯାଇ ସେମାନେ ଏହି ଫେଷ୍ଟିଭାଲରେ ଭାଗ ନେବା ପାଇଁ ଯୋଗ୍ୟ ହୋଇଥା’ନ୍ତି। ତେବେ ଏଠାକାର ଏହି ମହିଳାମାନଙ୍କର ଏତେ ଘନ, କଳା କେଶ ହେବା ପଛର କାରଣ ହେଉଛି, ସେମାନେ ତାଙ୍କର କେଶକୁ ସଫା କରିବା ପାଇଁ ଚାଉଳ ଧୁଆ ପାଣିକୁ ଶାମ୍ପୋ ଆକାରରେ ପ୍ରଥମେ ବ୍ୟବହାର କରିଥା’ନ୍ତି, ତା’ପରେ ନିଟକରେ ପ୍ରବାହିତ ହେଉଥିବା ନଦୀକୁ ଯାଇ କେଶକୁ ଭଲ ଭାବେ ଧୋଇ ଦେଇଥା’ନ୍ତି। ହୁଏତ ଏହି କାରଣ ପାଇଁ ସେଠାକାର ମହିଳାମାନଙ୍କର କେଶ ପ୍ରାୟ ୮୦ ବର୍ଷ ବୟସ ପର୍ଯ୍ୟନ୍ତ ପାଚି ନ ଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର...

ଇସ୍ରାଏଲ-ଇରାନ ବିବାଦ ମଧ୍ୟରେ ଆନନ୍ଦ ମହିନ୍ଦ୍ରାଙ୍କୁ ପସନ୍ଦ ଆସିଗଲା ଏହି ଗୋଟିଏ ଜିନିଷ: କହିଲେ, ଭାରତକୁ ବି ଏହା ଆବଶ୍ୟକ

ନୂଆଦିଲ୍ଲୀ,୧୫।୪: ଅନେକ ଦିନ ପରେ ନୀରବ ରହିବା ପରେ ଶେଷରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦ ଉପରେ ସମଗ୍ର...

ବିବାହରେ ଅପେକ୍ଷା କରିଥିଲେ ଅତିଥି, ହନିମୁନ୍‌ରେ ବାହାରିଲେ ବରକନ୍ୟା, ଲଜ୍ଜିତ ହେଲେ ପରିବାର

ବିବାହ ହଲ୍‌ରେ ପ୍ରବେଶ କରିବା ପୂର୍ବରୁ ଆପଣ ବର କିମ୍ବା କନ୍ୟାଙ୍କର ଅନେକ କାହାଣୀ ଶୁଣିଥିବେ ନିଶ୍ଚୟ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଉଭୟ...

Featured Video Play Icon

ସଫେଇ କର୍ମଚାରୀରୁ IAS ଅଫିସର

ଅବଦୁଲ୍ ନସର । ୫ ବର୍ଷ ବୟସରେ ମାତାପିତାଙ୍କ ଘଟିଥିଲା ମୃତ୍ୟୁ ।ଏହାପରେ ତାଙ୍କର ଲାଳନ ପାଳନ ହୋଇଥିଲା ଅନାଥ ଆଶ୍ରମରେ । କିନ୍ତୁ ଭାଗ୍ୟ...

ଗାଧୋଇବା ପାଇଁ ଅନ୍ୟ ଦେଶକୁ ବିମାନ ଯାତ୍ରା କଲେ ଏହି ଯୁବକ, ଖର୍ଚ୍ଚ କଲେ ଏତିକି ଟଙ୍କା…

ମୁମ୍ବାଇ: ଦୁନିଆରେ ଅଜବ ଧରଣର ଲୋକ ରହିଛନ୍ତି। କିଛି ଲୋକଙ୍କର ଅଜବ ସଉକ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେମିତି ଜଣେ ଯୁବକଙ୍କ ଫିଟୋ...

ଲାଞ୍ଚଂ ଶରଣଂ ଗଚ୍ଛାମି

ଥରେ ଜୀବେ ଦୟା ବିଷୟରେ ପ୍ରବଚନ ଶୁଣିଲା ପରେ ଉଦବୁଦ୍ଧ ହୋଇ ବାଟରେ ଯାଉଥିବା ଗାଈକୁ ଟିକେ ଆଉଁସି ଦେଲି । ଜାଗା ଅଜାଗାରେ ହାତ...

ମୋନାଲିସା ପେଣ୍ଟିଂ ଏତେ ପ୍ରସିଦ୍ଧ କ’ଣ ପାଇଁ? ଜାଣନ୍ତୁ ରହସ୍ୟ…

ଇଟାଲିର ମହାନ ଚିତ୍ରକର ଲିଓନାର୍ଡୋ ଦା ଭିନ୍ସିଙ୍କ ହାତର ଯାଦୁକରୀ ହେଉଛି ପୃଥିବୀ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ। ୧୫୦୩ରୁ ୧୫୦୬ ମସିହା ମଧ୍ୟରେ ତିଆରି ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri