Posted inଫୁରସତ

ଫରୱାର୍ଡ ପ୍ରେମ…

ଶ୍ରମିକଭାବେ କାମ କରୁକରୁ ଅବାଗିଆ ଜାଗାରେ ଫସିଥିବା ଅନେକ ବ୍ୟକ୍ତି ବହୁଶ୍ରମ ପରେ ଉଦ୍ଧାର ହେବା ଖବର ସାରା ଦୁନିଆରେ ଚହଳ ପକାଇଥିଲା। ସମସ୍ତେ ଆନନ୍ଦରେ ଉଛୁଳିପଡିଲେ l କିଏ କହିଲେ… ଭଗବାନ୍‌ଙ୍କ ଦୟା ତ କିଏ କହିଲେ ଆମ ନେତାଙ୍କ କମାଲ l ପୁଣି କିଏ ପ୍ରଶଂସାକଲେ ମେଶିନକୁ ତ କିଏ ଆମ ବୀର ସୈନିକଙ୍କୁ ଧନ୍ୟବାଦ ଦେଲେ। ବିଳମ୍ବରେ ପଛେ ହେଉ, କାମରେ ତ ସଫଳତା ମିଳିଲା ! ଅନ୍ଧାରି ମୂଲକରୁ ବାହାରିବା ପରେ, ମିଡିଆବାଲାଏ ଧାଡ଼ିରେ ମାଡିଆଇଲେ ତାଙ୍କଠୁ ଅନୁଭୂତି ଶୁଣି ଟିଭି, କାଗଜରେ ପ୍ରଚାର କରିବାପାଇଁ l ଜଣ ଜଣଙ୍କୁ ଭିଡିଆଣି… ସାର୍‌, ମହାଶୟ, ପ୍ରିୟ ବନ୍ଧୁ, ବଡ଼ଭାଇ ଇତ୍ୟାଦି ସୁନ୍ଦର ସୁମଧୁର ସମ୍ବୋଧନରେ ଡାକି, କ୍ୟାମେରା ଆଗରେ ବାଇଟ ଦେବାକୁ ଅନୁରୋଧକରି ନାମ ସହିତ ପରିଚୟ ଦେବାକୁ କହୁଥିଲାବେଳେ, କାଳିଆ ବୁମ୍‌କୁ ପାଟି ପାଖରେ ଲଗେଇ କହିବାକୁ କହିଲାବେଳେ, ଆଗରୁ ଏତେ ଭଦ୍ରାମିଆ ସମ୍ବୋଧନ ଶୁଣି ନ ଥିବା ଶ୍ରମିକ ନିଜକୁ ଧନ୍ୟ ମଣୁଥାନ୍ତି। ଏଥିରେ ସମସ୍ତ ଦେଶବାସୀ, ବନ୍ଧୁ ପ୍ରିୟଜନ ଯେତେ ଯେତେ ଖୁସି ହେଉଥାନ୍ତି, ମନୁଆ ମନ ସେତିକି ଦୁଃଖିତ ହୋଇ ମୁହଁ ତା’ର ଶୁଖିଯାଉଥାଏ l ସିଏ ଯେତେ ମନାକରି ଗାମୁଛାରେ ମୁହଁ ଲୁଚେଇ, ମତେ କିଛି ପଚାରନି କହି ପଛକୁ ଠିଆହେଲେ ବି, ତାକୁ କିଏ କିଏ ଭିଡ଼ିଆଣି ବାଧ୍ୟକରୁଥାନ୍ତି କହିବାକୁ। ସତେଯେମିତି ପୋଲିସ ବାବୁ ଚୋରକୁ ଜେରାକରି ପଚାରିଲା ବାଗିଆ । ମନୁଆର ମନଦୁଃଖ ଦେଖି, କିଏ କହୁଥାଏ ବାବୁଙ୍କର ଘରକଥା ମନେପଡ଼ୁଛି ତ କିଏ କହୁଥାନ୍ତି ସାର୍‌ଙ୍କୁ ପ୍ରବଳ ଭୋକ । ମନୁଆ ମୁହଁକୁ ତଳକୁ ଝୁଲେଇ ଧନ୍ୟବାଦ କହିଲା ବେଳକୁ କୁଆଡୁ ଦଳେ ସୁନ୍ଦରୀ ମହିଳା ସାମ୍ବାଦିକା ଧାଇଁଆସି ଗେହ୍ଲେଇ ତେଲେଇ ଦି ହାତରେ ତା ମୁହଁକୁ ଟେକି ପଚାରିଲେ… ଆଉ କିଆଁ ମନଦୁଃଖ ? ବିପଦ ତ ଟଳିଗଲା… ଏଥର ଆପଣଙ୍କ ଅନୁଭୂତି କ୍ୟାମେରାକୁ ଅନେଇ ଟିକେ କୁହ ଭଲା ! ମନୁଆ କିନ୍ତୁ ଏତେ ସ୍ନେହ ଆଦର କଥାରେ ଖୁସି କ’ଣ ହେବ ବରଂ ବେଶି ରାଗି ପାଚି ଉଚ୍ଛନ୍ନ। ଭାବୁଥାଏ ଧେତ୍‌, ମଣିଷ ତା’ ଭିତରେ ମରିଯାଇଥିଲେ ଭଲହୋଇଥାନ୍ତା। କହିଲା ଆଜ୍ଞା! କାହିଁକି ମୋ ପରିଚୟ ପଚାରି ମତେ କଲବଲ କରୁଛ ?
ସେଇ ଏକା ଉତ୍ତର ପଚାଶଥର ଦେଇ ଦେଇ ହାଲିଆ ।

ଏଇ ଅନାମଧେୟ କାଲିର ଅପରିଚିତ ମୂଲିଆର ମୂଲ୍ୟ ହଠାତ୍‌ ଏତେ ବଢିଗଲା ଯେ, ତାଙ୍କୁ ପାଛୋଟିନେବାକୁ ସରକାର ଗାଡ଼ିପଠେଇ କେତେ ଧୋବଧାଉଲିଆ ବାବୁଙ୍କ ହାତରେ ଗେଣ୍ଡୁମାଳ ଧରେଇ ପ୍ରଚଣ୍ଡ ଶବଦରେ ବାଜା ବଜେଇ ସମ୍ବର୍ଦ୍ଧନାର ଆୟୋଜନ କରିଛନ୍ତି ! ଢୋଲିଆ ଢୋଲ ପିଠିକି ପିଟି ସିନା ପଇସା ନେବ, ହେଲେ ତା’ ଛାତିରେ ଲାଗିଥିବା ଆଘାତକୁ କିଏ ଲିଭେଇବ ?

ଶେଷକୁ ଢେରେ ବିଳମ୍ବରେ ତା’ ଗାଁ ମୁଣ୍ଡରେ ପହଞ୍ଚିଲା ଗାଡ଼ିରେ ମନୁଆ ।
ସେଇଠି ରୁଣ୍ଡହୋଇଥିଲେ ସରପଞ୍ଚେ, ୱାର୍ଡମେମ୍ବର, ସମିତିସଭ୍ୟା, ସାହି ପଡ଼ୋଶୀଏ, ସାଙ୍ଗ -ସାଥୀଗଣ । କିଏ ଗୋଟେ ବଡ଼ପାଟିରେ କହିଲା.. ଆରେ ହେଇରେ ! ଆମ ମନୁଆ ଅଇଲାରେ । ମନୁଆ ମନେମନେ ଗାଳିକରି କହୁଥାଏ ତମେ ମୋ ସନମାନ ସମ୍ବର୍ଦ୍ଧନା ପାଇଁ ଆଇଛ ନା ସମସ୍ତେ ମିଶି ମତେ ଖାଉଛ ! ମୁରବୀ ମୁରଲୀ ମଉସା କହିଲେ ହେ ପିଲେ ! ଶଙ୍ଖ ଫୁଙ୍କ, ଝାଞ୍ଜ ମୃଦଙ୍ଗ ବଜାଅ, ବାଣ ଫୁଟାଅ.. ହରିବୋଲ ହୁଳହୁଳି ଦିଅ ରେ…! ଏଇ ଉଚ୍ଚ ଶବଦରେ ଏରିଆ କମ୍ପିଲାବେଳକୁ ମନୁଆ ଛାତି ଭିତରେ କିଏ ଯେମିତି ହାତୁଡ଼ି ପିଟି ତା’ ଫଟା ହୃଦୟକୁ କମ୍ପେଇ ବିଦାରିପକେଇଲା ଭଳିଆ ଲାଗୁଥିଲା । ହୁଳହୁଳି ଶବଦ ଶୁଣି ସେ ହୁରୁଡ଼ା ବଳଦ ବାଗିଆ ସେଠୁ ପଳେଇବାକୁ ଚାହୁଁଥିଲା । ଟିଭି, ସୋସିଆଲ ମିଡିଆରେ ତା’ ପରିଚୟ ଯେତିକି ପ୍ରଚାରିତ ହେଉଥାଏ, ତା’ ଭିତରେ ବାହାର ଭବିଷ୍ୟତ ଯେମିତି ଜାଳିପୋଡି ଗଲାପରି ଲାଗୁଥାଏ। ତା’ ମନଦୁଃଖ, ଲୁହଭିଜା ଆଖିଦେଖି ସାଙ୍ଗମାନେ କହିଲେ, ମନୁଆ ତୁ ମନଦୁଃଖ କରନା । ଆମେ ତୋ ସାଥିରେ ଅଛୁ । ତୋ ଫଟୋସହ ତୁ ଯେତିକି ଭାଇରାଲ ହେଲୁଣି, ଆଗକୁ ନେତା ହୋଇ ଟିକଟ ପାଇ ଜିତି ମନ୍ତ୍ରୀହେବୁ… ଆମକୁ ଲାଗିଲାଣି। ମନୁଆ ଭାବୁଥାଏ ହୁଁ, ତମେସବୁ ମିଶିକି ମୋ ଇଜ୍ଜତ ନିଲାମକରି ମୋତେ ଖଣ୍ଡ ଖଣ୍ଡ କାଟି ଖାଇସାରିଲଣି । ଯମ ଆସିକି ଏଇଠୁ ମତେ ନେଇଯାଆନ୍ତା କି !

ନା, ଏଇ ନିଷ୍ଠୁରିଆ ନରଙ୍କୁ ଡରି ଯମ ବି ମତେ ନେବାକୁ ଡରିଯିବଣି !
ଘରେ ପହଂଚିବା ପରେ ଘେରିଗଲେ.. ମା, ବୁଢ଼ୀ ମା, ପିଇସୀ ଖୁଡ଼ୀ ଓ଼ଗେର l କିଏ ତା ମୁହଁଦେଖି ନାକରେ କାନ୍ଦିଲେ ତ କିଏ ପଣତ କାନିରେ ମୁହଁ ପୋଛି ପକେଇଲେ l କ’ଣ ପାଇଁ ମନ ଶୁଖେଇଛୁ ପଚାରିଲେ l ଜେଜେ ମା’ କହିଲେ.. ତୁ କ’ଣ ଖାଇବୁ କହିଲୁ ଧନ ! ରାଗରେ ସମସ୍ତଙ୍କୁ ଠେଲି କହିଲା ଛେନା ଗୁଡ଼ ! ଫଁ ଫଁ ହେଇ ଦୌଡ଼ି ପଳେଇଲା ଗାଁ ଆରମୁଣ୍ଡ ଗଡିଆ ଆଡ଼କୁ l ଏକାକୀ ବସିଲା ପାଖ ବରଗଛ ଛାଇରେ ଲୁଚି । ଆଖିରୁ ଲୁହ ପୋଛି ଭାବିଲା କାହିଁକି ମୋ ଭାଗ୍ୟ ମୋ ସହ ଏମିତି ଖେଳ ଖେଳିଲା ?

ଘରେ ସମସ୍ତଙ୍କ ଭାଳେଣି କ’ଣ ପାଇଁ ମନୁଆ ଏମିତି ରାଗୁଛି? ପିତେଇ ଖୁଡ଼ୀ କହିଲେ ମୁଁ ଜାଣିଛି । ସେ ପରା ନ ଖାଇ ନ ପିଇ, ତା’ ପେଟ ଗରମ ହୋଇ ମୁଣ୍ଡକୁ ପିତ୍ତ ଉଠିଯାଇଛି ।

ତାକୁ ପିତା ଶୁଖୁଆ ପଖାଳ ବେଲାଏ ଖୁଆଇଦେଲେ ମୁଣ୍ଡ ଥଣ୍ଡାହୋଇ ତୁଣ୍ଡରୁ ମଧୁର ବଚନ ବାହାରିବ। ତା’ ଉପରେ ଦଦା ବିଗିଡ଼ିଲା ବେଳକୁ, ମନୁଆ ସାଙ୍ଗ ଧନୁ ପହଞ୍ଚି ସବୁଶୁଣି ଧାଇଁଗଲା ଗାଁ ମୁଣ୍ଡକୁ। ଡାକପକେଇଲା ମନୁଆରେ… ମୁଁ ତୋ ସାଙ୍ଗ ଧନୁ ଆଇଚି, କୋଉଠି ତୁ? ବରଗଛ ପଛରୁ ମୁହଁ କାଢ଼ି ଡାକିଲା ଧନୁକୁ । କିଛି ସମୟ ଉଭୟେ କାନ୍ଦି ପରସ୍ପରକୁ କୁଣ୍ଢେଇ ଧରିଲା ପରେ ଟିକେ ଶାନ୍ତ ହେବାରୁ ଧନୁ ତା’ ମୁଣ୍ଡ ଛୁଆଇଁ ରାଣ ପକେଇ ପଚାରିଲା -ସତ କହ କ’ଣ ତୋର ହୋଇଛି ?
ମନୁଆ କହିଲା କ’ଣ ଆଉ ଅଛି ଯେ କହିବି ?

ମୋ ସୁନାର ଫସଲ କିଆରିରେ ନିଆଁ ଲାଗିଗଲା। କେହି ମୋ ମନକଥା ବୁଝିଲେନି। ଧନୁ କହିଲା -ଆରେ କଥାଟା ଖୋଲିକି କହ ! ମନୁଆ କହିଲା ତୁ ତ ଜାଣିଛୁ, ମୁଁ ମୋ ମାମୁଘର ଗାଁର ରୁପାକୁ ଭଲପାଏ ବୋଲି । ସିଏ କଥା ଦେଇଥିଲା ମଥା ଦେଖେଇବ ସିନ୍ଦୂର ଲଗେଇ, ହାତ ବଢ଼େଇ ମୋ ହାତରୁ ଶଙ୍ଖା ପିନ୍ଧିବ, ଯେତେବେଳେ ମୁଁ ଭଲ ରୋଜଗାର କରି ସମ୍ମାନର ସହ ସମାଜରେ ଛିଡ଼ାହେବି । ତା’ କଥାରେ ଏଠି ବେକାରି ଖାତାରୁ ନଁା କାଟି ବାହାର ରାଇଜକୁ ଗଲି । ମାଟ୍ରିକ ପଢୁଆ ମତେ କିଏବା ଚାକିରି ଦେବ? ବାଧ୍ୟରେ ମୂଲିଆ କାମକରି, ତାକୁ ମିଛରେ କହିଲି ଗୋଟେ କମ୍ପାନୀରେ ସୁପରଭାଇଜର ଅଛି -୩୦ ହଜାର ଦରମା ପାଉଛି ବୋଲି । ଭାବିଥିଲି ଟଙ୍କା ସଞ୍ଚି ବାହାହୋଇଗଲେ ସତକହିବି । ତାକୁ ଛାଡ଼ି ବାହାରକୁ ନ ଯାଇ ଗାଁରେ ଦୋକାନ ଖୋଲିବି । ହେଲେ ଏ ମିଡିଆ, ସୋସିଆଲ ମିଡିଆ ମୋ ଫଟୋ-ଅସଲ ପରିଚୟ ଭାଇରାଲ କରିଦେବାରୁ ରୁପା ମୋ ଅସଲ ରୂପ ଜାଣି ଘୃଣା କଲାଣି । ମିଛୁଆ, ଧୋକ୍କାବାଜ ଉପାଧିରେ ଭୂଷିତ କଲାଣି । ମୋଠୁ ଦୂରେଇଯିବାକୁ କହିଲାଣି । କହ ସାଙ୍ଗ ! ତା’ ବିନା ମୁଁ କେମିତି ବଞ୍ଚତ୍ବି ? ଦେଶ ରାଇଜ ଠୁ ଗାଁଯାଏ ମିଳୁଥିବା ସନମାନ ନୁହଁ, ବରଂ ମୋ ପାଇଁ ଘୋର ଅପମାନ । ଭାବୁଛି ମରିଯିବି ।

ଧନୁ କହିଲା, ହେଃ, ଇଏ ଗୋଟେ କଥାନା ? ମୋ ପାଖେ ଉପାୟ ଅଛି ।
ଯାଉଛି ଦୁଇଟା ମିଡିଆବାଲାଙ୍କୁ ଡାକିବି। ତୁ ସେମାନଙ୍କୁ କହିବୁ ପ୍ରକୃତରେ ଶ୍ରମିକ ନୁହେଁ ସୁପରଭାଇଜର । ବାସ୍‌, ସେତିକିବେଳେ ଆମେ ସାଙ୍ଗମାନେ ଭିଡିଓକରି ସବୁ ସୋସିଆଲ ମିଡିଆ, ୟୁ ଟ୍ୟୁବ୍‌ରେ ଛାଡ଼ି ଏମିତି ଭାଇରାଲ କରି ରୁପା ପାଖକୁ ଲିଙ୍କ୍‌ ପଠେଇଦେଲେ ଖାଲି ରୁପା କ’ଣ ତା’ଠୁ ଆହୁରି ସୁନ୍ଦରୀ ସୁନା, ହୀରା, ମୋତି, ମାଣିକମାନେ ବି ଏମିତି ଲାଇନ ଲଗେଇବେ ଯେ ରୁପା ପରା ତା’ ବାପାକୁ କହି ତୁରନ୍ତ ବରଣମାଳା ଯୋଗାଡ଼ିବ !
ଏତେଦିନ ପରେ ଏଇ କଥା ଶୁଣି -ମନୁଆ ମନ ଆନନ୍ଦରେ କୁରୁଳି ଉଠିଲା…!
-ମଙ୍ଗରାଜପୁର, ପୁରୀ, ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପରିବାର ସହ ଅମ୍ବାନୀଙ୍କ ଗଣପତି ଉତ୍ସବରେ ପହଞ୍ଚିଲେ ସଚିନ ତେନ୍ଦୁଲକର; ଶାଢ଼ୀ ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ସାରା

ମୁମ୍ବାଇ: ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ବେଶ ଧୁମଧାମରେ ଗଣପତି ବାପ୍ପାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୧୪ ରେ ‘ଆଣ୍ଟିଲିଆ’ (Antilia) ଠାରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?