Posted inଫୁରସତ

କଳିରେ କଳିରେ କୋଳାକୋଳି

ଆଃ! କାହିଁ ପଲ୍ଲୀ, କାହିଁ ପୁରୀ! ଭାଗ୍ୟରେ ଥିଲେ ଏଇଠିକି ମଣିଷ ଆସନ୍ତି l ଏକଥା ଖାଲି ମୁଁ କହୁନି , ସମସ୍ତେ କହନ୍ତି l ସଜନୀ ମାଉସୀ ସଙ୍ଗେ ଚମ୍ପା ମାଉସୀ ଏମିତି କଥା ହେଉଛନ୍ତି l ଦିହେଁ ପାଖାପାଖି ଗାଁର l କେତେଦିନ ପରେ ପୁରୀରେ ହବିଷ କରିବାକୁ ଆସି ବଡ଼ଦାଣ୍ଡରେ ଭେଟ ହୋଇଛନ୍ତି l ସଜନୀ ସାନ, ଚମ୍ପା ବଡ଼ l ପୁରୀରେ ପହିଲି ଦେଖାରେ ସଜନୀ ମାଉସୀ ନାନୀ ବୋଲି ଡାକି ଢେର୍‌ ଲୋକଙ୍କ ଆଗରେ ମୁଣ୍ଡିଆ ମାରିବାରୁ ଚମ୍ପା ମାଉସୀ ଛାତି କୁଣ୍ଢେମୋଟ ହୋଇଗଲା l ତାକୁ କୁଣ୍ଢେଇ ଗଳାରେ ଲଗେଇ ଗେଲକରି କେତେ ଭଲମନ୍ଦ କଥା ପଚାରିଗଲେ l ସଜନୀ ମାଉସୀ ଭାରି ଗରିବ l ଚମ୍ପା ମାଉସୀ ଥିଲାବାଲା l ତିନି ତିନିଟା ରୋଜଗାରିଆ ପୁଅ l ବଡ଼ ଜମିବାଡ଼ି ଖବର ବୁଝେ l ମଝିଆ ରାଜନୀତି ସାଙ୍ଗେ କଣ୍ଟ୍ରାକ୍ଟରି କରେ l ସାନପୁଅ ଦିଲ୍ଲୀରେ ବଡ଼ ଚାକିରିକରି ଲକ୍ଷେରୁ ବେଶି ଟଙ୍କା ମାସକୁ ପଠାଏ l ହେଲେ ସଜନୀ, ଗିରସ୍ତ ମଲାକାଳୁ ଭାରି ଦୁଃଖୀ l ଝିଅ ଜ୍ୱାଇଁଙ୍କ ହାତଟେକା ଦାନରେ ଗାଁରେ ରହି ଦୁଃଖେ ସୁଖେ ଚଳେ l

ଚମ୍ପା ମାଉସୀ ପଚାରିଲା.. ”ହାଇଲୋ ସଜନୀ ! ତୁ କେମିତି କାହା ସାଙ୍ଗେ ପୁରୀ ଅଇଲୁ? କୋଉଠି ରହୁଛୁ ? ତତେ ସରକାର ଆଣିଲେ ନା ନିଜେ ଆସିଛୁ ?“

– ନାଇଲୋ ନାନୀ l ମୋ କପାଳ ତ ଫଟା l ସରକାର କାହାକୁ କେମିତି ଆଣି କୋଉଠି ରଖୁଛନ୍ତି.. ସେ କଥା ମୁଁ ଜାଣିନି l ଗଲା କରୋନl କାଳ ଦି’ବରଷ ଛାଡ଼ିଦେଲେ, ବାକି ଫି ବରଷ ଗିରସ୍ତ ମଲା ପରଠୁ ଜ୍ୱାଇଁ ଟଙ୍କା ହଜାରେ ଦିଅନ୍ତି l ପୁତୁରା ଆଣି ଗୋଟେ ମଠରେ ଛାଡ଼ିଦିଏ l ସେଇଠି ରହେ। ଏ ସାଲେ ମଠ ଭଙ୍ଗା ହେଇଯାଇଥିବାରୁ ଜଣଙ୍କର ବଖୁରେ ଘରକୁ ଭଡ଼ାରେ ନେଇ ରହୁଛି l ହେଲେ ଶାନ୍ତି ଲାଗୁନି l ସଫାସୁତୁରା କିଛି ନାହିଁ l ଖାଲି ମୂତୁରା ମୂତୁରା ଗନ୍ଧାଉଛି l କ’ଣ ଆଉ କରିବି ? ସଉପ ଖଣ୍ଡେ ପକେଇ ରାତିରେ ଗଡିପଡୁଛି l ଅଭଡ଼ା କିଣିକି ଖାଉଛି l ବୁଲି ବୁଲି ଠାକୁର ଦରଶନ, ପୁରାଣ ପଢ଼ା ଶୁଣି ଦିନ ବିତାଉଛି l

— ଏଁ..? ଆଲୋ ସଜନୀ ! ତୁ ଏଡ଼େ ଦୁଃଖରେ ଅଛୁ ? ହେଲେ ମୋ ଭାଗ୍ୟ ଭଲ l ମୋ ମଝିଆପୁଅ ସନା ଭାରି ଚତୁର l ସିଏ ରାଜନୀତିକରି ସବୁଲୋକଙ୍କୁ ଚିହ୍ନିଚି l ମୋ ନାଁ ସରକାରୀ ଖାତାରେ ଲେଖେଇ ମତେ ତା’ କାର୍‌ରେ ଆଣି ଭକତନିବାସରେ ରଖେଇ ମାଗଣା ଅଭଡ଼ାଖିଆଠୁ ଦେହ ପା’ ଯତନର ସବୁ ବ୍ୟବସ୍ଥା କରିଦେଇଛି l କ’ଣ କହିବି ସଜନୀ.. ସେ ଘର ତ ନୁହଁ ଯେମିତି ରାଜଉଆସ l ମୁଁ ଭାରି ଖୁସିରେ ଅଛି l

— ଆଲୋ ନାନୀ! ତୋର କୋଉଥିରେ ତ ଅଭାବ ନାହିଁ l ସରକାର ପରା କୁଆଡେ ଆମ ପରି ଗରିବ ଗୁରୁବାଙ୍କ ପାଇଁ ଏଇସବୁ ମାଗଣା ଯୋଜନା.. ମାଗଣା ହବିଷ ବ୍ୟବସ୍ଥା କରିଛନ୍ତି ! ହେଲେ ତମ ଭଳିଆ ସବୁଥାଇ ଧନୀହେଇ ଯେବେ ସବୁ ସୁବିଧା ହାତେଇନେବ.. ତେବେ ଆମ ଭଳିଆ ମଳିମୁଣ୍ଡିଆ ହଇରାଣ ହରକତ ହେବେ କି ନାହିଁ କହିଲ ?

କଥାଟା ସାଇଁକିନା ଶରବାଗିଆ ଯେମିତି ଚମ୍ପା ମାଉସୀ ଛାତିରେ ପଶିଗଲା l ରାଗ ତମତମ ହେଇ ଚିହିଁକିଉଠି କହିଲା… ହାଇଲୋ ହେ ଦରିଦ୍ରିଆଣୀ! ପତର ଗୋଟେଇ ଛତରଖାଇ ! ତୋ ଦିହ କାହିଁ ସହୁନି ଲୋ ? ଆମ ସରକାର ଆମ ପାଇଁ ସୁବିଧା କରିଛନ୍ତି l ମୋ ପୁଅ ଦଳ ପାଇଁ ବଳ ଖଟେଇ କାମକରୁଛି l ଆଉ ଆମକୁ ସୁବିଧା ନ ମିଳି ତମକୁ କିଆଁ ମିଳିବ ଲୋ ? ଚିହ୍ନିଛୁ ମତେ ! ବେଶି ରଗାନା କି ମୋ ଦେହ ଜଳାନା କହିଦଉଛି l ନଇଲେ ମୋ ପୁଅକୁ କହି ତୋ ବିଧବା ଭତ୍ତା ବନ୍ଦ କରିଦେବି l ତୋ ରାଶନ କାର୍ଡ ଅଚଳ କରିଦେବି l ତତେ ବଡ଼ଦାଣ୍ଡରେ ବସେଇଦେବି l ଆ… ରେ…! ମତେ ନାନୀ ବୋଲି ଡାକି ସୁତୁରେଇ ସୁତୁରେଇ କାନିକାଟି ମୋ ନାକ କାନ କାଟିବାକୁ ବସିଲୁଣି ତ? ମର l ସେଇ ପୁତୁରା ଆଣି ଛାଡ଼ିଥିବା ମୂତୁରା ଜାଗାରେ ପଡ଼ି ପଡ଼ି ମର l

ସଜନୀ ବି ଛାଡ଼ିବାର ନୁହଁ l ଲାଗିଗଲେ ବଡ଼ଦାଣ୍ଡରେ ଝଟାପଟା କଳିକଜିଆ। କହିଲା.. କହିଛି ଆଚ୍ଛା କରିଛି l ଆହୁରି କହିବି l ଛାତିରେ ହାତବାଡେଇ ଦାଣ୍ଡମଝିରେ ଗର୍ଜନକରି ସମସ୍ତଙ୍କୁ ଶୁଣେଇ କହିବି l ତୋ ଇଜ୍ଜତ ମହତ ସାରି କହିବି l ତମେ ଆମକୁ ଲୁଟୁଛ l ତମରି ପାଇଁ ଆମେ ଗରିବଗୁରୁବା ମରୁଛୁ l

–ହେ ହେ ସଜନୀ ! ଆଲୋ ଶୁଣୁ ବା l ଏକା ଗାଁ ପାଖରୁ ଆସିଛେ l ଏଇଠି ଆଉ ଏତେ ଲୋକଙ୍କ ଆଗରେ ଏମିତି ଲୋକହସା କର ନା l ଯଦି ସେମିତି କହୁଛୁ.. ଦେଖିବୁ ଏଇନେ.. ମୋ ପୁଅ ସନିଆକୁ ଫୋନ୍‌ କରିବି ? ଘଡ଼ିଏ ଲାଗିବନି ତୋ ରାଶନ କାର୍ଡ, ବିଧବାଭତ୍ତା କାଟିବାକୁ l ଫୋନ୍‌ କାଢୁ କାଢୁ ସଜନୀ ହାତ ଧରି ନରମେଇ କହିଲା… ”ଆଲୋ ନାନୀ ! ଆମେ ପରା ଶିରୀକ୍ଷେତର ଆଇଛେ l କ’ଣ ଧରମ କରିବାକୁ ନା କଳିକଜିଆ କରି ପାପ ଅରଜିବାକୁ? ଆଲୋ ଆମ ହାତରେ ପରା ତୁଳସୀମାଳ, ମଥାରେ ଚିତା, କଥାରେ କୃଷ୍ଣନାମ, ଚିତ୍ତରେ ପ୍ରଭୁଙ୍କୁ ଚିନ୍ତିବା କଥା l ଛି ଛି ମୁଁ ଅଲକ୍ଷଣୀ କ’ଣ କଲି? ସବୁ ଭୁଲିଯାଉଥିଲି l ହେଇଟି.. ତମେ ପରା ମୋ ବଡ଼ନାନୀ l ମତେ ଗାଳି ନ କରି ଟିକେ ଆକଟକରି ଅଟକେଇଦେଇଥିଲେ କ’ଣ ହେଇ ନ ଥାନ୍ତା ?“ ହଉ ଛାଡ଼ ସେକଥା l

ଚମ୍ପା ମାଉସୀ କହିଲା.. ”ହାଇଲୋ ସଜନୀ ! ତୁ କ’ଣ ମୋ କଥା ଜାଣିନୁ? ମୁଁ କୋଉଦିନ ମାଛିକି ମ ବୋଲି କହେ ନା କାହା ଅମଙ୍ଗଳ ପଞ୍ଚେ ? ତତେ କ’ଣ ମୁଁ ପାଟି ଫିଟେଇ କିଛି କହିଛି ?“

–ନାଇଁ ବା ନାନୀ, ତମ ପେଟରେ କ’ଣ କିଛି ଥାଏ? ଖାଲି ପାଟିଟା ଯାହା ରାଉ ରାଉ ହଉଥାଏ l“ ଆଲୋ ହେ.. କଥାରେ କଥାରେ ବେଳ ବୁଡ଼ିଲାଣି l ଚାଲ ବା ମିଶିକି ଦେଉଳ ଯିବା l ଏକାଠି ପୁରାଣ ଶୁଣିବା l

ମନ୍ଦିରକୁ ପଶିଲାବେଳେ ସଜନୀ ମାଉସୀ ଚମ୍ପା ମାଉସୀର ଚମ୍ପାରଙ୍ଗର ପାଟଶାଢ଼ି କି ଅନେଇଁ ଅନେଇଁ ମନେ ମନେ କହୁଥାଏ.. ”ତୁ ମରୁନୁ ଲୋ ବାଡ଼ିଖାଇ l ଆମ ପାଇଁ ସରକାରୀ ସୁବିଧାରେ ଭାଗ ବସଉଛୁ… ସବୁ ଥାଇ ମାଗଣା ହବିଷକରି ଅଭଡ଼ା ଗିଳିବାକୁ ଧାଇଁଆଇଛୁ… l “
-ମଙ୍ଗରାଜ ପୁର, ପୁରୀ, ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri