Posted inଫୁରସତ

ପ୍ୟାର୍‌ ତୁନେ କ୍ୟା କିୟା…

କଥାରେ ଅଛି- ଋତୁଙ୍କର ରାଜା ବସନ୍ତ ଆସେ, ମଳୟ ପବନ ସଭିଙ୍କୁ ରସେ। ପୁରାଣଠାରୁ ଏଯାବତ୍‌ ବସନ୍ତ ମାସକୁ ନେଇ ଲେଖାଯାଇଥିବା ଯାବତୀୟ ପ୍ରେମ କବିତା ଲୋକଙ୍କ ଉପରେ ଯେତିକି ପ୍ରଭାବ ପକେଇନଥିଲା ତାଠୁଁ କାହିଁ ଢେର ଅଧିକ ଏ ଭାଲେଣ୍ଟାଇନ ଡେ କରିଦେଲା । ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଗୋଟିଏ ହାର୍ଟରେ ଦଶ ପର୍ସେଣ୍ଟ , ଦୁଇଟି ନେଲେ ପନ୍ଦର ପର୍ସେଣ୍ଟ କିମ୍ବା ସ୍ତ୍ରୀ ସହ ଶାଳୀ ଫ୍ରି ଭଳି ଗୋଟିଏ ହାର୍ଟରେ ଗୋଟିଏ ଫ୍ରି’ର ଲୋଭନୀୟ ସ୍କିମ ଏବେ ବଜାରରେ ମାଳ ମାଳ । ଯୁଆଡେ ଦେଖ ସିଆଡେ ଖାଲି ନାଲି ହୃଦୟ ବେଲୁନ ଦୃଶ୍ୟମାନ । ଲାଗିବ ସଂସାରଟା ଯାକ ପ୍ରେମରେ ଉବୁଟୁବୁ । କି ଟୋକା କି ବୁଢା ସମସ୍ତେ ଏ ପ୍ରେମଦିବସ ମାୟାରେ ବାୟା । ଯାହାର ପ୍ରେମିକ କି ପ୍ରେମିକା ଅଛି ତା’ ମୁଣ୍ଡ ଖରାପ । ଦଶ ଟଙ୍କାର ଗୋଲାପକୁ ଦେଢ଼ଶହ ଦେଲେବି ମିଳୁନି । ଏଣେ ପ୍ରେମିକାକୁ ଗୋଲାପ ତୋଡା ଦରକାର, ଦାମୀ ଚକୋଲେଟ ସାଙ୍ଗକୁ ଟେଡି ଭାଲୁ ନଦେଲେ ଆଗକୁ ବହୁ ପ୍ରତୀକ୍ଷିତ ଚୁମା ଓ କୁଣ୍ଢାକୁଣ୍ଢି ଦିବସପାଇଁ ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲା ଭଳି ଅବସ୍ଥା ହେବ । ଅନ୍ୟ ପଟରେ ଯାହାର ପ୍ରେମିକ କି ପ୍ରେମିକା ନାହାଁନ୍ତି ସେମାନେ ବି ଚିନ୍ତାରେ । ଏତେ ବଡ଼ ସଂସାରରେ କଣ କେହି ଜଣେ ବି ମିଳିଲେନି ! ସତେ କେତେ ନିରସିଆ, ନିରିମାଖି, ଅଲୋଡ଼ା ଗୋଠଖଣ୍ଡିଆ ଜୀବନ ତାଙ୍କର ! ଜୀବନ ସରିବାକୁ ବସିଲାଣି ଅଥଚ ଏ ଯାଏଁ ସୁଗନ୍ଧିତ ଗୋଲାପ ବଗିଚାରେ ବିଚରଣ କରିବାର ସୌଭାଗ୍ୟ ମିଳିଲାନି । ଭଗବାନ ଏତେ ନିର୍ଦ୍ଦୟ କାହିଁକି ହୁଅନ୍ତି ସତରେ !

ପ୍ରେମ କ’ଣ ? ଏହା କାହିଁକି ଘଟେ? କିପରି ଘଟେ? ପ୍ରେମର ପରିଭାଷା କ’ଣ? ପ୍ରେମରେ ପଡ଼ିବା ପରେ କ’ଣ ହୁଏ? ଲୋକମାନେ କାହିଁକି ଭଲ ପାଆନ୍ତି ? ଏ ସବୁ ପ୍ରଶ୍ନ, ଯକ୍ଷର ପ୍ରଶ୍ନ ଠାରୁ ଆହୁରି ଜଟିଳ । ଏହାର ଭେଦ ଜାଣିବା ପାଇଁ ପାଖରେ ଯୁଧିଷ୍ଠିରଙ୍କ ପରି ଧୈର୍ଯ୍ୟ, ବକ ଭଳି ଏକାଗ୍ରତା ରହିବା ଆବଶ୍ୟକ। ଯେଉଁ ଦାର୍ଶନିକ ବାବାମାନେ ଦିନେ ଦିବ୍ୟ ପ୍ରେମର ଶାଶ୍ୱତ ବାଣୀ ଶୁଣଉଥିଲେ ସେମାନେ ଏବେ ଜେଲରେ। ଆଉ ସେମାନଙ୍କ ଦର୍ଶନରେ ଉଦବୁଦ୍ଧ ହୋଇ ଯେଉଁ ଭକ୍ତ ବିବାହ ବନ୍ଧନର ପାର୍ଥିବ ପ୍ରେମରେ ଆବଦ୍ଧ ସେମାନେ ପ୍ରେମ ନାଁ ଶୁଣିଲେ ହୁରୁଡ଼ା ଗାଈର ପହ୍ନାରେ ହାତ ବାଜିଲା ଭଳି ନାତ ମାରିହେଉଛନ୍ତି ।
ସବୁ ପ୍ରେମିକକୁ ପ୍ରଥମେ ପ୍ରେମିକା ଅପସରା ଲାଗନ୍ତି । ପ୍ରେମର ଅଗ୍ରଗତି ସହ ପ୍ରେମିକାର ସ୍ବରୂପ ବଦଳେ । ପ୍ରେମିକା ଜ୍ଞାନର ଦେବୀ ସରସ୍ବତୀଙ୍କ ଭଳି ପ୍ରେମିକକୁ ଜ୍ଞାନ ଦିଏ । ଆଜି ଯାଏଁ କେଉଁ ପ୍ରେମିକା, ପ୍ରେମିକଠୁ ଜ୍ଞାନ ପାଇଥିବାର ପ୍ରମାଣ ନାହିଁ । ପ୍ରେମିକ ସବୁବେଳେ ଅଜ୍ଞାନ, ର୍ନିବୋଧ ଓ ଆଜ୍ଞାବହ, ବୋଲକରା ଭଳି ପ୍ରତିତ ହୁଏ । ଏହାପରେ ପ୍ରେମିକା ଲକ୍ଷ୍ମୀଙ୍କ ସ୍ବରୂପ ଧାରଣ କରନ୍ତି । ପ୍ରେମିକ ସହ ତାର ପୁରା ଖାନଦାନର ଆୟ ବ୍ୟୟର ହିସାବ ରଖନ୍ତି । ଶେଷରେ ପ୍ରେମିକା ଚଣ୍ଡୀ ରୂପରେ ଉଭା ହୁଅନ୍ତି । ବିଚରା ପ୍ରେମିକର ସବୁ କଥାରେ ଭୁଲ ବାହାରକରି ଅଭିମାନ, ଛାଡି ଚାଲିଯିବାର ଧମକ ଭଳି ଆଚରଣ ଦେଖାନ୍ତି ।

କେହି ଜଣେ କହିଥିଲେ, ପ୍ରେମିକା ଦୁଇଘଣ୍ଟା ଜ୍ଞାନ ବାଣ୍ଟିଲା ପରେ ପ୍ରେମିକକୁ କହିବେ, ତୁମେ ଯଦି ମୋ’ କଥା ପୁରା ଶୁଣୁଥାନ୍ତ ତେବେ ଆଜି ଏ ଅସୁବିଧା ଭୋଗି ନଥାନ୍ତ । ନିର୍ଦ୍ଧାରିତ ସମୟର ପନ୍ଦର ସେକେଣ୍ଡ ଡେରିରେ ପହଁଚିଥିବା ପ୍ରେମିକ ମାନଭଞ୍ଜନ ପାଇଁ ପଚିଶ ଟଙ୍କିଆ ଚକୋଲେଟ କିଣିଲା ପରେ କିମ୍ବା ଦାମୀ ଉପହାରରେ ପ୍ରେମିକ ପକେଟ ଖାଲି ହେଲା ପରେ ଯେଉଁ ପ୍ରେମିକା କୁହନ୍ତି, ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ନଦେଲେ ଭବିଷ୍ୟତରେ ଅସୁବିଧାରେ ପଡିବ, ସେତେବେଳେ ଜାଣିବ ଅପସରା ଏବେ ଗୃହଲକ୍ଷ୍ମୀ ହେବାର ଯୋଗ୍ୟତା ହାସଲ କଲେଣି ଆଉ ପ୍ରେମିକ ଗୃହକର୍ତ୍ତା । ସୌଭାଗ୍ୟକୁ ଯଦି ସେଇ ଲାସ୍ୟମୟୀ ଅପସରା ଯେତେବେଳେ ସଂସାରବାହିନୀ ପତ୍ନୀ ରୂପରେ ଉଭା ହୁଅନ୍ତି ସେତେବେଳେ ତାଙ୍କଠାରେ ଏକାଧାରରେ ଅପସରା, ସରସ୍ବତୀ, ଲକ୍ଷ୍ମୀ ଓ ଚଣ୍ଡୀ ରୂପର ଏକ ବିରଳ ଫ୍ୟୁଜନ ଦେଖିବାକୁ ମିଳେ। ଏହି ଫ୍ୟୁଜନରେ ଆକ୍ତାମାକ୍ତା ବ୍ୟକ୍ତିକୁ ରାସ୍ତାରେ ଟଙ୍ଗା ହୋଇଥିବା ନାଲି ହୃଦୟ ଖତେଇ ହେଲା ଭଳି ଲାଗନ୍ତି । ସେ ନିଇତି ମନେ ମନେ ମୃତ୍ୟ ଠାରୁ ଆହୁରି ଶାଶ୍ୱତ ପ୍ରେମର ପ୍ରବଚନ ଦେଉଥିବା ବାବା, ପ୍ରେମର ପରିଭାଷା ବୁଝାଉଥିବା ରୀତିକବିଙ୍କ ଚଉଦ ପୁରୁଷ ଉଝାଳୁ ଥାଏ।

ଶିବ ପୂଜି ମା ଯେଉଁ ପୁଅ ଜନ୍ମ କରିଥିଲା ସେ ପୁଅ ଏବେ ଫେସ୍‌ ବୁକର ଲକ୍ଷେ ଟୋକାଙ୍କ ହୃଦୟର କୁଇନ ଆଞ୍ଜେଲ ପ୍ରିୟା । ଗୋଟେ ହର୍ଷଦ ମେହେଟାକୁ ଦେଶର ସମୁଦାୟ ବ୍ୟାଙ୍କ ନିୟଣ୍ଟ ହେଲା ଭଳି ଆଜି ଗୋଟିଏ ଆଞ୍ଜେଲ ପ୍ରିୟାକୁ ଫେସବୁକର ସବୁ ପ୍ରେମିକ ନିଅଣ୍ଟ। ଦେଶର ଯୁବଶକ୍ତି ପୁରା ଦମ୍‌ ରେ ଆଞ୍ଜେଲ ପ୍ରିୟା ସହ ଭାଲେଣ୍ଟାଇନ ଖେଳରେ ବ୍ୟସ୍ତ । କେବଳ ଯୁବଶକ୍ତି ନୁହଁନ୍ତି ଅନେକ ପୌଢ଼ ବି ଏବେ ଆଞ୍ଜେଲ ପ୍ରିୟା ପାଇଁ ପାଗଳ । ଗୋଟେ ଅନୁସନ୍ଧାନରୁ ଜଣା ପଡ଼ିଛି ଫେସ୍‌ ବୁକରେ ସକ୍ରିୟ ଥିବା ସମୁଦାୟ ଫେକ୍‌ ଆଇଡିର ଅଶି ଭାଗ କେବଳ ଭାରତୀୟଙ୍କର । ଏକ ପ୍ରେସ ବିଜ୍ଞପ୍ତିରେ ଫେଶ ବୁକ ଭାରତର ବିକଳାଙ୍ଗ ଭବିଷ୍ୟତ ମାନଙ୍କୁ ସ୍ପଷ୍ଟ କରିଛନ୍ତି ଯେ, ଝିଅଙ୍କ ନାଁ ରେ ପ୍ରେମ ଖେଳ ଖେଳୁଥିବା ଆଞ୍ଜେଲ ପ୍ରିୟା କି ଡାଜଲିଂ ରୋଜିଙ୍କ ଭିତରୁ ଅଶି ଭାଗ ହେଲେ ପୁଅ ଓ ବାକି କୋଡିଏ ଭାଗ ସେମାନଙ୍କ ପତ୍ନୀ କିମ୍ବା ପ୍ରେମିକା । ଯେଉଁମାନେ ସେମାନଙ୍କ ପତି କିମ୍ବା ପ୍ରେମିକଙ୍କ ଚାରିତ୍ରିକ ଦୋଷ ଉପରେ ନଜର ପାଇଁ ଫେକ୍‌ ଆଇଡି ଖୋଲିଛନ୍ତି । ସେମାନଙ୍କ ସହ ଭାଲେଣ୍ଟାଇନ ସପ୍ତାହ ପାଳୁଥିବା ଦେଶର ‘ଶକ୍ତି’ ମାନଙ୍କ ଆର୍ଥିକ କି ମାନସିକ କ୍ଷତି ପାଇଁ ଫେସବୁକ ଦାୟୀ ରହିବନି ।

ଏବେ ଅଧିକାଂଶ କମ୍ପାନୀ ସେମାନଙ୍କ ସାମଗ୍ରୀ ବିକିବା ପାଇଁ ସୁନ୍ଦରୀ ଲଳିତକଣ୍ଠୀମାନଙ୍କୁ ନିଯୁକ୍ତି ଦେଉଛନ୍ତି । ସେମାନେ ଆପଣଙ୍କୁ ଫୋନ କରି ପ୍ରଥମେ ପ୍ରେମ ନିବେଦନ କରିବେ । ଆପଣ ତାଙ୍କ କଥାରେ ରସିଲେ ମାନେ ଜାଣନ୍ତୁ ଫସିଲେ । ସେମାନେ ଆପଣଂକୁ ତାଙ୍କ କମ୍ପାନୀ ସାମଗ୍ରୀ କିଣିବାକୁ ବାଧ୍ୟ କରିବେ ନଚେତ ତାଙ୍କ ସହ ଆପଣ କରିଥିବା ଯାବତୀୟ ବିକଳିଆ ପ୍ରେମିଳ କଥାବର୍ତ୍ତାକୁ ପ୍ରଘଟ କରିଦେବାର ଭୟ ଦେଖେଇବେ ।

ମଣିଷର ଏହି କୁରୁଳା ପ୍ରେମ ପବୃତ୍ତିକୁ ବିଜ୍ଞାପନ କମ୍ପାନୀମାନେ ଠିକ ଭାବେ ଆକଳନ କରିଛନ୍ତି। ପ୍ରତିଦିନ ବିଭିନ୍ନ କମ୍ପାନୀମାନଙ୍କରୁ ସୁନ୍ଦରୀ କନ୍ୟାମାନଙ୍କ ଫୋଟ ସମ୍ବଳିତ ବିଜ୍ଞାପନ ମେସେଜ ଆସିବ । ସେ ସବୁ ବିଜ୍ଞାପନ ଏତେ ଲୋଭନୀୟ ହୋଇଥିବ ଯେ ଆପଣଙ୍କ ଇଚ୍ଛା ହେବ ଅଧିକ ଜାଣିବା ପାଇଁ । ବିଜ୍ଞାପନ ସହ ଏକ ଲିଙ୍କ ମଧ୍ୟ ଥିବ । ଏପଟେ ଆପଣ ଲିଙ୍କ ଖୋଲିବେ ତ ସେପଟେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସଫା । ଶେଉଳ ମାଛକୁ ଆଶା ପୁଅ ମୁଣ୍ଡକୁ ଆଶା ଭଳି ଅବସ୍ଥା । ମଣିଷ ଯେତେ ସତର୍କ ହେଲେ ମଧ୍ୟ ଏ ପ୍ରକାରର ଲୋଭନୀୟ ବିଜ୍ଞାପନର ଆକର୍ଷଣରୁ ବର୍ତ୍ତିବା ମୁସ୍କିଲ । ମେସେଜକୁ ତ ଆପଣ ଡିଲିଟ କରିଦେବେ ହେଲେ ଫୋନ କରି ସାମଗ୍ରୀ ବିକୁଥିବା ଲୋକଙ୍କୁ କେମିତି ଡିଲିଟ କରିବେ । ଥରେ ଏକ ଜରୁରୀ କାମରେ ବ୍ୟସ୍ତ ଥିଲା ବେଳେ ଫୋନ ଆସିଲା। ସେପଟୁ ଜଣେ ଝିଅ କୋମଳ କଣ୍ଠରେ ପଚାରିଲା କଣ କରୁଛନ୍ତି ମ? ଫ୍ରି ଅଛନ୍ତି କି? ପାଞ୍ଚ ମିନିଟ ସମୟ ଦେଇହେବ । ତାଙ୍କ ସ୍ବରରେ ଏତେ ମାଧୁର୍ଯ୍ୟ ଓ ସ୍ନେହଭାବ ଥିଲା ଯେ, ଇଚ୍ଛା ହେଉଥିଲା କହିବାକୁ ପାଞ୍ଚ ମିନିଟ ନାହିଁ ପାଞ୍ଚ ବର୍ଷ ଆପଣ ଏମିତି କହୁଥାନ୍ତୁ ମୁଁ ଶୁଣୁଥିବି ।’ ତଥାପି ସଂଯମ ରଖି ପଚାରିଲି , କଣ କିଛି କାମ ଥିଲା ? ସେପଟୁ ଧୀର ଗଳାରେ ଉତ୍ତର ଆସିଲା ‘ଗୋଟେ କରନ୍ତୁ ।’ ଏବେ ମୋର ଲାଜେଇ ଯିବା ସ୍ବାଭାବିକ । ଶରୀରରେ ଏକ ଅଜବ ଶିହରଣ। ମୁଁ ବି ଧୀର ସ୍ବରରେ ପଚାରିଲି କଣ? ଝିଅଟି ସେପଟୁ ଉତ୍ତର ଦେଲା – ‘ଲାଇଫ ଇନ୍ସୁରାନ୍ସ । ବଢିଆ ସ୍କିମ ଅଛି ।’ ଯେଉଁ ରେଟରେ ଶରୀର ଭିତରେ ଜୁଆର ଉଠିଥିଲା ସେହି ରେଟରେ ଭଟ୍ଟା ପଡିଗଲା । କହିଲି, ମୁଁ ଗରିବ ଲୋକ ଦରମା ଟଙ୍କାରେ ଘର ଚଳିବା ମୁସ୍କିଲ ଆପଣଙ୍କ ବୀମା କିସ୍ତି କେମିତି ଦେବି? ଏହା ସହ ସାମ୍ନାରେ ଥିବା ଖବରକାଗଜରେ କୌଣସି ଏକ ତେଲ କମ୍ପାନୀର ବିତରକ ପାଇଁ ଦିଆଯାଇଥବା ଯୋଗାଯୋଗ ମୋବାଇଲ ନମ୍ବର ଦେଇ କହିଲି ଆପଣ ଏଇ ନମ୍ବରରେ ଆମ ମାଲିକଙ୍କ ସହ କଥା ହୁଅନ୍ତୁ ସେ ଚାହିଁଲେ ଇନ୍ସୁରାନ୍ସ କରିବେ । ଦୁଇଦିନ ପରେ ସେ ଝିଅର ପୁଣିଥରେ ଫୋନ ଆସିଲା । ଏଥର ତା ସ୍ବରରେ ଥିଲା ଏକ ଅଦ୍ଭୁତ ବିକଳଭାବ । ଝିଅଟି କହିଲା, ମୁଁ ଆପଣଙ୍କ ମାଲିକଙ୍କ ସହ କଥା ହେଲି। ସେ କହିଲେ ‘ଆମ କମ୍ପାନୀର ତେଲ ଦିନକୁ ଦୁଇଥର ମାଲିସ କଲେ ଜଣେ ଶହେ ବର୍ଷ ବଞ୍ଚିବାର ଗ୍ୟାରେଣ୍ଟି ଆମେ ଦେଉଛୁ । ଶହେ ବର୍ଷ ଆଗରୁ ମୃତ୍ୟୁ ହେଲେ ତେଲ ଫେରସ୍ତ କରି ଟଙ୍କା ନେଇଯିବେ । ଆମ ତେଲ ମାଲିସ କଲେ ଇନ୍ସୁରାନ୍ସ କରିବା ଦରକାର ନାହିଁ । ଦୁଇ ଦିନ ହେଲା ଆପଣଙ୍କ ମାଲିକ ମୋତେ ବାର ବାର ଫୋନ କରି ପଚାରୁଛନ୍ତି ମାସକୁ କେତେ ତେଲ ନେଇ ପାରିବି ଓ କେତେଟଙ୍କା ନିବେଶ କରିବି ।’ ମୁଁ ତାଙ୍କୁ ଆଶ୍ୱାସନା ଦେଇ କହିଲିଶ୍‌, ଆପଣଙ୍କୁ ଆଉ ଗୋଟେ ନମ୍ବର ଦେଉଛି ଏହି ନମ୍ବର ଆମ ମାଲିକଙ୍କୁ ଦେଇ କୁହନ୍ତୁ ଏ ବ୍ୟକ୍ତିଙ୍କୁ ମାଲିସ ପାଇଁ ମାସିକ ପ୍ରଚୁର ମାତ୍ରାରେ ତେଲ ଆବଶ୍ୟକ । ତାଙ୍କ ସହ ସିଧା ଯୋଗାଯୋଗ କରିବାକୁ । ଏହା କହି କେଉଁଏକ କାମ ପାଇଁ ପୂର୍ବରୁ ସେଭ କରିଥିବା ଜଣେ ପୋଲିସ ଥାନା ଅଧିକାରୀଙ୍କ ଫୋନ ନମ୍ବର ତାଙ୍କୁ ଦେଇଦେଲି । ସପ୍ତାହେ ବିତିଗଲାଣି ଆଉ ସେ ଝିଅର ଫୋନ ଆସିନି । ତା’ ଅର୍ଥ, ଉଦୟ ହୋଇ ଆସୁଥିବା ଆମ ପ୍ରେମର ସୂର୍ଯ୍ୟ ଆଉ କେବେ ଉଇଁଲାନି ।

-ବନମାଳୀ ଭବନ, ଖାନ୍‌ନଗର, କଟକ
ମୋ:୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?