Posted inଫୁରସତ

ଦାମ୍ପତ୍ୟ ଗୁମର

[ମଞ୍ଚରେ କେବଳ ଜଣେ ପୁରୁଷ(ସ୍ବାମୀ) ଚେୟାରରେ ବସି ଟେବୁଲରେ କିଛି ଲେଖୁଛନ୍ତି।]
ସ୍ବାମୀ- ଆରେ ଶୁଣୁଛ?
(ମଞ୍ଚରେ ଜଣେ ସ୍ତ୍ରୀଲୋକ(ପତ୍ନୀ) ପ୍ରବେଶ )
ପତ୍ନୀ-ନାଁ, ମୁଁ ଜନ୍ମରୁ ବଧିର, ସକାଳୁ ଏମିତି ଚିଲଉଛ କ’ଣ ପାଇଁ ? ଆଚ୍ଛା ଏବେ କୁହ?
ସ୍ବାମୀ- ମାନେ? ମୁଁ ଚିଲେଇଲି କେତେବେଳେ ? ତୁମକୁ ବଧିର ବୋଲି କେତେବେଳେ କହିଲି?
ପତ୍ନୀ- ତାହାହେଲେ ଏବେ କୁହ। ତା’ସହ ଯଦି ଆଉ କିଛି ମୋ’ ବିଷୟରେ କହିବାକୁ ବାକି ଥାଏ ତେବେ ସେଇଟା କହିଦିଅ।
ସ୍ବାମୀ -ହେ ଭଗବାନ !!
ପତ୍ନୀ -ଗୋଟିଏ କଥା ଶୁଣ। ମୋତେ କେବେ ଏଇ ଭଗବାନଙ୍କ ନାଁ ସହ ଯୋଡ଼ିବ ନାହିଁ। ମୋ’ ଭାଗ୍ୟ ଖରାପ ଥିଲା ବୋଲି ତୁମ ଭଳି ଲୋକର ହାତ ଧରିଛି।
ସ୍ବାମୀ – ଆଚ୍ଛା ହଉ, ଗୋଟେ କପ ଚା’ ମିଳିବ କି?
ପତ୍ନୀ- ଗୋଟେ କପ୍‌ କାହିଁକି? ପୂରା ଲୋଟାଏ ପିଅ। କିଏ ମନା କରୁଛି ? ମୁଁ ତ ସେଇ କାମ କରିବା ପାଇଁ ଏଠି ପଡ଼ି ରହିଛି।
ସ୍ବାମୀ- ଅଜବ କଥା ! ସବୁ କଥାରୁ ଲଥା ବାହାର କର କାହିଁକି ? କେତେବେଳେ ତ ଭଲରେ ମୋ’ ସହ ପଦେ କଥା ହୁଅ …।
ପତ୍ନୀ- କ’ଣ କହିଲ …. !! ମୁଁ ଭଲରେ କଥା ହୁଏନି। ହଉ ହେଲା ମୋତେ ଭଲରେ କଥା ହୋଇ ଆସେନାହିଁ। ମୁଁ ଖରାପ ଏଇୟା କହିବାକୁ ଚାହୁଁଛ ତ।
ସ୍ବାମୀ – ହେ ପ୍ରଭୁ !!
ପତ୍ନୀ -ହଁ … ଆଜି କପେ ଚା’ପାଇଁ ଭଗବାନଙ୍କ ସାରା କୁଟୁମ୍ବକୁ ଘୋଷାରି ଆଣୁଛ। କାଲି ଖାଇବାକୁ ଦେବାକୁ ନେଇ ଗାଁ ଲୋକଙ୍କୁ ଡାକି ହରତାଳ କରିବ। ମୁଁ ଗାଧୋଇବାକୁ ଯାଉଛି, ଆଜି ମୁଣ୍ଡ ସାମ୍ପୁ କରିବି। ମୋତେ ଚା’ କରିବାକୁ ଏଇନା ଡେରି ହେବ। ପିଲାମାନଙ୍କ ସ୍କୁଲ ଟାଇମ ହେଲାଣି। ତାଙ୍କୁ ନିଦରୁ ଉଠେଇ ରେଡି କର। ପିଲାମାନଙ୍କ ପ୍ରତି ତୁମର ଦାୟିତ୍ୱରୁ ସବୁବେଳେ କରଛଡ଼ା ଦେଲେ କେମିତି ହେବ ?
(ପତ୍ନୀ ଯିବାକୁ ଉଦ୍ୟତ ହେଲା ବେଳେ ପଛରୁ ସ୍ବାମୀ କହିଲେ)
ସ୍ବାମୀ – ଆରେ ତୁମେ ସବୁ କଥାକୁ ମୋର ଏମିତି ବ୍ୟାଟିଂ କର କାହିଁକି ?
(ପତ୍ନୀ ବୁଲିପଡ଼ି ସ୍ବାମୀଙ୍କ ପାଖକୁ ଆସି)
ପତ୍ନୀ- କାହିଁକି? କ’ଣ ଖରାପ କହିଲି କି? ପିଲାମାନଙ୍କୁ ନିଦରୁ ଉଠେଇ ସେମାନଙ୍କୁ ସ୍କୁଲ ପାଇଁ ରେଡି କରିବା କ’ଣ ତୁମ ଦାୟିତ୍ୱ ନୁହେଁ କି? ସେମାନେ ତୁମର ବି ପିଲା। ତାଙ୍କୁ କ’ଣ ମୁଁ ଯୌତୁକରେ ବାପଘରୁ ବୋହି ଆଣିଥିଲି ?
ସ୍ବାମୀ – ମୁଁ କେତେବେଳେ ଦାୟିତ୍ୱ ନେବାକୁ ମନାକଲି ?
ପତ୍ନୀ- (ସ୍ବାମୀଙ୍କ ଥୋଡିରେ ହାତ ରଖି) ଆହା ଲୋ ମୋର ନିରୀହ ସ୍ବାମୀ, ତୁମେ ତ କିଛି କୁହନି। ଏ ଘରେ ଯାହା କେବଳ ମୁଁ କୁହେ। କଥା କିଏ ଆରମ୍ଭ କଲା, କୁହ….?
ସ୍ବାମୀ- (ପତ୍ନୀଙ୍କ ହାତକୁ ହଟେଇ) ଆରେ ମୁଁ ମାତ୍ର ଗୋଟିଏ କପ୍‌ ଚା’ ଇ ତ ମାଗିଥିଲି।
ପତ୍ନୀ- (ପତ୍ନୀ ଅଣ୍ଟାରେ ହାତ ରଖି) ଚା’ ମାଗିଥିଲ ନା ମୋତେ କାଲା ବୋଲି ଖୁଣ୍ଟା ଦେଉଥିଲ ? ‘ ଶୁଣୁଛ କି?’ ଏକଥାର ଅର୍ଥ କ’ଣ ବୁଝେଇଲ ଆଗେ ।
ସ୍ବାମୀ- ଆରେ ଶ୍ରୀମତୀ। କେତେବେଳେ ପଦେ ମଧୁର କଥା ମୋତେ କୁହ!
ପତ୍ନୀ- ଆଚ୍ଛା …? ତାହାହେଲେ ମୁଁ ସବୁବେଳେ ଖରାପ ଆଉ କଟୁ କଥା କୁହେ ? ( ନାକ ସୁଡୁସୁଡୁ କରି ) ତୁମେ ମୋ’ ସହ କେବେ ମିଠା କଥା ହେଇଛ ଆଗ କୁହ ତ?
ସ୍ବାମୀ-(ଟିକେ ବିରକ୍ତ ହୋଇ ) ଆପଣ ମାଡାମ୍‌ ଭୁଲିଯାଉଛନ୍ତି ଯେ…….
ପତ୍ନୀ -ମୁଁ ଭୁଲି ଯାଉଛି? ତାହାହେଲେ ମୋତେ ଭୁଲା ବେମାର ହେଲାଣି ବୋଲି କହୁଛ। ମାନେ ମୋ ମୁଣ୍ଡରେ କେବଳ ଗୋବର ଅଛି ! ମୁଁ ପାଗଳୀ , ବେମାର ? (କପାଳରେ ହାତ ରଖି) ବାସ୍‌ ଏତକ ଶୁଣିବାକୁ ବାକି ଥିଲା।
ସ୍ବାମୀ- ଓହୋ କାହିଁ ଭଲା ଶୁଖିଲାରେ କମ୍ପୁଚ ? ମୋତେ ଆଗ ମୋ’ କଥା ଶେଷ କରିବାକୁ ଦିଅ। ସ୍ବାମୀ ବୋଲି ନ ମୁଣ୍ଡାଅ ଅନ୍ତତଃ ଟୋପାଏ ଇଜ୍ଜତ ଦିଅ।
ପତ୍ନୀ- ଆଚ୍ଛା ….. ମୁଁ ଜାଣି ନ ଥିଲି। ସୂଚନା ପାଇଁ ଧନ୍ୟବାଦ।
ସ୍ବାମୀ -ହଉ ଥାଉ। ମୋର ଆଉ ଚା’ ଦରକାର ନାହିଁ। ତୁମେ ତୁମ କାମ କର। ମୁଁ ଯାଉଛି ବାହାରେ ଚା ପିଇଦେଇ ଆସିବି।
(ସ୍ବାମୀ ଚେୟାରରୁ ଉଠି ଠିଆହେଲେ)
ପତ୍ନୀ- ହଁ ଏବେ ବାହାରେ ଯାଇ ମୋର ଦୁର୍ନାମ କର। ଲୋକେ ଜାଣନ୍ତୁ ମୁଁ ଚା’ କରି ତୁମକୁ ଦେଉନି ସେଥିପାଇଁ ତୁମେ ବାହାରେ ଚା’ ପିଉଛ।
ସ୍ବାମୀ- କି ଅଦ୍ଭୁତ ଲୋକ ! ନା ଘରେ ଚା’ ତିଆରି କରିବ ନା ମଣିଷକୁ ବାହାରେ ପିଇବାକୁ ଦେବ ! କି ଅଜବ ଲୋକ ହାବୁଡ଼ରେ ମଣିଷ ପଡିଲା।
ପତ୍ନୀ- ମୁଁ ତ ଅଜବ। ଅଜବ ବ୍ୟବହାର କରୁଛି। ମିଠା କଥା ମୋତେ କହି ଆସେନି। ଏଇୟା ସବୁ ସକାଳୁ ଘୋଷା ଲଗେଇଛ।
ସ୍ବାମୀ- ମୋର କହିବାର ଉଦ୍ଦେଶ୍ୟ ତୁମେ କେବେ ଠିକ୍‌ରେ ନେଇଥିଲ ନା ନେବ ? ଛାଡ଼ ସେ ସବୁ। ତୁମ ସହ ଝଗଡ଼ା କରି କିଛି ଲାଭ ନାହିଁ। ( ଦୀର୍ଘନିଃଶ୍ୱାସ ନେଇ ) ଆଜିଠୁ ଚା’ ପିଇବା ଛାଡ଼ିଦେଲି।
ପତ୍ନୀ- ତା’ ମାନେ ମୋ ଯୋଗୁ ତୁମେ ଏତେବଡ଼ ତ୍ୟାଗ କରିଛ ବୋଲି ଚାରିଆଡେ ପ୍ରଚାରିତ ହେବ। ହଉ ଯାଉଛି ଆଗ ଚା’ କରିସାରେ ତା’ପରେ ଗାଧୋଇ ଯିବି।
ସ୍ବାମୀ- ( ନୀରବ )।
ପତ୍ନୀ- ହେଇଟି ଅନେଇଲ। ମୁଁ କ’ଣ ଏତେ ଖରାପ ! ବୁଲି ବୁଲି ବାହାର ଲୋକଙ୍କ ସହ ଝଗଡ଼ା କରୁଛି !! ତୁମେ ସବୁ ସହି ଯାଉଛ ବୋଲି ମୁଁ ତୁମ ସହ ଝଗଡ଼ା କରୁଛି। ଆଉ କାହା ସହ ଏତିକି ବକର ବକର ହେଲେ କିଏ ସହିବ କୁହ ତ ? ମୁଁ ଆଗ ଚା’ କରି ଆଣିସାରେ ତା’ପରେ ତୁମ ସହ କଥା ହେବି।
(ପତ୍ନୀଙ୍କ ମଞ୍ଚରୁ ପ୍ରସ୍ଥାନ। ସ୍ବାମୀ ଚେୟାରରେ ମୁଣ୍ଡରେ ହାତରଖି ବସିଛନ୍ତି । ନେପଥ୍ୟରୁ ଶୂନ୍ୟବାଣୀ ହେଉଛି। )
”ପତ୍ନୀଙ୍କ ଅଧିକାରର ଉଲ୍ଲଂଘନ କରନ୍ତୁ ନାହିଁ ଏବଂ ସେମାନଙ୍କୁ ସ୍ବାମୀଙ୍କ ସହ ପ୍ରତିଦିନ ଝଗଡ଼ା କରିବାର ସୁଯୋଗ ଦେବା ଆବଶ୍ୟକ। ଏହା ସେମାନଙ୍କ ଜନ୍ମସିଦ୍ଧ ଅଧିକାର। ଯେତେବେଳେ ରାମ ପାଖରେ ଥିଲେ ସୀତାଙ୍କୁ ସୁନାର ହରିଣ ଦରକାର ଥିଲା। ଯେତେବେଳେ ରାବଣ ସମ୍ପୂର୍ଣ୍ଣ ସୁନାର ଲଙ୍କା ତାଙ୍କୁ ଦେବାକୁ କହିଲା ସେତେବେଳେ ସୀତାଙ୍କୁ ରାମ ହିଁ ଦରକାର ଥିଲେ। ପତ୍ନୀଙ୍କ ଯୁକ୍ତି ସର୍ବଦା ଅକାଟ୍ୟ। ତାଙ୍କ ଦେଇ ଭୁଲ୍‌ ହୋଇ ହିଁ ପାରେନି। ଭୁଲ୍‌ ସବୁ ପତିଙ୍କଠାରୁ ଆରମ୍ଭ ହୋଇ ପତିଙ୍କୁ ପତିତ କରି ଶେଷ ହୁଏ। ଏକଥା ସତ୍ୟ ଯେ ବୋକା ଓ ରୁକ୍ଷ ପତିଦେବଙ୍କ ପାଇଁ ନିରୀହ ଏବଂ ସଦା କାମିକା ପତ୍ନୀ ବାସୁକୀ ଭଳି ସଂସାରକୁ ମୁଣ୍ଡେଇ ବୁଲୁଥାନ୍ତି। ସୁତରାଂ ପାଟିକୁ ସିଲେଇ କଲା ଭଳି କିଛି ଉପାଦାନ ଯଦି ପତିଙ୍କ ପାଖରେ ଅଛି ପତ୍ନୀଙ୍କ କଥାର ଝଡ଼ ଆରମ୍ଭରୁ ବ୍ୟବହାର କରିନେବା ଉଚିତ। ) ମଞ୍ଚର ଆଲୋକ ଆସ୍ତେ ଆସ୍ତେ ଲିଭୁଛି।
[ଏ ଛୋଟ ନାଟକ ସମସ୍ତ ବିବାହିତ ପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ]
-ବନମାଳୀ ଭବନ, ଖାନ୍‌ ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?