Posted inଫୁରସତ

କଲାମଙ୍କ କର୍ମଭୂମି

ଭଦ୍ରକ ଜିଲା, ଚାନ୍ଦବାଲି ତହସିଲ ଅଧୀନରେ ରହିଛି ହ୍ବିଲର ଦ୍ୱୀପପୁଞ୍ଜ। ଯାହା ୫ଟି ଦ୍ୱୀପର ସମାହାର ା ଡିଆର୍‌ଡିଓର ତତ୍କାଳୀନ ନିର୍ଦ୍ଦେଶକ ଡ. ଏପିଜେ ଅବଦୁଲ କଲାମଙ୍କ ଉଦ୍ୟମରେ ପରେ ଏହା ବିଶ୍ୱର ଏକ କ୍ଷେପଣାସ୍ତ୍ର ଘାଟି ଭାବରେ ପରିଚିତ ହେଲା ା ଏହି ଦ୍ୱୀପରେ ରହିଛି ଦେଶର ସର୍ବୋଚ୍ଚ ଜ୍ଞାନକୌଶଳ ଓ ଆଧୁନିକ ବିଜ୍ଞାନର ଅନୁଷ୍ଠାନ, ଯାହା ଦେଶର ସାଧାରଣ ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ନିରବଚ୍ଛିନ୍ନ ଭାବେ କାମ କରିଚାଲିଛି। ସମଗ୍ର ପୃଥିବୀର ଏହା ଏକ ସର୍ବୋତ୍କୃଷ୍ଟ କ୍ଷେପଣାସ୍ତ୍ର ଘାଟି, ଯେଉଁଠି ଆଗାମୀ ଦିନରେ ଆହୁରି ଆଧୁନିକ କ୍ଷେପଣାସ୍ତ୍ରମାନ ବିକଶିତ କରାଯିବାର ଯୋଜନା ରହିଛି।
କେବେଠୁ ହ୍ବିଲର ଦ୍ୱୀପ- ହ୍ବିଲର ଦ୍ୱୀପର ନାମକରଣକୁ ନେଇ କଥାଟିଏ ରହିଛି ା ସାର୍‌ ହେନେରି ହ୍ବିଲର ବିହାର ଓଡ଼ିଶାର ଲାଟ୍‌ ସାହେବ (ଗଭର୍ନର) ଥିବା ସମୟରେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ ବିହାର-ଓଡ଼ିଶା ସରକାରର ଜଣେ ମିନିଷ୍ଟର(ଏକ୍‌ଜିକ୍ୟୁଟିଭି କାଉନସିଲର) ଥିଲେ। କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବଙ୍କ ନିମନ୍ତ୍ରଣକ୍ରମେ ହ୍ବିଲର କନିକା ଆସିଥିଲେ। ଦିନକ ପରେ କନିକା ମୁହାଣ(ଧାମରା ମୁହାଣ) ଦେଇ ହ୍ବିଲର ସମୁଦ୍ରରେ ଜଳଯାତ୍ରା ସହ ସମୁଦ୍ରରେ ଥିବା କନିକା ଇଷ୍ଟେଟ ଅଧୀନ ଏକ ଦ୍ୱୀପରେ ରାଜାଙ୍କ ସହିତ ବଣଭୋଜି କରିଥିଲେ। ପରଦିନ ଧାମରାରେ ଅବସ୍ଥାନକରି ଚାନ୍ଦବାଲି ଦେଇ ଭଦ୍ରକକୁ ଯାଇଥିଲେ ା ହ୍ବିଲରଙ୍କ କନିକା ଗସ୍ତର ସ୍ମୃତିକୁ ମନେରଖିବାକୁ ଯାଇ କନିକା ରାଜା ସେହିଦିନଠାରୁ ଏହି ଦ୍ୱୀପାଞ୍ଚଳର ନାମ ହ୍ବିଲର ଆଇଲାଣ୍ଡ ରଖିଥିଲେ ବୋଲି ‘ସୁନାର କନିକା’ ପୁସ୍ତକରେ ଲେଖକ ପ୍ରଫୁଲ୍ଲ କୁମାର ଦାସ ଉଲ୍ଲେଖ କରିଛନ୍ତି। ପରବର୍ତ୍ତୀ ସମୟରେ କନିକାର ରାଜସ୍ବ ବନ୍ଦୋବସ୍ତରେ ହ୍ବିଲର ନାମଟି ଲିପିବଦ୍ଧ ହୋଇଥିଲା ା ଅନ୍ୟ ଏକ ମତାନୁସାରେ ଆୟର୍ଲାଣ୍ଡ ବାସିନ୍ଦା ଇଂରେଜଙ୍କ ଇଷ୍ଟଇଣ୍ଡିଆ କମ୍ପାନୀ ସୈନ୍ୟବାହିନୀ(ବେଙ୍ଗଲ ଆର୍ମି)ର ସେନାନାୟକ ଲ୍ୟୁଟ୍‌ନାଣ୍ଟ ସାର୍‌ ହଗ୍‌ ମାସି ହ୍ବିଲର(୧୭୮୯-୧୮୫୭)ଙ୍କ ନାମାନୁସାରେ ଏହି ଦ୍ୱୀପର ନାମକରଣ କରାଯାଇଛି ା ମାତ୍ର ଇତିହାସ ପୃଷ୍ଠାରେ ଓଡ଼ିଶାର ଧାମରା ଉପକୂଳ ସହ ଲ୍ୟୁଟ୍‌ନାଣ୍ଟ ସାର୍‌ ହଗ୍‌ ମାସି ହ୍ବିଲରଙ୍କ ସମ୍ପର୍କ ସମ୍ବନ୍ଧରେ ତଥ୍ୟ ମିଳିନାହିଁ ା ସର୍ଟସ୍‌ ଆଇଲ୍‌ାଣ୍ଡର ନାମକରଣ ନେଇ ବି ସଠିକ୍‌ ତଥ୍ୟ ନାହିଁ ା
ଏକାଧିକ ବାଲିଦ୍ୱୀପ- ଚାନ୍ଦବାଲି ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପକ ଡ. ତରଣୀସେନ୍‌ ପଣ୍ଡା କୁହନ୍ତି, ‘୧୯୩୧ ମସିହାରେ ଧାମରା ବନ୍ଦରର ସୀମା ନିର୍ଦ୍ଧାରଣ ପାଇଁ ପ୍ରକାଶିତ ମ୍ୟାପ୍‌ରେ ଧାମରା ମୁହାଣରେ ୮ ଟି ବାଲିଦ୍ୱୀପ ଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା ା ସମୁଦ୍ର ମଧ୍ୟରେ ତେନ୍ତୁଳିଆ ଚଢ଼ା (ଆଉଟର ହ୍ବିଲର ଆଇଲାଣ୍ଡ), ନଡ଼ିଆ ବାଲିି ଚଢ଼ା(କୋକୋନଟ୍‌ ଆଇଲାଣ୍ଡ), ବାଳବାଲି ଚଢ଼ା (ସ୍ମଲ୍‌ ହ୍ବିଲର ଆଇଲାଣ୍ଡ), ବାବୁ ବାଲି ଚଢ଼ା (ଲଙ୍ଗ ହ୍ବିଲର ଆଇଲାଣ୍ଡ), ବତିଘର ବାଲି (ସର୍ଟସ୍‌ ଆଇଲାଣ୍ଡ) ସମେତ କନିକାବାଲି, ବୁଢ଼ିଆ ଚରା ଓ ନୟାଟାପୁ ପରି ଦ୍ୱୀପଗୁଡ଼ିକୁ ମ୍ୟାପ୍‌ରେ ସ୍ଥାନିତ କରାଯାଇଛି। ୧୯୮୭ ମସିହାରେ ଓଡ଼ିଶା ସରକାର ଚାନ୍ଦବାଲି ତହସିଲ ଅଧୀନ ସମୁଦ୍ର ମଧ୍ୟରେ ଥିବା ୫ଟି ଦ୍ୱୀପର ପୁନଃ ସର୍ଭେ ପରେ ନକ୍ସା ଓ ଖତିଆନ ପ୍ରସ୍ତୁତ କରିଥିଲେ ା ୧୯୯୩ ମସିହାରେ କଲାମଙ୍କ ଅନୁରୋଧକ୍ରମେ ରାଜ୍ୟ ସରକାର ହ୍ବିଲର ଦ୍ୱୀପାଞ୍ଚଳକୁ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ(ଡିଆର୍‌ଡିଓ)କୁ ହସ୍ତାନ୍ତର କରିଥିଲେ ଓ ୧୯୯୪ ମସିହାରେ ହସ୍ତାନ୍ତରର ସମସ୍ତ ନଥିପତ୍ର ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିଲା ା ରାଜସ୍ବ ବିଭାଗର ସଦ୍ୟତମ ତଥ୍ୟ ଆଧାରରେ ମୋଟ ୨୦ଟି ପ୍ଲଟ୍‌ ବିଶିଷ୍ଟ ଏହି ଦ୍ୱୀପପୁଞ୍ଜର କ୍ଷେତ୍ରଫଳ ପ୍ରାୟ ୪୬୫.୧ ଏକର ା ଏଗୁଡିକ ହେଲା ଏପିଜେ ଅବଦୁଲ କଲାମ ଆଇଲାଣ୍ଡ(୨୬୩.୧୩ଏକର), କୋକୋନଟ୍‌ ଆଇଲାଣ୍ଡ(୯୭.୫ଏକର), ଲଙ୍ଗ୍‌ ହ୍ବିଲର ଆଇଲାଣ୍ଡ(୫୨.୫ଏକର), ସର୍ଟସ ଆଇଲାଣ୍ଡ(୪୧.୨୫ଏକର), ସ୍ମଲ ହ୍ବିଲର ଆଇଲାଣ୍ଡ(୧୦.୬୩ ଏକର) ା
ଧାନ,ପାନ ଓ ମୀନ ପାଇଁ ବିରୋଧ-୧୯୮୦ ମସିହାରୁ ଅଗ୍ନି କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ଏକ ଉପଯୁକ୍ତ ସ୍ଥାନ ସନ୍ଧାନରେ ଥିଲେ କେନ୍ଦ୍ର ସରକାର। ବାଲେଶ୍ୱର ଜିଲା ଚାନ୍ଦିପୁରରେ କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା ପରେ ବାଲିଆପାଳରେ ଏକ ଜାତୀୟ ଟେଷ୍ଟ ରେଞ୍ଜ ପ୍ରତିଷ୍ଠା ପାଇଁ ଯୋଜନା ହେଲା। ଧାନ, ପାନ ଓ ମୀନ(ମାଛ) ଥିଲା ସ୍ଥାନୀୟ ଲୋକଙ୍କର ମୁଖ୍ୟ ବେଉସା ା ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ୧ଶହ ୩୦ଟି ଗାଁର ପ୍ରାୟ ୧ଲକ୍ଷ ୩୦ ହଜାର ଲୋକ ପ୍ରଭାବିତ ହେବା ସମ୍ଭାବନା ଥିଲା ା ଲୋକଙ୍କ ପ୍ରବଳ ବିରୋଧ ଯୋଗୁ ଶେଷରେ କେନ୍ଦ୍ର ସରକାର ଏହି ପ୍ରକଳ୍ପରୁ ଓହରିଗଲେ ା ମାତ୍ର କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ପୂର୍ବ ଉପକୂଳରେ ଜନମାନବ ଶୂନ୍ୟ ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ଖୋଜାପଡ଼ିଲା ା ନୌସେନାର ଟ୍ରପୋମ୍ୟାପ୍‌ରୁ ଡିଆର୍‌ଡିଓର ନିର୍ଦ୍ଦେଶକ କଲାମଙ୍କ ପ୍ରସ୍ତାବିତ ବାଲିଆପାଳ କ୍ଷେପଣାସ୍ତ୍ର ଘାଟିର ବିକଳ୍ପ ଭାବରେ ଧାମରା ଉପକୂଳରେ ତିନୋଟି ଦ୍ୱୀପକୁ ଚିହ୍ନଟ କଲେ ା ତାହା ଥିଲା ଲଙ୍ଗ ହ୍ବିଲର, ସ୍ମଲ ହ୍ବିଲର ଓ କୋକୋନଟ୍‌ ଆଇଲାଣ୍ଡ ା ସହଯୋଗୀ ବୈଜ୍ଞାନିକ ଭି.କେ. ସାରସ୍ବତ ଓ ଏସ୍‌.କେ. ସାଲୱାନ୍‌ ପ୍ରଥମେ ଏହି ଦ୍ୱୀପରେ ପାଦଦେଲେ ା ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ସୁପାରିସ ପରେ ଏହି ଦ୍ୱୀପ ହସ୍ତାନ୍ତର ପାଇଁ ପ୍ରତିରକ୍ଷା ବିଭାଗ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଆବେଦନକଲେ ା
କଲାମ ଓ ବିଜୁବାବୁ-କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଧୀନ ଡିଆର୍‌ଡିଓକୁ ଏହି ୫ଟି ଦ୍ୱୀପ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ବିଭିନ୍ନ କାରଣ ପାଇଁ ଅରାଜି ଥିଲେ ା କଲାମ ନଛୋଡବନ୍ଦା ଥିଲେ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଜାତୀୟସ୍ତରୀୟ ନେତା ବିଜୁବାବୁଙ୍କୁ ଭେଟିବାକୁ ଚାହିଁଲେ ା ସେତେବେଳେ ଦ୍ୱୀପ ହସ୍ତାନ୍ତର ସମ୍ପର୍କିତ ଫାଇଲଟି ବିଜୁବାବୁଙ୍କ ଟେବୁଲ ଉପରେ ଅନୁମୋଦନ ଅପେକ୍ଷାରେ ଥିଲା ା କଲାମ ବିଜୁବାବୁଙ୍କୁ ସଚିବାଳୟରେ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନାକଲେ ା ଶେଷରେ ବିଜୁବାବୁ କଲାମଙ୍କୁ କହିଲେ, ଗୋଟିଏ ସର୍ତ୍ତରେ ମୁଁ ଆପଣଙ୍କୁ ଏହି ୫ଟି ଦ୍ୱୀପ ହସ୍ତାନ୍ତର କରିବି ା ମଁୁ ନିକଟରେ ଚାଇନା ଗସ୍ତ କରୁଛି ା ଆପଣ ଏପରି ଏକ କ୍ଷେପଣାସ୍ତ୍ର ବିକଶିତ କରିବେ ଯାହା ଓଡ଼ିଶାରୁ ଥାଇ ମୋତେ ଚାଇନାରେ ଭେଦକରିବ ା କଲାମ ହସି ହସି ଏଥିରେ ସମ୍ମତି ଦେଲେ ା ଏହି ଘଟଣାର ୯ ବର୍ଷ ପରେ ହ୍ବିଲର ଦ୍ୱୀପର ଲଞ୍ଚପ୍ୟାଡ୍‌ରୁ ପ୍ରାୟ ୩ ହଜାର କି.ମି. ଦୂର ଓ ଆଣବିକ ଅସ୍ତ୍ରଶସ୍ତ୍ର ବହନ କ୍ଷମତା ବିଶିଷ୍ଟ ଅଗ୍ନି-୫ର ସଫଳ ପରୀକ୍ଷଣ ସମ୍ଭବତଃ ବିଜୁବାବୁଙ୍କ ପ୍ରେରଣା ବୋଲି କୁହାଯାଇପାରେ ା ଭାରତର ଅଗ୍ନି କ୍ଷେପଣାସ୍ତ୍ରର ସଫଳ ଓ ବ୍ୟବହାରିକ ପରୀକ୍ଷଣ ଆମେରିକା, ଚାଇନା ଓ ପାକିସ୍ତାନର ଆଖିରୁ ନିଦ ହଜାଇଦେଇଛି ା
ବାଲିଚଢ଼ା ହେଲା କ୍ଷେପଣାସ୍ତ୍ର ଘାଟି-ବାଲେଶ୍ୱର ଜିଲା ଚାନ୍ଦିପୁରରୁ ଦକ୍ଷିଣରେ ପ୍ରାୟ ୭୦ କି.ମି. ଦୂର ତଥା ଧାମରା ବନ୍ଦରଠାରୁ ପ୍ରାୟ ୧୦ କି.ମି. ଦୂର ବଙ୍ଗୋପସାଗର ମଧ୍ୟରେ ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନରେ ରହିଛି ହ୍ବିଲର ଆଇଲାଣ୍ଡ ା ଏହା ଗୋଟିଏ ଦ୍ୱୀପ ନୁହେଁ ବରଂ ୫ଟି ଅଲଗା ଅଲଗା ଦ୍ୱୀପର ସମାହାର ା ସେଗୁଡ଼ିକ ହେଲେ ଆଉଟର ହ୍ବିଲର ଆଇଲାଣ୍ଡ, କୋକୋନଟ୍‌ ଆଇଲାଣ୍ଡ, ସ୍ମଲ୍‌ ହ୍ବିଲର ଆଇଲାଣ୍ଡ, ଲଙ୍ଗ୍‌ ହ୍ବିଲର ଆଇଲାଣ୍ଡ, ସର୍ଟସ ଆଇଲାଣ୍ଡ ା ଦ୍ୱୀପପୁଞ୍ଜର ଦୈର୍ଘ୍ୟ ପ୍ରାୟ ୨ କି.ମି. ା ଅବ୍ୟବହୃତ ଏହି ଦ୍ୱୀପ ବାସୋପଯୋଗୀ ନ ଥିବା ବେଳେ କେବେକେବେ ଏଠାରେ ସ୍ଥାନୀୟ ଓ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ବୋଟ୍‌ ବିଶ୍ରାମ ପାଇଁ ଅଟକି ରହୁଥିଲା ା କଲାମଙ୍କ ଅନୁରୋଧକ୍ରମେ ୧୯୯୩ ମସିହାରେ ରାଜ୍ୟ ସରକାର ବିଧିବଦ୍ଧ ଭାବରେ ଏହାକୁ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ(ଡିଆର୍‌ଡିଓ)କୁ ଦୀର୍ଘ ମିଆଦୀ ଲିଜ୍‌ ସୂତ୍ରରେ ହସ୍ତାନ୍ତର କରିଥିଲେ ା ଏବେ ଏହା ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟି ଭାବରେ ପରିଚିତ ା ଏଠାକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ ା ୧୯୯୩ ନଭେମ୍ବର ୩୦ରେ ସ୍ଥଳଭାଗରୁ ହ୍ବିଲର ଦ୍ୱୀପର ଲକ୍ଷ୍ୟସ୍ଥଳକୁ ପୃଥିବୀ କ୍ଷେପଣାସ୍ତ୍ର ପ୍ରଥମେ ଭେଦକଲା ା ହ୍ବିଲର ଦ୍ୱୀପର ଏହି ସ୍ଥାନଟି ପୃଥିବୀ ପଏଣ୍ଟ ଭାବରେ ନାମିତ ହୋଇଛି ା ଚଢ଼ାରୁ ଆକାଶ, ଅଗ୍ନି, ଅସ୍ତ୍ର, ବ୍ରହୋ୍ମସ୍‌, ନିର୍ଭୟ, ପ୍ରହାର, ପୃଥିବୀ, ଧନୁଷ୍‌, ସୌର୍ଯ୍ୟ ପରି କେତେକ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରାଯାଇଛି ା ଅଦ୍ୟାବଧି ୭୫ରୁ ଅଧିକ କ୍ଷେପଣାସ୍ତ୍ର ଏହାର ବିଭିନ୍ନ ଲଞ୍ଚିଂ ପ୍ୟାଡ୍‌ରୁ ପରୀକ୍ଷଣ ହୋଇସାରିଛି ା
ଥିଏଟର ଅଫ୍‌ ଆକ୍ସନ-ଏହି ଦ୍ୱୀପ କଲାମଙ୍କ ଆବିଷ୍କାର ଥିବାବେଳେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଅନେକ ଥର ସେ ଏଠାକୁ ଆସିଛନ୍ତି ା କଲାମଙ୍କ ଜୀବନର ଅନେକ ସଫଳ ଓ ବିଫଳ ମୁହୂର୍ତ୍ତର ମୂକସାକ୍ଷୀ ହ୍ବିଲର ଦୀପ ା ହ୍ବିଲର ଦ୍ୱୀପର ବିଭିନ୍ନ ଲଞ୍ଚିଂ ପ୍ୟାଡ୍‌ରୁ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି ା କଲାମ ଏହି ସମୟରେ ନିଜର ସହଯୋଗୀ ବୈଜ୍ଞାନିକଙ୍କ ସହ ହ୍ବିଲର ଦ୍ୱୀପରେ ଅବସ୍ଥାନ କରିଥାଆନ୍ତି ା ଦ୍ୱୀପର ନୀରବତା ତାଙ୍କ ଜନ୍ମସ୍ଥାନ ତାମିଲନାଡୁର ସମୁଦ୍ରକୂଳିଆ ସହର ରାମେଶ୍ୱରମର ସ୍ମୃତିକୁ ମନେପକାଇଦିଏ ା ହ୍ବିଲର ଦ୍ୱୀପ ତାଙ୍କ ଥିଏଟର ଅଫ୍‌ ଆକ୍ସନ ବୋଲି ସେ ତାଙ୍କ ଜୀବନୀ ପୁସ୍ତକ ୱିଙ୍ଗସ୍‌ ଅଫ୍‌ ଫାୟାର ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ା ଏଠାରେ ମୁଖ୍ୟତଃ ଝାଉଁ ଜାତୀୟ ଜଙ୍ଗଲ ରହିଛି ା ଦ୍ୱୀପର ନୀରବ ସମୁଦ୍ର ଜଙ୍ଗଲର ପାଦଧୋଇ ଦେଉଥିବାର ଦୃଶ୍ୟ ତାଙ୍କୁ ‘ମାଇଁ ଜର୍ନି’ ପୁସ୍ତକର କବିତା ଲେଖିବାକୁ ପ୍ରେରଣା ଯୋଗାଇଛି ା
ପୂଜ୍ୟପୂଜାର ପରମ୍ପରା- କଲାମଙ୍କ ଦେହାନ୍ତ ପରେ ତାଙ୍କ ସ୍ମୃତିରେ ହ୍ବିଲର ଦ୍ୱୀପର ନାମ ଏପିଜେ ଅବଦୁଲ କଲାମ ଦ୍ୱୀପ ରଖିବାକୁ ଓଡ଼ିଶା ସରକାର ୪ ସେପ୍ଟେମ୍ବର ୨୦୧୫ରେ ଘୋଷଣା କରିଥିଲେ ା ଆଶା କରାଯାଇଥିଲା ସମସ୍ତ ୫ଟି ଦ୍ୱୀପର ନାମକୁ ପରିବର୍ତ୍ତନ କରାଯାଇ ଗୋଟିଏ ନାମ ରଖାଯିବ ା ଏକକାଳୀନ ୫ଟି ରାଜସ୍ବ ମୌଜାର ନାମ ପରିବର୍ତ୍ତନ, ରାଜ୍ୟ ଓ କେନ୍ଦ୍ରର ସମସ୍ତ ନଥିପତ୍ରରେ ସଂଶୋଧନ ଏକ ଜଟିଳ ପ୍ରକ୍ରିୟା ଥିବା ବେଳେ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରଣାଳୟର ଅନୁମତିର ଆବଶ୍ୟକତା ମଧ୍ୟ ରହିଥିଲା ା ଶେଷରେ ରାଜ୍ୟ ସରକାର କେବଳ ଗୋଟିଏ ଦ୍ୱୀପ (ଆଉଟର ହ୍ବିଲର ଦ୍ୱୀପ)ର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ ା ସରକାରଙ୍କ ଘୋଷଣା ପରେ କାଗଜପତ୍ର ସଂଶୋଧନରେ ବିଳମ୍ବ ପାଇଁ ତହସିଲ, ଜିଲା, ରାଜ୍ୟ ସରକାରଙ୍କ ଜମିଜମା ସଂକ୍ରାନ୍ତୀୟ ପୋର୍ଟାଲ ଭୂଲେଖ ଓ ଏନ୍‌ଆଇସିରେ ତଥ୍ୟ ଅପ୍‌ଡେଟ୍‌ରେ ବିଳମ୍ବ ହୋଇଥିଲା ା ୨୦୧୭ ଡିସେମ୍ବରରେ କାଗଜପତ୍ର ସଂଶୋଧନ ପରେ ସମସ୍ତ ନଥିପତ୍ର ଓ ଭୂଲେଖ ପୋର୍ଟାଲରେ କେବଳ ଆଉଟର ହ୍ବିଲର ଦ୍ୱୀପଟି ଏବେ ଏପିଜେ ଅବଦୁଲ କଲାମ ଦ୍ୱୀପ ଭାବରେ ଉଲ୍ଲେଖ ରହିଛି ା ଅନ୍ୟ ୪ଟି ଦ୍ୱୀପର ନାମ ପୂର୍ବପରି ହ୍ବିଲରଙ୍କ ନାମ ସହ୍‌ ଯୋଡ଼ିହୋଇ ରହିଛି ା
ଦେବୀଙ୍କୁ ସଫଳତାର ଶ୍ରେୟ ଅର୍ପଣ- ମା’ଧାମରାଈ ମତ୍ସ୍ୟଜୀବୀ ସଂଘର ପ୍ରତିଷ୍ଠାତା ସମ୍ପାଦକ ତଥା ବର୍ତ୍ତମାନର ଉପଦେଷ୍ଟା ବୟସ୍କ ମତ୍ସ୍ୟଜୀବୀ ପ୍ରଫୁଲ୍ଲ କୁମାର ଜେନା(ଫୁଲବାବୁ) କୁହନ୍ତି, କ୍ଷେପଣାସ୍ତ୍ର ଘାଟି ହୋଇଥିବା ଦ୍ୱୀପର ଡାକ ନାମ ତେନ୍ତୁଳିଆ ଚଢ଼ା ା ଏଠାରେ ପ୍ରଚୁର ପରିମାଣର ତେନ୍ତୁଳିଗଛ ରହିଥିବାରୁ ଏହି ନାମରେ ଚଢ଼ା ପରିଚିତ ା ଧାମରା ଅଞ୍ଚଳର କେତେଜଣ ଲୋକ ସେମାନଙ୍କ ମଇଁଷିକୁ ନେଇ ଘାସ ଅଭାବ ସମୟରେ ଏଠାରେ ବର୍ଷର କିଛିମାସ ରହିଥାଆନ୍ତି ା ମଇଁଷିଗୁଡ଼ିକ ଚଢ଼ାରେ ଥିବା ବନି ଗଛର ପତ୍ର ଖାଇଥାଆନ୍ତି ା ୧୯୯୩ ମସିହାର ଶୀତଦିନର କଥା ା ତେନ୍ତୁଳିଆ ଚଢ଼ାର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷା ବେଳେ ମୁଁ ଚଢ଼ା ନିକଟରେ ଥିଲି ା ଭୂପୃଷ୍ଠରୁ ଭୂପୃଷ୍ଠକୁ ପୃଥିବୀ କ୍ଷେପଣାସ୍ତ୍ରର ପରୀକ୍ଷଣ ସମୟରେ ମତ୍ସ୍ୟଜୀବୀ ସଂଘର କେତେକ ମୋଟର ବୋଟ୍‌ ଚଢ଼ାର ସୁରକ୍ଷା କାମରେ ଲାଗିଥିଲା ା ବାଲେଶ୍ୱର ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇ ଜନମାନବଶୂନ୍ୟ ତେନ୍ତୁଳିଆ ଚଢ଼ାରେ ଏହାର ଲକ୍ଷ୍ୟଭେଦ କରିବାକୁ ଯୋଜନା ହୋଇଥିଲା ା କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ବାହାରର ଲୋକ ଚଢ଼ା ମଧ୍ୟକୁ ଯିବାକୁ ବାରଣ କରିବାକୁ ଆମେମାନେ ଚଢ଼ାର ଚାରିପାଖରେ ସମୁଦ୍ର ମଝିରେ ବୋଟ୍‌ରେ ଜଗି ରହିଥିଲୁ ା କ୍ଷେପଣାସ୍ତ୍ର ପଡ଼ିବା ପାଇଁ ଚଢ଼ା ମଧ୍ୟରେ ଏକ ସ୍ଥାନରେ ଧଳାରଙ୍ଗର ଗାର କଟାଯାଇ ଲକ୍ଷ୍ୟସ୍ଥଳର ଚିହ୍ନ ଦିଆଯାଇଥିଲା ା ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷଣର ପ୍ରାୟ ୧୫ ଦିନ ପୂର୍ବରୁ ଚଢ଼ାରେ ଥିବା ମଇଁଷିଙ୍କୁ ନିକଟସ୍ଥ କାଳିଭଞ୍ଜଡିଆଁ ଜଙ୍ଗଲକୁ ସ୍ଥାନାନ୍ତର କରାଯାଇଥିଲା ା ମାତ୍ର ମଇଁଷିଆଳଙ୍କର ଗୋଟିଏ ପୋଷା କୁକୁର କୌଣସି କାରଣରୁ ଚଢ଼ାରେ ରହିଯାଇଥିବାର ଆମେ ଦେଖିବାକୁ ପାଇଲୁ ା କଲାମଙ୍କ ସମ୍ପର୍କରେ ସେ କୁହନ୍ତି , କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଚାନ୍ଦିପୁରରୁ ହେଲିକପ୍ଟରରେ କଲାମ ତେନ୍ତୁଳିଆ ଚଢ଼ାରେ ପହଞ୍ଚିଥିଲେ ା ସେଠାରୁ କାମସାରି ତାଙ୍କର ହେଲିକପ୍ଟର ଧାମରାଈ ପଡ଼ିଆରେ ପହଞ୍ଚିଥିଲା ା ଲମ୍ବା ଚୁଟି, ହାଫ୍‌ପ୍ୟାଣ୍ଟ ଏବଂ ଟି-ଶାର୍ଟ ପିନ୍ଧିଥିବା କଲାମ ପଡ଼ିଆରେ ହେଲିକପ୍ଟରରୁ ଓହ୍ଲାଇଲେ ା ପଡ଼ିଆରୁ ଥାଇ ମାଆ ଧାମରାଈଙ୍କୁ ନମସ୍କାର କରି ସମ୍ଭବତଃ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଧାମରାର ଅଧିଷ୍ଠାତ୍ରୀ ଦେବୀଙ୍କୁ କୃତଜ୍ଞତା ଜଣାଇ ଫେରିଯାଇଥିଲେ ା ସେଦିନର ଏକଥା କେବଳ ମୁଁ ନୁହେଁ, ପଡ଼ିଆରେ କଲାମଙ୍କୁ ଦେଖିବାକୁ ଉପସ୍ଥିତ ସମସ୍ତ ଧାମରାବାସୀ ଅନୁଭବ କରିଥିଲେ ା ସେଦିନର ଚଢ଼ାରେ ଧଳାଗାର ଟଣାଯାଇ ଲକ୍ଷ୍ୟସ୍ଥଳ ଚିହ୍ନଟ ହୋଇଥିବା ସ୍ଥାନଟି ଆଜି ପୃଥିବୀ ପଏଣ୍ଟ ଭାବରେ ପରିଚିତ ା
ପ୍ରକୃତି ସହ ପ୍ରଗତିର ସହାବସ୍ଥାନ- ଧାମରା ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ମୁଖ୍ୟତଃ ଶାନ୍ତ ା ଏହି ଅଞ୍ଚଳରେ ମେରାଇନ ପୋଲିସ, କୋଷ୍ଟଗାର୍ଡ ଓ ନାଭାଲର ରହିଛି ତ୍ରିସ୍ତରୀୟ ସୁରକ୍ଷା ା ଅଲିଭ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ସ୍ଥଳ ଗହୀରମଥାଠାରୁ ଏହା ଜଳପଥରେ ନିକଟ ା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅଲିଭ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ସମୟରେ ସମୁଦ୍ର ମଧ୍ୟରେ ପଇଁତରାର ବ୍ୟବସ୍ଥା ହୋଇଛି ା ଏଠାରେ କ୍ଷେପଣାସ୍ତ୍ର ଘାଟି ତିଆରି ହେବା ପରେ ୨ବର୍ଷ ପର୍ଯ୍ୟନ୍ତ ଅଲିଭ ରିଡ୍‌ଲେ କଇଁଛମାନେ ଅଣ୍ଡା ଦେବାକୁ ଆସିଲେ ନାହିଁ ା କଇଁଛ ଶାବକମାନେ ଦ୍ୱୀପର ପ୍ରଖର ଓ କୃତ୍ରିମ ଆଲୋକରେ ବାଟବଣା ହେବା ଏହାର ଏକ କାରଣ ବୋଲି ପରିବେଶବିତ୍‌ ଡିଆର୍‌ଡିଓ ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଥିଲେ ା ତତ୍କାଳୀନ ନିର୍ଦ୍ଦେଶକ କଲାମଙ୍କ ନିର୍ଦ୍ଦେଶରେ ୧୯୯୮ ମସିହାରୁ କଇଁଛଙ୍କ ଅଣ୍ଡାଦାନ ସମୟରେ ହ୍ବିଲର ଦ୍ୱୀପର ରାତ୍ରକାଳୀନ ଆଲୋକକୁ ନିଷ୍ପ୍ରଭ(ଡିମ୍‌) କରାଯାଇଥାଏ ା ଏହା ସହ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସମୟରେ ବର୍ଷର ମୁଖ୍ୟତଃ ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ଏଠାରେ କ୍ଷେପଣାସ୍ତ୍ର ପରୀକ୍ଷଣକୁ ବାରଣ କରାଯାଇଛି ା ଏବେ ମଧ୍ୟ ଏହି ଧାରା ସେଠାରେ ଲାଗି ରହିଛି ା
– ଅଶୋକ କୁମାର ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri