Posted inଫୁରସତ

ବର୍ଷାରେ ଆନନ୍ଦ ଦିଏ ଜ୍ୟୋଲିକୋଟ

ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ଅବସ୍ଥିତ ଜ୍ୟୋଲିକୋଟ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ବୈଭବରେ ଭରା ଏହି ସ୍ଥାନଟିକୁ ବର୍ଷର ଯେ କୌଣସି ସମୟରେ ବୁଲି ଯିବାର ସୁବିଧା ଥିଲେ ହେଁ, ବର୍ଷାଦିନେ କୁଆଡ଼େ ଏଠାକୁ ପର୍ଯ୍ୟଟକ ବୁଲି ଆସିବାକୁ ଅଧିକ ପସନ୍ଦ କରିଥାନ୍ତି। କାରଣ ବର୍ଷାଦିନେ ଏଠାକାର ସୌନ୍ଦର୍ଯ୍ୟ ଦେଖିବାକୁ ଆହୁରି ସୁନ୍ଦର ଲାଗିଥାଏ। ସେଥିପାଇଁ ଜ୍ୟୋଲିକୋଟକୁ ଅନେକେ ବେଷ୍ଟ ମନସୁନ୍‌ ଡେଷ୍ଟିନେଶନ ବୋଲି ବି କହିଥାନ୍ତି…

ଜ୍ୟୋଲିକୋଟ ହେଉଛି ଉତ୍ତରାଖଣ୍ଡର ନୈନିତାଲ ଜିଲା ଅନ୍ତର୍ଗତ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ। ବର୍ଷସାରା ଏଠାକାର ପ୍ରାକୃତିକ ପରିବେଶ ବେଶ୍‌ ଆକର୍ଷକ ଲାଗୁଥିଲେ ହେଁ ବର୍ଷାଦିନେ ଏହା ଆହୁରି ସୁନ୍ଦର ଦେଖାଯାଇଥାଏ। ଚାରିଆଡ଼େ ଖାଲି ସବୁଜମୟ ଲାଗେ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ପାହାଡର ସୌନ୍ଦର୍ଯ୍ୟ ବେଶ୍‌ ମନୋରମ ହୋଇଥାଏ। କୁହାଯାଏ, ଏଠାକୁ କୁଆଡ଼େ ବହୁ ବର୍ଷ ତଳେ ଶ୍ରୀ ଅରବିନ୍ଦ ଓ ସ୍ବାମୀ ବିବେକାନନ୍ଦ ବୁଲିଆସିଥିଲେ। ତେଣୁ ଏହି ସ୍ଥାନର ଆଧ୍ୟାତ୍ମିକ ମାହାତ୍ମ୍ୟ ମଧ୍ୟ ବେଶ୍‌ ଉଚ୍ଚକୋଟୀର। ସେହିପରି ଏହି ସ୍ଥାନ ନିକଟରେ ରହିଥିବା ଗାଁମାନଙ୍କରେ ଯେଉଁ ସବୁ ପର୍ବ ଓ ଉତ୍ସବ ପାଳନ କରାଯାଇଥାଏ ତାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିତରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥାଏ।

ବିଶେଷ ଆକର୍ଷଣ
ଜ୍ୟୋଲିକୋଟର ଶାନ୍ତ ବାତାବରଣ କାହାକୁ ବି ଆକର୍ଷିତ କରିପାରେ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନଟି ପ୍ରକୃତିପ୍ରେମୀକୁ ଖୁବ୍‌ ଭଲ ଲାଗିଥାଏ। ତା’ଛଡ଼ା ଏଠାରେ ଯେହେତୁ ଅନେକ ପାହାଡ଼ ଦେଖାଯାଇଥାଏ, ପର୍ଯ୍ୟଟକ ଚାହିଁଲେ ଏଠାରେ ଟ୍ରେକିଂ ସହିତ ଦୁର୍ଗମ ଅଞ୍ଚଳକୁ ଯାଇ ବୁଲିବାର ମଜା ମଧ୍ୟ ନେଇପାରିବେ। କେବଳ ସେତିକି ନୁହେଁ, ଏଠାରେ ଏକ ବି-ବ୍ରିଡିଂ ସେଣ୍ଟର ମଧ୍ୟ ରହିଛି, ଯେଉଁଠାକୁ ପର୍ଯ୍ୟଟକ ବୁଲି ଯାଇ ମହୁ କେମିତି ଉତ୍ପାଦନ କରାଯାଏ, ସେ ସମ୍ପର୍କରେ ଅନେକ ତଥ୍ୟ ଜାଣିପାରିବେ। ତା’ଛଡ଼ା ଜ୍ୟୋଲିକୋଟର ମାର୍କେଟ୍‌ରେ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାରର ତାଜା ଫଳ ବିକ୍ରି ହେଉଥିବାର ଦେଖାଯାଇଥାଏ। ଖାସ୍‌ କରି ଷ୍ଟ୍ରବେରୀ ଓ କିଓ୍ବି ଏଠାରେ ଭଲ ମିଳିଥାଏ। ଏପରିକି ଛୋଟ ଛୋଟ କୁଣ୍ଡରେ କିପରି ଗଛ ଲଗାଇ ସେଥିରୁ ଫଳ ପାଇହେବ, ସେ ସୁବିଧା ବି ପର୍ଯ୍ୟଟକ ଏଠାକାର ମାର୍କେଟ୍‌ରୁ ଆରାମରେ ପାଇପାରିବେ।

ଆଉ କ’ଣ ଦେଖିବେ
ଆକର୍ଷକ ପ୍ରାକୃତିକ ବୈଭବ ଛଡ଼ା ଜ୍ୟୋଲିକୋଟର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳିଥାଏ। ଗୋଟିଏ ଦିନରେ ବୁଲି ଦେଖିଲା ଭଳିଆ ଜ୍ୟୋଲିକୋଟ ହେଉଛି ଏକ ସୁନ୍ଦର ସ୍ଥାନ। ତେଣୁ ଯେଉଁ ପର୍ଯ୍ୟଟକ ୨/୩ ଦିନର ପ୍ଲାନିଂ କରି ଜ୍ୟୋଲିକୋଟ ବୁଲି ଆସୁଛନ୍ତି, ସେମାନେ ଚାହିଁଲେ ଏଠାକାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ନୈନି ହ୍ରଦ, ମୁକ୍ତେଶ୍ୱର, ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନ ଆଡ଼େ ମଧ୍ୟ ଯାଇ ବୁଲି ଆସିପାରିବେ।

କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ବୁଲିଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ମାର୍ଚ୍ଚରୁ ଜୁନ୍‌ ହେଉଛି ଏଠାକୁ ବୁଲି ଯିବାପାଇଁ ସବୁଠୁ ଭଲ ସମୟ। କିନ୍ତୁ ପର୍ଯ୍ୟଟକ ଚାହିଁଲେ ବର୍ଷାଦିନେ ବି ଏଠାକୁ ଯାଇପାରିବେ। କାରଣ ବର୍ଷାଦିନେ ଏଠାକାର ଚର୍ତୁଃପାର୍ଶ୍ୱ ଖାଲି ସବୁଜ ସବୁଜ ଦେଖାଯାଇ ବେଶ୍‌ ଆକର୍ଷକ ଲାଗିଥାଏ। ସେହିପରି ଜ୍ୟୋଲିକୋଟକୁ ସଡ଼କପଥ ହେଉ ଅବା ରେଳପଥ କିମ୍ବା ଆକାଶପଥ, ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇହେବ। ପନ୍ତନଗର ହେଉଛି ଏହାର ନିକଟତମ ବିମାନବନ୍ଦର, ଯାହା ଜ୍ୟୋଲିକୋଟଠାରୁ ପ୍ରାୟ ୫୬ କି.ମି ଦୂରରେ ଅବସ୍ଥିତ। ଦିଲ୍ଲୀ ବିମାନବନ୍ଦରରୁ ନିୟମିତ ବ୍ୟବଧାନରେ ଉକ୍ତ ବିମାନବନ୍ଦରକୁ ବିମାନ ଚଳାଚଳ କରିଥାଏ। ଅନ୍ୟପକ୍ଷେ କାଠଗୋଦାମ ହେଉଛି ଜ୍ୟୋଲିକୋଟର ନିକଟବର୍ତ୍ତୀ ରେଳଷ୍ଟେଶନ, ଯାହା ପ୍ରାୟ ୧୮ କି.ମି ଦୂରରେ ଅବସ୍ଥିତ। ଏହାଛଡ଼ା ଦେଶର ବିଭିନ୍ନ ସ୍ଥାନକୁ ଟୁରିଷ୍ଟ ବସ୍‌ ବି ଜ୍ୟୋଲିକୋଟ ଅଭିମୁଖେ ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଜ୍ୟୋଲିକୋଟରେ ପହଁଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?