ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ ସୀମିତ କରୁଥିବା ଏକ ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାକୁ ଲାଗୁ କରିବାରୁ ଜଣେ ଫେଡେରାଲ ବିଚାରପତି ଟ୍ରମ୍ପ୍ ପ୍ରଶାସନକୁ ରୋକିଛନ୍ତି । ମେରିଲ୍ୟାଣ୍ଡର ଗ୍ରୀନ୍ବେଲ୍ଟରେ ଥିବା ଆମେରିକାର ଜିଲା ବିଚାରପତି ଡେବୋରା ବୋର୍ଡମ୍ୟାନ ପ୍ରବାସୀ ଅଧିକାର କର୍ମୀଙ୍କ ଅନୁରୋଧ କ୍ରମେ ଏକ ପ୍ରାଥମିକ ନିଷେଧାଦେଶ ଜାରି କରିଛନ୍ତି। ଏହି କର୍ମୀମାନେ ଗତ ବର୍ଷ ଜନ୍ମଗତ ନାଗରିକତାକୁ ସୀମିତ କରୁଥିବା ଟ୍ରମ୍ପ୍ ପ୍ରଶାସନର ପ୍ରାରମ୍ଭିକ ୨୦୨୫ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାକୁ ଲାଗୁ ନ କରିବା ପାଇଁ ତାଙ୍କଠାରୁ ଏକ ଅଦାଲତୀୟ ନିର୍ଦ୍ଦେଶ ହାସଲ କରିଥିଲେ। ଯେଉଁ ପିଲାଙ୍କର ମାତାପିତା ଆମେରିକାର ନାଗରିକ ନୁହନ୍ତି କିମ୍ବା ବୈଧ ସ୍ଥାୟୀ ବାସିନ୍ଦା (ଗ୍ରୀନ କାର୍ଡଧାରୀ ଭାବେ ଜଣାଶୁଣା) ନୁହନ୍ତି, ସେମାନଙ୍କ ପାଇଁ ଜନ୍ମଗତ ନାଗରିକତା ସମାପ୍ତ କରିବାର ସେହି ପ୍ରାରମ୍ଭିକ ପ୍ରୟାସକୁ ଆମେରିକା ସୁପ୍ରିମକୋର୍ଟ ଜୁନ୍ ୩୦ରେ ପ୍ରତ୍ୟାଖ୍ୟାନ କରିଥିଲେ।
ଏହି ନିଷ୍ପତ୍ତି ପରେ ଟ୍ରମ୍ପ ଅଗଷ୍ଟ ୬ରେ ଏକ ନୂତନ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ ଯାହା ବିଶେଷକରି ‘ଜନ୍ମଗତ ପର୍ଯ୍ୟଟନ’କୁ ଟାର୍ଗେଟ୍ କରିଥିଲା; ଯେଉଁଥିରେ ମହିଳାମାନେ ଆମେରିକା ଭ୍ରମଣରେ ଆସି ସେଠାରେ ସନ୍ତାନ ଜନ୍ମ କରିଥାନ୍ତି। ଏହାଦ୍ୱାରା ସେମାନଙ୍କ ପିଲାମାନେ ସ୍ବତଃସ୍ଫୂର୍ତ୍ତ ଭାବେ ନାଗରିକତା ପାଇପାରିବେ। ଯଦି ପିଲାମାନଙ୍କର ମାତାପିତାଙ୍କ ମଧ୍ୟରୁ କେହି ଜଣେ ଆମେରିକାରେ ବୈଦେଶିକ ସରକାରଙ୍କ ପାଇଁ କାର୍ଯ୍ୟ କରନ୍ତି, ନାଗରିକତା ପାଇବା ପାଇଁ ଜାଲିଆତି କିମ୍ବା ବ୍ୟବସାୟିକ କାରବାରରେ ଜଡ଼ିତ ଥାଆନ୍ତି, କିମ୍ବା ସେମାନଙ୍କୁ ‘ଶତ୍ରୁ ବିଦେଶୀ’ ଭାବେ ଶ୍ରେଣୀଭୁକ୍ତ କରାଯାଇଥାଏ, ତେବେ ସେହି ପିଲାମାନଙ୍କୁ ମଧ୍ୟ ନାଗରିକତା ପ୍ରଦାନ କରାଯିବ ନାହିଁ।
ସେ ସେହି ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିବା ପରେ ଟ୍ରମ୍ପ୍ଙ୍କ ୨୦୨୫ ନିର୍ଦ୍ଦେଶନାମା ଅଧୀନରେ ନାଗରିକତାରୁ ବଞ୍ଚିତ ହେବାକୁ ଥିବା ଶିଶୁମାନଙ୍କ ପକ୍ଷରୁ ଏକ ଗଣ-ମାମଲା ଚଳାଇଥିବା ଓକିଲମାନେ ରିପବ୍ଲିକାନ ରାଷ୍ଟ୍ରପତିଙ୍କ ଏହି ନୂତନ ନିର୍ଦ୍ଦେଶନାମାକୁ ରୋକିବା ପାଇଁ ଏବଂ ସେମାନଙ୍କ ମହକିଲମାନଙ୍କ ନାଗରିକତାକୁ ସମ୍ମାନ ଜଣାଇବା ନିଶ୍ଚିତ କରିବା ଲାଗି ବୋର୍ଡମ୍ୟାନଙ୍କୁ ଅନୁରୋଧ କରିଥିଲେ। ଡେମୋକ୍ରାଟିକ୍ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ନିଯୁକ୍ତ ଏହି ବିଚାରପତି ଏଥିରେ ସହମତ ହୋଇ କହିଛନ୍ତି ଯେ, ଏହି ସାମ୍ପ୍ରତିକ ନିର୍ଦ୍ଦେଶନାମା ପ୍ରମାଣିତ ଶ୍ରେଣୀ ପାଇଁ ନିଶ୍ଚିତ ଭାବେ ଅସାମ୍ବିଧାନିକ, କାରଣ ସୁପ୍ରିମକୋର୍ଟ ‘ବାରବାରା’ ମାମଲାରେ ପୂର୍ବରୁ ହିଁ ନିଷ୍ପତ୍ତି ନେଇସାରିଛନ୍ତି ଯେ ଏହି ଶ୍ରେଣୀର ପିଲାମାନେ ଜନ୍ମରୁ ହିଁ ନାଗରିକ।

