
ରାଞ୍ଚି,୧୯।୨: ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗୁଟ୍ଖା- ପାନ ମସଲା ଆଦି ଉପରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ ଲଗାଇ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିଫିକେଶନ ଜାରି କରାଯାଇଛି। ଏଭଳି ନିର୍ଦ୍ଦେଶ ପରେ ଝାଡ଼ଖଣ୍ଡ ବଜାରରେ କୌଣସି ନାମରେ ତମାଖୁ ଅଥବା ନିକୋଟିନ ଯୁକ୍ତ ଗୁଟ୍ଖା ଏବଂ ପାନ ମସଲାର ନିର୍ମାଣ, ଗଚ୍ଛିତ, ବିକ୍ରି ଏବଂ ବିତରଣ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି।
ରାଜ୍ୟ ପକ୍ଷରୁ ଲଗାଯାଇଥିବା ଏହି ପ୍ରତିବନ୍ଧକ ନୋଟିଫିକେଶନ ଜାରି ହେବାର ତାରିଖରୁ ଆଗାମୀ ୧ ବର୍ଷ ଯାଏ ପ୍ରଭାବୀ ରହିବ। ସ୍ଥିତିର ସମୀକ୍ଷା ପରେ ପ୍ରତିବନ୍ଧକର ଅବଧୀକୁ ଆଗକୁ ବଢ଼ାଇ ଦିଆଯିବ।
ନୂଆ ଆଦେଶ ଅନୁଯାୟୀ ଝାଡ଼ଖଣ୍ଡରେ ଏବେ ଗୁଟ୍ଖା ବିକ୍ରି ଏବଂ ଏହାର ସେବନ ଉଭୟ ଅପରାଧରେ ଗଣିତ ହେବେ। ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ, ୨୦୦୬ର ଧାରା ୩୦(୨)(ଏ) ଏବଂ ଖାଦ୍ୟ ସୁରକ୍ଷା ଏବଂ ମାନକ(ବିକ୍ରି ଉପରେ ପ୍ରତିବନ୍ଧକ) ନିୟମ ଆଦି ଅନ୍ତର୍ଗତରେ ଆଦେଶ ଜାରି କରାଯାଇଛି।
ଏହାପୂର୍ବରୁ ଝାଡ଼ଖଣ୍ଡ ୨୦୨୦ରେ ଗୁଟ୍ଖା ଏବଂ ପାନ ମସଲାର ୧୧ ବ୍ରାଣ୍ଡ ଉପରେ ବ୍ୟାନ୍ ଲଗାଇଥିଲା। ଏହା ୨୦୨୩ ଜୁନ ପର୍ଯ୍ୟନ୍ତ ପ୍ରଭାବଶାଳୀ ଥିଲା। ଏବେ ଗୁଟ୍ଖା ସହ ନିକୋଟିନ ଏବଂ ତମାଖୁଯୁକ୍ତ ସମସ୍ତ ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି। କୌଣସି ଦୋକାନରେ ଏହାର ବିକ୍ରି ହେଲେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।