
ଭୁବନେଶ୍ୱର,୩ା୭: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ଗୁରୁବାର ରାତିରେ ଭୁବନେଶ୍ୱରର ବାଣୀବିହାର ଛକରେ ଜାତୀୟ ରାଜପଥ ଅବରୋଧ କରି ଜୋରଦାର ପ୍ରତିବାଦ କରିଛନ୍ତି। ଏହି ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା ଏବଂ ରାଜଧାନୀରେ ଟ୍ରାଫିକ ଜାମ୍ର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ମାମଲାରେ ଜଗନ୍ନାଥ ପ୍ରଧାନଙ୍କୁ ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ହାଜର ହେବା ପରେ ପୋଲିସ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ କୋର୍ଟରେ ହାଜର କରାଯାଇଥିଲା। ଏହି ଘଟଣାରେ ଅନ୍ୟ ୫ ଜଣଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରେ ଭାଜପା କର୍ପୋରେଟର ଜୀବନ ରାଉତ ମଧ୍ୟ ରହିଛନ୍ତି।
ଗତ ୩୦ ଜୁନରେ ବିଏମସି କାର୍ଯ୍ୟାଳୟରେ ଜନଅଭିଯୋଗ ଶୁଣାଣି ସମୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ୬-୭ ଜଣଙ୍କ ଏକ ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସାହୁ ଅଭିଯୋଗ କରିଛନ୍ତି ଯେ ଆକ୍ରମଣକାରୀମାନେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ଥିଲେ ଏବଂ ତାଙ୍କୁ ଅପମାନଜନକ ଢଙ୍ଗରେ ମାରପିଟ କରିଥିଲେ। ଏହି ଘଟଣା ପରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ (ଓଏଏସ) ସଂଘ ଜଗନ୍ନାଥ ପ୍ରଧାନଙ୍କୁ ‘ମୁଖ୍ୟ ଅଭିଯୁକ୍ତ’ ଭାବେ ଚିହ୍ନଟ କରି ତାଙ୍କ ତୁରନ୍ତ ଗିରଫ ଦାବି କରିଥିଲା।
ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ‘ରାଜନୈତିକ ଷଡ଼ଯନ୍ତ୍ର’ ବୋଲି ଅଭିଯୋଗ କରି ବାଣୀବିହାର ଛକରେ ଧାରଣା ଦେଇଥିଲେ। ସମର୍ଥକମାନେ ରାସ୍ତା ରୋକ କରି ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ କରିଥିଲେ, ଯାହା ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପ୍ରତିବାଦକାରୀମାନେ ପ୍ରଧାନଙ୍କ ନିର୍ଦ୍ଦୋଷତା ଦାବି କରି ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଥିଲେ।