ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍ସିଆଲ ଫିଲ୍ଡରେ ଖେଳାଯାଇଥିବା ମ୍ୟାଚ୍ରେ ଅନ୍ତିମ ମିନିଟ୍ରେ ଆମାଡ ଡିଆଲୋଙ୍କ ଗୋଲ ବଳରେ ଆଇଭରି କୋଷ୍ଟ ୧-୦ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି। ଡିଆଲୋ ଗୋଲ କରିବା ପୂର୍ବରୁ ନେଦରଲାଣ୍ଡ୍ସ ଖେଳାଳିଙ୍କ ୩ଟି ଶଟ୍ କ୍ରସବାରରେ ବାଜିଥିଲା। ଏହି ବିଜୟ ଯୋଗୁ ମୋଟ ଉପରେ ଚତୁର୍ଥ ଥର ଓ ୨୦୧୪ ପରେ ପ୍ରଥମ ଥର ବିଶ୍ୱକପ୍ରେ ଖେଳୁଥିବା ଆଇଭରି କୋଷ୍ଟ ନିକଟରେ ପ୍ରଥମ ଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେବାର ସୁଯୋଗ ସୃଷ୍ଟି ହୋଇଛି।
ଅନ୍ୟପକ୍ଷେ ଇକ୍ୱେଡରର ୧୯ ମ୍ୟାଚ୍ ଧରି ଚାଲିଆସିଥିବା ଅପରାଜେୟ ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହି ଦଳ ଅନ୍ତିମ ଥର ୨୦୧୪ ସେପ୍ଟେମ୍ବର ୬ ତାରିଖରେ ବ୍ରାଜିଲଠାରୁ ପରାସ୍ତ ହୋଇଥିଲା। ବିଶ୍ୱକପ୍ ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟର ୧୦ ମ୍ୟାଚ୍ରେ ଗୋଟିଏ ହେଲେ ଗୋଲ ବରଣ କରି ନ ଥିବା ଆଇଭରି କୋଷ୍ଟ ତା’ର ପରବର୍ତ୍ତୀ ମ୍ୟାଚ୍ରେ ୪ ଥରର ଚାମ୍ପିୟନ ଜର୍ମାନୀକୁ ଭେଟିବ। ସେହିଭଳି ଇକ୍ୱେଡର, କୁରାକାଓକୁ ଭେଟିବ। ଉଭୟ ମ୍ୟାଚ୍ ଆସନ୍ତା ୨୦ ତାରିଖରେ ଖେଳାଯିବ।

