ଗଞ୍ଜାମ,୨୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଗତ ଶନିବାର ଛତ୍ରପୁର ଉପଜିଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଡଃ ଶିବାଶିଷ ବରାଳଙ୍କୁ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥତ୍ମାନେ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ପରେ ଉପଜିଲାପାଳ ତଦନ୍ତ ଆରମ୍ଭ କରିବା ସହ ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଏକ ସ୍ବତନ୍ତ୍ର ଟିମ୍ କଲେଜରେ ପହଞ୍ଚି ସିସିଟିଭି ଯାଞ୍ଚ କରିଛନ୍ତି।
ପ୍ରକାଶଯୋଗ୍ୟ, ନିର୍ବାଚନ ଘୋଷଣା ଦିନ ଭୋଟ୍ ଗଣତିରେ ଅନିୟମିତତା ହୋଇଥିବା ନେଇ ଦୀର୍ଘ ଦେଢ଼ ଘଣ୍ଟା ସମୟ ଧରି କଲେଜ ଗେଟ୍ ଅବରୋଧ କରି ହୋ-ହଲ୍ଲା କରିବା ସହ ପ୍ରତିବାଦ କରିଥିଲେ ବିସିଜେଡି ସମର୍ଥିତ ଛାତ୍ର। ଯାହାକୁ ନେଇ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର, ଅତିରିକ୍ତ ଆଇଆଇସି ଶୁଭଲକ୍ଷ୍ମୀ କହଁର ପ୍ରମୁଖ କଲେଜ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ନିର୍ବାଚନ ଶେଷ ହେବା ପରେ ଗଣତି ସମୟରେ ଏଜେଣ୍ଟମାନଙ୍କୁ କାହିଁକି ୪୦ ମିନିଟ୍ ପର୍ଯ୍ୟନ୍ତ ବାହାରକୁ ବାହାର କରିଦିଆଯାଇଥିଲା? ସେ ସମୟରେ ବାଲଟ ପେପରରେ ଏପଟ ସେପଟ କରିଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି l ବିକ୍ଷୋଭକାରୀ ବିସିଜେଡି ଛାତ୍ରମାନେ ସେ ସମୟର ସିସିଟିଭି ଫୁଟେଜ ଦେଖାଇବା ପାଇଁ ଦାବି କରିଥିଲେ।କଲେଜ କର୍ମଚାରୀ ମାନେ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଛାତ୍ରମାନଙ୍କ ସହ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ନେଇ ଭିଡିଓ ଭାଇରାଲକୁ ହୋଇଥିବା ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ କଲେଜ ଅଧ୍ୟକ୍ଷା ଡଃ. ସ୍ମରଣିକା ହୋତାଙ୍କ ପ୍ରତିକ୍ରିୟା ନେବାରେ ସରକାରଙ୍କ ନୀତିନିୟମ ପ୍ରକାରେ ସମସ୍ତ ନିର୍ବାଚନ ହୋଇଛି ବୋଲି ସେ ପୂର୍ବରୁ ସୂଚନା ଦେଇଛନ୍ତି।

