ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ? ଜୈନ ପୁରାଣ ଅନୁଯାୟୀ, ଆକବର ଓ ଓରଙ୍ଗଜେବ ଶାକାହାରବାଦକୁ ଗ୍ରହଣ କରିଥିଲେ। ତେବେ ତାହା କ’ଣ ସେମାନଙ୍କୁ ଅହିଂସକ କରିଥିଲା କି? ମାଂସ ଆହାର କଲେ ଲୋକମାନେ ହିଂସକ ହୋଇଯାଆନ୍ତି ବୋଲି ରାଜନୀତିଜ୍ଞମାନେ ଦାବି କରୁଥିଲା ବେଳେ ଏହିସବୁ ପ୍ରଶ୍ନ ପରପିଢ଼ିର ଐତିହାସିକ ଓ ବୈଜ୍ଞାନିକଙ୍କୁ ପଚାରିବା ଦରକାର।
ଏହାର ବିପରୀତ କ’ଣ ସତ? ଶାକାହାରୀମାନେ କ’ଣ ଦୟାଳୁ? ଶାକାହାରୀମାନେ ହତ୍ୟାକାରୀ ହେବାର ସମ୍ଭାବନା କମ୍‌ ରହିଛି କି? ତେବେ ଶାକାହାର ଖାଦ୍ୟ ଖାଇଲେ ଜଣେ ବ୍ୟକ୍ତି ନୈତିକ ରୂପରେ ଶ୍ରେଷ୍ଠ, ସରଳ କିମ୍ବା ଦୟାଳୁ ହୋଇଥାଏ ବୋଲି କୌଣସି ବୈଜ୍ଞାନିକ ଗବେଷଣାରୁ ସିଦ୍ଧ ହୋଇନାହିଁ। ତଥାପି ଭାରତରେ ଏହି ବିଶ୍ୱାସ ରହିଛି ଯେ, ଶାକାହାରୀମାନେ ଭଲ ଲୋକ, ଯେଉଁମାନେ ଆଧ୍ୟାତ୍ମିକତା ସହ ଗଭୀର ଭାବେ ଜଡ଼ିତ ଓ ଅଧ୍ୟାତ୍ମବାଦୀ ବୋଲି ଗର୍ବ କରିଥାନ୍ତି।
ଶାକାହାରବାଦ ସହ ଜୈନ, ବ୍ରାହ୍ମଣ, ବୈଶ୍ୟ ଓ ଶୈବ ଉପାସକଙ୍କର ସମ୍ପର୍କ ରହିଛି। ଏପରିକି ପବିତ୍ରତାର ବିଚାର ଥିଲେ ମଧ୍ୟ କଶ୍ମୀରୀ, ମୈଥିଲୀ, ବେଙ୍ଗଲୀ ଏବଂ ଓଡ଼ିଆ ବ୍ରାହ୍ମଣମାନେ ମାଂସ ଖାଇଥାନ୍ତି। ଯେଉଁମାନଙ୍କୁ ଅସ୍ପୃଶ୍ୟ ଏବଂ ଅପବିତ୍ର ସମୁଦାୟ ଯଥା ଆଦିବାସୀ, ଦଳିତ, ଚଣ୍ଡାଳ ଓ ଅତିଶୂଦ୍ର ବୋଲି କୁହାଯାଉଛି, ସେମାନେ ବିଶେଷକରି ମାଂସ ଖାଉଥିଲେ। ସମୟକ୍ରମେ, ଖାଦ୍ୟ ଜାତିର ପ୍ରତୀକ ହୋଇଯାଇଛି। ଉଚ୍ଚଜାତିର ଉତ୍ପୀଡ଼କଙ୍କୁ ଆତ୍ମସଂଯମୀ, ଅଧ୍ୟାତ୍ମବାଦୀ ତଥା ଅହିଂସା ଅନୁଗାମୀ ଭାବେ ଦେଖାଗଲା। ସମାଜରେ ଦମିତ ହୋଇ ରହୁଥିବା ନୀଚ ଜାତିର ଲୋକଙ୍କୁ ଆକ୍ରାମକ, ଏପରିକି ବିପଜ୍ଜନକ ବୋଲି ଗଣାଗଲା। ଏହି ଦୁଇପ୍ରକାର ବିଚାର ଲଗାତର ଭାବରେ ସାମାଜିକ ଦୃଷ୍ଟିକୋଣକୁ ଗଢ଼ିବାରେ ଲାଗିଲା। ତେବେ ଗାନ୍ଧିଜୀ ତାଙ୍କ ଆଶ୍ରମରେ ମାଂସ ଖାଇବା ଉପରେ କଟକଣା ଲଗାଇ ଶାକାହାର ବିଚାରକୁ ପ୍ରୋତ୍ସାହିତ କରିଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମଧ୍ୟ ହିନ୍ଦୁଙ୍କୁ ଏକାଠି କରିବାର ପ୍ରୟାସ କରୁଛି ଏବଂ ତାହାର ମଧ୍ୟ ଶୁଦ୍ଧ ଶାକାହାର କ୍ୟାଣ୍ଟିନ ରହିଛି।
ବାସ୍ତବତା କିନ୍ତୁ ଅତି ଜଟିଳ। ଜଣେ ଶାକାହାରୀ ବ୍ୟବସାୟୀ ବି ଉପକୂଳରେ ହେନ୍ତାଳ ବନ ନଷ୍ଟ କରୁଥିବା, ଆଣ୍ଡାମାନରେ ଜଙ୍ଗଲ କାଟିବା, ଆରାବଳିରେ ବିସ୍ଫୋରଣ କରି ପାହାଡ଼ ଫଟାଇବା କିମ୍ବା ଭଙ୍ଗୁରଶୀଳ ହିମାଳୟ ପର୍ବତାଞ୍ଚଳରେ ଭିତ୍ତିଭୂମିକୁ ନଷ୍ଟ କରୁଥିବା ଭଳି ପ୍ରୋଜେକ୍ଟକୁ ସ୍ବୀକୃତି ଦେଇପାରନ୍ତି। ଏହିସବୁ କାର୍ଯ୍ୟ ପରିସଂସ୍ଥାକୁ କ୍ଷତି କରେ, ବିଭିନ୍ନ ସମୁଦାୟର ଲୋକଙ୍କୁ ବିସ୍ଥାପିତ କରିଥାଏ ଏବଂ ପ୍ରାଣୀ ଜୀବନକୁ ସମୂଳେ ଧ୍ୱଂସ କରି ଦେଇଥାଏ। କିନ୍ତୁ ଏସବୁକୁ ହିଂସା ବୋଲି କୁହାଯାଇ ନ ଥାଏ, ବରଂ ସେଗୁଡ଼ିକୁ ବିକାଶ କୁହାଯାଏ। ଖାଦ୍ୟ ପାଇଁ ଛେଳିହତ୍ୟାକୁ ନିନ୍ଦା କରାଯାଏ, ଏପରିକି ଅନେକ ହଜାର ଏକର ଜଙ୍ଗଲ ସଫା କରିବାକୁ ବି ଯୁକ୍ତିଯୁକ୍ତ ବୋଲି ଦର୍ଶାଯାଏ। ଏହି ନୈତିକ ମତଭେଦ ବା ଅସଙ୍ଗତିକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ପରିସଂସ୍ଥାକୁୁ ନଷ୍ଟ କରୁଥିବା କାର୍ଯ୍ୟରେ ସଂଶ୍ଳିଷ୍ଟ ରହି ଅନେକେ ଦୃଢ଼ତାର ସହ ବିଶ୍ୱାସ କରନ୍ତି ଯେ, ଗୋଟିଏ ଶାକାହାର ରୋଷଘର ପରିଚାଳନା କରିବା, ମନ୍ଦିର ଗଢ଼ିବା, ବିଭିନ୍ନ ଧର୍ମୀୟ ଉତ୍ସବକୁ ପାଣ୍ଠି ଯୋଗାଇବା ଏବଂ ଗୁରୁମାନଙ୍କୁ ସମର୍ଥନ କରି ଆଧ୍ୟାତ୍ମିକ ପୁଣ୍ୟ ପ୍ରାପ୍ତି ହୋଇପାରିବ।
ଆମେ ଯଦି ପୁରାତନ ଗ୍ରନ୍ଥଗୁଡ଼ିକୁ ଦେଖିବା, ତେବେ ଦୃଶ୍ୟପଟ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରିପାରିବା। ବୈଦିକ କର୍ମକାଣ୍ଡରେ ପ୍ରାଣୀ ବଳିପ୍ରଥା ରହିଥିଲା। ଘୋଡ଼ା ମାଂସ, ଛେଳି ମାଂସ ଏବଂ ଅନ୍ୟ ପ୍ରାଣୀ ମାଂସ ବିଷୟରେ ବର୍ଣ୍ଣନା କରାଯାଇଛି। ତା’ପରବର୍ତ୍ତୀ ଗ୍ରନ୍ଥଗୁଡ଼ିକରେ ଏହିସବୁ ପରମ୍ପରା ଉପରେ ଆଲୋଚନା କରାଯାଇ ସେଗୁଡ଼ିକୁ ପୁନଃ ବ୍ୟାଖ୍ୟା କରାଯାଇଛି କିମ୍ବା ଏହାକୁ ପ୍ରତୀକାତ୍ମକ ସମର୍ପଣର ଏକ ମାତ୍ର ବିକଳ୍ପ ରୂପେ ଦର୍ଶାଯାଇଛି। ଜୈନ ଧର୍ମଶାସ୍ତ୍ର ଯୁକ୍ତି ଅନୁଯାୟୀ, ପ୍ରାଣୀମାନେ ମାନବ ରୂପେ ପୁନର୍ଜନ୍ମ ଲାଭ କରିପାରନ୍ତି। ଏଣୁ ପ୍ରାଣୀମାଂସ ଖାଇବା ନରମାଂସ ଭକ୍ଷଣ ସଦୃଶ। ବୈଦିକ ଶତପଥ ବ୍ରାହ୍ମଣରେ, ଭୃଗୁଙ୍କ ସ୍ବପ୍ନ ଅନୁଯାୟୀ, ଏହି ଜନ୍ମରେ ଆମେ ଗଛକୁ ଖାଇଲେ ପରଜନ୍ମରେ ସେ ଆମକୁ ଖାଏ। ଗଛମାନଙ୍କର ବି ଜୀବନ ଅଛି। ଇସ୍‌ଲାମ ଲୋକକଥାରେ ଏକ କାହାଣୀ ଅଛି ଏବଂ ଏଥିରେ ବର୍ଣ୍ଣନା କରାଯାଇଛି ଯେ, ହଲାଲ ଖାଦ୍ୟ ଖାଇଲେ ହାରାମ କାର୍ଯ୍ୟ (ଖରାପ କାମ)ର ପ୍ରାୟଶ୍ଚିତ୍ତ ହୁଏ ନାହିଁ। ଏଠାରେ ମଧ୍ୟ ସମାନ ପ୍ରକାର ଯୁକ୍ତି ରଖାଯାଇପାରେ। ଏକ ଶାକାହାର ଖାଦ୍ୟ ସ୍ବତଃ ଲୋଭ, ନକାରାତ୍ମକ ପ୍ରବୃତ୍ତି କିମ୍ବା ଶୋଷଣ ଭାବନାକୁ ଦୂର କରେ ନାହିଁ। ନୈତିକ, ଧର୍ମୀୟ କିମ୍ବା ଭଲ ଜୀବନ କେବଳ କର୍ମ ନିୟମର ଏକ ସୂଚୀ ନୁହେଁ, ବରଂ ଏହା ଚରିତ୍ର, ବିବେକ ତଥା ଅନ୍ତର୍ଗୁଣର ବିକାଶ ଉପରେ ନିର୍ଭର କରେ।
ଭାରତର ଇତିହାସରେ ଅଛି, ଶାକାହାରୀ ବ୍ୟାଙ୍କର୍‌ ଏବଂ ବଣିକମାନେ ଇସ୍‌ଲାମିକ ସୁଲତାନ ଏବଂ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀକୁ ପାଣ୍ଠି ଯୋଗାଉଥିଲେ। ସେମାନେ ବ୍ୟବସ୍ଥା ମାଧ୍ୟମରେ ଧନ ଲାଭ କରି ଯୁଦ୍ଧ କରିବାକୁ ସକ୍ଷମ ହେଲେ ଏବଂ ବିଜୟୀ ହୋଇଥିଲେ। କ୍ଷମତା ରାଜନୀତିରେ ଭାଗ ନେବାର ପ୍ରବୃତ୍ତିକୁ ଖାଦ୍ୟ ରୋକି ପାରି ନ ଥିଲା। ସପ୍ତଦଶ ଶତାବ୍ଦୀରେ ରାଜପୁତ ଦରବାରରେ ନିର୍ଦ୍ଦିଷ୍ଟ ବୈଷ୍ଣବ ଓ ଜୈନ ଗୋଷ୍ଠୀ ଶାକାହାର କ୍ଷମତା ମାଧ୍ୟମରେ ହିନ୍ଦୁ ପରିଚୟ ନିର୍ଦ୍ଧାରଣ କରିବା ଆରମ୍ଭ କରିଥିଲେ। ସମୟକ୍ରମେ ଶାକାହାରବାଦ ଧର୍ମୀୟ ପ୍ରାମାଣିକତାର ଏକ ପ୍ରତୀକ ପାଲଟିଗଲା। ଏହି ସିଦ୍ଧାନ୍ତ ଏବେ ହିନ୍ଦୁଙ୍କୁ ଶୁଦ୍ଧ ଏବଂ ଅଶୁଦ୍ଧ ଗୋଷ୍ଠୀ, ଉଚ୍ଚ ଓ ନୀଚ ଭାବେ ଧୀରେ ଧୀରେ ବିଭକ୍ତ କରୁଛି।
ଆଦିବାସୀ ଏବଂ ତଥାକଥିତ ‘ଅଶୁଦ୍ଧ’ ସମୁଦାୟଗୁଡ଼ିକ ଯେଭଳି ଥିଲେ ମୁସଲମାନମାନଙ୍କୁ ସେଥିରୁ ବାଦ୍‌ ଦିଆଯାଇଥିଲା। ତେବେ ଏବେ ବି ଆଦିବାସୀ ଏବଂ ତଥାକଥିତ ‘ନୀଚ’ ସମୁଦାୟଗୁଡ଼ିକୁ ହିନ୍ଦୁ ଭୋଟ ବ୍ୟାଙ୍କର ଏକ ଅଂଶ କରିବା ପାଇଁ ସେମାନଙ୍କୁ ହିନ୍ଦୁ କୁହାଯାଉଛି ଏବଂ ହନୁମାନ ଚାଳିଶା ଶିଖାଯାଉଛି। ସେମାନେ ଯଦି ସଂସ୍ଥାଗତ ପଦାନୁକ୍ରମରେ ଉପରକୁ ଉଠି ଉଚ୍ଚ ପଦବୀ ହାସଲ କରିବା ପାଇଁ ଚାହୁଁଛନ୍ତି। ତେବେ ସେମାନଙ୍କୁ ସେମାନଙ୍କ ଖାଦ୍ୟ ପରିବର୍ତ୍ତନ କରି ନିଜକୁ ‘ଶୁଦ୍ଧ’ ବା ପବିତ୍ର ହେବାକୁ ପ୍ରୋତ୍ସାହିତ କରାଯାଉଛି। ଏହା ହେଉଛି ଶାକାହାରର ଏକ ସାମାଜିକ ଟେକ୍‌ନିକ ଏବଂ ଏହାକୁ ସେହିମାନେ ହିଁ ଦୟା ଏବଂ କରୁଣାର ରୂପ ଭାବେ ପ୍ରଚାର କରୁଛନ୍ତି, ଯେଉଁମାନେ ସେମାନଙ୍କ କ୍ଷମତା ଓ ଧନର ବିିରୋଧକୁ ସହ୍ୟ କରିପାରନ୍ତି ନାହିଁ। ଏଥିରେ ମଧ୍ୟ ଏକ ଆର୍ଥିକ ବିଡ଼ମ୍ବନା ରହିଛି। ଭାରତ ହେଉଛି ସର୍ବବୃହତ୍‌ ଗୋମାଂସ ରପ୍ତାନିକାରୀ ଦେଶ ଏବଂ ସବୁଠୁ ବଡ଼ ରପ୍ତାନିକାରୀ କେନ୍ଦ୍ରଗୁଡ଼ିକର ମାଲିକ ଥିବା ପରିବାରଗୁଡ଼ିକୁ ଶାକାହାରୀ ଭାବେ ଚିହ୍ନଟ କରାଯାଇଛି।
ଖାଦ୍ୟ ଯେତେବେଳେ ମାନବ ମୂଲ୍ୟର ମାପକ ହୁଏ, ସେତେବେଳେ ସମସ୍ୟା ସାମ୍ନାକୁ ଆସେ। ହିଂସା କେବଳ ପ୍ରାଣୀହତ୍ୟା କେନ୍ଦ୍ରରେ ସୀମିତ ନାହିଁ। ସମସ୍ୟା ବାସ୍ତବରେ ସଭାଗୃହ, ନୀତିଗତ ନିଷ୍ପତ୍ତି ଏବଂ ବିତ୍ତୀୟ ଚୁକ୍ତିରେ ରହିଛି। ଆମେ ଯାହା ଖାଇବାକୁ ମନା କରୁଛେ, ତାହାଦ୍ୱାରା ଦୟାଳୁତା ନିଶ୍ଚିତ ହେବ ନାହିଁ। ଆମେ ଯେଭଳି ଆମ କ୍ଷମତାର ଉପଯୋଗ କରୁ, ସେହି ଅନୁସାରେ ଦୟାଭାବନା ପ୍ରକାଶପାଏ।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com

Dharitri – Odisha’s No.1 Odia Daily

Share