ଆନନ୍ଦପୁର/ହାଟଡିହୀ,୨୦l୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ସୋସୋ ଥାନା ଜମ୍ଭୀରା ଗ୍ରାମରେ ଗତ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିବା ଅଭିଯୋଗରେ ପୋଲିସ ନାବାଳକଙ୍କ ସହ ଅନ୍ୟ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଅଟକ ବ୍ୟକ୍ତି ସନ୍ଦୀପ ଜେନା (୨୬ ବର୍ଷ) ସେହି ଗ୍ରାମର ହୋଇଥିବା ବେଳେ ନାବାଳକ ଜଣକ ସୋସୋ ଥାନା ଅଞ୍ଚଳର ଅଟନ୍ତି। ଉଭୟ ଏପରି ଅନ୍ୟ ଚୋରି କେସ୍ରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚାଲୁଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ଅର୍ଜୁନ ଚରଣ ଜେନା ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଗତ ଶନିବାର ତାଙ୍କ ଘରେ ପଶିଥିଲେ। ଘରେ ଥିବା ନଗଦ ୧୦ ହଜାର ଟଙ୍କା ଏବଂ ଏଟିଏମ କାର୍ଡ ଚୋରି କରି ନେଇଥିଲେ । ଏ ନେଇ ଅର୍ଜୁନ ପରଦିନ ରବିବାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ନଂ ୮୪/୨୦୨୬ ରୁଜୁ କରିଥିଲା । ଏସଡିପିଓ ପଣ୍ଡା ଏବଂ ଥାନାଧିକାରିଣୀ କାନନ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଅଟକ ନାବାଳକ ଠାରୁ ନଗଦ ୫ ହଜାର ୪୦୦ ଟଙ୍କା ଏବଂ ଏଟିଏମ କାର୍ଡ ଜବତ କରାଯାଇଥିବା ଏସଡିପିଓ ପଣ୍ଡା ଏବଂ ଥାନା ଅଧିକାରିଣୀ ସାହୁ କହିଛନ୍ତି । ଏଥିସହ ଚୋରି ହୋଇଥିବା ଏଟିଏମ କାର୍ଡ ଦ୍ୱାରା ଅଟକ ବ୍ୟକ୍ତି ୬ ହଜାର ଟଙ୍କା ଉଠାଣ ମଧ୍ୟ କରିଥିଲେ ବୋଲି ଥାନା ଅଧିକାରିଣୀ ସାହୁ ସୂଚନା ଦେଇଛନ୍ତି।