ବିରୁଧୁନଗର,୨୦ା୪: ଗତ ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲୀ ସେନାର ମିଳିତ ଆକ୍ରମଣରେ ଇରାନର ତତ୍କାଳୀନ ସୁପ୍ରିମ ଲିଡର ୮୬ ବର୍ଷୀୟ ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ମୃତ ସୁପ୍ରିମ ଲିଡରଙ୍କ ମରଶରୀରକୁ ଏପର୍ଯ୍ୟନ୍ତ କବର ଦିଆଯାଇନାହିଁ। ସର୍ବସାଧାରଣରେ ବୃହତ୍ ଶେଷକୃତ୍ୟ ଆୟୋଜନ କରିବାରେ ଇରାନୀୟ ଅଧିକାରୀମାନେ ସୁରକ୍ଷାକୁ ନେଇ ଆଶଙ୍କା କରୁଛନ୍ତି।
ମାର୍ଚ୍ଚ ୪ରୁ ୩ ଦିନିଆ ରାଷ୍ଟ୍ରୀୟ ଶେଷକୃତ୍ୟ ପାଇଁ ଇରାନ୍ ପ୍ରଥମେ ଯୋଜନା କରିଥିଲା। ସେତେବେଳେ ଆମେରିକା ଏବଂ ଇସ୍ରାଏଲୀ ସୈନ୍ୟ ଜୋର୍ଦାର ବୋମାମାଡ଼ ଜାରି ରଖିଥିବାରୁ ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ନ ଥିଲା। ଅନ୍ତ୍ୟେଷ୍ଟିକ୍ରିୟାରେ ଅଭୂତପୂର୍ବ ଜନସମାଗମ ହେବାକୁ ଥିବାରୁ ଏହାକୁ ବିଳମ୍ବିତ କରାଯାଇଥିଲା। ଇରାନ ଏବେ ବଡ଼ ଉତ୍ସବ ଆୟୋଜନ କରିବା ସ୍ଥିତିରେ ନାହିିଁ। ଶାସନ ବ୍ୟବସ୍ଥା ଏତେ ଦୁର୍ବଳ ଓ ଭୟଭୀତ ଯେ, ସେମାନେ ବଡ଼ ଧରଣର କାର୍ଯ୍ୟକ୍ରମ କରିବାକୁ ସାହସ କରୁନାହାନ୍ତି ବୋଲି ଆମେରିକୀୟ ବିଶ୍ଳେଷକ ବେହନାମ ତାଲେବ୍ଲୁ କହିଛନ୍ତି।