ବିଡ଼ମ୍ବିତ ଶୈଶବ

ଶିଶୁମାନେ ପୃଥିବୀ ରୂପକ ଉଦ୍ୟାନର ଶୋଭାବର୍ଦ୍ଧନକାରୀ ପୁଷ୍ପକଳିକା ସଦୃଶ। ଏହି କଳିକାଗୁଡ଼ିକ ଦିନେ ପ୍ରଷ୍ଫୁଟିତ ହୋଇ ସ୍ବକୀୟ ସୁବାସ ଓ ସୌନ୍ଦର୍ଯ୍ୟରେ ଦିଗଦିଗନ୍ତକୁ ଆମୋଦିତ କରିବେ। କିନ୍ତୁ ଆଜିର ମଣିଷ ସ୍ବାର୍ଥପରତାରେ ଅନ୍ଧହୋଇ ଓ ନିଜର କୁତ୍ସିତ ବାସନା ତୃପ୍ତି ପାଇଁ ଏଇ ଟିକି ତାରାମାନଙ୍କୁ କେବଳ ଅବହେଳିତ କରିନାହିଁ, ବରଂ ସେମାନଙ୍କ ଉପରକୁ ଟାଣି ଆଣିଛି ଅଭିଶପ୍ତ ବାଦଲ। ଆଜିର ଶିଶୁ ଯେ ଆସନ୍ତା କାଲିର ଜଣେଜଣେ ଭରସାଯୋଗ୍ୟ ଉତ୍ତମ ବ୍ୟକ୍ତିତ୍ୱର ରୂପାନ୍ତରଣ, ତାହା ସ୍ବାର୍ଥାନ୍ଧ ମଣିଷ କାହୁଁ ଆକଳନ କରିବ ? ସେଦିନ ସେ ଦାରିଦ୍ର୍ୟ ନିପୀଡିତ ଅବହେଳିତ ବାପଛେଉଣ୍ଡ ବାଳକର ଅଦ୍ଭୁତ ସ୍ମରଣଶକ୍ତି ଓ ପ୍ରଖର ଧୀଶକ୍ତି ଆଗରେ ବନ୍ଧାପଡିଗଲେ ଗ୍ରାମ ଚାଟଶାଳୀର ମାଟିବଂଶ ଅବଧାନେ। ପାଠ ପଢ଼ାଉଥିବା ସମୟରେ ପିଲାଙ୍କୁ ପଚରାଯାଉଥିବା ସମସ୍ତ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ପାରିଥିଲା ଅଦୂରରେ ବସିଥିବା ଶ୍ରୀ ଅକ୍ଷର ବିବର୍ଜିତ ବାଳକ ପ୍ରାଣକୃଷ୍ଣ। ଗୁରୁଜୀ ପିଲାଟିର ଧୀଶକ୍ତି ଓ ବିଚକ୍ଷଣତାରେ ମୁଗ୍ଧ ହୋଇ ତା’ ମା’ଠାରୁ ହାତପତାଇ ମାଗି ଆଣିଲେ ଅଭାବୀ ଶିଶୁ ପ୍ରାଣକୃଷ୍ଣଙ୍କୁ ଓ ସ୍ବତଃ ବାଳକର ଖାଦ୍ୟ, ପୋଷାକ, ପାଠ୍ୟ ସାମଗ୍ରୀ ସହ ପିଲାର ପାଠପଢ଼ାର ସମସ୍ତ ଦାୟିତ୍ୱ ନେଲେ ବାଲିକୁଦା ମଧ୍ୟଇଂରାଜୀ ବିଦ୍ୟାଳୟରୁ କୃତିତ୍ୱର ସହ ମାଇନର ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ। ତା’ପରେ ମେଧାବୃତ୍ତି ଅର୍ଜନ ସହ ରେଭେନ୍ସାରୁ ଉଚ୍ଚଶିକ୍ଷା ଲାଭ ଓ ପରବର୍ତ୍ତୀ କାଳରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଭାବେ ଉଦ୍‌ଭାସିତ ହେବା ମୂଳରେ ନିହିତ ରହିଛି ଗୁରୁଜୀଙ୍କ ନିଃସ୍ବାର୍ଥପର ଓ ମଣିଷ ଗଢିବାର ଐକାନ୍ତିକ ଉଦ୍ୟମ। ସେଦିନ ଗୁରୁଜୀ ପ୍ରାଣକୃଷ୍ଣଙ୍କୁ ବଦାନ୍ୟତାର ହାତ ବଢ଼ାଇ ନ ଥିଲେ ପ୍ରାଣକୃଷ୍ଣ ଜଣେ ସାଧାରଣ ତୁଚ୍ଛ‘ପାଣୁଆ’ ଭାବେ ସମୟସ୍ରୋତରେ କେଉଁଆଡେ ହଜିଯାଇଥା’ନ୍ତା। ଏଇ ପରିପ୍ରେକ୍ଷୀରେ ଶ୍ରୀମା’ଙ୍କ ଉକ୍ତି ପ୍ରଣୀଧାନ ଯୋଗ୍ୟ। ସେ କହନ୍ତି – ‘ପ୍ରତ୍ୟେକ ବ୍ୟକ୍ତି ଭିତରେ କିଛି ସ୍ବକୀୟ ବିଶେଷତ୍ୱ ରହିଛି। ଆମର କର୍ତ୍ତବ୍ୟ ହେଲା ତାକୁ ଠାବ କରିବା, ବିକଶିତ କରିବା ଓ ପ୍ରୟୋଗ କରିବା।’
ଭାରତବର୍ଷରେ ବାସହରା ହୋଇ ବିଭିନ୍ନ ସହର ଉପକଣ୍ଠରେ ରାଜରାସ୍ତା ପାର୍ଶ୍ୱରେ ଅନେକ ଶିଶୁ ଦିବାରାତ୍ର ଜୀବନ ଅତିବାହିତ କରୁଛନ୍ତି। ଏହି ବର୍ଷ ଫେବୃୟାରୀରେ ଜାତୀୟ ଶିଶୁସୁରକ୍ଷା ଅଧିକାର ଆୟୋଗ ପ୍ରଦତ୍ତ ତଥ୍ୟ ଅନୁସାରେ ଗତ ତିନି/ଚାରିବର୍ଷ ମଧ୍ୟରେ ନିଖୋଜ ଥିବା ପ୍ରାୟ ଦୁଇଲକ୍ଷ ଶିଶୁଙ୍କୁ ପୋଲିସ ଉଦ୍ଧାର କରିଛି। ଆୟୋଗ ସୂତ୍ରରୁ ଉପଲବ୍ଧ ତଥ୍ୟ ଏହା ମଧ୍ୟ ସୂଚିତ କରେ ଯେ, ଭାରତର ବିଭିନ୍ନ ରାଜ୍ୟରେ ସଡ଼କ ପାର୍ଶ୍ୱରେ ଜୀବନ ବିତାଉଥିବା ଶିଶୁଙ୍କ ସଂଖ୍ୟା ୧୭,୯୧୪। ଉକ୍ତ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ୪୯୫୨ ଓ ଦିଲ୍ଲୀରେ ସର୍ବନିମ୍ନ ୧୬୫୩ ଶିଶୁ ସଡ଼କ ପାର୍ଶ୍ୱକୁ ନିଜ ବାସସ୍ଥାନ ରୂପେ ଆଦରି ନେଇଛନ୍ତି। ସମୁଦାୟ ବାସହରା ୧୭୯୧୪ ଶିଶୁଙ୍କ ମଧ୍ୟରେ ଅଛନ୍ତି ୧୦୩୪୯ ବାଳକ ଓ ୭୫୬୫ ବାଳିକା; ଯେଉଁମାନଙ୍କର ବୟସ ୮ରୁ ୧୩ ବର୍ଷ ମଧ୍ୟରେ। ଏମାନଙ୍କ ମଧ୍ୟରୁ ୮୦ ଭାଗ ଶିଶୁ ମାତାପିତାଙ୍କ ସହ ବସ୍ତିରେ ରାତ୍ରିଯାପନ କରନ୍ତି ଓ ଦିନରେ ମା’ବାପା ମୂଲମଜୁରିକୁ ଯିବାବେଳେ ଏମାନଙ୍କୁ ଫୁଟ୍‌ପାଥ୍‌ରେ ଛାଡିଦିଅନ୍ତି। ଅବଶିଷ୍ଟ ୨୦ଭାଗ ଶିଶୁ ବାସ୍ତୁହରା ହୋଇ ଦିବାରାତ୍ର ଫୁଟ୍‌ପାଥ୍‌କୁ ଆଶ୍ରୟକରି ଚଳନ୍ତି। ଆୟୋଗସୂତ୍ରରୁ ଏହା ମଧ୍ୟ ଜଣାଯାଏ, ଯେ ଭାରତର ୧୭ ଜିଲାରେ ଥିବା ୫୧ଟି ପ୍ରମୁଖ ଧାର୍ମିକ ପୀଠରେ ବାସହରା ଶିଶୁ ଅଧିକ ସଂଖ୍ୟାରେ ଦୃଶ୍ୟ ହୁଅନ୍ତି। ଅପରପକ୍ଷେ ବିଭିନ୍ନ ଉଦ୍ଦେଶ୍ୟ ରଖି ଶିଶୁ ଅପହରଣ ଆଜିର ଦୁନିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଓଡ଼ିଶାରେ ମଧ୍ୟ ନିଖୋଜ ଶିଶୁଙ୍କ ସଂଖ୍ୟା ବୃଦ୍ଧିପାଇ ଚାଲିଛି; ଯଦିଓ ରାଜ୍ୟ ଶିଶୁସୁରକ୍ଷା ଆୟୋଗ ପକ୍ଷରୁ ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ଦାବି କରାଯାଉଛି। ୨୦୨୦-୨୧ ମହାମାରୀ ସମୟରେ କେବଳ ରାଜଧାନୀ ଭୁବନେଶ୍ୱରରେ ୪୦୩ ଶିଶୁ ନିଖୋଜ ଥିବା ଥାନାରେ ଅଭିଯୋଗ ହୋଇଥିଲା; କିନ୍ତୁ ବେସରକାରୀ ହିସାବ ଏହାଠାରୁ ବହୁ ଅଧିକ। ଅପରେସନ ‘ମୁସ୍କାନ’, ‘ସ୍ମାଇଲ’ ଓ ‘ପରୀ’ ଭଳି ଲୋକପ୍ରିୟ ଯୋଜନା ମାଧ୍ୟମରେ ୨୭୯ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଉଦ୍‌ବେଗର କଥା ହେଲା ଅପହୃତା ନାବାଳିକାଙ୍କ ମଧ୍ୟରୁ ୯୦ ପ୍ରତିଶତ କେବଳ ପ୍ରେମ ବ୍ୟାପାରକୁ ନେଇ ଘର ଛାଡିଛନ୍ତି। ଆଉକିଛି ନାବାଳିକାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଇ ଘରୋଇ ଚାକରାଣୀ କିମ୍ବା ଇଟାଭାଟି ଶ୍ରମିକ ଭାବେ ନିୟୋଜିତ କରାଯାଇ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ନାବାଳକମାନଙ୍କୁ ତାଲିମଦେଇ ଭିକ୍ଷାବୃତ୍ତି ଏବଂ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯାଉଛି। ସାରା ରାଜ୍ୟରେ ନିଖୋଜ ଶିଶୁ ସମସ୍ୟା ଅତ୍ୟନ୍ତ ଗମ୍ଭୀର। ଗ୍ରାମାଞ୍ଚଳର ନାବାଳିକାମାନଙ୍କୁ ନାନା ପ୍ରଲୋଭନ ଦେଖାଇ ଏବଂ ପ୍ରେମଜାଲ ବିଛାଇ ଶିକାର କରାଯାଉଛି। ମାତାପିତାଙ୍କର ସରଳ ବିଶ୍ୱାସର ସୁଯୋଗ ନେଇ ଏମାନେ ହଜିଯାଉଛନ୍ତି କେଉଁ ଅଜଣା ଇଲାକାରେ। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟରେ ଶିଶୁ ଅପହରଣ ରୋକିବା ପାଇଁ ପୋଲିସ ସହ ପ୍ରାୟତଃ ଯୋଗାଯୋଗ କରାଯାଉଛି। ପୋଲିସ ମଧ୍ୟ ତ୍ୱରିତ ପଦକ୍ଷେପ ନେଇ କିଛି ଶିଶୁଙ୍କୁ ଉଦ୍ଧାର କରୁଛି। କିନ୍ତୁ ଅବସ୍ଥାରେ ସେଭଳି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉନାହିଁ।
ପିଲାମାନେ ଭଲମନ୍ଦ ବୁଝି ନ ପାରି ଯେଉଁ ଭୁଲ୍‌ କରିବସୁଛନ୍ତି ସେଥିରେ ପିଲାମାନେ କେବଳ ନୁହନ୍ତି, ତାଙ୍କ ପରିବାର ଆମତ୍ୀୟ ସ୍ବଜନ ଏବଂ ସର୍ବୋପରି ସମାଜ ଘୋର କ୍ଷତାକ୍ତ ହେଉଛି। ପ୍ରତିକାର ସ୍ବରୂପ ଏତିକି କୁହାଯାଇପାରେ ଯେ ମାତାପିତା ଓ ଅଭିଭାବକ ପିଲାମାନଙ୍କ ସହ ମିଶନ୍ତୁ ଓ ସଂସାରର ଛଦ୍ମବେଶୀ ଚରିତ୍ରମାନଙ୍କ ସମ୍ବନ୍ଧରେ ଅବଗତ କରାନ୍ତୁ। ପିଲାଙ୍କ ଅଗୋଚରରେ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପକୁ ଧ୍ୟାନ ରଖାଯାଉ। ସମାଜର ମଧ୍ୟ ଏକ ଦାୟିତ୍ୱ ରହିଛି। ଯେତେଦିନ ପର୍ଯ୍ୟନ୍ତ ଅମେ ପରପିଲାର ଦୁଃଖକୁ ନିଜର ବୋଲି ନ ମଣିଛୁ ଓ ତତ୍କାଳ ପଦକ୍ଷେପ ନ ନେଇଛୁ ସେତେଦିନ ପର୍ଯ୍ୟନ୍ତ ଶିଶୁ ତଥା ନାବାଳିକା ଅପହରଣ ଥମିବ ନାହିଁ। ପ୍ରତ୍ୟେକ ଅନାଥ ଓ ଅବହେଳିତ ଶିଶୁ ପ୍ରତି ସୌହାର୍ଦ୍ଦ୍ୟର ହସ୍ତ ପ୍ରସାରଣ କରି ମାନବୋଚିତ ଆଚରଣ ପ୍ରଦର୍ଶନ କରାଗଲେ ଓ ସାମୂହିକ ସ୍ରୋତରେ ସାମିଲ କରାଗଲେ ଅବଶ୍ୟ ସୁଫଳ ମିଳିବ। ସେହିମାନଙ୍କ ଭିତରୁ ଦିନେ କେହି ମହାମାନବର ରୂପ ନେଇ ଉଦ୍ଭାସିତ ହେବାର ସମ୍ଭାବନାକୁ ଅସ୍ବୀକାର କରାଯାଇ ପାରେନା। ଦିନେ ରାମେଶ୍ୱରମ୍‌ ସହରରେ ଖବରକାଗଜ ବିକୁଥିବା ପିଲା ଯଦି ଶ୍ରେଷ୍ଠ ଅନ୍ତରୀକ୍ଷ ବୈଜ୍ଞାନିକ ଓ ପରିଶେଷରେ ଭାରତର ରାଷ୍ଟ୍ରପତି ଆସନ ଅଳଙ୍କୃତ କରି ମାନବିକ ମୂଲ୍ୟବୋଧର ଶ୍ରେଷ୍ଠ ନିଦର୍ଶନ ହୋଇପାରେ ତେବେ ଅନ୍ୟଶିଶୁମାନେ କାହିଁକି ହେବେନାହିଁ ? ତେଣୁ ଶିଶୁ ସୁରକ୍ଷା ଆମର ପ୍ରାଥମିକ କର୍ତ୍ତବ୍ୟ ହେଉ।

– ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?