ନୂଆଦିଲ୍ଲୀ,୧୭।୧୧: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର୍ ଟ୍ରାଭିସ ହେଡ୍ IPL ୨୦୨୭ରେ ଖେଳିବେ ନାହିଁ। ଏହାର ଅର୍ଥ ଆଗାମୀ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ (SRH) ପକ୍ଷରୁ ଅଭିଷେକ ଶର୍ମା ଏବଂ ଟ୍ରାଭିସ ହେଡ୍ଙ୍କ ଘାତକ ଓପନିଂ ଯୋଡ଼ି ଆଉ ଏକାଠି ଖେଳୁଥିବା ଦେଖିବାକୁ ମିଳିବନି। ବ୍ୟସ୍ତ ଅନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ଯୋଗୁ ହେଡ୍ ଆଗାମୀ IPL ସିଜିନରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି।
ଟ୍ରାଭିସ ହେଡ୍ଙ୍କୁ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୧୪ କୋଟି ଟଙ୍କା ମିଳୁଥିଲା। ତେବେ ସେ ଆଗାମୀ ସିଜିନରେ ଖେଳିବେ ନାହିଁ। ତେଣୁ IPL ୨୦୨୭ ମିନି ଅକ୍ସନ ପୂର୍ବରୁ SRHର ପର୍ସରେ ୧୪ କୋଟି ଟଙ୍କା ବଢ଼ିଯିବ। ହେଡ IPL ୨୦୨୭ରୁ ଓହରିଯିବା ନିଷ୍ପତ୍ତି ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ।
ଚଳିତ ବର୍ଷ ଅଷ୍ଟ୍ରେଲିଆର ମୁଖ୍ୟ କୋଚ ଆଣ୍ଡ୍ର୍ୟୁ ମ୍ୟାକ୍ଡୋନାଲ୍ଡ କହିଥିଲେ ଯେ, ଆଗାମୀ ବର୍ଷ ତାଙ୍କ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟସ୍ତବହୁଳ ରହିବ। ଏହାକୁ ଦୃଷ୍ଟିରେ ରଖି ଦଳର ଖେଳାଳିମାନେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ସେ ସଙ୍କେତ ଦେଇଥିଲେ।

