ବାୟୁମଣ୍ଡଳୀୟ ଗବେଷଣାକୁ ଅନ୍ତର୍ଜାତୀୟ ସ୍ବୀକୃତି

ଗୌରୀଶଙ୍କର ସାହୁ

ବାୟୁମଣ୍ଡଳ ସମ୍ବନ୍ଧୀୟ ଗବେଷଣା ଏକ ମହତ୍ତ୍ୱପୂର୍ଣ୍ଣ ଗବେଷଣା। ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ସୂଚନା ଏହି ବିଭାଗ ସହ ସଂଲଗ୍ନ। ଜଳବାୟୁ ପରିବର୍ତ୍ତନ ଓ ପାଣିପାଗ ସମ୍ବନ୍ଧୀୟ ପୂର୍ବାନୁମାନ ବଡ଼ ଅନିଶ୍ଚିତ। ବୋଧହୁଏ ଏଥିପାଇଁ ଏହି ବିଷୟକ ଗବେଷଣାକୁ ଯେତିକି ଲୋକପ୍ରିୟତା ମିଳିବା କଥା, ତାହା ହୋଇପାରିନାହିଁ। ନୋବେଲ ପୁରସ୍କାର ଯାହା ପୃଥିବୀର ସର୍ବଶ୍ରେଷ୍ଠ ସମ୍ମାନ ଭାବେ ପରିଗଣିତ, ଏହାର ପ୍ରାୟ ୧୨୦ ବର୍ଷର ଇତିହାସରେ ଏଇ ପ୍ରଥମଥର ପାଇଁ ବାୟୁମଣ୍ଡଳ ସମ୍ବନ୍ଧୀୟ ଗବେଷଣାକୁ ସ୍ବୀକୃତି ଦେଇଛି ଓ ତିନିଜଣ ଗବେଷକଙ୍କୁ ଏ ବିଷୟକ ଗବେଷଣା ପାଇଁ ଏବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛି। ଏହା ପୂର୍ବରୁ ୧୯୯୫ରେ ଏହି ସମ୍ବନ୍ଧୀୟ ଏକ ଗବେଷଣାକୁ (ଯାହା ବାୟୁମଣ୍ଡଳର ଓଜୋନ ସ୍ତର ସହ ସମ୍ପର୍କିତ) ପ୍ରଥମ ଥର ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କୃତ ହୋଇଥିଲେ ବିଶିଷ୍ଟ ରସାୟନବିତ୍‌ ପ୍ର. ପଲ୍‌ କ୍ରୁଜେନ।
ପ୍ର. ସୁକୁରୋ ମାନାବେ ଓ ପ୍ର. କ୍ଲସ ହାସେଲମାନ୍‌ ପୃଥିବୀର ଜଳବାୟୁ ସମ୍ବନ୍ଧୀୟ ପ୍ରଥମ ଯଥାର୍ଥ ମଡେଲ ବିକାଶ କରିବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥିବାରୁ ଓ ପ୍ର. ଜର୍ଜିଓ ପାରିସି ଅବ୍ୟବସ୍ଥିତ ପ୍ରକ୍ରିୟା ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ଆବିଷ୍କାର କରି ଏହି ମଡେଲକୁ ଋଦ୍ଧିମନ୍ତ କରିଥିବାରୁ ମିଳିତ ଭାବେ ଏବର୍ଷର ନୋବେଲ ପୁରସ୍କାର ଲାଭ କରିବେ, ତାହା ମଧ୍ୟ ପଦାର୍ଥ ବିଜ୍ଞାନ ପରି ମହତ୍ତ୍ୱପୂର୍ଣ୍ଣ ବିଭାଗରେ। ନବେ ବର୍ଷ ବୟସ୍କ ଜାପାନୀ ପଦାର୍ଥ ବିଜ୍ଞାନୀ ସୁକୁରୋ
ମାନାବେ ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ ନବେ ବର୍ଷ ବୟସ୍କ ଜର୍ମାନ ଗବେଷକ କ୍ଲସ ହାସେଲମାନ୍‌ ଜର୍ମାନୀର ହାମବର୍ଗସ୍ଥିତ ମାକ୍ସପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ ଫର ମେଟେରୋଲୋଜିରେ ଅବସ୍ଥାପିତ। ଇଟାଲୀୟ ବୈଜ୍ଞାନିକ ତେସ୍ତରି ବର୍ଷୀୟ ଜର୍ଜିଓ ପାରିସି ସଂପ୍ରତି ରୋମସ୍ଥିତ ସାପିଏଞ୍ଜା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ।
ଏକ ଜଟିଳ ବ୍ୟବସ୍ଥାର ବିଭିନ୍ନ ଅଂଶ ସର୍ବଦା ପରସ୍ପର ସହ ପ୍ରତିକ୍ରିୟାଶୀଳ ଥା’ନ୍ତି। ତେଣୁ ଏହାର ଗାଣିତିକ ବ୍ୟାଖ୍ୟା ବଡ଼ ଦୁରୂହ ବ୍ୟାପାର। ପୃଥିବୀର ବାୟୁମଣ୍ଡଳ ଏହିପରି ଏକ ଜଟିଳ ବ୍ୟବସ୍ଥାର ଉଦାହରଣ। ଏହାର କୌଣସି ଗୋଟିଏ ବିନ୍ଦୁରେ ସଙ୍ଗଠିତ ଏକ ଛୋଟିଆ ପରିବର୍ତ୍ତନ ସମଗ୍ର ବାୟୁମଣ୍ଡଳକୁ ବ୍ୟାପକ ଭାବେ ପ୍ରଭାବିତ କରିଥାଏ। ସୁକୁରୋ ମାନାବେ ଜଳବାୟୁ ମଡେଲ ମାଧ୍ୟମରେ ଦେଖାଇଥିଲେ ଯେ, କିପରି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ବର୍ଦ୍ଧିଷ୍ଣୁ ମାତ୍ରା ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧିର କାରଣ ହୋଇଥାଏ। ୧୯୬୦ରେ ପ୍ରଦତ୍ତ ତାଙ୍କର ଏହି ମଡେଲ ବିକିରଣ ସାମ୍ୟତା ଓ ପବନର ଊର୍ଦ୍ଧ୍ୱମୁଖୀ ପରିବହନ ମଧ୍ୟରେ ଆନ୍ତଃକ୍ରିୟାକୁ ପ୍ରଦର୍ଶିତ କରିଥିଲା। ଏହା ଜଳବାୟୁ ମଡେଲ ବିକଶିତ କରିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା।
ଏହାର ପ୍ରାୟ ୧୦ ବର୍ଷ ପରେ କ୍ଲସ୍‌ ହାସେଲମାନ୍‌ଙ୍କ ମଡେଲ ପାଣିପାଗ ଓ ଜଳବାୟୁ ମଧ୍ୟରେ ଥିବା ଅନ୍ତଃ ସମ୍ବନ୍ଧକୁ ସ୍ଥାପିତ କରିଥିଲା। ପାଣିପାଗ ପରିବର୍ତ୍ତିତ ହୋଇଥିବା ସତ୍ତ୍ୱେ ଜଳବାୟୁ ମଡେଲ କିପରି ଭରସାଯୋଗ୍ୟ ହୋଇପାରିବ ସେ ଏହାକୁ ସ୍ପଷ୍ଟ ଭାବେ ଦର୍ଶାଇଥିଲେ। ସେ ଏହା ମଧ୍ୟ ପ୍ରମାଣିତ କରିଥିଲେ ଯେ, ଜନସଂଖ୍ୟା ବୃଦ୍ଧି ଅଙ୍ଗାରକାମ୍ଳ ବୃଦ୍ଧିର କାରଣ ହୋଇଥିବାରୁ ବିଶ୍ୱ ତାପନକୁ ଗଭୀର ଭାବେ ପ୍ରଭାବିତ କରୁଛି।
୧୯୮୦ ସାଲ ବେଳକୁ ଜର୍ଜିଓ ପାରିସି ଅବ୍ୟବସ୍ଥିତ ଜଟିଳ ବ୍ୟବସ୍ଥା ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ଗବେଷଣା କରିଥିଲେ। ଏହା କେବଳ ବାୟୁମଣ୍ଡଳ ନୁହେଁ, ବରଂ ଗଣିତ, ଜୀବବିଜ୍ଞାନ, ସ୍ନାୟୁବିଜ୍ଞାନ ପ୍ରଭୃତି ବ୍ୟାପକ ବିଭାଗକୁ ପ୍ରଭାବିତ କରିବା ସହ ବହୁ ଜଟିଳ ସମସ୍ୟାର ସମାଧାନ ପାଇଁ ସକ୍ଷମ ଥିଲା।
ବାୟୁମଣ୍ଡଳ ଉତ୍ତପନ ସମ୍ବନ୍ଧୀୟ ଗବେଷଣାର ଇତିହାସ ବଡ଼ପୁରୁଣା। ଆଜକୁ ପ୍ରାୟ ୨୦୦ବର୍ଷ ତଳେ ଫରାସୀ ପଦାର୍ଥ ବିଜ୍ଞାନୀ ଜୋସେଫ ଫୋରିଅର ସୂର୍ଯ୍ୟର ବିକିରଣ ପ୍ରଭାବରେ ବାୟୁମଣ୍ଡଳର ଉତ୍ତାପବୃଦ୍ଧି ଓ ପୃଥିବୀର ବିକିରଣ ପ୍ରଭାବରେ ବାୟୁମଣ୍ଡଳ ଉତ୍ତାପବୃଦ୍ଧି ଉଭୟକୁ ବିଚାରକୁ ନେଇ ବାୟୁମଣ୍ଡଳରେ ବିକିରଣ ସାମ୍ୟତା ବିଷୟରେ ଯୁଗାନ୍ତକାରୀ ତତ୍ତ୍ୱ ପ୍ରଦାନ କରିଥିଲେ। ଆମେ ସମସ୍ତେ ସବୁଜଗୃହର ପ୍ରଭାବ ବିଷୟରେ ଜାଣିଛେ। ଏହା ବାୟୁମଣ୍ଡଳର ସୁରକ୍ଷା ପ୍ରଦାନକାରୀ ଭୂମିକାକୁ ସୂଚିତ କରେ। ଫୋରିଅର ସୂର୍ଯ୍ୟଙ୍କ ଦୃଶ୍ୟମାନ ବିକିରଣ ଓ ପୃଥିବୀରୁ ନିର୍ଗତ ଅତିଲୋହିତ ବିକିରଣ କିପରି ବାୟୁମଣ୍ଡଳର ଉତ୍ତାପକୁ ପ୍ରଭାବିତ କରୁଛି ତାହା ଦର୍ଶାଇଥିଲେ। ଏହି ତତ୍ତ୍ୱ ଆଜି ବିକଶିତ ହୋଇ ମାନାବେ ଓ ହାସେଲମାନ୍‌୍‌ଙ୍କ ଜଟିଳ ଗାଣିତିକ ମଡେଲକୁ ରୂପାନ୍ତରିତ ହୋଇଛି ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛି।
ଅଙ୍ଗାରକାମ୍ଳ, ମିଥେନ୍‌, ଜଳୀୟବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍‌ ପୃଥିବୀର ପୃଷ୍ଠତଳରୁ ନିର୍ଗତ ଅତିଲୋହିତ ରଶ୍ମିକୁ ଅବଶୋଷଣ କରି ଏହାକୁ ବିକିରଣ କରିବା ପୂର୍ବକ ପାର୍ଶ୍ୱବର୍ତ୍ତୀ ବାୟୁମଣ୍ଡଳକୁ ଉତ୍ତପ୍ତ କରୁଛି। ବାୟୁମଣ୍ଡଳର ବିଭିନ୍ନ ଅଂଶରେ ତାପମାତ୍ରାର ଅସମାନତା ନିମ୍ନରୁ ଊର୍ଦ୍ଧ୍ୱଗାମୀ ବାୟୁ ପ୍ରବାହ, ସମୁଦ୍ର ଉପରୁ ସ୍ଥଳଭାଗ ଆଡ଼କୁ ବାୟୁ ପ୍ରବାହ, ସ୍ଥଳଭାଗରୁ ସମୁଦ୍ର ଉପରକୁ ବାୟୁପ୍ରବାହର କାରଣ ସାଜୁଛି ଓ ବିଶ୍ୱର ଜଳବାୟୁକୁ ନିୟନ୍ତ୍ରଣ କରୁଛି। ମାନାବେ, ହାସେଲମାନ୍‌ ଓ ପାରିସି ପୃଥକ୍‌ ପୃଥକ୍‌ ଭାବେ ଯେଉଁ ଗାଣିତିକ ଅବଧାରଣା ଦେଇଛନ୍ତି ଓ ଯେଉଁ ମଡେଲ ଉପସ୍ଥାପନା କରିଛନ୍ତି ତାହା ଜଳବାୟୁର ଲୁକ୍କାୟିତ ସ୍ବରୂପକୁ ଆବିଷ୍କାର କରିବା ପୂର୍ବକ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପୂର୍ବାନୁମାନକୁ ଅଧିକ ନିର୍ଦ୍ଧାରଣାମତ୍କ କରିପାରିଛି।
ଅଧ୍ୟାପକ, ହିମାଚଳ ପ୍ରଦେଶ
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧର୍ମଶାଳା
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?