ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ

ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ ଶାସନ ସହ ସ୍ବାଧୀନତା ପୂର୍ବରୁ ଅଖଣ୍ଡ ଭାରତ ଅନେକ ଦିନ ଧରି ଇଂରେଜ ହୁକୁମତର ପରାଧୀନତାରେ ବନ୍ଦୀ ଥିଲା। ଗୋଟିଏ ପଟେ ସତ୍ୟ ଓ ଅହିଂସାର ଅଦମନୀୟ ପ୍ରଭାବ ଓ ଅନ୍ୟ ପଟେ ଭାରତୀୟଙ୍କ ଉତ୍ସର୍ଗୀକୃତ ବଳିଦାନ ଓ ରକ୍ତାକ୍ତ ସଂଘର୍ଷରେ ଅତିଷ୍ଠ ଓ ଦୋଦୁଲ୍ୟମାନ ଇଂରେଜ ସରକାର ବାଧ୍ୟ ହୋଇ ୨ ସେପ୍ଟେମ୍ବର ୧୯୪୬ରେ ବ୍ରିଟିଶ ସମ୍ରାଟ ଜର୍ଜ ଷଷ୍ଠଙ୍କ ଅଧୀନରେ ତଥା ପଣ୍ଡିତ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ଭାରତରେ ଏକ ମଧ୍ୟବର୍ତ୍ତିକାଳୀନ ସରକାର ଗଠନ କଲେ। ସମୟକ୍ରମେ, ୧୪ ଅଗଷ୍ଟ ୧୯୪୭ର ମଧ୍ୟରାତ୍ରରେ ଅଖଣ୍ଡ ଭାରତ, ଇଣ୍ଡିଆ ଅର୍ଥାତ୍‌ ଭାରତ ଓ ପାକିସ୍ତାନ ଭାବେ ଦୁଇ ଭାଗ ହୋଇ ଇଂରେଜ ସରକାରଙ୍କଠାରୁ ସ୍ବାଧୀନତା ହାସଲ କଲା। ୧୫ ଅଗଷ୍ଟ ୧୯୪୭ରୁ ଇଂରେଜ ସରକାରଙ୍କ ନାମ ସମ୍ପୂର୍ଣ୍ଣ ଭାବେ ବଦଳି ମଧ୍ୟବର୍ତ୍ତିକାଳୀନ ଭାରତ ସରକାର, କେବଳ ଭାରତ ସରକାର ଭାବେ ନିଜର ନୂତନ ପରିଚୟ ପାଇଲା। ଇଂରେଜ ସରକାରଙ୍କଠାରୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟାରେ ୮୨ ପ୍ରତିଶତ ବହୁମତ ସହ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ପଣ୍ଡିତ ଜବାହରଲାଲ ନେହେରୁ ୧୫ ଅଗଷ୍ଟ ୧୯୪୭ରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କଲେ। ପରେ ଆମ୍ଭେ ଭାରତର ଜନଗଣ, ଭାରତକୁ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଗଠନ କରିବା ଏବଂ ଏହାର ସବୁ ନାଗରିକଙ୍କ ନିମନ୍ତେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ, ବିଚାରଧାରା, ବକ୍ତବ୍ୟ, ଧାରଣା, ବିଶ୍ୱାସ ଏବଂ ଉପାସନାରେ ସତନ୍ତ୍ରତା, ମର୍ଯ୍ୟାଦା ଓ ସୁବିଧା ପ୍ରଦାନରେ ସମାନତା ଏବଂ ଜାତୀୟ ଏକତା ଓ ଅଖଣ୍ଡତାକୁ ପ୍ରାଧାନ୍ୟ ଦେଇ ଭ୍ରାତୃକୁ ସୁନିଶ୍ଚିତ କରିବା ପାଇଁ ୧୯୪୯ ନଭେମ୍ବର ୨୬ ତାରିଖ ଦିନ ଆମ୍ଭର ସମ୍ବିଧାନ ସଭାରେ ବିଧିବଦ୍ଧ ସଂକଳ୍ପବଦ୍ଧ ହୋଇ ଭାରତୀୟ ସମ୍ବିଧାନକୁ ଅଙ୍ଗୀକାର, ପ୍ରଣୟନ ଏବଂ ଗ୍ରହଣ କଲୁ। ସମ୍ବିଧାନ ପ୍ରଣୟନ ପରେ ୨୫ ଅକ୍ଟୋବର ୧୯୫୧ରୁ ୨୧ ଫେବୃଆରୀ ୧୯୫୨ ମଧ୍ୟରେ ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା ଏବଂ ମୋଟ ୪୮୯ ଆସନରୁ ୩୬୪ ଅର୍ଥାତ୍‌ ୭୪.୪୩% ଆସନ ଜିତି ଭାରତୀୟ ଜାତୀୟ କଂଗ୍ରେସ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରିତ୍ୱରେ ପ୍ରଥମ ଗଣତାନ୍ତ୍ରିକ ସରକାର ଭାବେ କ୍ଷମତାସୀନ ହେଲା; ଯାହାକୁ ସାଧାରଣ ଜନତା ଭାରତ ସରକାର ନାମରେ ଜାଣିଲେ।
୧୯୫୭ର ଦ୍ୱିତୀୟ ସାଧାରଣ ନିର୍ବାଚନରୁ ୧୯୭୭ ପର୍ଯ୍ୟନ୍ତ କ୍ରମାଗତ ଭାବେ କଂଗ୍ରେସ ଦଳ ଶାସନ କ୍ଷମତାରେ ରହିବାରୁ ଧୀରେ ଧୀରେ ସାଧାରଣ ଜନତା ଭାରତ ସରକାରଙ୍କୁ କଂଗ୍ରେସ ସରକାର କହିବାରେ ଅଭ୍ୟସ୍ତ ହୋଇଗଲେ। ୧୯୭୭ରେ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଜନତା ଦଳ ସରକାର ଗଢ଼ିବା ପରେ ଲୋକମୁଖରେ ଭାରତ ସରକାରର ନାମ ଜନତା ସରକାର ହୋଇଗଲା। ସେହିଭଳି ଭାବେ ଭାରତୀୟ ଜନତା ପାର୍ଟିର (ଭାଜପା) ଶାସନ ସମୟରେ ଲୋକେ ଭାଜପା ସରକାର ବୋଲି କହିବାରେ ବ୍ୟସ୍ତ ରହିଲେ। କେତେବେଳେ ନିରଙ୍କୁଶ ବହୁମତ ଅଭାବରୁ ଭାରତ ସରକାରର ନାମ ବଦଳି ଲୋକମୁଖରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍‌ ପ୍ରୋଗ୍ରେସିଭ ଆଲିଆଞ୍ଜ (ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ) ବା ୟୁପିଏ (ଉପା) ସରକାର ଅଥବା ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡିମୋକ୍ରାଟିକ ଆଲିଆଞ୍ଜ (ଜାତୀୟ ଗଣତାନ୍ତ୍ରିକ ମେଣ୍ଟ) ବା ଏନ୍‌ଡିଏ ସରକାର ନାମରେ ବେଶ୍‌ ପରିଚୟ ସାଉଁଟିଲା। ହେଲେ ସମୟ ବଦଳିବା ସହ ପରିବ୍ୟାପ୍ତ ଭାରତ ସରକାରଙ୍କ ନାଁ ଶାସକ ରାଜନୈତିକ ଦଳମାନଙ୍କ ନାଁରୁ ଆହୁରି ତଳକୁ ଖସି ଏବେ ଶାସକ ମୁଖ୍ୟଙ୍କ ନାଁରେ ବେଶି ପରିଚିତ ହେବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିରେ ଆମେ ଆଉ ଭାରତ ସରକାର ବା ଓଡ଼ିଶା ସରକାର ନ କହି, ଏବେ ମୋଦି ସରକାର ବା ନବୀନ ସରକାର କହିବାରେ ବେଶି ଆତ୍ମ ତୃପ୍ତି ଲାଭ କରୁଛୁ।
ସେହିପରି ଉତ୍ତରପ୍ରଦେଶ ସରକାର ନ କହି ଯୋଗୀ ସରକାର କହୁଛୁ। ରାଜନେତା, ବୁଦ୍ଧିଜୀବୀ ସମସ୍ତେ ଯେମିତି ଗୋଟିଏ ଡଙ୍ଗାରେ। ଆଗରୁ ଲୋକେ ଯେ ନେହେରୁ ସରକାର, ଇନ୍ଦିରା ସରକାର କି ବାଜପେୟୀ ସରକାର ବୋଲି କହୁ ନ ଥିଲେ, ସେକଥା ନୁହେଁ। କହୁଥିଲେ, ହେଲେ କାଁ ଭାଁ, କେବେ କେମିତି, ଯାହା ଏବେ ମାତ୍ରାଧିକ। ଅଧିକାଂଶ ରାଜ୍ୟ ଆଜି ଏଭଳି ମାନସିକତାରେ ଯଥେଷ୍ଟ ପ୍ରଭାବିତ। ସେହିଭଳି ଭାରତବାସୀଙ୍କ ପାଇଁ ଭାରତ ସରକାର ନୁହେଁ ବରଂ କେବଳ ମୋଦି ହିଁ ସବୁକିଛି। ଏବେ କେନ୍ଦ୍ର ସରକାରଙ୍କର କୌଣସି ଗ୍ୟାରେଣ୍ଟି ନାହିଁ। ‘ଫିର ଏକବାର, ମୋଦି ସରକାର’ ନାରା ସହ ଭାଜପାର ୨୦୨୪ ନିର୍ବାଚନୀ ଇସ୍ତାହାର ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ପ୍ରଶ୍ନ ଉଠେ, କେମିତି ଆମେ ସମସ୍ତେ ଧୀରେ ଧୀରେ ଏତେ ବ୍ୟକ୍ତିକୈନ୍ଦ୍ରିକ ହୋଇଯାଉଛନ୍ତି ଓ କାହିଁକି? ଏକ ନିର୍ବାଚିତ ଗଣତାନ୍ତ୍ରିକ ସରକାରକୁ ଜଣେ ବ୍ୟକ୍ତିବିଶେଷଙ୍କ ନାଁରେ ସୀମିତ କରିବା ସତରେ କେତେ ଯୁକ୍ତିଯୁକ୍ତ?
ଏହି ପରିପ୍ରେକ୍ଷୀରେ, ୨୫ ନଭେମ୍ବର ୧୯୪୯ରେ ଭାରତୀୟ ସମ୍ବିଧାନର ଜନକ ବାବାସାହେବ ଡ. ଭୀମ ରାଓ ଆମ୍ବେଡକରଙ୍କ ସମ୍ବିଧାନ ସଭାରେ ରଖିଥିବା ବକ୍ତବ୍ୟର କିୟଦଂଶ ଉଲ୍ଲେଖଯୋଗ୍ୟ। ଦେଶ ଉଦ୍ଦେଶ୍ୟରେ ସେମାନଙ୍କର ଜୀବନବ୍ୟାପୀ ସେବା ପାଇଁ ମହାନ୍‌ ବ୍ୟକ୍ତିମାନଙ୍କ ନିକଟରେ କୃତଜ୍ଞ ରହିବାରେ କିଛି ଭୁଲ୍‌ ନାହିଁ। କିନ୍ତୁ କୃତଜ୍ଞତାର ସୀମା ରହିଛି। ଆଇରିଶ ଦେଶଭକ୍ତ ଡାନିଏଲ ଓ’ କୋନେଲଙ୍କ କହିବା ମୁତାବକ ସମ୍ମାନ ହରେଇ କୌଣସି ପୁରୁଷ, ପବିତ୍ରତା ହରେଇ କୌଣସି ନାରୀ ଏବଂ ସ୍ବତନ୍ତ୍ରତା ହରେଇ କୌଣସି ଦେଶ କେବେ କୃତଜ୍ଞ ରହିପାରିବ ନାହିଁ। ଏହି ସତର୍କତା ଅନ୍ୟ କୌଣସି ରାଷ୍ଟ୍ରଠାରୁ ଭାରତ ପାଇଁ ବେଶି ଜରୁରୀ। କାରଣ, ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ତୁଳନାରେ, ଭକ୍ତି ବା ବ୍ୟକ୍ତି ପୂଜନ ଭାରତୀୟ ରାଜନୀତିରେ ଏକ ଅପ୍ରତୀମ ପରିମାଣରେ କାର୍ଯ୍ୟ କରେ। ଧର୍ମରେ ଭକ୍ତିଭାବ ଆତ୍ମାର ମୋକ୍ଷ ପ୍ରାପ୍ତି ନିମିତ୍ତ ଏକ ପଥ ହୋଇପାରେ, କିନ୍ତୁ ରାଜନୀତିରେ ଭକ୍ତି ଅଥବା ବ୍ୟକ୍ତି ପୂଜନ ଗଣତନ୍ତ୍ରର ଅଧଃପତନ ଓ ସମ୍ଭାବ୍ୟ ଏକଚ୍ଛତ୍ରବାଦର ପଥ ସୁଗମ କରିଥାଏ। ଟିକିଏ ନିରିଖେଇ ଦେଖିଲେ ୭୫ ବର୍ଷ ପରେ ମଧ୍ୟ ଆଜି ଆମ୍ବେଡକରଙ୍କ ଏ ଉକ୍ତିର ପ୍ରାସଙ୍ଗିକତା ସ୍ପଷ୍ଟ ବାରି ହୋଇଯାଉଛି। ସେଦିନ ସେ ଯାହାସବୁ ଆଶଙ୍କା କରିଥିଲେ, ଆଜି ସେସବୁ ଜଳଜଳ ହୋଇ ଦେଖାଯାଉଛି। ରାଜନୀତିରେ ସମାନତା କଥା କହି ଆମେ ଆମ ସାମାଜିକ ଓ ଅର୍ଥନୈତିକ ଜୀବନରେ ଅନେକ ଅସମାନତାକୁ ପ୍ରଶ୍ରୟ ଦେଇସାରିଛୁ। ରାଜନୀତିରେ ଗୋଟିଏ ମଣିଷ ଗୋଟିଏ ଭୋଟ ଏବଂ ଗୋଟିଏ ଭୋଟ ଗୋଟିଏ ମୂଲ୍ୟାଙ୍କନ କଥା କହି ସାମାଜିକ ଓ ଅର୍ଥନୈତିକ ଜୀବନରେ ଗୋଟିଏ ମଣିଷକୁ ଭିନ୍ନଭାବେ ମୂଲ୍ୟାଙ୍କନ କରି ଆମେ ଅନେକ ବିରୋଧୋକ୍ତିକୁ ଆମନ୍ତ୍ରଣ କରିସାରିଛୁ। ସମାନତା ଓ ଅସମାନତାର ଏଭଳି ଅସଙ୍ଗତି ଓ ପାରସ୍ପରିକ ବିରୋଧୋକ୍ତି ଭାରତୀୟଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନରେ କେତେଦିନ ଆଉ ଚାଲିବ, ତାହା ଏକ ବଡ଼ ପ୍ରଶ୍ନ। କ୍ରମବର୍ଦ୍ଧିଷ୍ଣୁ ଅସଙ୍ଗତି ଉଭୟ ଗଣତନ୍ତ୍ର ଓ ସମ୍ବିଧାନକୁ ବିପଦରେ ପକେଇବା ସୁନିଶ୍ଚିତ। ଆମ୍ବେଡକରଙ୍କ ମତରେ ଏସବୁ ବିରୋଧୋକ୍ତିର ଯଥାଶୀଘ୍ର ମୂଳୋତ୍ପାଟନ ହେବା ଜରୁରୀ। ନ ହେଲେ, କ୍ରମାଗତ ଅସମାନତାର ଶିକାର ହେଉଥିବା ଉତ୍‌କ୍ଷିପ୍ତ ଜନଗଣ ସାମ୍ପ୍ରତିକ ଗଣତନ୍ତ୍ରର ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେବେ। କାରଣ, ବ୍ୟକ୍ତି ବିଶେଷ ନୁହେଁ, ଦେଶ ସର୍ବୋପରି। ବ୍ୟକ୍ତି ପୂଜନ ନୁହେଁ, ଦେଶଭକ୍ତି ଜରୁରୀ।
ପଦ୍ମପୁର (ଆନନ୍ଦପୁର), କେନ୍ଦୁଝର
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?