ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ଚାଇନା ଏବଂ ରୁଷିଆ ୨୪ ଡିସେମ୍ବର ୧୯୪୫ରେ ଏକ ଏତିହାସିକ ରାଜିନାମାରେ ସ୍ବାକ୍ଷର କରିବାରୁ ସଂଯୁକ୍ତ ରାଷ୍ଟ୍ର ସଂଘ ବା ଜାତିସଂଘର ଅଭ୍ୟୁଦୟ ଘଟିଲା।
ଏହି ରାଷ୍ଟ୍ରସଂଘର ମୌଳିକ ଆଭିମୁଖ୍ୟ ହେଲା- ଆନ୍ତର୍ଜାତିକ ଶାନ୍ତି ଏବଂ ନିରାପତ୍ତା ରକ୍ଷାକରିବା, ଅଭାବଗ୍ରସ୍ତ ରାଷ୍ଟ୍ରଗୁଡ଼ିକୁ ମାନବିକ ଦୃଷ୍ଟିକୋଣରୁ ସାହାଯ୍ୟ ଏବଂ ସମର୍ଥନ ଯୋଗାଇଦେବା, ପୃଥିବୀର ସର୍ବତ୍ର ମାନବାଧିକାର ରକ୍ଷାକରିବା ଏବଂ ଆନ୍ତର୍ଜାତିକ ଆଇନଗୁଡ଼ିକର ପରିପାଳନକୁ ନିଶ୍ଚିତ କରିବା। ଏବେ ପୃଥିବୀର ପ୍ରାୟ ସମସ୍ତ ଦେଶ ଜାତିସଂଘର ସଭ୍ୟ ତାଲିକାଭୁକ୍ତ ହୋଇଛନ୍ତି। ଜାତିସଂଘର ଏକ କେନ୍ଦ୍ରୀୟ ସଂସ୍ଥା ହେଲା ନିରାପତ୍ତା ପରିଷଦ, ଯାହାକୁ ଆନ୍ତର୍ଜାତିକ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଦୁଷ୍କୃତକାରୀ କୌଣସି ରାଷ୍ଟ୍ର ବିରୋଧରେ ଅର୍ଥନୈତିକ ଏବଂ ସାମରିକ କ୍ଷମତା ପ୍ରୟୋଗ କରିବାର ଅଧିକାର ଦିଆଯାଇଛି। ପରିଷଦରେ ୧୫ଟି ରାଷ୍ଟ୍ର ସଭ୍ୟ ଥାଆନ୍ତି, ତନ୍ମଧ୍ୟରୁ ପ୍ରାଥମିକ ୫ ଦେଶ ବ୍ରିଟେନ୍‌, ଫ୍ରାନ୍ସ, ଆମେରିକା, ଚାଇନା ଏବଂ ରୁଷିଆ ହେଲେ ସ୍ଥାୟୀ ସଦସ୍ୟ ଏବଂ ଅନ୍ୟ ୧୦ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଯେଉଁମାନେ ପର୍ଯ୍ୟାୟକ୍ରମେ ନିର୍ବାଚିତ ହୁଅନ୍ତି। ପୃଥିବୀରେ ଶାନ୍ତି ରକ୍ଷା ନିମନ୍ତେ ନିରାପତ୍ତା ପରିଷଦର ଏକ ବିଶେଷ ଦାୟିତ୍ୱପୂର୍ଣ୍ଣ ଭୂମିକା ରହିଛି। ମାତ୍ର ଏହାର ପ୍ରଧାନ ପ୍ରତିବନ୍ଧକ ହେଉଛି ପ୍ରମୁଖ ୫ ରାଷ୍ଟ୍ରଙ୍କ ଭିଟ୍ଟୋ ପ୍ରୟୋଗ କ୍ଷମତା। ଭିଟୋ ପ୍ରୟୋଗ କ୍ଷମତା ଏକ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ , ଏହାର ଦୁରୁପଯୋଗକରି ଯେକୌଣସି ନ୍ୟସ୍ତସ୍ବାର୍ଥ ଶକ୍ତିଶାଳୀ ରାଷ୍ଟ୍ର ପରିଷଦର ବହୁମତରେ ଗୃହୀତ ଯେକୌଣସି ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ସିଦ୍ଧାନ୍ତକୁ ନାକଚ କରିଦେଇପାରିବେ। ଫଳତଃ ଏହି ଭିଟ୍ଟୋ କ୍ଷମତା ଆନ୍ତର୍ଜାତିକ ଶାନ୍ତି ଏବଂ ନ୍ୟାୟ ପ୍ରତିଷ୍ଠାରେ ସର୍ବଦା ବାଧକ ହୋଇଆସିଛି। ଏହି ପ୍ରସଙ୍ଗରେ ସମ୍ପ୍ରତି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧର ପରିଣତି କଥା ବିଚାର କରାଯାଇପାରେ। ଗାଜା ଅଞ୍ଚଳକୁ କେନ୍ଦ୍ରକରି ଇସ୍ରାଏଲ ଏବଂ ପାଲେଷ୍ଟିନୀୟ ମାନଙ୍କ ମଧ୍ୟରେ ଛୋଟ ମୋଟ ଯୁଦ୍ଧ ବିଗ୍ରହ ବହୁଦିନରୁ ଚାଲି ଆସିଛି। ୨୦୨୩ ମସିହା ଅକ୍ଟୋବର ୭ରେ ପାଲେଷ୍ଟାଇନ୍‌ର ହମାସ୍‌ ଉଗ୍ରପନ୍ଥୀମାନେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣକରି ୧୨୦୦ ନିରୀହ ଲୋକଙ୍କୁ ହତ୍ୟାକଲେ ଏବଂ ଶହ ଶହ ଲୋକଙ୍କୁ ବନ୍ଦୀକଲେ। ଭାରତ ସମେତ ପୃଥିବୀର ଅଧିକାଂଶ ସଭ୍ୟ ରାଷ୍ଟ୍ର ଏହି ଅମାନୁଷିକ ଆକ୍ରମଣକୁ ନିନ୍ଦାକଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗାଜାର ପାଲେଷ୍ଟିନୀୟଙ୍କ ଉପରେ ପ୍ରଥମେ ଆକାଶ ମାର୍ଗରୁ ଏବଂ ପରେ ସ୍ଥଳଭାରେ ପ୍ରବଳ ଆକ୍ରମଣ ଆରମ୍ଭ କରିଦେଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବଡ଼ଭାଇପଣିଆ ଦେଖାଇ ଇସ୍ରାଏଲକୁ ବିପୁଳ ପରିମାଣରେ ବୋମା, ଗୋଳାବାରୁଦ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ଲାଗିଲେ। ଇସ୍ରାଏଲ ସୈନ୍ୟମାନେ ସାଧାରଣ ପାଲେଷ୍ଟିନୀୟ ନାଗରିକମାନଙ୍କୁ ପୋକମାଛି ଭଳି ନିର୍ମମ ଭାବରେ ହତ୍ୟା କରିବାକୁ ଲାଗିଲେ। ହଜାର ହଜାର ବୃଦ୍ଧ, ଶିଶୁ, ମହିଳା ଏପରିକି ହସ୍ପିଟାଲର ରୋଗୀମାନେ ମଧ୍ୟ ବର୍ତ୍ତିପାରୁନାହାନ୍ତି। ଏଯାବତ୍‌ ପ୍ରାୟ ୩୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଇସ୍ରାଏଲ ସୈନ୍ୟ ହତ୍ୟାକରି ସାରିଲେଣି ଏବଂ ଏହି ସଂଖ୍ୟା ପ୍ରତ୍ୟହ ବୃଦ୍ଧି ପାଉଛି। ତା’ଛଡ଼ା ଖାଦ୍ୟ, ପାନୀୟଜଳ, ଇନ୍ଧନ, ଗ୍ୟାସ୍‌, ଓଷଧ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବରୁ ନିରୀହ ଜନସାଧାରଣ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଅନ୍ୟ ଦେଶ ଯେପରି ସେହି ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କୁ କୌଣସି ପ୍ରକାର ମାନବୀୟ ସାହାଯ୍ୟ ପ୍ରେରଣ କରି ନ ପାରିବେ ସେଥିପାଇଁ ଇସ୍ରାଏଲ ସୈନ୍ୟମାନେ ଜଗି ରହିଛନ୍ତି। କ୍ରମେ ନେତାନ୍ୟାହୁଙ୍କ ଦୂରଭିସନ୍ଧି ସ୍ପଷ୍ଟ ହୋଇଉଠୁଛି। ହମାସ୍‌ ଉଗ୍ରପନ୍ଥୀଙ୍କୁ ଦମନ କରିବା ଆଳରେ ସେ ନିରୀହ ପାଲେଷ୍ଟିନୀୟମାନଙ୍କୁ ହତ୍ୟାକରି ଅଥବା ସେମାନଙ୍କୁ ବାସଭୂମିରୁ ବିତାଡ଼ିତକରି ଗାଜା ଅଞ୍ଚଳକୁ ଦଖଲ କରିବାକୁ ଚାହାନ୍ତି। କାରଣ ଏହି ଅମାନୁଷିକ ନରସଂହାର ମଧ୍ୟରେ ସେ କେତେଜଣ ହମାସ୍‌ ଉଗ୍ରପନ୍ଥୀଙ୍କୁ ନିପାତ କରିଛନ୍ତି ତାହାର କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ। ଏହି ପରିପ୍ରେକ୍ଷୀରେ ୨୬ ଫେବୃୟାରୀ ୧୯୧୯ ରାତ୍ରିର ଅନ୍ଧକାରରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈଶ୍‌-ଇ-ମହମ୍ମଦ ଉଗ୍ରପନ୍ଥୀ ଶିବିର ଉପରେ ଯେପରି ସର୍ଜିକାଲ ଏୟାରଷ୍ଟ୍ରାଇକ୍‌କରି ଧ୍ୱଂସକରି ଦେଇଥିଲେ ତାହା ସମସ୍ତଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇ ରହିଛି। ଏହି ଅଭିଯାନରେ ପାକିସ୍ତାନର କୌଣସି ଧନଜୀବନ କ୍ଷୟ ହୋଇ ନ଼ ଥିଲା। ଜୈଶ୍‌-ଇ-ମହମ୍ମଦ ଉଗ୍ରପନ୍ଥୀମାନେ କଶ୍ମୀରର ପୁଲ୍‌ଓ୍ବାମାରେ ଆମତ୍ଘାତୀ ଆକ୍ରମଣକରି ୪୦ ସିଆର୍‌ପି ଯବାନଙ୍କୁ ହତ୍ୟା କରିଥିବାରୁ ତାହାର ପ୍ରତିଶୋଧ ନେବା ପାଇଁ ଏହି ସର୍ଜିକାଲ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ଅପର ପକ୍ଷରେ କେତେଜଣ ମୁଷ୍ଟିମେୟ ହମାସ୍‌ ସନ୍ତ୍ରାସବାଦୀଙ୍କ ଅପରାଧ ନିମନ୍ତେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଅସଂଖ୍ୟ ନିରୀହ ଜନସାଧାରଣଙ୍କୁ ହତ୍ୟା କରିବା, ହସ୍ପିଟାଲ, ସ୍କୁଲ ଏବଂ ଜନବସତି ଉପରେ ମିଶାଇଲ ମାଡ଼କରି ଅଥବା ବୋମା ପକାଇ ଧ୍ୱଂସ କରିବା, ହଜାର ହଜାର ଦୁର୍ଦ୍ଦଶାଗ୍ରସ୍ତ ମଣିଷକୁ ଖାଦ୍ୟ, ପାନୀୟ, ଔଷଧର ମାନବୀୟ ଅଧିକାରରୁ ବଞ୍ଚିତ କରିବା ଏକ ଜଘନ୍ୟ ଅପରାଧ। ସବୁଠାରୁ ପରିତାପର ବିଷୟ ହେଲା ଇସ୍ରାଏଲ ସୈନ୍ୟଙ୍କ ଏହି ନିର୍ମମ ଗଣହତ୍ୟାରେ ମର୍ମାହତ ହୋଇ ଆନ୍ତର୍ଜାତିକ ସମୁଦାୟ ନୀରବଦ୍ରଷ୍ଟା ହୋଇ ରହିବାକୁ ବାଧ୍ୟହୋଇଛନ୍ତି। କାରଣ ଗାଜା ଅଞ୍ଚଳରେ ଯୁଦ୍ଧବିରତି ଅଥବା ଦୁର୍ଦ୍ଦଶାଗ୍ରସ୍ତ ପାଲେଷ୍ଟିନୀୟମାନଙ୍କୁ ମାନବୀୟ ସହାୟତା ପ୍ରଦାନ କରିବାର ସମସ୍ତ ପ୍ରସ୍ତାବକୁ ଗଣତନ୍ତ୍ରର ବଡ଼ପଣ୍ଡା ବୋଲାଉଥିବା ଆମେରିକା ଭିଟ୍ଟୋ ପ୍ରୟୋଗକରି ନାକଚ କରିଦେଉଛି। ୨୨ ଡିସେମ୍ବର ୨୦୨୩ରେ ଯୁଦ୍ଧ ବିଧ୍ୱସ୍ତ ଗାଜାକୁ ଖାଦ୍ୟ, ପାନୀୟ, ଔଷଧପତ୍ର ଯୋଗାଇଦେବା ପାଇଁ ନିରାପତ୍ତା ପରିଷଦର ପ୍ରସ୍ତାବକୁ ଆମେରିକା ଭିଟୋ ପ୍ରୟୋଗ କରି ଅଟକାଇଦେଲା। ସେହିପରି ୧୫ ଜାନୁୟାରୀ ୨୦୨୪ରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଗାଜାରେ ଯୁଦ୍ଧବିରତି ନିମନ୍ତେ ନିରାପତ୍ତା ପରିଷଦରେ ଏକ ପ୍ରସ୍ତାବ ଆଣିଥିଲେ, ଯାହା ଆମେରିକାର ଭିଟୋ ପ୍ରୟୋଗ ଯୋଗୁ ବ୍ୟର୍ଥ ହୋଇଥିଲା। ପୁନର୍ବାର ୨୦ ଫେବୃୟାରୀ ୨୦୨୪ରେ ଆଲ୍‌ଜେରିଆ ପକ୍ଷରୁ ଆଗତ ନିରାପତ୍ତା ପରିଷଦର ଯୁଦ୍ଧବିରତି ପ୍ରସ୍ତାବ ବିରୋଧରେ ମଧ୍ୟ ଆମେରିକା ଭିଟୋ ପ୍ରୟୋଗ କରିଛି। ଏହିପରି ଭିଟ୍ଟୋ କ୍ଷମତାର ଦୁରୁପଯୋଗକରି ଆମେରିକା ଗାଜା ଅଞ୍ଚଳରେ ବ୍ୟାପକ ଗଣହତ୍ୟା ଏବଂ ମାନବିକତା ବିରୋଧୀ ଅପରାଧକୁ ପ୍ରୋତ୍ସାହିତ କରିଛି। ଏହି ଅଗଣତାନ୍ତ୍ରିକ ଭିଟୋ କ୍ଷମତା ଆନ୍ତାର୍ଜାତିକ ଶାନ୍ତି ପ୍ରତିଷ୍ଠା ତଥା ଯୁଦ୍ଧ ଅପରାଧ ନିୟନ୍ତ୍ରଣର ପ୍ରଧାନ ପ୍ରତିବନ୍ଧକ ହୋଇ ଉଠିଛି। ତେଣୁ ପୃଥିବୀରେ ସ୍ଥାୟୀ ଶାନ୍ତି ତଥା ସତ୍ୟ, ନ୍ୟାୟ ଏବଂ ଗଣତନ୍ତ୍ରର ପ୍ରତିଷ୍ଠା ନିମନ୍ତେ ଏହି ଅଯୌକ୍ତିକ ଭିଟୋ କ୍ଷମତାର ଉଚ୍ଛେଦ ଏକାନ୍ତ ପ୍ରୟୋଜନ ମନେହୁଏ। ପୃଥିବୀର ଶାନ୍ତିକାମୀ ରାଷ୍ଟ୍ର ସମୁଦାୟ ଏ ସଂକ୍ରାନ୍ତରେ ବିଚାରବିମର୍ଶ କରିବାର ସମୟ ଆସିଛି।
ମୋ:୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri