ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀ

ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ

 

ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀମାନଙ୍କର ଏକ ଗୌରବମୟ ଭୂମିକା ରହିଛି। ଇଂରେଜ ଶାସନ ବିରୋଧରେ ଆଦିବାସୀମାନଙ୍କର ପ୍ରଥମ ସଂଗ୍ରାମ ଦେଖାଦେଇଥିଲା ଗଞ୍ଜାମର ଘୁମୁସର ଅଞ୍ଚଳରେ। ଇଂରେଜ କର୍ତ୍ତୃପକ୍ଷ ଘୁମୁସର ରାଜ୍ୟ ଉପରେ ମାତ୍ରାଧିକ କର ଧାଯର୍‌ୟ କରିବାରୁ ବିଦ୍ରୋହ ଆରମ୍ଭ ହୋଇଥିଲା। ଘୁମୁସରର ରାଜା କୃଷ୍ଣଭଞ୍ଜଙ୍କ ସହିତ ସାମିଲ ହୋଇ ୧୭୬୮ ମସିହାରେ ଆଦିବାସୀମାନେ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ପ୍ରାଣବଳି ଦେଇଥିଲେ।
ସେହିପରି ପାରଳାଖେମୁଣ୍ଡିର ରାଜା ନାରାୟଣ ଦେବ ୧୭୬୮ ମସିହାରେ ଆଦିବାସୀ ପ୍ରଜାମାନଙ୍କ ସମର୍ଥନ ପାଇ ଇଂରେଜଶକ୍ତି ବିରୋଧରେ ଲଢିଥିଲେ ।
ଜାଲମୁରାଠାରେ ଘଟିଥିବା ସଂଘର୍ଷରେ ୩୦ ଜଣ ଆଦିବାସୀ ସଂଗ୍ରାମୀ ଆତ୍ମବଳି ଦେଇଥିଲେ।
ଇଂରେଜ ଶକ୍ତି ବିରୋଧରେ ସେହି ବିଦ୍ରୋହ ସାମୟିକଭାବେ ପ୍ରଶମିତ ହୋଇଯାଇଥିଲା। ଏହି ବିଦ୍ରୋହରେ ପାରଳାଖେମୁଣ୍ଡିର ମହାରାଣୀ ପାଟ ମହାଦେବୀ ଆଦିବାସୀମାନଙ୍କ ସହାୟତାରେ ଇଂରେଜ ଶକ୍ତି ବିରୋଧରେ ଲଢିଥିଲେ। ଘୁମୁସର ପରବର୍ତ୍ତୀ ରାଜା ବିକ୍ରମ ଭଞ୍ଜଙ୍କ ନେତୃତ୍ୱରେ ମଧ୍ୟ ଆଦିବାସୀମାନେ ବ୍ରିଟିଶ ଶାସନକୁ ବିରୋଧ କରିଥିଲେ ।
ଘୁମୁସର ଓ ପାରଳାଖେମୁଣ୍ଡିର ଆଦିବାସୀ ବିଦ୍ରୋହ ବ୍ରିଟିଶ ଶାସନକୁ ଏପରି ବିପର୍ଯ୍ୟସ୍ତ କରିଦେଲା ଯେ, ଇଂରେଜ ସରକାର ଏହି ଅଞ୍ଚଳକୁ ଶେଷରେ ‘ପରିତ୍ୟକ୍ତ ଅଞ୍ଚଳ’ ବୋଲି ଘୋଷଣା କରିଥିଲେ।
ଇଂରେଜ ଶାସନ ବିରୋଧରେ ୧୮୧୭ ମସିହାରେ ଏକ ଭୟାନକ ବିଦ୍ରୋହର ସୂତ୍ରପାତ ହୋଇଥିଲା। ଏହା ପାଇକ ବିଦ୍ରୋହ ନାମରେ ଖ୍ୟାତ। ଏହି ବିଦ୍ରୋହ ଆରମ୍ଭ ହୋଇଥିଲା, ଯେତେବେଳେ ଘୁମୁସରରୁ ପ୍ରାୟ ଚାରିଶହ କନ୍ଧ ଇଂରେଜମାନଙ୍କ ବିରୋଧରେ ମେଳି କରି ବାଣପୁରରେ ପହଞ୍ଚିଥିଲେ। ସେମାନେ ସେଠାରେ ଥିବା ଥାନା, କୋଷାଗାର ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଆକ୍ରମଣ କରି ସରକାରୀ ଧନସମ୍ପତ୍ତି ଲୁଟ୍‌ କରିନେଇଥିଲେ । ଅନେକ ସରକାରୀ କର୍ମଚାରୀ ଏହି ସଂଘର୍ଷରେ ମୃତାହତ ହୋଇଥିଲେ। ଏହି ଠୁ ହିଁ ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା।
ଘୁମୁସର ରାଜ୍ୟରେ ଯେତେବେଳେ ଲୋକପ୍ରିୟ ରାଜା ଧନଞ୍ଜୟ ଭଞ୍ଜଙ୍କୁ ବ୍ରିଟିଶ ସରକାର ଗାଦିଚ୍ୟୁତ କରିବାକୁ ପ୍ରୟାସ କଲେ, ସେତେବେଳେ ୧୮୩୭ ମସିହାରେ କନ୍ଧବୀର ଡୋରା ବିଶୋୟୀ କନ୍ଧମାନଙ୍କୁ ଏକଜୁଟ କରି ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କଲେ। ଶେଷରେ ସେ ଧରାପଡି କାରାଦଣ୍ଡ ଭୋଗ କଲେ । ୧୮୪୬ ମସିହାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘୁମୁସରର ଅନ୍ୟଜଣେ ଆଦିବାସୀ ବୀରପୁତ୍ର ଥିଲେ ଚକରା ବିଶୋୟୀ। ଇଂରେଜ ଶାସନ ବିରୋଧରେ ପ୍ରଜା ଅସନ୍ତୋଷର ନେତୃତ୍ୱ ନେଇ ୧୮୪୬ରୁ ୧୮୫୬ ମସିହା ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ସଂଗ୍ରାମ କରିଥିଲେ। ୧୮୫୫ ମସିହାରେ ଇଂରେଜ ସରକାରଙ୍କ ବିରୋଧରେ ସାନ୍ତାଳମାନେ ସଂଗ୍ରାମ କରିଥିଲେ।
ଏହା ବଙ୍ଗଳା, ବିହାର ଓ ଓଡିଶାର ସାନ୍ତାଳ ବସବାସ କରୁଥିବା ଅଞ୍ଚଳରେ ସୀମିତ ଥିଲା।
ବିଦ୍ରୋହୀ ସାନ୍ତାଳମାନଙ୍କ ନେତୃତ୍ୱ ନେଇଥିଲେ ଚାରିଜଣ ଭାଇ ସେମାନେ ଥିଲେ ସିନୋ ମୁର୍ମୁ, କାହ୍ନୁ ମୁର୍ମୁ, ଚାନ୍ଦ ମୁର୍ମୁ ଓ ଭାଇ ମୁର୍ମୁ। ଏହି ବିଦ୍ରୋହକୁ ଦମନ କରାଯାଇ ପାରିଥିଲେ ମଧ୍ୟ ଇଂରେଜ ବିରୋଧୀ ସଂଗ୍ରାମର ଏହା ଥିଲା ଏକ ଅଭୁଲା ଅଧ୍ୟାୟ।
୧୮୫୭ ମସିହାରେ ସଂଘଟିତ ହୋଇଥିଲା ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସର ଏକ ଯୁକାନ୍ତକାରୀ ଅଧ୍ୟାୟ। ଓଡିଶାର ସମ୍ବଲପୁର ଅଞ୍ଚଳରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଯେତେବେଳେ ଇଂରେଜ ବିରୋଧୀ ସଂଗ୍ରାମ ଆରମ୍ଭ ହେଲା, ସେତେବେଳେ କୋହ୍ଲ, ଗଣ୍ଡ, ବିଞ୍ଝାର, କନ୍ଧ ଓ ସାନ୍ତାଳ ଜାତିର ଆଦିବାସୀମାନେ ତାଙ୍କୁ ସାହାଯ୍ୟ ଓ ସମର୍ଥନ କରିଥିଲେ। ସେତେବେଳେ ଆଦିବାସୀମାନେ ପ୍ରଗାଢ ଦେଶପ୍ରେମର ପରିଚୟ ଦେଇଥିଲେ।
୧୮୬୮ ମସିହାରେ କେଉଁଝରର ଭୂୟାଁମାନେ ସେଠାକାର ଅତ୍ୟାଚାରୀ ରାଜା ଧନୁର୍ଜୟ ଭଞ୍ଜ ଓ ତାଙ୍କୁ ସମର୍ଥନ କରୁଥିବା ଇଂରେଜ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେମାନଙ୍କର ନେତୃତ୍ୱ ନେଇଥିଲେ ଭୂୟାଁ ବିଦ୍ରୋହୀ ରତ୍ନା ନାଏକ। ତାଙ୍କୁ ସମର୍ଥନ ଜଣାଇଥିଲେ ଭୂୟାଁ , କୋହ୍ଲ ଓ ଜୁଆଙ୍ଗ ଜାତିର ଆଦିବାସୀଗଣ। ବିଦ୍ରୋହକୁ ନିଷ୍ଠୁର ଭାବେ ଇଂରେଜ ସରକାର ଦମନ କରିଥିଲେ।
ରତ୍ନା ନାଏକ ଫାଶୀଦଣ୍ଡ ପାଇ ମାତୃଭୂମି ପାଇଁ ଶହୀଦ ହେଲେ।
ପୁଣିଥରେ ୧୮୯୧ ମସିହାରେ ଇଂରେଜ ସରକାରଙ୍କ ସମର୍ଥିତ ଅତ୍ୟାଚାରୀ ରାଜା ଧନୁର୍ଜୟ ଭଞ୍ଜଙ୍କ ବିରୋଧରେ କେଉଁଝରର ଭୂୟାଁ ଆଦିବାସୀମାନେ ବିଦ୍ରୋହ କରିଥିଲେ। ଭୂୟାଁମାନଙ୍କର ଏଥର ନେତୃତ୍ୱ ନେଇଥିଲେ ଧରଣୀଧର ଭୂୟାଁ । ଯଦିଓ ଏହି ବିଦ୍ରୋହ ପ୍ରଥମେ ଧନୁର୍ଜୟ ଭଞ୍ଜଙ୍କ ବିରୋଧରେ ଆରମ୍ଭ ହୋଇଥିଲା କିନ୍ତୁ ବାସ୍ତବପକ୍ଷେ ଏହା ବ୍ରିଟିଶ ଶାସନ ବିରୋଧରେ ହିଁ ଥିଲା। ଏହାକୁ ଦମନ କରିବା ପାଇଁ ଇଂରେଜ କର୍ତ୍ତୃପକ୍ଷ ନିଜ ସୈନ୍ୟବାହିନୀ ପ୍ରେରଣ କରିଥିଲେ। ଭୂୟାଁ ମାନଙ୍କର ଏହି ବିଦ୍ରୋହ ଶେଷରେ ବିଫଳ ହୋଇଥିଲେ ମଧ୍ୟ ବ୍ରିଟିଶ ସାମ୍ରାଜ୍ୟବାଦକୁ ଏହା ଏକ ଉଚିତ ଶିକ୍ଷା ଦେଇଥିଲା।
ବିଂଶ ଶତାବ୍ଦୀ ଆରମ୍ଭ ନ ହେଉଣୁ ଓଡ଼ିଶାର ସୁନ୍ଦରଗଡ଼ ଓ ସୀମାନ୍ତ ଅଞ୍ଚଳରେ ଆଉ ଗୋଟିଏ ଇଂରେଜ ବିରୋଧୀ ସଂଗ୍ରାମର ନେତୃତ୍ୱ ନେଇଥିଲେ ବିର୍ସା ମୁଣ୍ଡା। ବିପ୍ଳବୀ ବିର୍ସା ମୁଣ୍ଡାଙ୍କର ସେହି ମହାମନ୍ତ୍ର, ”ଆରେ ବାବୁ ଆରାଜ ଏତେ ଜାନା, ମହାରାଣୀ ରାଜ ତୁଣ୍ଡେ ଜାନା,“ ଯାହାର ଅର୍ଥ ହେଲା, ”ମହାରାଣୀଙ୍କ ଶାସନ ଲୋପ ପାଉ, ଆମ ରାଜ୍ୟ ପ୍ରତିଷ୍ଠା ହେଉ“। ୧୯୦୦ ମସିହା ଜାନୁୟାରୀ ମାସ ୯ ତାରିଖରେ ମୁଣ୍ଡାମାନେ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଡୋମ୍ବାରୀ ପାହାଡ଼ ଉପରେ ଇଂରେଜମାନଙ୍କ ସହ ଯେପରି ଯୁଦ୍ଧ କରିଥିଲେ ତା’ର ପଟାନ୍ତର ନାହିଁ। ଶତାଧିକ ବିଦ୍ରୋହୀ, ଶିଶୁ ଓ ମହିଳା ବ୍ରିଟିଶ ଗୁଳିରେ ପ୍ରାଣ ହରାଇଥିଲେ। ବିର୍ସା ମୁଣ୍ଡାଙ୍କୁ ଗିରଫ କରି ଜେଲ ପଠାଗଲା, ଯେଉଁଠି ସେ ମୃତ୍ୟୁବରଣ କରିଥିଲେ।
୧୯୩୯ ମସିହାରେ ସୁନ୍ଦରଗଡ଼ ଜିଲା ଗାଙ୍ଗପୁର ଗଡ଼ଜାତ ରାଜ୍ୟରେ ଆଉ ଏକ ଇଂରେଜ ବିରୋଧୀ ବିଦ୍ରୋହର ନେତୃତ୍ୱ ନେଇଥିଲେ ମୁଣ୍ଡା ଜାତିର ଆଦିବାସୀଙ୍କ ମଉଡ଼ମଣି ନିର୍ମଳ ମୁଣ୍ଡା। ଏପ୍ରିଲ ୨୫ରେ ରାଇବୋଗା ନିକଟସ୍ଥ ଆମ୍‌କୋ ସିମ୍‌କୋଠାରେ ନିରସ୍ତ୍ର ଆଦିବାସୀମାନଙ୍କ ଉପରେ ଯେମିତି ନିଷ୍ଠୁର ଭାବେ ଗୁଳିଚାଳନା କରାଯାଇ ସେମାନଙ୍କୁ ହତ୍ୟା କରାଗଲା, ତାହା ସ୍ବାଧୀନତା ସଂଗ୍ରାମର ଏକ ରକ୍ତବିଜଡ଼ିତ ଘଟଣା। ୧୯୪୨ ମସିହା ଅକ୍ଟୋବର ୧୦ ତାରିଖ ଦିନ ନୟାଗଡ଼ ଗଡ଼ଜାତ ରାଜ୍ୟର ନୂଆଗାଁଠାରେ ଯେଉଁ ଇଂରେଜ ବିରୋଧୀ ଆନ୍ଦୋଳନ ଯୋଗୁ ଗୁଳିକାଣ୍ଡ ରଚନା କରାଯାଇଥିଲା ସେଥିରେ କନ୍ଧ ଯୁବକ କଷ୍ଟି ଡାକୁଆଙ୍କ ଜୀବନ ନିର୍ବାପିତ ହୋଇଥିଲା।
ଆଦିବାସୀମାନଙ୍କର ଇଂରେଜ ବିରୋଧୀ ମନୋବୃତ୍ତିର ଶ୍ରେଷ୍ଠ ଦୃଷ୍ଟାନ୍ତ ଥିଲେ ମାଲକାନଗିରିର ଲକ୍ଷ୍ମଣ ନାୟକ। ଭାରତଛାଡ଼ ଆନ୍ଦୋଳନ ଅବସରରେ ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀମାନେ ଯେଉଁ ଅଭୂତପୂର୍ବ ସାହସ ଦେଖାଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥାଏ। ଏହା ସମ୍ଭବ ହୋଇଥିଲା ସେମାନଙ୍କର ନେତା ଲକ୍ଷ୍ମଣ ନାୟକଙ୍କ ଯୋଗୁ। ଅଗଷ୍ଟ ୨୧ ତାରିଖରେ ମାଥିଲି ଥାନାକୁ ସତ୍ୟାଗ୍ରହୀମାନେ ଅହିଂସା ମାର୍ଗରେ ଅଧିକାର କରିବାକୁ ଯିବାବେଳେ ତାଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା। ଅନେକ ଆଦିବାସୀ ମୃତ୍ୟୁବରଣ କରିଥିଲେ। ଲକ୍ଷ୍ମଣ ନାୟକ ମୃତ୍ୟୁଦଣ୍ଡ ପାଇ ହସି ହସି ଫାଶୀ ଖୁଣ୍ଟରେ ଝୁଲିଯାଇଥିଲେ।
ମୋ: ୯୮୬୧୦୬୪୯୫୦


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri