କ୍ଷତି ଭାରତର, ଲାଭ ଚାଇନାର

ମଣିପୁର ହିଂସା ଓ ମହିଳାଙ୍କ ଉପରେ ଘଟିଥିବା ବର୍ବରୋଚିତ କାଣ୍ଡ କେବଳ ଭାରତ ନୁହେଁ, ବିଦେଶୀ ଗଣମାଧ୍ୟମରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ କ୍ଷମତାସୀନ ହେବା ପରଠାରୁ ସରକାରୀ ଭାବେ ପ୍ରଚାର କରାଯାଉଛି ଯେ, ଭାରତକୁ ସେ ଦେଇଥିବା ନେତୃତ୍ୱ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି। ତାଙ୍କ ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଭାରତକୁ ବିଶ୍ୱ ଦରବାରରେ ଏତେମାତ୍ରାରେ ପହଞ୍ଚାଇପାରି ନ ଥିଲେ ବୋଲି କୁହାଯାଉଛି। ହେଲେ ମଣିପୁରରେ ମେ ୪ରେ ମହିଳାଙ୍କ ପ୍ରତି ଘଟିଥିବା ଅମାନୁଷିକ ଘଟଣାର ଭିଡିଓ ଦୀର୍ଘ ଦୁଇ ମାସ ପରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ଦେଶବାସୀଙ୍କୁ କିଭଳି ଶାସନ ଭେଟି ଦେଇଛି ତାହା ଏବେ ସ୍ପଷ୍ଟ ବୁଝାପଡ଼ୁଛି। ବିଗତ ୯ ବର୍ଷରେ ଭାଜପା ସରକାର ଯେଉଁ କ୍ଷତି ଘଟାଇଛି ତାହା ପୂର୍ବରୁ ଦେଶ ଆଉ କାହା ନେତୃତ୍ୱରେ ଏଭଳି ଭୋଗି ନ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହେଲାଣି। କେନ୍ଦ୍ର ଓ ମଣିପୁରରେ ଭାଜପା ସରକାର ଚାଲିଥିବାରୁ ହିଂସାକୁ ରୋକିବା ତ ଦୂରର କଥା, ପ୍ରଧାନମନ୍ତ୍ରୀ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେବା ବେଳେ ଦେଶର କଂଗ୍ରେସ ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଘଟୁଥିବା ଦୁର୍ବ୍ୟବହାର ବିଷୟରେ ପ୍ରକାଶ କରିବା ତାଙ୍କ ସଂକୀର୍ଣ୍ଣ ରାଜନୈତିକ ଚିନ୍ତାଧାରାକୁ ପଦାରେ ପକାଇଛି।
ମଣିପୁର ଇତିହାସକୁ ମନେପକାଇଲେ ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ)କୁ ରାଜ୍ୟରୁ ହଟେଇବା ଲାଗି ସାମାଜିକ କର୍ମୀ ଇରୋମ ଶର୍ମିଳା ୧୬ ବର୍ଷ ଧରି ଅନଶନ କରିଥିଲେ। କାରଣ ସେ ଦେଖିଥିଲେ ଯବାନମାନେ ମହିଳାଙ୍କ ଉପରେ କିଭଳି ଅତ୍ୟାଚାର କରୁଥିଲେ। ସେହିପରି ୩୨ ବର୍ଷୀୟା ଥାଙ୍ଗଜାମ ମନୋରମାଙ୍କୁ ଭାରତୀୟ ଅର୍ଦ୍ଧସାମରିକ ବାହିନୀ ୧୭ ଆସାମ ରାଇଫଲ୍ସର ଯବାନମାନେ ୧୧ ଜୁଲାଇ ୨୦୦୪ରେ ବଳାତ୍କାର ପରେ ହତ୍ୟା କରିଥିଲେ। ଏହି ଘଟଣାର ୫ ଦିନ ପରେ ୩୦ ଜଣ ମଧ୍ୟବୟସ୍କା ମହିଳା ଉଲଗ୍ନ ହୋଇ ‘ଭାରତୀୟ ଯବାନ ଆମକୁ ବଳାତ୍କାର କର’ (ଇଣ୍ଡିଆନ୍‌ ଆର୍ମି ରେପ୍‌ ଅସ୍‌) ବ୍ୟାନର ଧରି ଇମ୍ଫାଲରେ ଯାଉଥିବାର ଦୃଶ୍ୟ ଭାରତୀୟଙ୍କୁ ସେତେବେଳେ ବିବ୍ରତ କରିଦେଇଥିଲା। ସେହି ଘଟଣାର ୧୯ ବର୍ଷ ପରେ ଏବେ ଜୁଲାଇରେ ଦୁଇ ଜଣ କୁକି ମହିଳାଙ୍କୁ ମେଇତି ସମ୍ପ୍ରଦାୟର ଅସଂଖ୍ୟ ଲୋକ ଉଲଗ୍ନ ପରେଡ୍‌ କରାଇବାର ଭିଡିଓ ବହୁଳ ପ୍ରସାରିତ ହେବା ଦେଶବାସୀଙ୍କୁ ମର୍ମାହତ କରିଛି। ପୂର୍ବ ଘଟଣାରେ ଶାସକଙ୍କ ଉପରୁ ଆସ୍ଥା ହରାଇଥିବା ମହିଳାମାନେ ଭାରତୀୟ ସେନାର କାର୍ଯ୍ୟକୁ ନିନ୍ଦା କରି ଉଲଗ୍ନ ପ୍ରତିବାଦ କରିଥିଲେ। ବର୍ତ୍ତମାନର ଘଟଣା ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟର ଉତ୍ତ୍ୟକ୍ତ ଜନତା ସଂଖ୍ୟାଲଘୁ ଦୁଇ କୁକି ମହିଳାଙ୍କ ଉପରେ ଅତ୍ୟାଚାର କରିବା ଦର୍ଶାଇ ଦେଇଛି ସବୁକିଛି ସରକାରୀ ପ୍ରାୟୋଜିତ। ମେ ୪ରେ ଏହି ଘଟଣା ଘଟିବା ଓ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ତାହାକୁ ପୋଲିସ ଗୁରୁତ୍ୱ ନ ଦେବା ଅର୍ଥ ମଣିପୁରର ଶାସନ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିଯାଇଛି। କେବଳ ସେତିକି ନୁହେଁ, ଏହି ଅତ୍ୟାଚାର ସମ୍ପର୍କରେ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା, ଯିଏ ନିଜେ ଭାଜପା ସରକାର ଦ୍ୱାରା ଅବସ୍ଥାପିତ ହୋଇଛନ୍ତି, ତାଙ୍କ ଆୟୋଗ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏନ୍‌ସିଡବ୍ଲ୍ୟୁ ପାଖରେ ଜୁନ୍‌ ୧୨ରେ ଏହି କୁକି ମହିଳାଙ୍କ ପ୍ରତି ଅତ୍ୟାଚାର ସମ୍ପର୍କିତ ଅଭିଯୋଗ ପହଞ୍ଚତ୍ଥିବା ସତ୍ତ୍ୱେ ସବୁ ନୀରବ ରହିଲେ। ଏଥିରୁ ଜଣାପଡ଼ୁଛି, କେନ୍ଦ୍ର ସରକାର କହିପାରିବେନି ତାଙ୍କ ପାଖରେ ତଥ୍ୟ ବା ଖବର ପହଞ୍ଚତ୍ପାରି ନ ଥିଲା। ସେହିପରି ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଗାଦିକୁ ରକ୍ଷା କରିବା ଲାଗି କେନ୍ଦ୍ର ସରକାର ସବୁ ବଳ ଲଗାଇ ଦେଇଥିବା ଭଳି ମନେହେଉଛି। ଯେମିତି ଭାରତୀୟ କୁସ୍ତି ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ବ୍ରିଜ୍‌ ଭୂଷଣ ଶରନ ସିଂଙ୍କ ପାଇଁ ନିକଟରେ ସରକାରୀ ସମର୍ଥନ ଦେଖିବାକୁ ମିଳିଥିଲା। ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେ’ ଶେଷ ଆଡ଼କୁ ମଣିପୁର ଗସ୍ତ କରିଥିଲେ ମଧ୍ୟ ହିଂସାକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆ ନ ଯିବା କେନ୍ଦ୍ରର ନୀରବତାକୁ ସୂଚିତ କରୁଛି।
ଇତିହାସ ପ୍ରମାଣ ଦେଇଛି ଯେ, ହିଂସା ଦ୍ୱାରା କୌଣସି ଲକ୍ଷ୍ୟ ସାଧନ ହୋଇ ନ ଥାଏ। ପୁଣି ଯେତେବେଳେ ଉତ୍ତ୍ୟକ୍ତ ଜନତା ସରକାରଙ୍କ ସମର୍ଥନରେ ଅସ୍ବାଭାବିକ ସ୍ଥିତି ଉପୁଜାଇଥାଆନ୍ତି, ସେତେବେଳେ ଅରାଜକତା ରାଜୁତି କରିଥାଏ। ଏହା ଜଣାଶୁଣା ମଣିପୁର ଏକ ସୀମାନ୍ତ ରାଜ୍ୟ। ଅଳ୍ପ କିଛି ଦୂରତାରେ ମ୍ୟାନ୍‌ମାର (ବର୍ମା) ରହିଛି, ଯେଉଁ ଦେଶର ଶାସକମାନଙ୍କର ଚାଇନା ସହିତ ନିକଟ ଅତୀତରେ ଗଭୀର ସମ୍ପର୍କ ଗଢ଼ିଉଠିଛି। ଏଥିସହିତ ପଡ଼ୋଶୀ ରାଜ୍ୟ ମିଜୋରାମରେ ସାନି ହିଂସା ଦେଖାଦେଲାଣି। ମିଜୋରାମରେ ବସବାସ କରୁଥିବା ବା କାର୍ଯ୍ୟରେ ନିୟୋଜିତ ଥିବା ମେଇତି ସମ୍ପ୍ରଦାୟଙ୍କୁ ସ୍ଥାନୀୟ ମିଜୋ ଓ କୁକିମାନେ ଶତ୍ରୁ ଦୃଷ୍ଟିରେ ଦେଖିଲେଣି। ମିଜୋ ଓ କୁକିମାନେ ଜାତିଗତ ଦୃଷ୍ଟିରୁ ସମ୍ବନ୍ଧରେ ଜଡ଼ିତ। ତେଣୁ ସେଠାରେ କୁକି ସମର୍ଥକମାନେ ସଂଖ୍ୟାଲଘୁ ମେଇତିଙ୍କୁ ଚେତାବନୀ ଦେଲେଣି। ଏଥିରୁ ବୁଝିବାକୁ ହେବ ଯେ, ଉତ୍ତର ପୂର୍ବାଞ୍ଚଳରେ ହିନ୍ଦୁ ଭୋଟ ପାଇଁ ବ୍ୟାକୁଳ ଭାଜପା ଯେଉଁ ନିଆଁ ଲଗାଇଦେଲାଣି ତାହାକୁ ଲିଭାଇବା ପରିସ୍ଥିତିରେ କେହି ଥିଲା ଭଳି ମନେ ହେଉନାହିଁ। ମନେରଖିବାକୁ ହେବ ଯେ, ଏହିସବୁ ଅଞ୍ଚଳରେ ଅନେକ ଦଶନ୍ଧି ଧରି ଉଗ୍ରପନ୍ଥୀମାନେ ବିଚ୍ଛିନ୍ନତାବାଦୀ କାର୍ଯ୍ୟ କରି ଆସୁଥିଲେ। ଅଳ୍ପ କିଛି ବର୍ଷ ହେବ ସେହିସବୁ ଆନ୍ଦୋଳନ ମଉଳି ଆସୁଥିଲା। ସମ୍ଭବତଃ ମଣିପୁରରେ ଚାଲିଥିବା ଭାଜପା ରାଜନୀତି ଦେଶର ଏହି ଅଞ୍ଚଳକୁ ବିପଦମୁହଁକୁ ଠେଲି ଦେଲା। କ୍ଷତି ଭାରତର, ଲାଭ ଚାଇନାର।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri