ରାଜକୋଟ, ୧୧।୧: ପ୍ରତିକା ରାଓ୍ବଲ ଓ ତେଜାଲ ହସବନିସଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ଶୁକ୍ରବାର ଅନୁଷ୍ଠିତ ମହିଳା ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୬ ଉଇକେଟରେ ପରାସ୍ତ କରିଛି। ଅଧିନାୟିକା ଗାବି ଲିଓ୍ବିସଙ୍କ ୯୨ ରନ ବଳରେ ଆୟର୍ଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୨୩୮ ରନ କରିଥିଲା। ଜବାବରେ ଭାରତ ପ୍ରତିକା ରାଓ୍ବଲଙ୍କ ୮୯ ରନ ସହାୟତାରେ ୩୪.୩ ଓଭରରେ ୪ ଉଇକେଟ ହରାଇ ୨୪୧ ରନ ସଂଗ୍ରହ କରି ନେଇଥିଲା। କ୍ୟାରିୟର ଶ୍ରେଷ୍ଠ ଇନିଂସ ପାଇଁ ପ୍ରତିକା ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ବିଜୟ ଫଳରେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।
ଟପ୍ ଅର୍ଡରର ୪ ବ୍ୟାଟର ଫେଲ୍ ମାରିଥିଲେ ମଧ୍ୟ ଲିଓ୍ବିସଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ଆୟର୍ଲାଣ୍ଡ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଲିଓ୍ବିସ ନିଜ ୯୨ ରନ ଇନିଂସ ମଧ୍ୟରେ ୧୫ ଚୌକା ମାରିଥିଲେ। ଲୋୟର ଅର୍ଡରରେ ଲିଆ ପଲ୍ ୫୯ ଓ ଆର୍ଲେନେ କେଲି ୨୮ ରନର ଉପଯୋଗୀ ଯୋଗଦାନ ଦେଇଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ପ୍ରିୟା ମିଶ୍ର ୨ଟି ଏବଂ ଟିଟାସ ସାଧୁ, ସାୟାଲି ସତଘରେ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୩୯ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଅଧିନାୟିକା ସ୍ମୃତି ମନ୍ଧାନା ଓ ପ୍ରତିକା ରାଓ୍ବଲଙ୍କ ସହାୟତାରେ ଦୃଢ଼ ଭିତ୍ତି ପ୍ରକାଇଥିଲା। ଓପନିଂ ଯୋଡ଼ିରେ ଦୁହେଁ ୭୦ ରନ ଯୋଗ କରିବାପରେ ମନ୍ଧାନା ୨୯ ବଲ୍ରୁ ୪୧ ରନକରି ଆଉଟ ହୋଇଥିଲେ। ଏହି ଅବସରରେ ମନ୍ଧାନା ଦ୍ୱିତୀୟ ଭାରତୀୟ ଏବଂ ଓଭରଅଲ୍ ୧୫ଶ ମହିଳା ଭାବେ ଦିନିକିଆରେ ୪୦୦୦ ରନ ଅତିକ୍ରମ କରିଥିଲେ। ଭାରତର ମିଥାଲି ରାଜ ୭୮୦୫ ରନକରି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ସ୍ମୃତିଙ୍କ ବିଦାୟ ପରେ ମିଡିଲ ଅର୍ଡରରେ ମିନି ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ପ୍ରତିକା ଓ ତେଜାଲ ୫ମ ଉଇକେଟରେ ୮୪ ବଲ୍ରୁ ଦ୍ରୁତ ୧୧୬ ରନର ଭାଗୀଦାରି ଗଢ଼ି ଭାରତ ବିଜୟକୁ ସହଜ କରି ଦେଇଥିଲେ। ପ୍ରତିକା ୮୯ (୧୦ ଚୌକା, ୧ ଛକା) ରନକରି ଆଉଟ ହୋଇଥିବାବେଳେ ତେଜାଲ ୫୩ (୪୬ ବଲ, ୯ ଚୌକା) ଅପରାଜିତ ରହିଥିଲେ। ଆୟର୍ଲାଣ୍ଡ ପକ୍ଷରୁ ଆମି ମାଗ୍ୟୁରେ ୩ଟି ଓ ପ୍ରିୟା ସର୍ଗେଣ୍ଟ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଆୟର୍ଲାଣ୍ଡ ୫୦ ଓଭରରେ ୨୩୮/୭ (ଗାବି ଲିଓ୍ବିସ-୯୨, ଲିଆ ପଲ୍-୫୯, ପ୍ରିୟା ମିଶ୍ର-୨/୫୬, ଟିଟାସ ସାଧୁ-୧/୪୮, ସାୟାଲି ସତଘରେ-୧/୪୩, ଦୀପ୍ତି ଶର୍ମା-୧/୪୧)। ଭାରତ ୩୪.୩ ଓଭରରେ ୨୪୧/୪ (ପ୍ରତିକା ରାଓ୍ବଲ-୮୯, ତେଜାଲ ହସବନିସ-୫୩*, ସ୍ମୃତି ମନ୍ଧାନା-୪୧, ଆମି ମାଗ୍ୟୁରେ-୩/୫୭, ପ୍ରିୟା ସର୍ଗେଣ୍ଟ-୧/୩୮)।