
ନୂଆଦିଲ୍ଲୀ,୧୬ା୫: ଆତଙ୍କବାଦ ବିରୋଧରେ ସାମରିକ ଅଭିଯାନ ଅପରେଶନ ସିନ୍ଦୂର ପରେ ଏକ ବଡ଼ କୂଟନୈତିକ ଆକ୍ରମଣ ସ୍ବରୂପ କେନ୍ଦ୍ର ସରକାର ବିଶ୍ୱ ମଞ୍ଚରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ପଦାରେ ପକାଇବା ପାଇଁ ଆସନ୍ତା ସପ୍ତାହରୁ ବିଭିନ୍ନ ଦେଶକୁ ଏକାଧିକ ସର୍ବଦଳୀୟ ପ୍ରତିନିଧି ପଠାଇାକୁ ନିଷ୍ପତ୍ତି ନେଇଛନ୍ତି।
ଆତଙ୍କବାଦକୁ ନେଇ ପାକିସ୍ତାନ ବିରୋଧରେ ଭାରତର ଆଭିମୁଖ୍ୟକୁ ବିଶ୍ୱ ନିକଟରେ ଉପସ୍ଥାପନ କରିବା ଏହି କୂଟନୈତିକ ଅଭିଯାନର ଲକ୍ଷ୍ୟ। ଏଥିରେ ଶାସକ ଓ ବିରୋଧୀ ଦଳଗୁଡ଼ିକର ଏମ୍ପିମାନଙ୍କ ସମେତ ବରିଷ୍ଠ ନେତାମାନେ ସାମିଲ ହେବେ। ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ଦଳ ସମର୍ଥନ ଜଣାଇବା ସହ ନିଜ ଦଳର ସଦସ୍ୟଙ୍କୁ ପଠାଇବାକୁ ସହମତ ହୋଇଛନ୍ତି।
ବିଭିନ୍ନ ଦଳର ଏମ୍ପିମାନଙ୍କ ଏହି ପ୍ରତିନିଧି ଦଳଗୁଡ଼ିକର ନେତୃତ୍ୱ କେତେଜଣ ପୂର୍ବତନ ମନ୍ତ୍ରୀ ନେବେ। ଏହି କାର୍ଯ୍ୟକ୍ରମରେ ୩୦ରୁ ଊର୍ଦ୍ଧ୍ୱ ଏମ୍ପି ସାମିଲ ହେବେ ବୋଲି କେତେଜଣ ନେତା କହିଛନ୍ତି। ସେମାନେ ୧୦ ଦିନ ପାଇଁ ବିଭିନ୍ନ ଦେଶ ଗସ୍ତ କରି ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବେ। ପ୍ରତିନିଧି ଦଳରେ ଭାଜପା ସମେତ କଂଗ୍ରେସ, ଟିଏମ୍ସି, ଡିଏମ୍କେ, ଏନ୍ସିପି(ଏସ୍ପି), ଜେଡିୟୁ, ବିଜେଡି, ସିପିଆଇ(ଏମ୍) ଓ ଅନ୍ୟ ଦଳର ଏମ୍ପି ସାମିଲ ହେବେ। ଭାଜପାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଓଡ଼ିଶାର ଭାଜପା ଏମ୍ପି ଅପରାଜିତା ଷଡ଼ଙ୍ଗୀ ପ୍ରତିନିଧି ଦଳରେ ରହିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।