
ଢାକା,୧୩।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ପୂର୍ବରୁ ବିଗିଡ଼ି ଯାଇଥିଲା, ଆଉ ଏବେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ବାଂଲାଦେଶ ଭାରତ ଉପରେ ବାଂଲାଦେଶ ସୀମାରେ ଗୁଳିଚାଳନା କରିଥିବା ଅଭିଯୋଗ ଆଣିଛି। ଯାହାକୁ ନେଇ ଭାରତ କହିଛି ଯେ ସେ ଚୋରା ଚାଲାଣକାରୀଙ୍କ ମୁକାବିଲା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହା ଫଳରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମାମଲାରେ ବାଂଲାଦେଶୀ ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ କରିଥିଲା ଏବଂ ପ୍ରାୟ ଅଧ ଘଣ୍ଟା ବୈଠକ ପରେ, ଭାରତୀୟ ଉଚ୍ଚାୟୁକ୍ତ ୟୁନୁସ ସରକାରଙ୍କୁ ସ୍ପଷ୍ଟ ଉତ୍ତର ଦେଇଛନ୍ତି।
ଭାରତ ରବିବାର ବାଂଲାଦେଶକୁ ସୀମା ପରିଚାଳନା ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ଏବଂ ସୀମା ଅପରାଧର ମୁକାବିଲା ପାଇଁ ଏକ ସହଯୋଗପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଛି।
ସମ୍ପ୍ରତି, ବାଂଲାଦେଶୀ ଚୋରା ଚାଲାଣକାରୀଙ୍କୁ ରୋକିବା ପାଇଁ ସୀମା ସୁରକ୍ଷା ବଳ (BSF) ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ଉତ୍ତେଜନା ବୃଦ୍ଧି ପାଇଛି। ଢାକା ଦାବି କରିଛି ଯେ ଭାରତ ପାଞ୍ଚଟି ସ୍ଥାନରେ ସୀମାରେ ବାଡ଼ ଲଗାଇବାକୁ ଚେଷ୍ଟା କରୁଛି, ଯାହା ଦ୍ୱିପାକ୍ଷିକ ଚୁକ୍ତିନାମାର ଉଲ୍ଲଂଘନ।