ଭାରତ ଅଧିକ ବିପଦାପନ୍ନ

କୋଭିଡ୍‌-୧୯ ଭୂତାଣୁ ବିଶ୍ୱକୁ କଲବଲ କରିଦେଇଥିବାରୁ ସବୁ ରାଷ୍ଟ୍ରର ଆର୍ଥିକ ଓ ସ୍ବାସ୍ଥ୍ୟଜନିତ ସମସ୍ୟା ବଢ଼ିଯାଇଛି। ଏଭଳି ସମୟରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ନେଇ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ଏଥିରେ ଦୁଇ ଦେଶର ବହୁ ଧନଜୀବନ ନଷ୍ଟ ହେବା ସହ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଭୂରାଜନୈତିକ ସ୍ଥିତିକୁ ଦୋହଲାଇ ଦେଇଛି। ଏପରି କି ଆକ୍ରମଣକାରୀ ଦେଶ ରୁଷିଆର ନାଗରିକ ଯୁଦ୍ଧ ନୁହେଁ, ଶାନ୍ତି ଦରକାର ବୋଲି ଲେଖା ଧରି ରାସ୍ତାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ସମସ୍ତେ ଭାବିଥିଲେ ରୁଷିଆର ସୈନ୍ୟମାନେ ଅତି ସହଜରେ ୟୁକ୍ରେନ୍‌ ଉପରେ ଚଢ଼ାଉ କରି ଦଖଲ କରିନେବେ। ଦୀର୍ଘ ୫ ଦିନ ବିତିଯାଇଥିବା ସତ୍ତ୍ୱେ ତାହା ନ ହୋଇଲା। ଏବେକାର ସ୍ଥିତିରେ ସବୁ ଉନ୍ନତ ଦେଶ ମିଳିତ ଭାବେ ରୁଷିଆକୁ ଅର୍ଥନୈତିକ ପୃଥିବୀରେ ଏକଘରିକିଆ କରିଦେଇଛନ୍ତି। ଏପରି କି ରୁଷିଆର ସାଧାରଣ ନାଗରିକ ବ୍ୟାଙ୍କରୁ ମୁଦ୍ରା ଉଠାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ଆରମ୍ଭ କଲେଣି। ଅର୍ଥାତ୍‌ ଆଜିର ପୃଥିବୀରେ କୌଣସି ଦିଗକୁ ଅଣଦେଖା କଲେ ତାହାର କୁପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ତତ୍‌କ୍ଷଣାତ୍‌ ପଡ଼ିଯାଉଛି। ହୁଏତ କିଛିଦିନ ପରେ ସନ୍ଧି ହେଉ ବା ଶାନ୍ତି ଆଲୋଚନା ମଧ୍ୟରେ ଏହି ଯୁଦ୍ଧର ଅବସାନ ଘଟିବ ଏବଂ ପୃଥିବୀ ଧୀରେ ଧୀରେ ପୂର୍ବ ସ୍ଥିତିକୁ ଫେରିବ। କିନ୍ତୁ ୨୮ ଫେବୃୟାରୀରେ ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ ବା ଜଳବାୟୁ ସଂକ୍ରାନ୍ତ ଆନ୍ତଃସରକାରୀ ପ୍ୟାନେଲ (ଆଇପିସିସି) ତା’ ଷଷ୍ଠ ସମୀକ୍ଷା ରିପୋର୍ଟର ଦ୍ୱିତୀୟ ଅଂଶକୁ ଉନ୍ମୋଚନ କରି ଯେଉଁ ତଥ୍ୟ ପ୍ରଦାନ କରିଛି, ତାହା ପୃଥିବୀ ପାଇଁ ଯେଉଁ ସମସ୍ୟା ସୃଷ୍ଟି କରିବ ସେଥିରୁ ଫେରିବା ଅସମ୍ଭବ ହୋଇପଡ଼ିବ। ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୫୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ବିଶ୍ୱବ୍ୟାପୀ ବ୍ୟାପକ ରୂପରେ ଅନୁଭୂତ ହେବ। ଭାରତ ସମ୍ପର୍କରେ ଏଥିରେ କୁହାଯାଇଛି, ଏହା ଦ୍ୱାରା ଦେଶର ଅର୍ଥନୀତି ଓ ଖାଦ୍ୟ ନିରାପତ୍ତା ଘୋର ପ୍ରଭାବିତ ହେବ। ତେଣୁ ଏହି ସଙ୍କଟକୁ ଦୂରୀଭୂତ କରିବା ସକାଶେ କ୍ଷୁଦ୍ର ପଦକ୍ଷେପ ଯଥେଷ୍ଟ ହେବ ନାହିଁ ବୋଲି ଆଇପିସିସି ରିପୋର୍ଟ ସଜାଗ କରାଇଦେବା ବିଶ୍ୱ ପାଇଁ ସତର୍କଘଣ୍ଟି ବୋଲି ବିଚାର କରାଯିବା ଦରକାର।
ଉଲ୍ଲେଖଯୋଗ୍ୟ ଯେ, ଆଇପିସିସି ହେଉଛି ବିଶ୍ୱ ବୈଜ୍ଞାନିକଙ୍କ ଏକ ସଙ୍ଗଠନ। ଏହା ନିର୍ଦ୍ଦିଷ୍ଟ ସମୟରେ ଜଳବାୟୁ ବିଜ୍ଞାନ ଉପରେ ରିପୋର୍ଟ ପ୍ରକାଶ କରିଥାଏ। ଏବେ ଉନ୍ମୋଚନ ରିପୋର୍ଟରେ ଭାରତ ସମେତ ପୃଥିବୀ ସମ୍ମୁଖୀନ ହେବାକୁ ଯାଉଥିବା ସମସ୍ୟା ବିଷୟରେ ଯେଭଳି ବର୍ଣ୍ଣନା କରାଯାଇଛି ତାହାକୁ ଅତି ଗୁରୁତ୍ୱ ଦେଇ ଶକ୍ତିଶାଳୀ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ। ଏଠାରେ ୨୦୨୧ ନଭେମ୍ବରରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୬ ବେଳେ ହୋଇଥିବା ଆଲୋଚନା ସମ୍ପର୍କିତ ବିଷୟବସ୍ତୁକୁ ମନେପକାଇ ଦିଆଯାଇପାରେ। ସେତେବେଳେ ବିକଶିତ ରାଷ୍ଟ୍ରଗୁଡ଼ିକ ଉପରେ ପ୍ରଦୂଷଣ ରୋକିବା ଲାଗି ଆର୍ଥିକ ଖର୍ଚ୍ଚ ବହନ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକ ଅଙ୍ଗାରକାମ୍ଳ ନିର୍ଗମନ କମାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ବୋଲି ପ୍ରସ୍ତାବ ଦିଆଯାଇଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ସମ୍ମିଳନୀରେ କହିଥିଲେ, ୨୦୭୦ ସୁଦ୍ଧା ଦେଶ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବ। ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ୫୦ ବର୍ଷର ଦୀର୍ଘ ବର୍ଷକୁ ଧରି ଭାଷଣ ଦେଇଥିଲେ। ଏବର ଆଇପିସିସି ରିପୋର୍ଟ ଦେଖିଲେ ୨୦୫୦ ଅର୍ଥାତ୍‌ ମାତ୍ର ୩୦ ବର୍ଷ ଭିତରେ ଭାରତ ଏକ ବଡ଼ ବିପଦର ସମ୍ମୁଖୀନ ହେବାକୁ ଯାଉଛି। ଉଦାହରଣ ଭାବେ ଦେଖିଲେ ଏବେ ମଧ୍ୟ ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ଚାଲୁ ରହିଛି। କେହି କହୁନାହାନ୍ତି ଯେ, ୬ ମାସରୁ ବର୍ଷକ ମଧ୍ୟରେ କୋଇଲାରୁ ଉତ୍ପନ୍ନ ଶକ୍ତି ପ୍ରକଳ୍ପଗୁଡ଼ିକୁ ବନ୍ଦ କରିଦିଆଯାଇପାରିବ। କିନ୍ତୁ ନୂଆ ପ୍ରକଳ୍ପକୁ ଏବେ ମଧ୍ୟ ସବୁଜ ସଙ୍କେତ ଦିଆଚାଲିଛି। ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ସିମେଣ୍ଟ ହେଉ ବା ପିଚୁ ଉତ୍ପାଦନ ସବୁକିଛି ବେଳେ ଅଙ୍ଗାରକାମ୍ଳ ନିର୍ଗମନ ବ୍ୟାପକ ମାତ୍ରାରେ ହେଉଛି। ସରକାର ସର୍ବଦା ଗ୍ରୀନ୍‌ ଏନର୍ଜି ବା ସବୁଜ ଶକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ସେହି ଦିଗରେ ସରକାରଙ୍କ ଆନ୍ତରିକତା ଥିବାର ପ୍ରମାଣ ମିଳୁନାହିଁ। ଉଦାହରଣ ସ୍ବରୂପ, ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ବୃହତ୍‌ ସୌରଶକ୍ତି ଉତ୍ପାଦନ ପ୍ରକଳ୍ପ କରାଯିବା ଦିଗରେ ପ୍ରକ୍ରିୟା ଆରମ୍ଭ ହେଉନାହିଁ। କୁହାଯାଇପାରେ ଯେ, ପେଟ୍ରୋଲ ଓ ଡିଜେଲଚାଳିତ ଗାଡ଼ିଗୁଡ଼ିକ ଅପେକ୍ଷା ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି)କୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ଏହାର ମୂଳକୁ ଦେଖିଲେ ଏହି ଇଭି ମଧ୍ୟ ବିଦ୍ୟୁତ୍‌ ଶକ୍ତି ଉପରେ ନିର୍ଭରଶୀଳ। ତେଣୁ ବ୍ୟବସ୍ଥିତ ଢଙ୍ଗରେ ବିଶ୍ୱତାପନର ପ୍ରମୁଖ କାରକ ଭାବେ ଥିବା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଦିଗରେ ବିଧିବଦ୍ଧ ନୀତି ପ୍ରସ୍ତୁତ କରାଯିବା ଦରକାର। ଆଜିର ସ୍ଥିତି ଦେଖିଲେ ସିଚୁଏଶନ ରୁମ୍‌ ବା ଓ୍ବାର୍‌ ରୁମ୍‌ରେ ବସି ପୁଟିନ୍‌ ହୁଅନ୍ତୁ ବା ଜେଲେନ୍‌ସ୍କି ଯେଭଳି ଯୁଦ୍ଧର ମୁକାବିଲା ଲାଗି ରଣକୌଶଳ ପ୍ରସ୍ତୁତ କରୁଛନ୍ତି, ସେହିଭଳି ଯୁଦ୍ଧସମ ପଦକ୍ଷେପ ନିଆ ନ ଗଲେ ଜଳବାୟୁ ପରିବର୍ତ୍ତନର ପରିମାଣକୁ ହ୍ରାସ କରିବା କଷ୍ଟକର ହୋଇପଡ଼ିବ। ସ୍ଥାନୀୟ ସ୍ତରରୁ ଅନ୍ତର୍ଜାତୀୟ ସ୍ତର ଯାଏ ଏ ବିଷୟରେ ଉପଯୁକ୍ତ ଅନୁଶୀଳନ କରାଯାଇ ବୃହତ୍‌ ପଦକ୍ଷେପ ନିଆ ନ ଗଲେ ବାରମ୍ବାର ଆଇପିସିସି ରିପୋର୍ଟ ପ୍ରକାଶ ପାଉଥିଲେ ମଧ୍ୟ ତାହାର କୌଣସି ସକାରାତ୍ମକ ସମାଧାନ ରାସ୍ତା ବାହାରିପାରିବ ନାହିଁ ଏବଂ ଆମରି ଜୀବନକାଳ ଭିତରେ ଏକ ବିରାଟ ପ୍ରଳୟ ଦେଖିବାର ଆଶଙ୍କା ବୃଦ୍ଧି ପାଇଚାଲୁଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?