ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ (WTC) ଦୃଷ୍ଟିରୁ ଏହି ସିରିଜ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଦଳର ଷ୍ଟାର୍ ଉଇକେଟ୍ କିପର ବ୍ୟାଟର୍ ଋଷଭ ପନ୍ତଙ୍କୁ ଟେଷ୍ଟ ସିରିଜ ପାଇଁ ଫିଟ ଘୋଷଣା କରାଯାଇଛି।
ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁସ୍ଥିତ ବିସିସିଆଇର ସେଣ୍ଟର ଅଫ ଏକ୍ସଲେନ୍ସ (CoE)ରେ ରିହାବ କରୁଥିବା ପନ୍ତ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ ଅଛନ୍ତି। ସେ ଖୁବଶୀଘ୍ର ଭାରତୀୟ ଟେଷ୍ଟ ଦଳ ସହ ଯୋଗଦେବେ। ତାଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଉଛି।
ରିପୋର୍ଟ ଅନୁସାରେ, ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଋଷଭ ପନ୍ତଙ୍କୁ ଫିଟ ଘୋଷଣା କରାଯାଇଛି। ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ (CoE)ରେ ପନ୍ତ ଏକ ମ୍ୟାଚ ସିମୁଲେସନ ସେସନରେ ଭାଗ ନେଇଥିଲେ। ଏହା ପରେ ମେଡିକାଲ ଟିମ ତାଙ୍କୁ ଫିଟନେସ କ୍ଲିୟରାନ୍ସ ପ୍ରଦାନ କରିଛି।
ଅକ୍ଟୋବର ପ୍ରଥମ ସପ୍ତାହରେ ଇରାନୀ କପ ଖେଳୁଥିବା ସମୟରେ ପନ୍ତଙ୍କ ପାର୍ଶ୍ୱ ମାଂସପେଶୀରେ ଆଘାତ (ସାଇଡ ଷ୍ଟ୍ରେନ) ଲାଗିଥିଲା। ଏହି ଆଘାତ ଯୋଗୁ ସେ ଦୀର୍ଘଦିନ ଧରି କ୍ରିକେଟ ପଡ଼ିଆରୁ ଦୂରେଇ ରହିଥିଲେ। ତେବେ ଏବେ ସେ ସମ୍ପୂର୍ଣ୍ଣ ଫିଟ ହୋଇ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଫେରିବା ପାଇଁ ପ୍ରସ୍ତୁତ ଅଛନ୍ତି।
ନଭେମ୍ବର ୧୨ରେ ଟିମ ଇଣ୍ଡିଆ ସହ ଯୋଗଦେବା ପାଇଁ ପନ୍ତ ୱେଲିଂଟନ ଅଭିମୁଖେ ଯାତ୍ରା କରିବେ। ଭାରତୀୟ ଦଳର ଅନ୍ୟ ଖେଳାଳିମାନେ ପୂର୍ବରୁ ନ୍ୟୁଜିଲାଣ୍ଡରେ ପହଞ୍ଚି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ନଭେମ୍ବର ୧୯ରୁ ୱେଲିଂଟନରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ପନ୍ତଙ୍କୁ ନିଜର ପୁରୁଣା ଲୟ ଫେରିପାଇବା ପାଇଁ ପ୍ରାୟ ଏକ ସପ୍ତାହ ସମୟ ମିଳିବ।

