ଶନିଦେବ ଯେତେବେଳେ ନିଜ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ କେତେକ ରାଶି ଉପରେ ଶନି ଢୈୟା ଆରମ୍ଭ ହୋଇଥାଏ ତ ଆଉ କେତେକ ରାଶିର ଜାତକଙ୍କୁ ସାଢ଼େସାତୀରୁ ମୁକ୍ତି ମିଳିଥାଏ। ଜ୍ୟୋତିଷ ଗଣନା ଅନୁସାରେ, ଆସନ୍ତା ୩ ଜୁନ ୨୦୨୭ରେ ଶନିଦେବ ମେଷ ରାଶିକୁ ପ୍ରବେଶ କରିବେ। ଶନିଙ୍କ ଏହି ରାଶି ପରିବର୍ତ୍ତନ ଦୁଇଟି ରାଶିର ଜାତକଙ୍କ ଜୀବନରେ ପ୍ରଭାବ ପକାଇପାରେ। କାରଣ ଏହି ଦୁଇ ରାଶି ଉପରେ ଶନି ଢୈୟା ଆରମ୍ଭ ହେବ। ଏହାର ପ୍ରଭାବ ୨୦୨୭ରୁ ୨୦୩୦ ପର୍ଯ୍ୟନ୍ତ ରହିବ ବୋଲି ଜ୍ୟୋତିଷ ଗଣନାରେ କୁହାଯାଉଛି। ତେବେ କେଉଁ ଦୁଇଟି ରାଶି ଶନି ଢୈୟାର ପ୍ରଭାବରେ ରହିବେ ଏବଂ ଏହି ସମୟରେ କେଉଁସବୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ଆସନ୍ତୁ ଜାଣିବା।
ଜ୍ୟୋତିଷ ଗଣନା ଅନୁସାରେ, ୩ ଜୁନ ୨୦୨୭ରେ ଶନିଦେବ ମେଷ ରାଶିରେ ପ୍ରବେଶ କରିବା ପରେ କନ୍ୟା ଓ ମକର ରାଶିର ଜାତକଙ୍କ ଉପରେ ଶନି ଢୈୟା ଆରମ୍ଭ ହେବ। ଏହି କାରଣରୁ ୨୦୨୭ରୁ ୨୦୩୦ ମଧ୍ୟରେ ଏହି ଦୁଇ ରାଶିର ଲୋକଙ୍କୁ କର୍ମକ୍ଷେତ୍ର, ସ୍ବାସ୍ଥ୍ୟ ଏବଂ ପାରିବାରିକ ଜୀବନ ସମ୍ପର୍କରେ ଅଧିକ ସତର୍କ ରହିବାକୁ ପଡ଼ିପାରେ।
ତେବେ ଶନି ଢୈୟା ସବୁବେଳେ ଅଶୁଭ ଫଳ ଦେଇନଥାଏ। ଯେଉଁମାନଙ୍କ ଜାତକରେ ଶନି ଏବଂ ଅନ୍ୟ ଗ୍ରହଙ୍କ ସ୍ଥିତି ଭଲ ଥାଏ, ସେମାନଙ୍କ ପାଇଁ ଏହି ସମୟ ଶୁଭଫଳଦାୟୀ ମଧ୍ୟ ହୋଇପାରେ।
୩ ଜୁନ ୨୦୨୭: ଶନିଦେବ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ। ଏହା ସହିତ କନ୍ୟା ଓ ମକର ରାଶି ଉପରେ ଶନି ଢୈୟା ଆରମ୍ଭ ହେବ।
୨୦ ଅକ୍ଟୋବର ୨୦୨୭: ଶନି ବକ୍ରୀ ଚଳନ କରି ପୁଣି ମୀନ ରାଶିକୁ ଫେରିବେ। ଫଳରେ କନ୍ୟା ଓ ମକର ରାଶିର ଜାତକଙ୍କୁ କିଛି ସମୟ ପାଇଁ ଶନି ଢୈୟାରୁ ଆଶ୍ୱସ୍ତି ମିଳିବ।
୨୩ ଫେବୃଆରୀ ୨୦୨୮: ଶନିଦେବ ମାର୍ଗୀ ହୋଇ ପୁଣି ମେଷ ରାଶିରେ ଗୋଚର କରିବେ। ଏହା ସହିତ କନ୍ୟା ଓ ମକର ରାଶି ଉପରେ ପୁଣି ଶନି ଢୈୟାର ପ୍ରଭାବ ଆରମ୍ଭ ହେବ।
୮ ଅଗଷ୍ଟ ୨୦୨୯: ଶନି ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିବେ। ଏହା ଫଳରେ କନ୍ୟା ଓ ମକର ରାଶିର ଜାତକଙ୍କୁ ଶନି ଢୈୟାରୁ ମୁକ୍ତି ମିଳିବ।
୫ ଅକ୍ଟୋବର ୨୦୨୯: ବକ୍ରୀ ଅବସ୍ଥା ଯୋଗୁ ଶନି ପୁଣି ମେଷ ରାଶିକୁ ଫେରିବେ। ଫଳରେ କନ୍ୟା ଓ ମକର ରାଶିର ଜାତକ ପୁଣି ଶନି ଢୈୟାର ପ୍ରଭାବରେ ରହିବେ।
୧୭ ଏପ୍ରିଲ ୨୦୩୦: ଶନିଦେବ ପୁଣି ବୃଷ ରାଶିକୁ ଚାଲିଯିବେ। ଏହା ପରେ କନ୍ୟା ଓ ମକର ରାଶିର ଜାତକଙ୍କୁ ଶନି ଢୈୟାରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିବ।

