ଲକ୍ଷ୍ନୌ,୪।୪: ଉତ୍ତର ପ୍ରଦେଶର ବୁଡାଉନ ଜିଲା ସମରେର ବ୍ଲକ ଅଧୀନ ସର୍ବୋଦୟ ବିଦ୍ୟାଳୟରେ ରାତ୍ରଭୋଜନ ଖାଇ ୨୮ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ରବିବାର ରାତିରେ ସେମାନଙ୍କୁ ଭାତ ସହିତ ଆଳୁ ତରକାରି ଖାଇବାକୁ ଦିଆଯାଇଥିଲା।
ତରକାରି ଲୁଣିଆ ହୋଇଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ। ଖାଇବାର କିଛି ସମୟ ପରେ ଅନେକ ଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। ପରେ ବାନ୍ତି ହୋଇ ସେମାନେ ଗୁରୁତର ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନଙ୍କୁ ଅବ୍ଜରଭେସନ୍ରେ ରଖାଯାଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।