ବିଦେଶୀଙ୍କ ଚକ୍ଷୁରେ

ନିକଟରେ ସ୍ବିଡେନ୍‌ର ଭେରାଇଟିଜ୍‌ ଅଫ୍‌ ଡେମୋକ୍ରାସି ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତ ଏକ ଇଲେକ୍ଟୋରାଲ ଅଟୋକ୍ରାସି ବା ନିର୍ବାଚିତ ଏକଚ୍ଛତ୍ର ଶାସନରେ ପରିଣତ ହୋଇଥିବା କୁହାଯାଇଛି। ଏପରି କି ଭାରତର ସ୍ଥିତି ପାକିସ୍ତାନ ଭଳି ହୋଇଯାଇଥିବା ବେଳେ ବାଂଲାଦେଶ ଓ ନେପାଳଠାରୁ ଖରାପ ସ୍ତରକୁ ଆସିଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
କିଛିବର୍ଷ ପୂର୍ବେ ଯେତେବେଳେ କେନ୍ଦ୍ରରେ ଭାଜପା ଶାସନ ଆସିଲା, ସେତେବେଳେ ମନେହେଲା ଯେପରି ଭାରତର ଅନ୍ତର୍ଜାତୀୟ ଭୂମିକା ବୃଦ୍ଧି ପାଇବ। ଲାଗିପଡ଼ି ଧାରଣା ସୃଷ୍ଟି କରାଗଲା ସତେଯେମିତି ଏହି ସରକାରଙ୍କ କାୟାବିସ୍ତାର ଫଳରେ ଭାରତୀୟ କୂଟନୀତି ମଧ୍ୟ ଶକ୍ତିଶାଳୀ ହୋଇଛି। ଯେହେତୁ ଅଧିକାଂଶ ଭାରତୀୟ ବିଦେଶୀ ଗଣମାଧ୍ୟମ ସହିତ ସମ୍ପୃକ୍ତ ରୁହନ୍ତି ନାହିଁ, ସେହେତୁ ସେମାନଙ୍କୁ ଦେଶର ଆଭ୍ୟନ୍ତରୀଣ ଗଣମାଧ୍ୟମ ଦ୍ୱାରା ତ୍ରୁଟିପୂର୍ଣ୍ଣ ଧାରଣା ସୃଷ୍ଟି କରାଇ ଦିଆଯାଇପାରିଲା। ଯେତେବେଳେ କଲମ୍ବୋ ବନ୍ଦର ପ୍ରକଳ୍ପରୁ ଭାରତକୁ ବିଦା କରିବା ପାଇଁ ଶ୍ରୀଲଙ୍କା ସରକାର ନିଷ୍ପତ୍ତି ନେଲେ ସେତେବେଳେ ଭାରତୀୟ ଗଣମାଧ୍ୟମ ଖବରଟିକୁ ଲୁକ୍କାୟିତ ରଖିଲା। ସେହିପରି ଯେତେବେଳେ ଗଲଓ୍ବାନ ଘାଟିରେ ଅନେକ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଲା, ତାହାକୁ ଘୋଡ଼ାଇବା ପାଇଁ ଭାରତୀୟ ଗଣମାଧ୍ୟମ ଅଧିକ ସ୍ଥାନ ଦେଲା। ଏହାଫଳରେ ଦେଶର ନାଗରିକ ବାସ୍ତବ ସ୍ଥିତି ବୁଝିବାରୁ ବଞ୍ଚିତ ହେଲେ। ଏହିଭଳି ଅନେକ ଉଦାହରଣ ରହିଛି ଯେଉଁଥିରେ ପ୍ରମାଣ ମିଳିଛି ଯେ, ଅସତ୍ୟ ପ୍ରଚାର କରି ଆଜିର ସରକାର ନିଜର ଭାବମୂର୍ତ୍ତି ବୃଦ୍ଧି କରାଉଛି। ଏହି ପ୍ରକ୍ରିୟା ୨୦୧୬ ନଭେମ୍ବର ବିମୁଦ୍ରୀକରଣଠାରୁ ପରିଚିତ ହେଲା। ସେତେବେଳେ କୁହାଗଲା ଭାରତୀୟ ଟଙ୍କାକୁ ବଦଳାଇ ଦିଆଯିବା ଫଳରେ କଳାଧନର ସମାପ୍ତି ଘଟିବା ସହ ଧନୀ ଲୋକଙ୍କ କେନ୍ଦରା ବାଜିଲା। ଦୀର୍ଘ ୪ ବର୍ଷ ପୂରିଯାଇଛି ଏବଂ ସେତେବେଳେ କେନ୍ଦ୍ର ସରକାରଙ୍କ ଘୋଷଣାର ବାସ୍ତବତା ନିରପେକ୍ଷ ଭାରତୀୟ ଅତି ସହଜରେ ବୁଝି ପାରୁଥିବେ। ଅସତ୍ୟ ଖବର ପ୍ରଚାର କରାଇ ଲୋକଙ୍କୁ ବାଟବଣା କରିବା ହେଉଛି ଏକଚ୍ଛତ୍ରବାଦର ପ୍ରଥମ ସୋପାନ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଦୁଇ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ପ୍ରଚଳନକୁ ପ୍ରାୟ ସବୁ ରାଜ୍ୟରେ ଏବଂ ବିଶେଷକରି ଉତ୍ତର ଭାରତରେ ପ୍ରବଳ ବିରୋଧ କରାଯାଉଛି। ଧାରଣା ଦେଇ ବସିଥିବା ଚାଷୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଲାଣି। କିନ୍ତୁ ବଡ଼ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ମନସ୍ଥ କରିଥିବା କେନ୍ଦ୍ର ସରକାର ଆଜି ତା’ର ନିଷ୍ପତ୍ତିରେ ଅଟଳ। ଗଣତାନ୍ତ୍ରିକ ଦେଶରେ ଭୋଟଦାତାର ମତ ସବୁବେଳେ ସର୍ବୋଚ୍ଚ ବୋଲି ଚିନ୍ତା କରାଯାଏ। ଏହି ଧାରଣାକୁ ଆଜିର ଭାରତରେ କେନ୍ଦ୍ର ସରକାର ଭୁଲ୍‌ ପ୍ରମାଣ କରିବା ପାଇଁ ଆଗଭର ହୋଇ ବାହାରି ପଡ଼ିଛନ୍ତି। ସେହିଭଳି ଜଳବାୟୁ କର୍ମୀ ଦିଶା ରବିଙ୍କ ଗିରଫ, ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼, ହତ୍ୟା ଓ ଗିରଫ ସହ ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାର ମନ୍ଦ ଉଦ୍ଦେଶ୍ୟକୁ ଏବେ ଅନ୍ତର୍ଜାତୀୟ ସ୍ତରରେ ସମସ୍ତେ ଚିହ୍ନିବାକୁ ଆରମ୍ଭ କଲେଣି। ଭାରତର ପ୍ରତିଷ୍ଠିତ ବୈଦେଶିକ ନୀତିକୁ ଏକ ବ୍ୟକ୍ତିବିଶେଷ ପରିବର୍ତ୍ତନ କରିବାକୁ ଚେଷ୍ଟାକରିବା ଫଳରେ ନେପାଳଠାରୁ ଆରମ୍ଭ କରି ସବୁ ଦେଶ ଆଜି ଭାରତକୁ ବେଖାତିର କରୁଛନ୍ତି। ଅନ୍ୟ ଏକ ଘଟଣାକ୍ରମେ ଓଭରସିଜ୍‌ ସିଟିଜେନ୍‌ଶିପ୍‌ ଅଫ୍‌ ଇଣ୍ଡିଆ (ଓସିଆଇ) ବା ବିଦେଶରେ ରହୁଥିବା ଭାରତୀୟମାନେ ସରକାରଙ୍କ ସପକ୍ଷରେ ରହିବେ ବୋଲି ଚିନ୍ତା କରାଯାଉଥିଲା। ତାହାର ଭିନ୍ନ ଦିଗ କୃଷକ ଆନ୍ଦୋଳନରେ ଦେଖିବାକୁ ମିଳିଲା। ବିଭିନ୍ନ ଦେଶର ରାଜଧାନୀରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ପ୍ରତିବାଦ ଏବଂ ବିକ୍ଷୋଭ ହେଲାବେଳକୁ ବିଦେଶରେ ରହୁଥିବା ଭାରତୀୟ ସେମାନଙ୍କୁ ପ୍ରତିରୋଧ କଲେନାହିଁ। ସେଥିପାଇଁ ଓସିଆଇ କାର୍ଡ ମାଧ୍ୟମରେ ଦିଆଯାଇଥିବା ବିଭିନ୍ନ ସୁବିଧାସୁଯୋଗକୁ ପ୍ରତ୍ୟାହାର କରିନେବାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ବିଫଳ ବୈଦେଶିକ ନୀତିର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ।
ଶେଷ ଆଶ୍ରୟ ଭାବେ କ୍ୱାଡ୍‌ ଗୋଷ୍ଠୀରେ ଯୋଗଦେଇ ଭାରତର ନେତୃତ୍ୱ ଚିନ୍ତାକଲେ ଯେ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଆମ ଦେଶକୁ ସାହାଯ୍ୟ କରିବେ। ଏହି ସମର୍ଥନ କେବଳ ଚାଇନାକୁ ସମ୍ମୁଖୀନ ହେବା ପାଇଁ ଲୋଡ଼ାଯାଇଛି। ତେବେ ୧୨ ମାର୍ଚ୍ଚରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଅନ୍ୟ ୩ ଦେଶର ନେତୃବୃନ୍ଦ ଭାରତ ଉପରେ ଏକ ବିରାଟ ବୋଝ ଲଦିଦେଇଛନ୍ତି। ସଦ୍ୟ କ୍ୱାଡ୍‌ ନିଷ୍ପତ୍ତି ଅନୁଯାୟୀ, ଏହି ଗୋଷ୍ଠୀ ଏକ ବିଲିୟନ କୋଭିଡ୍‌ ଭ୍ୟାକ୍‌ସିନ୍‌ ଚାଇନାର ପଡ଼ୋଶୀ ଦେଶମାନଙ୍କୁ ଯୋଗାଇବ। ଯେହେତୁ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆରେ ଏଭଳି ଟିକା ପ୍ରସ୍ତୁତକାରୀ କାରଖାନା ନାହିଁ, ସେଥିପାଇଁ ଭାରତ ସମ୍ପୂର୍ଣ୍ଣ ଚାହିଦା ମେଣ୍ଟାଇବାକୁ ବାଧ୍ୟହେବ। ଫଳସ୍ବରୂପ ଅନେକ ଭାରତୀୟ ନାଗରିକ ଏହି ଟିକାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। କାରଣ ଭାରତର ନିଜସ୍ବ ଜନସଂଖା ଏବେ ୧.୫ ବିଲିୟନ ହୋଇଗଲାଣି। ଏତେ ବିରାଟକାୟ ଜନସଂଖ୍ୟାର ଚାହିଦାକୁ ମେଣ୍ଟାଇବା ପରିବର୍ତ୍ତେ ବିଦେଶୀଙ୍କୁ ଭେଟିଦେବା ଫଳରେ ଭାରତ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ। ଏହି ବାସ୍ତବ ସ୍ଥିତିକୁ ସ୍ବୀକାର କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଭିନ୍ନ ବିଷୟରେ ଆଲୋଚନା କରି ଲୋକଙ୍କ ଦୃଷ୍ଟିକୁ, ସଫଳତାର ସହିତ, ବାରମ୍ବାର ବାଟବଣା କରୁଛି। ଯେହେତୁ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଗଣମାଧ୍ୟମ କେନ୍ଦ୍ର ସରକାରଙ୍କ ହାତମୁଠା ଭିତରେ ରହିଛନ୍ତି, ସେହେତୁ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ଭାରତ ଆଜି ତା’ର ଭାବମୂର୍ତ୍ତିରେ କ୍ଷତି ଘଟୁଥିବାର ହୃଦ୍‌ବୋଧ କରୁଛି। ତଥାପି ଅନେକ ଅନ୍ଧ ନାଗରିକ ଏହି ସତ୍ୟକୁ ଚିହ୍ନିବା ପରିବର୍ତ୍ତେ ରାଜନୈତିକ ହୀନମନ୍ୟତାରେ ବୁଡ଼ି ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri