ବିଦେଶୀଙ୍କ ଚକ୍ଷୁରେ

ନିକଟରେ ସ୍ବିଡେନ୍‌ର ଭେରାଇଟିଜ୍‌ ଅଫ୍‌ ଡେମୋକ୍ରାସି ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତ ଏକ ଇଲେକ୍ଟୋରାଲ ଅଟୋକ୍ରାସି ବା ନିର୍ବାଚିତ ଏକଚ୍ଛତ୍ର ଶାସନରେ ପରିଣତ ହୋଇଥିବା କୁହାଯାଇଛି। ଏପରି କି ଭାରତର ସ୍ଥିତି ପାକିସ୍ତାନ ଭଳି ହୋଇଯାଇଥିବା ବେଳେ ବାଂଲାଦେଶ ଓ ନେପାଳଠାରୁ ଖରାପ ସ୍ତରକୁ ଆସିଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
କିଛିବର୍ଷ ପୂର୍ବେ ଯେତେବେଳେ କେନ୍ଦ୍ରରେ ଭାଜପା ଶାସନ ଆସିଲା, ସେତେବେଳେ ମନେହେଲା ଯେପରି ଭାରତର ଅନ୍ତର୍ଜାତୀୟ ଭୂମିକା ବୃଦ୍ଧି ପାଇବ। ଲାଗିପଡ଼ି ଧାରଣା ସୃଷ୍ଟି କରାଗଲା ସତେଯେମିତି ଏହି ସରକାରଙ୍କ କାୟାବିସ୍ତାର ଫଳରେ ଭାରତୀୟ କୂଟନୀତି ମଧ୍ୟ ଶକ୍ତିଶାଳୀ ହୋଇଛି। ଯେହେତୁ ଅଧିକାଂଶ ଭାରତୀୟ ବିଦେଶୀ ଗଣମାଧ୍ୟମ ସହିତ ସମ୍ପୃକ୍ତ ରୁହନ୍ତି ନାହିଁ, ସେହେତୁ ସେମାନଙ୍କୁ ଦେଶର ଆଭ୍ୟନ୍ତରୀଣ ଗଣମାଧ୍ୟମ ଦ୍ୱାରା ତ୍ରୁଟିପୂର୍ଣ୍ଣ ଧାରଣା ସୃଷ୍ଟି କରାଇ ଦିଆଯାଇପାରିଲା। ଯେତେବେଳେ କଲମ୍ବୋ ବନ୍ଦର ପ୍ରକଳ୍ପରୁ ଭାରତକୁ ବିଦା କରିବା ପାଇଁ ଶ୍ରୀଲଙ୍କା ସରକାର ନିଷ୍ପତ୍ତି ନେଲେ ସେତେବେଳେ ଭାରତୀୟ ଗଣମାଧ୍ୟମ ଖବରଟିକୁ ଲୁକ୍କାୟିତ ରଖିଲା। ସେହିପରି ଯେତେବେଳେ ଗଲଓ୍ବାନ ଘାଟିରେ ଅନେକ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଲା, ତାହାକୁ ଘୋଡ଼ାଇବା ପାଇଁ ଭାରତୀୟ ଗଣମାଧ୍ୟମ ଅଧିକ ସ୍ଥାନ ଦେଲା। ଏହାଫଳରେ ଦେଶର ନାଗରିକ ବାସ୍ତବ ସ୍ଥିତି ବୁଝିବାରୁ ବଞ୍ଚିତ ହେଲେ। ଏହିଭଳି ଅନେକ ଉଦାହରଣ ରହିଛି ଯେଉଁଥିରେ ପ୍ରମାଣ ମିଳିଛି ଯେ, ଅସତ୍ୟ ପ୍ରଚାର କରି ଆଜିର ସରକାର ନିଜର ଭାବମୂର୍ତ୍ତି ବୃଦ୍ଧି କରାଉଛି। ଏହି ପ୍ରକ୍ରିୟା ୨୦୧୬ ନଭେମ୍ବର ବିମୁଦ୍ରୀକରଣଠାରୁ ପରିଚିତ ହେଲା। ସେତେବେଳେ କୁହାଗଲା ଭାରତୀୟ ଟଙ୍କାକୁ ବଦଳାଇ ଦିଆଯିବା ଫଳରେ କଳାଧନର ସମାପ୍ତି ଘଟିବା ସହ ଧନୀ ଲୋକଙ୍କ କେନ୍ଦରା ବାଜିଲା। ଦୀର୍ଘ ୪ ବର୍ଷ ପୂରିଯାଇଛି ଏବଂ ସେତେବେଳେ କେନ୍ଦ୍ର ସରକାରଙ୍କ ଘୋଷଣାର ବାସ୍ତବତା ନିରପେକ୍ଷ ଭାରତୀୟ ଅତି ସହଜରେ ବୁଝି ପାରୁଥିବେ। ଅସତ୍ୟ ଖବର ପ୍ରଚାର କରାଇ ଲୋକଙ୍କୁ ବାଟବଣା କରିବା ହେଉଛି ଏକଚ୍ଛତ୍ରବାଦର ପ୍ରଥମ ସୋପାନ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଦୁଇ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ପ୍ରଚଳନକୁ ପ୍ରାୟ ସବୁ ରାଜ୍ୟରେ ଏବଂ ବିଶେଷକରି ଉତ୍ତର ଭାରତରେ ପ୍ରବଳ ବିରୋଧ କରାଯାଉଛି। ଧାରଣା ଦେଇ ବସିଥିବା ଚାଷୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଲାଣି। କିନ୍ତୁ ବଡ଼ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ମନସ୍ଥ କରିଥିବା କେନ୍ଦ୍ର ସରକାର ଆଜି ତା’ର ନିଷ୍ପତ୍ତିରେ ଅଟଳ। ଗଣତାନ୍ତ୍ରିକ ଦେଶରେ ଭୋଟଦାତାର ମତ ସବୁବେଳେ ସର୍ବୋଚ୍ଚ ବୋଲି ଚିନ୍ତା କରାଯାଏ। ଏହି ଧାରଣାକୁ ଆଜିର ଭାରତରେ କେନ୍ଦ୍ର ସରକାର ଭୁଲ୍‌ ପ୍ରମାଣ କରିବା ପାଇଁ ଆଗଭର ହୋଇ ବାହାରି ପଡ଼ିଛନ୍ତି। ସେହିଭଳି ଜଳବାୟୁ କର୍ମୀ ଦିଶା ରବିଙ୍କ ଗିରଫ, ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼, ହତ୍ୟା ଓ ଗିରଫ ସହ ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାର ମନ୍ଦ ଉଦ୍ଦେଶ୍ୟକୁ ଏବେ ଅନ୍ତର୍ଜାତୀୟ ସ୍ତରରେ ସମସ୍ତେ ଚିହ୍ନିବାକୁ ଆରମ୍ଭ କଲେଣି। ଭାରତର ପ୍ରତିଷ୍ଠିତ ବୈଦେଶିକ ନୀତିକୁ ଏକ ବ୍ୟକ୍ତିବିଶେଷ ପରିବର୍ତ୍ତନ କରିବାକୁ ଚେଷ୍ଟାକରିବା ଫଳରେ ନେପାଳଠାରୁ ଆରମ୍ଭ କରି ସବୁ ଦେଶ ଆଜି ଭାରତକୁ ବେଖାତିର କରୁଛନ୍ତି। ଅନ୍ୟ ଏକ ଘଟଣାକ୍ରମେ ଓଭରସିଜ୍‌ ସିଟିଜେନ୍‌ଶିପ୍‌ ଅଫ୍‌ ଇଣ୍ଡିଆ (ଓସିଆଇ) ବା ବିଦେଶରେ ରହୁଥିବା ଭାରତୀୟମାନେ ସରକାରଙ୍କ ସପକ୍ଷରେ ରହିବେ ବୋଲି ଚିନ୍ତା କରାଯାଉଥିଲା। ତାହାର ଭିନ୍ନ ଦିଗ କୃଷକ ଆନ୍ଦୋଳନରେ ଦେଖିବାକୁ ମିଳିଲା। ବିଭିନ୍ନ ଦେଶର ରାଜଧାନୀରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ପ୍ରତିବାଦ ଏବଂ ବିକ୍ଷୋଭ ହେଲାବେଳକୁ ବିଦେଶରେ ରହୁଥିବା ଭାରତୀୟ ସେମାନଙ୍କୁ ପ୍ରତିରୋଧ କଲେନାହିଁ। ସେଥିପାଇଁ ଓସିଆଇ କାର୍ଡ ମାଧ୍ୟମରେ ଦିଆଯାଇଥିବା ବିଭିନ୍ନ ସୁବିଧାସୁଯୋଗକୁ ପ୍ରତ୍ୟାହାର କରିନେବାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ବିଫଳ ବୈଦେଶିକ ନୀତିର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ।
ଶେଷ ଆଶ୍ରୟ ଭାବେ କ୍ୱାଡ୍‌ ଗୋଷ୍ଠୀରେ ଯୋଗଦେଇ ଭାରତର ନେତୃତ୍ୱ ଚିନ୍ତାକଲେ ଯେ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଆମ ଦେଶକୁ ସାହାଯ୍ୟ କରିବେ। ଏହି ସମର୍ଥନ କେବଳ ଚାଇନାକୁ ସମ୍ମୁଖୀନ ହେବା ପାଇଁ ଲୋଡ଼ାଯାଇଛି। ତେବେ ୧୨ ମାର୍ଚ୍ଚରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଅନ୍ୟ ୩ ଦେଶର ନେତୃବୃନ୍ଦ ଭାରତ ଉପରେ ଏକ ବିରାଟ ବୋଝ ଲଦିଦେଇଛନ୍ତି। ସଦ୍ୟ କ୍ୱାଡ୍‌ ନିଷ୍ପତ୍ତି ଅନୁଯାୟୀ, ଏହି ଗୋଷ୍ଠୀ ଏକ ବିଲିୟନ କୋଭିଡ୍‌ ଭ୍ୟାକ୍‌ସିନ୍‌ ଚାଇନାର ପଡ଼ୋଶୀ ଦେଶମାନଙ୍କୁ ଯୋଗାଇବ। ଯେହେତୁ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆରେ ଏଭଳି ଟିକା ପ୍ରସ୍ତୁତକାରୀ କାରଖାନା ନାହିଁ, ସେଥିପାଇଁ ଭାରତ ସମ୍ପୂର୍ଣ୍ଣ ଚାହିଦା ମେଣ୍ଟାଇବାକୁ ବାଧ୍ୟହେବ। ଫଳସ୍ବରୂପ ଅନେକ ଭାରତୀୟ ନାଗରିକ ଏହି ଟିକାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। କାରଣ ଭାରତର ନିଜସ୍ବ ଜନସଂଖା ଏବେ ୧.୫ ବିଲିୟନ ହୋଇଗଲାଣି। ଏତେ ବିରାଟକାୟ ଜନସଂଖ୍ୟାର ଚାହିଦାକୁ ମେଣ୍ଟାଇବା ପରିବର୍ତ୍ତେ ବିଦେଶୀଙ୍କୁ ଭେଟିଦେବା ଫଳରେ ଭାରତ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ। ଏହି ବାସ୍ତବ ସ୍ଥିତିକୁ ସ୍ବୀକାର କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଭିନ୍ନ ବିଷୟରେ ଆଲୋଚନା କରି ଲୋକଙ୍କ ଦୃଷ୍ଟିକୁ, ସଫଳତାର ସହିତ, ବାରମ୍ବାର ବାଟବଣା କରୁଛି। ଯେହେତୁ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଗଣମାଧ୍ୟମ କେନ୍ଦ୍ର ସରକାରଙ୍କ ହାତମୁଠା ଭିତରେ ରହିଛନ୍ତି, ସେହେତୁ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ଭାରତ ଆଜି ତା’ର ଭାବମୂର୍ତ୍ତିରେ କ୍ଷତି ଘଟୁଥିବାର ହୃଦ୍‌ବୋଧ କରୁଛି। ତଥାପି ଅନେକ ଅନ୍ଧ ନାଗରିକ ଏହି ସତ୍ୟକୁ ଚିହ୍ନିବା ପରିବର୍ତ୍ତେ ରାଜନୈତିକ ହୀନମନ୍ୟତାରେ ବୁଡ଼ି ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଦେଶ୍ୟ ମହତ୍‌ ହେଲେ ହେଲା

ଡ. ଚିନ୍ତାମଣି ପଣ୍ଡା ରାଜ୍ୟ ଶାସନ କରିବାକୁ ହେଲେ ଚାଣକ୍ୟଙ୍କର ଚତୁରଙ୍ଗ ନୀତିକୁ ଅନେକେ ଅନୁକରଣ କରିଥାନ୍ତି। ତାହା ହେଲା ସାମ, ଦାନ, ଦଣ୍ଡ ଓ...

ଶିଶୁ ସ୍ବାସ୍ଥ୍ୟରେ ପୁଷ୍ଟିର ସହାୟତା

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। ଚଳିତବର୍ଷର ସ୍ଲୋଗାନ ରହିଛି ‘ସାଧାରଣ ଶିଶୁ...

ଚାଷୀ କଥା ଶୀଘ୍ର ବୁଝ

ଇଂ. ବିଦ୍ୟାଧର ପଣ୍ଡା ବଗଲା ବଗୁଲୀ ଦୁଇ ପ୍ରାଣୀ। ବଗଲା ଘର ବରଗଡ଼। ବଗୁଲୀ ବାପଘର ପଦ୍ମପୁର। ବାହାଘରକୁ କୋଡ଼ିଏ ବର୍ଷ ହେଲାଣି। ଦି’ ଚାରିବର୍ଷରେ...

କ୍ୱାଡ୍‌

ପୂର୍ବ ଲଦାଖଠାରେ ଭାରତ ଓ ଚାଇନା ଗତ ମେ’ରୁ ସାମ୍ନାସାମ୍ନି ହୋଇ ଚାଲିଛନ୍ତି। ଭାରତର ୨୦ ଯବାନଙ୍କ ପ୍ରାଣ ଯାଇଥିବା ବେଳେ ଚାଇନା ଅଦ୍ୟାବଧି ତା’...

ଏଇ ଭାରତରେ

ଦାଦନ ଶ୍ରମିକଙ୍କୁ ଶୋଷଣକାରୀଙ୍କ ବେଡ଼ିରୁ ମୁକ୍ତିଦେବା ସହ ସେମାନଙ୍କୁ ଥଇଥାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କର୍ନାଟକର ଡ. କିରନ ପ୍ରସାଦ। ଦୀର୍ଘ ୩୦...

ଚାଷୀ ହସିଲେ ଓଡ଼ିଶା ହସିବ

ସବ୍ୟସାଚୀ ଅମିତାଭ   ଓଡ଼ିଶାର ଶତକଡ଼ା ସତୁରି ଭାଗ ଲୋକଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ। ତେଣୁ ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷି ଉତ୍ପାଦନ ଉପରେ...

‘ଐତିହାସିକ’ ମାନେ ବୁଝନ୍ତୁ

ସହଦେବ ସାହୁ   କିଛି ଗୋଟିଏ ନୂଆ ନାଁ ଦେଇ ପ୍ରକଳ୍ପଟିଏ ଚାଲୁ କଲାବେଳେ ପ୍ରାଦେଶିକ ସ୍ତରରେ ହେଉ କି କେନ୍ଦ୍ରରେ ହେଉ, ସରକାର କହନ୍ତି...

ଆପେକ୍ଷିକ ସତ୍ୟର ଅସ୍ବୀକାରରେ ପରାହତ ସତ୍ୟ

ଦିଲୀପ କୁମାର ଦାଶ ୧୯୫୦ରେ ଅକିରା କୁରୋସାବାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ରଶୋମନ ଏକ ଗୂଢ଼ ଦାର୍ଶନିକ ପ୍ରଶ୍ନ ଉଠାଇଥିଲା। ତାହା ଥିଲା, ସତ୍ୟର ପ୍ରତିଷ୍ଠାକୁ...

Advertisement
Archives

Model This Week