ଆଲୋକବର୍ତ୍ତିକା

ତମେ ଯେତେବେଳେ ନିଜ ଭିତରେ ଆଲୋକ ପ୍ରଜ୍ୱଳିତ କର ସେତେବେଳେ ତୁମେ ସାରା ଜଗତର ଆଲୋକ ହୋଇଉଠ। ଏକଥାଟି କହିବାର ଆବଶ୍ୟକତା ବହୁତ ବେଶି। ତା’ର କାରଣ ଯାହା ହେଉ ନା କାହିଁକି ଯଦି ସେ ନିଜକୁ ଉପଲବ୍ଧି କରିଛି ତେବେ ତା’ର କଥାଗୁଡ଼ିକ ଆପଣାଛାଏଁ ଅନ୍ୟମାନଙ୍କ ଭିତରେ ଉପଲବ୍ଧ କରାଇହବ। ସେଥିପାଇଁ ସେମାନଙ୍କୁ କୌଣସି ପ୍ରକାରର ସଂସ୍ଥା, ସଂଘଟନ କରିବାର ଆବଶ୍ୟକତା ନ ଥାଏ। ସୂର୍ଯ୍ୟର ଆଲୋକ ପରି ସେହି ଆଲୋକର ସଂସ୍ପର୍ଶରେ ଆସିଲେ ଏପରି କି ସାଧାରଣ କଥା ଭିତରେ ବି ତାଙ୍କ ଉପଲବ୍ଧିର ଝଙ୍କାର ଥାଏ। ସେମାନଙ୍କୁ ‘ମୁଁ ଅମୁକ କି ସମକ’ କିବା ”ମୁଁ ସବୁ ଜାଣେ ତମକୁ ବତେଇ ଦେବି କି ତମେ ତମର ଶିଖରରେ ପହଞ୍ଚିଯିବ“ ସେପରି ପ୍ରଚାର କରିବାର ଆବଶ୍ୟକତା ନ ଥାଏ। କାରଣ ଗୋଟାଏ ବିରାଟ ସମୁଦ୍ରକୁ ଯଦି ଜଣେ ନିଜର ଆଞ୍ଜୁଳି ଭିତରେ ଧରି କହେ ଯେ ଏଇ ହେଉଛି ସମୁଦ୍ର ତେବେ ସେଇ ରକମର ଧୃଷ୍ଟତା ସେଇ ବ୍ୟକ୍ତିମାନେ କରନ୍ତି, ଯେଉଁମାନେ ନିଜକୁ ସର୍ବେସର୍ବା ବୋଲି କହି ହୁଅନ୍ତି। ସେମାନଙ୍କ ମନ ଭିତରେ ଥିବା ଅହଂର ଗର୍ବ ସେମାନଙ୍କୁ ନିର୍ଦ୍ଦୟ ଓ ବ୍ୟଭିଚାରୀ କରି ଦେଇଥାଏ। ଅବଶ୍ୟ ତା’ ଭିତରୁ କେହି ଜଣେ ଅଧେ ଅଛନ୍ତି ଯେଉଁମାନେ ସାଧାରଣ ଜନତାଙ୍କୁ ଦୁଃଖର କାରଣ ବିଷୟରେ ଅବଗତ କରାନ୍ତି। ସେମାନେ କେବଳ ଏତିକି କହନ୍ତି ଯେ ସେମାନେ କେବେହେଲେ କାହାରିକୁ ସେଇ ଶୀର୍ଷ ସ୍ଥାନରେ ନେଇ ପହଞ୍ଚେଇ ଦେଇପାରିବେ ନାହିଁ। ଯେ ପର୍ଯ୍ୟନ୍ତ ଜଣେ ଦୁନିଆ ଯାକର ନାନା ପ୍ରକାରର କୁସଂସ୍କାର, ପ୍ରଥା ପରମ୍ପରା ଭିତରେ ଦିନ କଟାଇ ଚାଲିଥିବ ତା ’ଅନ୍ତରରେ କଦାପି ସେଇ ଜ୍ଞାନର ପ୍ରଦୀପ ଜଳିପାରିବ ନାହିଁ।
ମଣିଷ ହିଁ ଭଲମନ୍ଦର ବିଚାର କରିପାରେ ଯେଉଁଟା ପଶୁମାନଙ୍କଠାରେ ନ ଥାଏ। ହେଲେ ସେଇ ପଶୁ ପ୍ରବୃତ୍ତିଗୁଡ଼ିକ ଆମେ ଛାଡ଼ି ପାରିନାହୁଁ। ଯଦିଓ ପଶୁଟିଏ ଗୋଟିଏ ଶିକାର କରି ତାକୁ ଖାଇସାରିବା ପରେ ବି ଅନ୍ୟ ଇତର ପଶୁମାନଙ୍କ ପାଇଁ ଅର୍ଥାତ୍‌ ଯେଉଁଗୁଡ଼ିକ ତା’ର ଆହାରର ବଳକା ଅଂଶଗୁଡ଼ିକ ଖାଇବାକୁ ଅପେକ୍ଷା କରି ଚାହିଁ ବସିଥାନ୍ତି ତାଙ୍କ ପାଇଁ ସ୍ଥାନ ଛାଡ଼ି ଚାଲିଯାଏ। ଅଥଚ ମଣିଷ ମନର ଲୋଭ ତାକୁ ସେପରି କରିବାକୁ ବାଟ ଛାଡ଼େନାହିଁ। ତା’ର ପିଲା ପରିବାରଙ୍କ ପାଇଁ ସାଇତି ରଖିଦିଏ। ଏପରି କି ଯାହା ବଳିଯାଏ ତାକୁ ଭବିଷ୍ୟତ ପାଇଁ ସାଇତିଦିଏ। ସେଇ ଦୃଷ୍ଟିରୁ ଦେଖିଲେ ମଣିଷର ବିବେକ ଥାଇ ନ ଥିବା ପରି ମନେହୁଏ। ତେବେ ତମେ କୁହ କୋଉ ଗୁଣରେ ମଣିଷ ପଶୁଠାରୁ ଉନ୍ନତ ? ଆହୁରି ପୁଣି ମଣିଷ କେଡ଼େ ଆସୁରିକ ପ୍ରବୃତ୍ତି ଧରି ରଖିଛି ତାହା ତ ବିଭିନ୍ନ ଖବରକାଗଜ ଦେଖିଲେ କି ଟିଭିର ଖବରଗୁଡ଼ିକ ଶୁଣିଲେ ସହଜରେ ବୁଝି ହୋଇଯାଏ। ଏଠି ଗୋଟିଏ ଉଦାହରଣ ଦେଉଛି ସେପରି ଉଦାହରଣଠାରୁ ଆହୁରି ବୀଭତ୍ସ ଉଦାହରଣରେ ଆମ ସମାଜ ଭରପୂର, ଯାହାକୁ ପୁଣି ସଭ୍ୟ ସମାଜ ବୋଲି କୁହାଯାଏ! ତା’ର ରେଖରୂପ ଦେଖିଲେ ଆମେ ମଣିଷମାନେ ଯେ କେତେ ବୀଭତ୍ସ, କେତେ ବିଶୃଙ୍ଖଳ ଓ ନୃଶଂସ ହୋଇପଡ଼ିଛେ ସହଜରେ ବୁଝିହୋଇଯିବ। ପୁଅଟିଏ ଝିଅକୁ ପ୍ରେମ କରି ଏକାଠି ରହିଲେ। ତା’ପରେ ଦିନେ ସେ ପୁଅଟିର ମୁଣ୍ଡରେ କ’ଣ ପଶିଲା ସେ ଗୋଟିଏ ଧାରୁଆ ଛୁରି ସାହାଯ୍ୟରେ ତାକୁ ହାଣି ଟିକି ଟିକି କରି ଲୁଚାଇବାକୁ ବାଟ ନ ପାଇ ତା ଫ୍ରିଜ୍‌ ଭିତରେ ପୂରେଇ ରଖିଲା। ଆଉ ଅଳ୍ପ ଅଳ୍ପ କରି କୌଣସି ଦୂର ଜାଗାରେ ନଷ୍ଟ କରିବାକୁ ଯାଉଥିଲା। ଧରା ତ ପଡ଼ିଲା ହେଲେ ଯେତେ ଯାହା କଲେ ବି କ’ଣ ସେଇ ପୂର୍ବ ଅବସ୍ଥାକୁ ଫେରି ପାରିଲା ? କୌଣସି କାରଣରୁ ଯଦି କେହି ଗୋରୁନେଇ ରାସ୍ତାରେ ଗଲା ତେବେ ଟଙ୍କା ପାଇବା ଆଶାରେ ତାକୁ ଧରି ଆଣି ଗୋଟାଏ ଖୁଣ୍ଟରେ ବାନ୍ଧି ଦୁଇତିନି ଜଣ ମିଶି ବାଡ଼ାଇ ମାରିଦେଉଛନ୍ତି। ଏଇ ହେଉଛି ଆମ ଧାର୍ମିକପଣିଆର ପୃଷ୍ଠପୋଷକତା। ଏମାନେ ସମସ୍ତେ ଭୁଲିଯାଇଛନ୍ତି ଯେ ଧର୍ମ ଅଧର୍ମର ନ୍ୟାୟନିକିତି ସଦାବେଳେ ଜାଗ୍ରତ। ତେଣୁ ନିଜ ଭିତରେ ନିଜ ବିବେକକୁ ଜାଗ୍ରତ କର। ତା’ ଭିତର ଦେଇ ନିଜ ଜୀବନର ଟିକିନିଖି ଦେଖିନିଅ-ଭାବନା ଓ କର୍ମକୁ ନେଇ ଜୀବନ ପରିଚାଳିତ ହୋଇଥାଏ। ପ୍ରତି ମୁହୂର୍ତ୍ତରେ ଦେଖ, ତମ ଭିତରେ ନିଜ ବିବେକର ଆଲୋକ ବର୍ତ୍ତିକା ସଦୃଶ ଜାରି ରଖ, ଅଖଣ୍ଡ ପ୍ରଦୀପ ଜାଳିଲା ପରି ତାକୁ ବି ସଦାସର୍ବଦା ଜଳାଇ ରଖ ଯେତେ ଯାହା ହେଉପଛକେ ତାକୁ ଲିଭାଇ ଦିଅ ନାହିଁ।

  • ଆରତି ମହାନ୍ତି
    ଶ୍ରୀରାମ ନଗର, ଭୁବନେଶ୍ୱର
    ମୋ : ୯୬୯୨୦୯୮୦୫୪

Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri