Posted inଜାତୀୟ

ତଦନ୍ତ ନ ସରିଲେ ଅଭିଯୁକ୍ତଙ୍କୁ ଜାମିନ

ନୂଆଦିଲ୍ଲୀ,୧୮ା୧୧: କୌଣସି ମାମଲାର ତଦନ୍ତ ନିର୍ଦ୍ଧାରିତ ସମୟରେ ଶେଷ ନ ହେଲେ ଅଭିଯୁକ୍ତଙ୍କୁ ‘ଡିଫଲ୍ଟ ବେଲ୍‌’ ମିଳିବ। ସମ୍ବିଧାନର ଅନୁଚ୍ଛେଦ ୨୧ ବେଆଇନ ଅଟକ ବିରୋଧରେ ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ। ଏହି ଧାରା ଅନୁସାରେ ଅଭିଯୁକ୍ତଙ୍କ ଡିଫଲ୍ଟ ବେଲ୍‌ ପାଇବା ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟର ୩ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଜଷ୍ଟିସ୍‌ ୟୁ.ୟୁ. ଲଲିତ, ଏମ୍‌.ଏମ୍‌. ଶାନ୍ତାନାଗୌଡ଼ାର ଓ ବୀନିତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଯଦି ତଦନ୍ତକାରୀ ସଂସ୍ଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଦନ୍ତ ଶେଷ ନ କରେ ତେବେ ମାମଲାର ମେରିଟ୍‌
ଥାଉ କି ନ ଥାଉ, ଅଭିଯୁକ୍ତଙ୍କୁ ଡିଫଲ୍ଟ ଜାମିନ ମିଳିବା ଉଚିତ। ଅପରାଧ ଦଣ୍ଡ ସଂହିତା (ସିଆର୍‌ପିସି) ଧାରା୧୬୭(୨) ଅନୁଯାୟୀ ତଦନ୍ତକାରୀ ସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ ଭାବେ ଆବଶ୍ୟକ ପ୍ରମାଣ ସଂଗ୍ରହ କରିବ।
ଏଥିରେ ବିଚ୍ୟୁତି ଘଟିଲେ ଅଭିଯୁକ୍ତଙ୍କୁ ଆଉ ଅଧିକ ସମୟ ଅଟକ ରଖାଯାଇ ପାରିବ ନାହିଁ। ଉପରୋକ୍ତ ଧାରା ଅନୁସାରେ ମୃତ୍ୟୁ ଦଣ୍ଡ, ଆଜୀବନ କିମ୍ବା ୧୦ ବର୍ଷରୁ ଅଧିକ ଅବଧିର ଜେଲ୍‌ ଦଣ୍ଡାଦେଶ ହେଉଥିବା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ସର୍ବାଧିକ ୯୦ ଦିନ ହାଜତରେ ରଖାଯାଇ ପାରିବ। ଅନ୍ୟ ଅପରାଧ ସହିତ ତଦନ୍ତ ସମ୍ପର୍କିତ ଥିଲେ ଅଭିଯୁକ୍ତଙ୍କୁ ୬୦ ଦିନ ହାଜତରେ ରଖାଯାଇ ପାରିବ। ତେବେ ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସେସ୍‌ (ଏନ୍‌ଡିପିଏସ୍‌) ଆଇନ ଭଳି କେତେକ ବିଧି ବଳରେ ଅଭିଯୁକ୍ତଙ୍କ ଅଟକ ମିଆଦକୁ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ଏହି ସମୟ ସୀମା ଭିତରେ ତଦନ୍ତ ଶେଷ ହୋଇ ନ ପାରିଲେ ଗିରଫ ବ୍ୟକ୍ତି ଡିଫଲ୍ଟ ବେଲ୍‌ ପାଇବାକୁ ହକ୍‌ଦାର ବୋଲି ଅକ୍ଟୋବର ୨୬ରେ ଖଣ୍ଡପୀଠ ରାୟ ଦେଇଥିଲେ।
୨୦୧୮ ଅଗଷ୍ଟରେ ଏନ୍‌ଡିପିଏସ୍‌ ଆଇନ, ୧୯୮୫ ବଳରେ ଏମ୍‌. ରବୀନ୍ଦ୍ରନଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ରିମାଣ୍ଡରେ ନ୍ୟାୟିକ ହାଜତକୁ ନିଆଯାଇଥିଲା। ରବୀନ୍ଦ୍ରନ ଜାମିନ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୮୦ ଦିନ ମଧ୍ୟରେ ତଦନ୍ତ ଶେଷ ହୋଇ ନ ଥିବାବେଳେ ଚାର୍ଜଶିଟ୍‌ ମଧ୍ୟ ଦାଖଲ କରାଯାଇ ନ ଥିବା ଦର୍ଶାଇ ସେ ଡିଫଲ୍ଟ ବେଲ୍‌ ଆବେଦନ କରିଥିଲେ। ତଳ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। କିନ୍ତୁ ଅଭିଯୋଜନକାରୀ ପକ୍ଷ ଅଭିଯୁକ୍ତଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଦାଖଲ କରିଥବା ଦର୍ଶାଇ ୨୦୧୯ ନଭେମ୍ବରରେ ମାଡ୍ରାସ୍‌ ହାଇକୋର୍ଟ ଉକ୍ତ ଜାମିନକୁ ଖାରଜ କରିଦେଇଥିଲେ। ଫଳରେ ରବୀନ୍ଦ୍ରନ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ସର୍ବୋଚ୍ଚ ଅଦାଲତ ୫୬ ପୃଷ୍ଠା ସମ୍ବଳିତ ରାୟରେ ଆହୁରି କହିଥିଲେ, ଏହି ଡିଫଲ୍ଟ ବେଲ୍‌ ଯୋଗୁ ତଦନ୍ତକାରୀ ଅଧିକାରୀମାନେ ସୁରୁଖୁରୁରେ ଓ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବେ, ଯଦ୍ଦ୍ବାରା ଅଧିକ ସମୟ ରିମାଣ୍ଡକୁ ଦୁରୁପଯୋଗ କରାଯାଇ ପାରିବ ନାହିଁ। ସେହିପରି କୋର୍ଟ ମଧ୍ୟ ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ତାରିଖଠାରୁ ଅଧିକ ବିଳମ୍ବ ନ କରି ମାମଲାକୁ ସଜ୍ଞାନକୁ ନେବେ। ଏପରି କରାଗଲେ ଆପରାଧିକ ନ୍ୟାୟ ବ୍ୟବସ୍ଥା ପ୍ରତି ସମାଜ ଆସ୍ଥା ହରାଇବ ନାହିଁ ଓ ନୈରାଶ୍ୟଭାବ ସୃଷ୍ଟି ହେବ ନାହିଁ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଅନେକ ପୂର୍ବ ମାମଲାର ରାୟ ଓ ଭାରତର ଆଇନ କମିଶନଙ୍କ ରିପୋର୍ଟକୁ ଅନୁଧ୍ୟାନ କରି ଉପରୋକ୍ତ ରାୟ ଦେଇଥିଲେ। ୨୦୦୧ରେ ମଧ୍ୟ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାରେ ଡିଫଲ୍ଟ ବେଲ୍‌କୁ ‘ଅପରିହାର୍ଯ୍ୟ ଅଧିକାର’ ବୋଲି ଅଭିହିତ କରିଥିଲେ, ଯାହାର ଅବତାରଣା ସଦ୍ୟ ମାମଲାରେ ଖଣ୍ଡପୀଠ କରିଛନ୍ତି। ଅଦାଲତ କହିଛନ୍ତି, ଅଭିଯୁକ୍ତ ଏହି ଅଧିକାର ପାଇବାକୁ ଯୋଗ୍ୟ ହୋଇଥିଲେ ତାଙ୍କ ଓକିଲ ଓ ମାଜିଷ୍ଟ୍ରେଟ୍‌ ତାଙ୍କୁ ଏନେଇ ଅବଗତ କରାଇବେ। ବିଶେଷକରି ଅଭିଯୁକ୍ତ ଜଣକ ସମାଜର ବଞ୍ଚତ୍ତ ବର୍ଗର ହୋଇଥିଲେ ଏବଂ ନିଜ ଆଇନଗତ ଅଧିକାରଗୁଡ଼ିକ ସମ୍ପର୍କରେ ସୂଚନା ପାଉ ନ ଥିଲେ ତାଙ୍କୁ ଏ ସମ୍ପର୍କରେ ଜଣାଇବା ଜରୁରୀ। ଡିଫଲ୍ଟ ବେଲ୍‌ ପାଇଁ ଅଭିଯୁକ୍ତ ଆବେଦନ କରିବା ପରେ ସେ ଏହି ଧରଣର ଜାମିନ ପାଇ ମୁକୁଳିବା ଲାଗି ଅଧିକାର ପ୍ରାପ୍ତ ବୋଲି ବିଚାର କରିବାକୁ ପଡ଼ିବ। ଏପରି କି ଜାମିନ ଆବେଦନ ବିଚାରାଧୀନ ଥିଲେ, ଚାର୍ଜଶିଟ୍‌ କିମ୍ବା କୌଣସି ଆପ୍ଲିକେଶନ ଦାଖଲ ପାଇଁ ସମୟ ସୀମା ବୃଦ୍ଧି ସକଶେ ପିଟିଶନ ଦାଏର ହୋଇଥିଲେ ମଧ୍ୟ ଅଭିଯୁକ୍ତ ଏହି ଅଧିକାର ପାଇପାରିବେ। କିନ୍ତୁ ହାଜତରୁ ଅଭିଯୁକ୍ତଙ୍କ ମୁକ୍ତି ଜାମିନ ପ୍ରଦାନ ବେଳେ କୋର୍ଟଙ୍କ ରାୟ ଉପରେ ନିର୍ଭର କରେ। ଅଭିଯୁକ୍ତ ଜାମିନଦାରଙ୍କୁ ଉପସ୍ଥିତ କିମ୍ବା ଜାମିନର ସର୍ତ୍ତ ପୂରଣ କରାଇ ନ ପାରିଲେ ତାଙ୍କୁ ଅଟକ ରଖାଯାଇ ପାରିବ। ଯଦି ଅଭିଯୁକ୍ତ ଉପଯୁକ୍ତ ସମୟରେ ଜାମିନ ଆବେଦନ ନ କରନ୍ତି ଏବଂ ଏହା ପରେ ଏକ ଚାର୍ଜଶିଟ୍‌ କିମ୍ବା ଆକ୍ସଟେନ୍‌ଶନ ରିପୋର୍ଟ ଦାଖଲ କରାଯାଏ ତେବେ ଡିଫଲ୍ଟ ବେଲ୍‌ ପାଇଁ ଅଧିକାର ଶେଷ ହୋଇଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ଅନୁଚ୍ଛେଦ ୩୨
ନାଗରିକଙ୍କୁ ବିଧି ପ୍ରଦତ୍ତ ଅନେକ ଅଧିକାର ପ୍ରାପ୍ତ ହୋଇଥାଏ। ଏହି କ୍ରମରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨ ନାଗରିକ ଅଧିକାରଗୁଡ଼ିକର ପ୍ରବର୍ତ୍ତନ ପାଇଁ ଏକ ବଳିଷ୍ଠ ଉପଚାର। ଉକ୍ତ ଧାରାର ଉପଧାରା ୨ ସୁପ୍ରିମକୋର୍ଟଙ୍କୁ ନାଗରିକ ଅଧିକାରଗୁଡ଼ିକର ପ୍ରବର୍ତ୍ତନ ପାଇଁ ବନ୍ଦୀ ପ୍ରତ୍ୟକ୍ଷୀକରଣ(ରିଟ୍‌ ଅଫ୍‌ ହେବିଅସ୍‌ କର୍ପସ୍‌), ପରମାଦେଶ(ମାଣ୍ଡାମସ୍‌), ନିଷେଧାଦେଶ(ପ୍ରୋହିବିଶନ), ଅଧିକାର ପ୍ରଶ୍ନ (କ୍ୱୋ ଓ୍ବାରେଣ୍ଟୋ) ଓ ଉତ୍‌ପ୍ରେଷଣ (ସାର୍ଟିଓରାରି)ର କ୍ଷମତା ପ୍ରଦାନ କରିଥାଏ। ଏହି ଉପଚାରର ଉଦ୍ଦେଶ୍ୟ ହେଉଛି ନାଗରିକଙ୍କୁ

ବୈଶ୍ୱିକ ଅଧିକାରଗୁଡ଼ିକର ପ୍ରବର୍ତ୍ତନ ପାଇଁ ତ୍ୱରିତ ଉପାୟ ପ୍ରଦାନ କରିବା, ଯଦ୍ଦ୍ବାରା ଉକ୍ତ ଅଧିକାର ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ହସ୍ତକ୍ଷେପରୁ ମୁକ୍ତ ହୋଇପାରିବ।
୧. ଏହି ଭାଗ ଦ୍ୱାରା ପ୍ରଦତ୍ତ ଅଧିକାରଗୁଡ଼ିକୁ ପ୍ରବର୍ତ୍ତନ କରିବା ପାଇଁ ସୁପ୍ରିମକୋର୍ଟରେ ସମାବେଦନ କରିବା ଅଧିକାର ମିଳିଥାଏ।
୨. ଏହି ଭାଗ ଦ୍ୱାରା ପ୍ରଦତ୍ତ ଅଧିକାରଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବନ୍ଦୀ ପ୍ରତ୍ୟକ୍ଷୀକରଣ, ପରମାଦେଶ, ନିଷେଧାଦେଶ, ଅଧିକାର ପ୍ରଶ୍ନ ଓ ଉତ୍‌ପ୍ରେଷଣ ମଧ୍ୟରୁ ଯେଉଁଟା ଉପଯୁକ୍ତ ହୋଇଥିବ ସେନେଇ ନିର୍ଦ୍ଦେଶନାମା ଜାରି କରିବାକୁ ସୁପ୍ରିମକୋର୍ଟ କ୍ଷମତାପ୍ରାପ୍ତ।
୩. ଭାଗ (୧) ଓ (୨) ଦ୍ୱାରା ସୁପ୍ରିମକୋର୍ଟଙ୍କୁ ପ୍ରଦତ୍ତ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ନ ପକାଇ ପାର୍ଲାମେଣ୍ଟ ଅନ୍ୟ କୋର୍ଟକୁ ନିଜ ଅଧିକାରର ସ୍ଥାନୀୟ ସୀମା ଭିତରେ ପ୍ରୟୋଗ କରିବା ଲାଗି ଆଇନାନୁସାରେ ସଶକ୍ତ କରି ପାରିବ।
୪.ଏହି ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଅନ୍ୟ ବ୍ୟତିକ୍ରମକୁ ଛାଡ଼ିଦେଲେ ଧାରା ୩୨ ଅଧୀନରେ ଉକ୍ତ ଅଧିକାରକୁ ଉଚ୍ଛେଦ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri