ନୂଆଦିଲ୍ଲୀ,୭।୧୧: ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ଆସନ୍ତା ଡିସେମ୍ବର ୪ରୁ ନେପାଳରେ ଆରମ୍ଭ ହେବ ୱାଲର୍ଡ କପ କ୍ୱାଲିଫାୟର ପ୍ଲେଅଫ। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଭାଗ ନେବେ। ୨୦୨୭ ବିଶ୍ୱକପ୍ର ଗ୍ଲୋବାଲ କ୍ୱାଲିଫାୟର ପାଇଁ ବାକି ଥିବା ୪ଟି ସ୍ଥାନ ହାସଲ କରିବାକୁ ଏହି ଦଳଗୁଡ଼ିକ ମଧ୍ୟରେ କଡ଼ା ମୁକାବିଲା ହେବ। ଟୁର୍ନାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ରେ ଆୟୋଜକ ନେପାଳ ଓ ଇଟାଲୀ ପରସ୍ପରକୁ ଭେଟିବେ। ଏହି ମ୍ୟାଚ ତ୍ରିଭୁବନ ୟୁନିଭର୍ସିଟି କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ସେହିଦିନ ମୁଲପାନି କ୍ରିକେଟ ଗ୍ରାଉଣ୍ଡରେ ନାମବ୍ୟା ଓ ଉଗାଣ୍ଡା ମଧ୍ୟରେ ମୁକାବିଲା ହେବ। ଏହି ୪ଟି ଦଳ ବ୍ୟତୀତ କାନାଡା, କୁଏତ୍, ଜର୍ସି ଓ ୟୁଏଇ ମଧ୍ୟ ଟୁର୍ନାମେଣ୍ଟରେ ଭାଗ ନେବେ।
୨୦୨୭ ଦିନିକିଆ ବିଶ୍ୱକପ୍ରେ ଗ୍ଲୋବାଲ କ୍ୱାଲିଫାୟରରେ ମୋଟ ୧୦ଟି ଦଳ ଖେଳିବେ। ଏଥିପାଇଁ ଇତିମଧ୍ୟରେ ୬ଟି ଦଳ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ଆୟର୍ଲାଣ୍ଡ ଓ ୱେଷ୍ଟଇଣ୍ଡିଜ ରାଙ୍କିଂ ଆଧାରରେ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି କ୍ରିକେଟ ୱାଲର୍ଡ କପ ଲିଗ-୨ ମାଧ୍ୟମରେ ଆମେରିକା, ସ୍କଟଲାଣ୍ଡ, ନେଦରଲାଣ୍ଡସ ଓ ଓମାନ ଯୋଗ୍ୟତା ଅର୍ଜନ କରିଛନ୍ତି। ଏବେ ନେପାଳରେ ହେବାକୁ ଥିବା କ୍ୱାଲିଫାୟର ପ୍ଲେଅଫ୍ର ଶ୍ରେଷ୍ଠ ୪ଟି ଦଳ ଗ୍ଲୋବାଲ କ୍ୱାଲିଫାୟରରେ ସ୍ଥାନ ପାଇବେ। ଏହି ଗ୍ଲୋବାଲ କ୍ୱାଲିଫାୟରର ବିଜେତା ଦଳ ସିଧାସଳଖ ୨୦୨୭ ବିଶ୍ୱକପକୁ ଯୋଗ୍ୟତା ହାସଲ କରିବ। ଅନ୍ୟପଟେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଦଳଗୁଡ଼ିକ ନୂଆ ସୁପର ସିରିଜ୍ରେ ଖେଳିବେ।
ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ୨୦୨୭ର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା ହୋଇସାରିଛି। ଅକ୍ଟୋବର ୨ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଏହି ମେଗା ଟୁର୍ନାମେଣ୍ଟ ଆୟୋଜିତ ହେବ। ମୋଟ ୧୨ଟି ଷ୍ଟାଡିୟମରେ ୧୪ଟି ଦଳ ମଧ୍ୟରେ ୫୭ଟି ମ୍ୟାଚ ଖେଳାଯିବ।
ଆୟୋଜକ ଦେଶ ହୋଇଥିବାରୁ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ସିଧାସଳଖ ବିଶ୍ୱକପକୁ ଯୋଗ୍ୟତା ହାସଲ କରିଛନ୍ତି। ତେବେ ତୃତୀୟ ଆୟୋଜକ ଦେଶ ନାମ୍ବିଆକୁ ବିଶ୍ୱକପ୍ରେ ନିଜ ସ୍ଥାନ ପକ୍କା କରିବା ପାଇଁ ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ପଡ଼ିବ।
୨୦୨୭ ବିଶ୍ୱକପ୍ରେ ଟିମ ଇଣ୍ଡିଆ ଅକ୍ଟୋବର ୭ରେ ନିଜର ଅଭିଯାନ ଆରମ୍ଭ କରିବ। କେପଟାଉନର ନ୍ୟୁଲାଣ୍ଡସ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଏହାପରେ ଅକ୍ଟୋବର ୧୦ରେ ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହାଇଭୋଲଟେଜ ମୁକାବିଲା ଖେଳିବ ଟିମ ଇଣ୍ଡିଆ।
ଭାରତର ତୃତୀୟ ମ୍ୟାଚ ଅକ୍ଟୋବର ୧୪ରେ ସେଞ୍ଚୁରିଅନ୍ରେ ଏକ କ୍ୱାଲିଫାୟର ଦଳ ସହ ହେବ। ଏହାପରେ ଅକ୍ଟୋବର ୨୪ରେ ଭିକ୍ଟୋରିଆ ଫଲ୍ସ ଷ୍ଟାଡିୟମରେ ସହ-ଆୟୋଜକ ଜିମ୍ବାୱେକୁ ଭେଟିବ ଭାରତ। ଅଧିନାୟକ ଶୁବମନ ଗିଙ୍କେ ନେତୃତ୍ୱରେ ଟିମ ଇଣ୍ଡିଆ ବିଶ୍ୱକପ୍ରେ କିପରି ପ୍ରଦର୍ଶନ କରୁଛି, ତାହା ଉପରେ ଏବେଠାରୁ କ୍ରିକେଟପ୍ରେମୀଙ୍କ ନଜର ରହିଛି।
Dharitri – Odisha’s No.1 Odia Daily

