କୋଲକାତା,୭ା୧୧: ସୋସିଆଲ ମିଡିଆ ପାଇଁ ରିଲ୍ସ କରିବା ନିଶାରେ ଜଣେ ନାବାଳକଙ୍କ ଆଖିରେ ପଟି ବାନ୍ଧି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏହି ଘଟଣାଟି ଅକ୍ଟୋବର ୨୭ରେ ଦକ୍ଷିଣ କୋଲକାତାର ଗରଫା ଥାନା ଅନ୍ତର୍ଗତ ନେଲୀନଗର ଅଞ୍ଚଳରେ ଘଟିଛି। ପୀଡ଼ିତଙ୍କ ସମ୍ପର୍କୀୟମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅର୍ଘ୍ୟ ଶାହା ଓ ଅନ୍ୟ ୨ଜଣଙ୍କୁ ଗିରଫ କରିଛି। ଛାତି ଏବଂ ପେଟରେ ଗମ୍ଭୀର ଭାବେ ପୋଡ଼ିଯାଇଥିବା ନାବାଳକ ଜଣକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ୩ ଅଭିଯୁକ୍ତ ପୂର୍ବରୁ ସେ ନାବାଳକଙ୍କୁ ହଇରାଣ କରୁଥିବା ସ୍ଥାନୀୟ ଲୋକ କହିଛନ୍ତି। ନାବାଳକ ଜଣକ ଘରକୁ ଫେରୁଥିବାବେଳେ ୩ ଅଭିଯୁକ୍ତ ତାଙ୍କୁ ଗରଫା ଅଞ୍ଚଳର ଏକ ପୋଖରୀ ନିକଟକୁ ନେଇଯାଇ ଏହି ବର୍ବର କାଣ୍ଡ ଘଟାଇବା ସହ ସମ୍ପୂର୍ଣ୍ଣ ଦୃଶ୍ୟକୁ ମୋବାଇଲ ଫୋନ୍ରେ ରେକର୍ଡ କରିଥିଲେ।

