ମୁଇ ପାଠ ପଢ଼ିବି

ଦ୍ୱିତୀ ଚନ୍ଦ୍ର ସାହୁ

ନିକଟରେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଙ୍କୁ ମଧ୍ୟାହ୍ନଭୋଜନ ଚାଉଳ, ରୋଷେଇ ବାବଦକୁ ଖର୍ଚ୍ଚ ଏବଂ ପୋଷାକ ବଣ୍ଟନ କରାଗଲା। ସବୁ ବିଦ୍ୟାଳୟର ଶିକ୍ଷକ ନିଜ ନିଜ ବିଦ୍ୟାଳୟରେ ବଣ୍ଟନ ଉତ୍ସବ ପାଳନ କଲେ। ଏଇକ୍ରମରେ ସହରଠାରୁ ଏକ ଦୂରବର୍ତ୍ତୀ ଗ୍ରାମୀଣ ବିଦ୍ୟାଳୟକୁ ବୁଲିଯିବାର ସୁଯୋଗ ମିଳିଲା। ଶିକ୍ଷକ ବନ୍ଧୁ ନିଜ ବିଦ୍ୟାଳୟରେ ଏଇ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଲେ। ସାମାନ୍ୟ ଦୂରରେ ରହି ତମାମ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରୁଥାଏ। ହଠାତ୍‌ ଶିକ୍ଷକ ବନ୍ଧୁ ଅଟକି ବିରକ୍ତ ହେଲେ। କାରଣ ହେଲା ତୃତୀୟ ଶ୍ରେଣୀରେ ପଢୁଥିବା ପିଲାଟି ତା’ର ନାମ ଆଉ ଲେଖିପାରୁନି ଯଦିଓ ଦ୍ୱିତୀୟ ଶ୍ରେଣୀରେ ପଢ଼ିଲାବେଳେ ସେ କାଳେ ସୁନ୍ଦର ଭାବେ ନିଜ ନାମକୁ ଲେଖି ପାରୁଥିଲା। ନିକଟରେ ଥିବା ତା’ର ମାଆକୁ କଡ଼ା ସ୍ବରରେ ୟାଡୁସାଡୁ ଗୁଡ଼ାଏ କହିଲେ ଶିକ୍ଷକ। ଅସହାୟ ଆଦିବାସୀ ମାଆ ଜଣକ ଶିକ୍ଷକଙ୍କ କଥାରେ ଉତ୍ତର ନ ଦେଇ ଚୁପ ରହିବାକୁ ଉଚିତ ମଣିଲେ। ନିଜର ପ୍ରାପ୍ୟକୁ ନେଇ ବାହାରକୁ ଆସିଲାପରେ ମାଆ ଜଣକ ସହ କଥା ହେଲି। ସାମଗ୍ରିକ ଭାବେ ତାଙ୍କ କଥା ଶୁଣି ଆଦୌ ଚକିତ ହେଲେନି। ଗତବର୍ଷ ତମାମ କରୋନାଜନିତ କାରଣରୁ ବିଦ୍ୟାଳୟ ମୁହଁ ଦେଖି ନାହାନ୍ତି ପିଲାମାନେ। ବର୍ଷତମାମ ସମୟାନ୍ତରରେ ମଧ୍ୟାହ୍ନଭୋଜନ ଚାଉଳ, ରୋଷେଇ ବାବଦକୁ ଖର୍ଚ୍ଚ ସମେତ ଜନଜାତି ପିଲାଙ୍କ ଲାଗି ଭତ୍ତା ବି ଗ୍ରହଣ କରୁଛନ୍ତି ସେମାନେ। କିନ୍ତୁ ଯେଉଁ ପ୍ରମୁଖ କାରଣ ଲାଗି ପିଲାଙ୍କୁ ଏସବୁ ସୁବିଧା ସୁଯୋଗ ଯୋଗାଯାଉଛି ତା’ଠାରୁ ଦୂରରେ ଏବେ ପିଲାମାନେ।
ଅସଲ କଥା ହେଲା ବର୍ଷତମାମ ବହି ସହ ପିଲାମାନେ କେବେ କସରତ କରିନାହାନ୍ତି। ବହି ମୁହଁକୁ ଦେଖି ନାହାନ୍ତି ଅନେକ ପିଲା। ଗ୍ରାମାଞ୍ଚଳର ଅଭିଭାବକଙ୍କ ଲାଗି ଅନ୍ନ ଚିନ୍ତା ଚମତ୍କାର ସବୁବେଳେ। ସେଭଳି ପରିସ୍ଥିତିରେ ପେଟପାଟଣା ଲାଗି ଡଙ୍ଗର ହାଟବଜାରକୁ ପ୍ରାଧାନ୍ୟ ଦେବେ ନା ପିଲାର ପାଠପଢ଼ା ଦେଖିବେ! ବସ୍ତୁତଃ କରୋନା କାଳରେ ଜୀବନଜୀବିକା ହିଁ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ପ୍ରଧାନ ପ୍ରସଙ୍ଗ ହୋଇଆସିଛି। ଦ୍ୱିତୀୟରେ ପାଠ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଅଭିଭାବକମାନେ ଅତି ବେଶିରେ ପିଲାଙ୍କୁ ପଦେ ଅଧେ ପଢ଼ିବା ଲାଗି ହୁଏତ ତାଗିଦ କରୁଥିବେ। କିନ୍ତୁ ସ୍ବାଧୀନଚେତୀ ପିଲାମାନେ ଯେ ଅଭିଭାବକଙ୍କ ଅନୁପସ୍ଥିତିରେ ବୋଲମାନି ବଡପିଲାଙ୍କ ଭଳି ପଢ଼ିବେ ଏକଥା କେବେ କ’ଣ ସମ୍ଭବ ହୋଇଛି। ଗୋଡ଼େ ଗୋଡ଼େ ଜଗିଲେ ପିଲା ବହି ଧରିବେ ଓ କିଛି ସମୟ ପଢ଼ିବେ। ମୁହଁ ବୁଲେଇଲେ ନିଜର ଲୀଳାଖେଳା ଆରମ୍ଭ କରିବେ। ଏଇ ବାସ୍ତବତା ଭିତରେ ପିଲାଏ ହଜିଛନ୍ତି ଓ ମଜ୍ଜିଛନ୍ତି। ବିଦ୍ୟାଳୟ, ଶିକ୍ଷକ, ବହି, ପାଠ ଆଦି ପ୍ରସଙ୍ଗଠାରୁ ବହୁ ଦୂରରେ ଆମ ଗ୍ରାମାଞ୍ଚଳର କୁନି କୁନି ପିଲାଏ। ଏବେ ପୁଣି କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଗଲାଣି । ଜୁନ୍‌ ମାସରେ ବିଦ୍ୟାଳୟର ଶିକ୍ଷା ବର୍ଷ ଆରମ୍ଭ କରିବା ନେଇ ସରକାର ଯେଉଁ ସମ୍ଭାବନା ଜାଗ୍ରତ କରିଥିଲେ ହୁଏତ କରୋନାର ଲେଉଟାଣି ରୂପ ସେସବୁକୁ ଧୋଇଦେବ! ପୁଣି କେବେ ବିଦ୍ୟାଳୟ ଖୋଲିବ କିଛି ଗ୍ୟାରେଣ୍ଟି ନାହିଁ। କରୋନାରେ ଅନେକେ କ୍ଷତିଗ୍ରସ୍ତ ହୋଇଛନ୍ତି ସତ ।
ପରବର୍ତ୍ତୀ ସମୟରେ ହୁଏତ ବିକଳ୍ପ ପନ୍ଥା ଖୋଜି ଭରଣା କରିବାର ଚେଷ୍ଟା କରିପାରିଛନ୍ତି, ହେଲେ ସବୁଠୁ ବେଶି କ୍ଷତି ସହିଛନ୍ତି ଛାତ୍ର ଗୋଷ୍ଠୀ।
ବିନ୍ଦୁ ବିସର୍ଗ ନ ଜାଣି ବି ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ପିଲାଏ। ପୁନର୍ବଳନ ଶ୍ରେଣୀ ଜରିଆରେ ବର୍ଷତମାମର ପାଠକୁ ପଢ଼ାଇବା ଲାଗି ଯୋଜନା ରହିଛି। ଏହା କେତେ ଫଳପ୍ରଦ ହେବ ସମୟ କହିବ। ତା’ ପୂର୍ବରୁ ପୁଣି ଥରେ ବିଦ୍ୟାଳୟ ଖୋଲିବାର ଅନିଶ୍ଚିତତାର କଳା ବାଦଲ ଏବେ ଘାରିଦେଇଛି। ବିଦ୍ୟାଳୟ ଖୋଲିଲେ ହିଁ ପାଠ ପଢ଼ିହେବ – ଏଇ ମାନସିକତାରେ ପିଲାଏ ଓ ଅଭିଭାବକ ଅଛନ୍ତି। ଗ୍ରାମାଞ୍ଚଳର ଅଧିକାଂଶ ମାଆବାପା ବିଦ୍ୟାଳୟକୁ ପିଲାମାନଙ୍କୁ ଛାଡ଼ିଦେଲେ ଘରେ ଶାନ୍ତିରେ ନିଃଶ୍ୱାସ ନିଅନ୍ତି। ସମସ୍ତ ଜଞ୍ଜାଳ ତୁଟିଗଲା ବୋଲି ବିଚାର କରନ୍ତି। ଶିକ୍ଷକ ଏଣିକି ସମସ୍ତ ଦାୟିତ୍ୱ ନେବେ। ପିଲାକୁ ଖାଲି ପାଠ ପଢ଼େଇବେ ନାହିଁ। ତା’ ସହିତ ମଣିଷ କରିବେ। ଏକଥା ସତ। ଏଯାଏ ଆମେ ବିଦ୍ୟାଳୟ ବିନା ଶିକ୍ଷାର ପରିକଳ୍ପନା କରାଯାଇନି। ଏବେ ବିକଳ୍ପ ଶିକ୍ଷା ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି। ବିଦ୍ୟାଳୟ ବିନା ପିଲାଏ ନିଜ ନିଜ ସ୍ତରରେ ପଢ଼ିବା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଏଦିଗରେ ବହୁ ଶିକ୍ଷାବିତ କାମ କରୁଛନ୍ତି। ଓଡ଼ିଶା ତଥା ଓଡ଼ିଶା ବାହାରେ ବିକଳ୍ପ ଶିକ୍ଷାକୁ ନେଇ ସୁନ୍ଦର କାର୍ଯ୍ୟମାନ ଆରମ୍ଭ ହୋଇଛି। ତେବେ ସାଂପ୍ରତିକ ପରିସ୍ଥିତିକୁ ଅବଲୋକନ କଲେ ବିଦ୍ୟାଳୟ ନ ଖୋଲିବା ଯାଏ ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚାଇବା ଅପରିହାର୍ଯ୍ୟ। ଏ ଦିଗରେ ସବୁଠାରୁ ବଡ଼ ପଦକ୍ଷେପ ହେବ କାର୍ଯ୍ୟ ଫର୍ଦ୍ଦ। ପ୍ରାଥମିକ ଶ୍ରେଣୀର ଦକ୍ଷତା ଆଧାରିତ ବିଭିନ୍ନ ବିଷୟକୁ ନେଇ ସ୍ବଶିକ୍ଷଣ ସମ୍ବଳିତ ସରଳ କାର୍ଯ୍ୟ ଫର୍ଦ୍ଦ ପ୍ରସ୍ତୁତ କରି ବହି ଆକାରରେ ପ୍ରଦାନ କରିବାକୁ ହେବ। ଦୈନିକ କାର୍ଯ୍ୟ ଫର୍ଦ୍ଦ ଦ୍ୱାରା ଅଧିକାଂଶ ପିଲାଏ ଏଇ କାର୍ଯ୍ୟ ଫର୍ଦ୍ଦ କରିବେ। ଏଦିଗରେ ଅଭିଭାବକମାନଙ୍କୁ ସଚେତନ କରାଯିବ, ଯେପରି ପିଲାଟି ଅନ୍ତତଃ ଦିନରେ କିଛି ସମୟ ଏସବୁ କାର୍ଯ୍ୟ ଫର୍ଦ୍ଦ କରି ନିଜେ ଶିଖିବେ। ଦୈନିକ ବିଦ୍ୟାଳୟ କାର୍ଯ୍ୟରେ ବିଦ୍ୟାଳୟ ଗାଁକୁ ଯାଉଥିବା ଶିକ୍ଷକମାନେ କିଛି ସମୟ ପାଇଁ ସମୀକ୍ଷା କରିବେ। ଆବାସିକ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ଚାଲୁ ରହିଥିବା ବିକଳ୍ପ ଶିକ୍ଷାଦାନ ସମୟରେ ଏହାର ଯାଞ୍ଚ କରିପାରିବେ। ସେହିପରି ମଧ୍ୟାହ୍ନଭୋଜନ ଚାଉଳ କିମ୍ବା ଅର୍ଥ ଆଦି ବଣ୍ଟନ ବେଳେ ଏସବୁ ସ୍ବଶିକ୍ଷଣ କାର୍ଯ୍ୟ ଫର୍ଦ୍ଦ ପିଲାଙ୍କ ନିକଟରେ ପହଞ୍ଚାଯିବା ସହ ସେହି ସମୟରେ କାର୍ଯ୍ୟ ଫର୍ଦ୍ଦର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିହେବ। ଅପରପକ୍ଷେ ପିଲାଙ୍କ ନିକଟରେ ବି ଗୋଟିଏ ଲକ୍ଷ୍ୟ ରହିବ ଯେ କାଯର୍‌ୟ ଫର୍ଦ୍ଦକୁ ଶିକ୍ଷକ ସମୀକ୍ଷା କରିବେ। ଅତଏବ ପିଲାଟି କାର୍ଯ୍ୟ ଫର୍ଦ୍ଦ କରିବ ଏବଂ ତା’ର ସନ୍ଦେହକୁ ଶିକ୍ଷକଙ୍କ ନିକଟରୁ ବୁଝିପାରିବ। ଏହା ଏକ କୌଶଳ ହୋଇପାରେ। ଏମିତି ଅନେକ ବିକଳ୍ପ ଶିକ୍ଷା କୌଶଳ ଆଗାମୀ କରୋନା ସମୟରେ ପିଲାଙ୍କ ଶିକ୍ଷଣର ପ୍ରମୁଖ ସାଥୀ ହୋଇପାରିବ। ଏଥିପ୍ରତି ଶିକ୍ଷାବିତ ତଥା ସରକାର ଉଦ୍ୟମ କରିବା ଜରୁରୀ।
ଏଇକ୍ରମରେ ନିଜର ନାମ ଲେଖିବାକୁ ଭୁଲିଯାଇଥିବା ପିଲାଟିକୁ ନିଜ ପାଖକୁ ଡାକି ତା’ର ନାଁ ପଚାରିଲି। ନାଁ ତା’ର ଚମ୍ପା ହୁଇକା। ଏଥର ପଚାରିଲି – ‘ତୋର ନାଁ ଲେଖିବା କେମିତି ଭୁଲିଗଲୁ?’ ସେ କିଛି କହିଲାନି। ଖାଲି ମୁଣ୍ଡ ପୋତି ଠିଆ ରହିଲା। ତା’ର ମାଆ କହିଲା – ”ଆଜ୍ଞା! ଇସ୍କୁଲ ବନ୍ଦ ହେବାଠୁ ଏ ପିଲା ବହିଖାତା ଧରିନି। ଖାଲି ଡଙ୍ଗର ପାହାଡ଼ ତୋଟା ନାଳ ହୋଇ ବୁଲୁଛ। ଆମେ ତ ଖଟିବା ଲୁକ। ଖଟିବାକୁ ଗଲା ପରେ ଏ ପିଲା କିସ କରୁଛି କିଏ ଜାଣିଛି ଆଜ୍ଞା! ଇସ୍କୁଲଥିଲେ ଦିନଯାକ କିସ ମିଶା ପଢୁଥିଲା। ଘରକୁ ଆଇଲା ପରେ କି ପାଠ ପଢୁଥିଲା କି ଆଉ ଯେ ଏବେ ତୁଚ୍ଛାଟାରେ ପଢ଼ିଦେବ!
ସିମିତିରେ ବର୍ଷେ ହେଲା ଇସ୍କୁଲ ବନ୍ଦ ହୋଇଯିବାରୁ ପାଠଫାଠ ଛାଡ଼ି ଦେଇଛ। ଆଉ କିସ ବୁଝିବ ଆଜ୍ଞା!“ ଏଥର ପିଲାଟିକୁ ଅତି ପାଖକୁ କୋଳେଇ ଆଣି ଧୀରେ ପଚାରିଲି – ‘ଇସ୍କୁଲ ବନ୍ଦ ହୋଇଛି ଭଲ ଲାଗୁଛି କି !’ ନିଜର ମାଆକୁ ଅନାଇଲା ପରେ ଧୀରେ କହିଲା ସେ – ‘ବିଜାର ଲାଗୁଛି ! ବେଇଗି ତୁଇ ସ୍କୁଲ ଖୋଲିଦେ! ମୁଇ ପାଠ ପଢିବି!’ ଏଇ ମାନସିକତା କେବଳ ଚମ୍ପାର ନୁହଁ, ସମସ୍ତଙ୍କର। ଓଡ଼ିଶାରେ ପଢୁଥିବା ତମାମ ପିଲା, ଅଭିଭାବକ ସର୍ବୋପରି ଶିକ୍ଷକ ସମାଜ ସତରେ ବିଜାର ହୋଇଗଲେଣି। ସମୟ ସାଥ ଦେଉନି କାହାକୁ। କିନ୍ତୁ ଅସମୟ ଭିତରେ ସୁଯୋଗ ସୃଷ୍ଟି କରିବା ବାସ୍ତବରେ ଆମ ସମସ୍ତଙ୍କର କାମ! ନୁହେଁ କି!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri