Posted inଫୁରସତ

ଦରମା ଟଙ୍କାରେ ନୂଆ ପ୍ୟାଣ୍ଟଶାର୍ଟ କରିଥିଲି: କୃପାସାଗର ସାହୁ

ଢେଙ୍କାନାଳ ଜିଲାର ମଠକରଗୋଳା ଗାଁରେ ମୋ ଜନ୍ମ। ମଠକରଗୋଳା ହାଇସ୍କୁଲ୍‌ରୁ ମାଟ୍ରିକ୍‌ ଓ ରେଭେନ୍ସାରୁ ଗ୍ରାଜୁଏଶନ୍‌ ସାରି ବାଣୀବିହାରରେ ରାଜନୀତି ବିଜ୍ଞାନରେ ଏମ୍‌.ଏ. କଲି। ଏମ୍‌.ଏ. ପରେ ୩ ବର୍ଷ ଆଡ୍‌ହକ୍‌ରେ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ଅଧ୍ୟାପନା କରିଥିଲି। ସେବେ ୬ ମାସରେ ଥରେ ଦରମା ମିଳୁଥିଲା। ପ୍ରଥମ ଦରମାରେ ନିଜ ପାଇଁ କେତୋଟି ନୂଆ ପ୍ୟାଣ୍ଟଶାର୍ଟ କରିଥିଲି। ସେ ସମୟରେ ଆମର ମହାଜନ ଘର ଥିଲା। ଘରେ ମୋ ଦରମାର କୌଣସି ଆବଶ୍ୟକତା ପଡୁ ନ ଥିଲା। କିନ୍ତୁ କର୍ତ୍ତବ୍ୟ ଦୃଷ୍ଟିରୁ ସାନ ଭାଇଭଉଣୀଙ୍କର ପଢ଼ାରେ ପ୍ରତିମାସ କିଛିକିଛି ଖର୍ଚ୍ଚ କରୁଥିଲି। ୩ ବର୍ଷ ଅଧ୍ୟାପନା ପରେ ୟୁପିଏସ୍‌ସି ଦ୍ୱାରା ଅନୁଷ୍ଠିତ ସର୍ବ ଭାରତୀୟ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୯୭୮ରେ ଭାରତୀୟ ରେଳ ପରିଚାଳନ ସେବାରେ ଯୋଗଦାନ କରିଥିଲି। ପ୍ରାୟ ୨ ବର୍ଷ ଟ୍ରେନିଂ ନେଇ ସାରିବା ପରେ୧୯୮୦ ଜୁଲାଇରେ ଆସିଷ୍ଟାଣ୍ଟ ଅପରେଟିଙ୍ଗ୍‌ ସୁପରିଣ୍ଟେଣ୍ଡେଣ୍ଟ ଭାବେ ବିଳାସପୁରରେ ଜଏନ୍‌ କରିଥିଲି। ତେବେ ଜଏନ୍‌ କରିବାର କିଛିଦିନ ପରେ ବିଳାସପୁର ଡିଭିଜନ୍‌ରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଥିଲା। ଗୋଟେ ପାସେଞ୍ଜର ଟ୍ରେନ୍‌କୁ ମାଲବାହୀ ଟ୍ରେନ୍‌ ପଛପଟୁ ଧକ୍କା ଦେଇଥିଲା। ଏଥିରେ ୩୩ ଜଣ ମୃତ୍ୟୁବରଣ କରିଥିଲେ ଏବଂ ଅନେକ ଲୋକ ଗୁରୁତର ହୋଇଥିଲେ। ୩ ଦିନ ଆମକୁ ଦୁର୍ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ସହ ରେଳ ଚଳାଚଳକୁ କଣ୍ଟ୍ରୋଲ୍‌ କରିବାକୁ ପଡିଥିଲା। ନୂଆ ନୂଆ ଚାକିରିର ଏହି ମର୍ମନ୍ତୁଦ ଘଟଣାଟି ସାରା ଜୀବନ ମୋ ମନରେ ଅଭୁଲା ସ୍ମୃତି ହୋଇ ରହିବ। ଏହିପରି ବହୁ ଘଟଣା ଓ ଦୁର୍ଘଟଣାକୁ ସାମନା କରି ମୁଁ ଭାରତର ବିଭିନ୍ନ ସ୍ଥାନରେ କାମ କରିଛି। କଲିକତାରେ ୧୭ ବର୍ଷ ଅବସ୍ଥାନ କାଳରେ ସାଉଥ୍‌ ଇଷ୍ଟର୍ନ ଏବଂ ଇଷ୍ଟର୍ନ ରେଲଓ୍ବେରେ ବି କାମ କରିଛି। ଶେଷରେ ୨୦୧୨ ମାର୍ଚ୍ଚ ୩୧ରେ ଇଷ୍ଟ କୋଷ୍ଟ ରେଲ୍‌ଓ୍ବେର ଚିଫ୍‌ ଟ୍ରାଫିକ୍‌ ମ୍ୟାନେଜର୍‌ ଭାବେ ଚାକିରିରୁ ଅବସର ନେଇଛି। ଅବସର ପରେ ଲେଖାଲେଖିରେ ଏବେ ନିଜର ସମୟ ଅତିବାହିତ କରୁଛି। ଲେଖିବାର ନିଶା ମୋର ତୃତୀୟ ଶ୍ରେଣୀରୁ ଆରମ୍ଭ ହୋଇଥିଲା। କିନ୍ତୁ ନିଜ ପ୍ରତିଭାକୁ ପରିପ୍ରକାଶ କରିବାର ସେମିତି କିଛି ଖାସ୍‌ ସୁଯୋଗ ମୁଁ ସେବେ ପାଇ ନ ଥିଲି। ରେଭେନ୍ସାରେ ପଢିବା ପରେ ପ୍ରତିଭାର ସଦୁପଯୋଗ କରିବାର ନୂଆ ରାହା ମୋତେ ମିଳିଥିଲା। କେବଳ କବିତା କି ଗପ ନୁହେଁ ପେଣ୍ଟିଂରେ ବି ଭଲ କଲି ଏବଂ ଅଲ୍‌ ଇଣ୍ଡିଆ ଲେଭଲ୍‌ରେ ପେଣ୍ଟିଂରେ ପ୍ରଥମ ସ୍ଥାନ ଅଧିକାର କରିଥିଲି। ତା’ସହିତ କ୍ଷୁଦ୍ର ଗଳ୍ପ ପ୍ରତିଯୋଗିତା ହେଉ ଅବା ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ସବୁଥିରେ ମୁଁ ଚାମ୍ପିୟନ ହେଉଥିଲି। ୟା’ଭିତରେ ମୋର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇସାରିଲାଣି; ଯେଉଁଥିରେ ୨ଟି କବିତା ସଂକଳନ, ୩ଟି ଶିଶୁ ସାହିତ୍ୟ ସଂକଳନ, ୭ଟି ଉପନ୍ୟାସ, ୧୭ଟି କ୍ଷୁଦ୍ରଗଳ୍ପ ସଂକଳନ ଏବଂ ୧ଟି ଜୀବନୀ ଗ୍ରନ୍ଥ ଅନ୍ତର୍ଭୁକ୍ତ। ମୋ ଲିଖିତ ଅନେକ ପୁସ୍ତକ ଇଂଲିଶ, ବଙ୍ଗଳା ଓ ହିନ୍ଦୀ ଭାଷାରେ ମଧ୍ୟ ଅନୁବାଦ ହୋଇଛି। ସାହିତ୍ୟ କୃତି ପାଇଁ ବହୁ ପୁରସ୍କାର ଓ ସମ୍ମାନ ବି ମିଳିଛି, ହେଲେ ‘ଶେଷ ଶରତ’ ଉପନ୍ୟାସ ପାଇଁ ୨୦୦୯ରେ ଲାଭ କରିଥିବା ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ମୋତେ ଏକ ଭିନ୍ନ ପରିଚିତି ଆଣି ଦେଇଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?