Posted inଫୁରସତ

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଗାୟକ ବିଜୟରାମ ତ୍ରିପାଠୀ

ବଡ଼ ଭାଇ ତାଙ୍କ ପିଲାମାନଙ୍କ ପାଠପଢା ଉଦ୍ଦେଶ୍ୟରେ ଭୁବନେଶ୍ୱର ଚାଲି ଯିବାପରେ ଘରର ଆର୍ଥତ୍କସ୍ଥିତି ଖରାପ ହୋଇଗଲା। କାରଣ ନିପଟ ମଫସଲିଆ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ସେ। ସେ ଯିବା ପରେ ନନାବୋଉ( ବାପାମା’)ବହୁତ ଭାଙ୍ଗି ପଡ଼ିଲେ । ସେତେବେଳକୁ ମୋର +୩ ପରୀକ୍ଷା ସରିଥାଏ। ବାପାମା’ଙ୍କର ହତାଶିଆ ଆଖି ମୋର ହୃଦୟକୁ ଆନ୍ଦୋଳିତ କରୁଥାଏ। ଭଲ ଗୀତ ଗାଉଥିଲି ବୋଲି ଆଖପାଖ ଗାଁର ଲୋକେ ଜାଣିଥାନ୍ତି। କଲେଜରେ ରାଜନୀତି ବିଜ୍ଞାନ ବିଷୟ ଥିଲା ସତ, ହେଲେ ଇଂରାଜୀ, ଅଙ୍କ ଏବଂ ଓଡ଼ିଆରେ ଭଲ ଜ୍ଞାନ ଥିଲା ମୋର। ବାହାରିପଡିଲି ରୋଜଗାର ଅନ୍ବେଷଣରେ। ବହୁ ସ୍ଥାନରେ ନିରାଶ ହେବାକୁ ପଡ଼ିଲା ସତ, ତଥାପି ଆଶା ହରାଇ ନ ଥାଏ। ଜଣେ ସହୃଦୟ ବ୍ୟକ୍ତି ତାଙ୍କର ଦୁଇଟି ପିଲାଙ୍କୁ ଟ୍ୟୁଶନ କରିବାକୁ କହିବା ପରେ ଆଶ୍ୱସ୍ତ ହୋଇ ଟ୍ୟୁଶନ ମାଷ୍ଟର ଭାବେ ପ୍ରଥମେ ମତେ କାମ ମିଳିଲା। ପ୍ରଥମ ମାସର ଦରମା ମତେ ମିଳିଥିଲା ୩୦୦ଟଙ୍କା। ସେଇ ଟଙ୍କାକୁ ଯେତେବେଳେ ବୋଉ ହାତକୁ ବଢ଼ାଇ ଦେଲି, ଦେଖିଲି ତା’ ଆଖିରେ ଲୁହର ବନ୍ୟା। ମୋତେ କୋଳେଇ ଧରି ମୋ ମୁଣ୍ଡକୁ ଆଉଁସି ଦେଇ କହିଲା ‘ତୁ ଏକମାତ୍ର ଆମ ସାହାରା।’ ତା’ପରେ ଯେତେ କଷ୍ଟ ହେଉ ପିତାମାତାଙ୍କ ଆଖିରେ ଖୁସି ଦେବା ପାଇଁ ଟ୍ୟୁଶନ ସହିତ ସଙ୍ଗୀତ ଶିକ୍ଷାରେ ଲାଗି ପଡ଼ିଲି। ପ୍ରୋଗ୍ରାମ ବି ମିଳିଲା। ପ୍ରଥମ ପ୍ରୋଗ୍ରାମରେ ୫୦୦ଟଙ୍କା ପାଇଲା ପରେ ମୋ ଭିତରେ ଆତ୍ମପ୍ରତ୍ୟୟ ବୃଦ୍ଧି ପାଇଲା । ଆତ୍ମବିଭୋର ହେଲି ମୁଁ । ବାପାମା’ଙ୍କର ସେବା କରିବାକୁ ଭଗବାନ ମୋତେ ଆହୁରି ଯୋଗ୍ୟ କରନ୍ତୁ ବୋଲି ତାଙ୍କ ଉଦ୍ଦେଶ୍ୟରେ ପ୍ରଣତି ଢାଳି ସଙ୍ଗୀତ ସାଧନା ଓ ବିଦ୍ୟାଦାନ ଜାରି ରଖିଲି। ଚାକିରି କଲେ ନାନାବୋଉଙ୍କ ପାଖ ଛାଡ଼ିଯିବାକୁ ପଡ଼ିବ ବୋଲି ଚାକିରିର ଲୋଭ ପରିତ୍ୟାଗ କରି ସଙ୍ଗୀତସାଧନା ଜାରି ରଖିବା ସହ ପୂଜାପାଠ କରୁଥିଲି। ଯେତିକି ରୋଜଗାର ହେଉଥିଲା ସେଇଥିରେ ମୋ ପରିବାର ସୁରୁଖୁରୁରେ ଚଳି ଯାଉଥିଲା। ଘରେ ପୂଜା ଓ ସଙ୍ଗୀତ ସାଧନା ଯୋଗୁ ଆଧ୍ୟାତ୍ମିକ ଶାନ୍ତି ରହୁଥିଲା, ଯାହା ଆଜି ବି ବଳବତ୍ତର ରହିଛି। ମୋତେ ଲାଗେ ନନା, ବୋଉଙ୍କ ସହ ଈଶ୍ୱର ଖୁସି ତେଣୁ ଘରେ ଏହି ପବିତ୍ରଭାବର ଆନନ୍ଦମୟ ବାତାବରଣ ରହୁଛି। ଏବେ ତ ନନାବୋଉ ନାହାନ୍ତି। ତାଙ୍କ ଆଶୀର୍ବାଦରୁ ସଙ୍ଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇପାରିଛି। ମୁଁ କେବଳ ଭଜନ, ଜଣାଣ, ସୁନ୍ଦରକାଣ୍ଡ, ରାମଚରିତ ମାନସ, ଗୀତା, ଭାଗବତ ଓ ଗୀତଗୋବିନ୍ଦ ଗାୟନ କରେ। ତେବେ ଗୀତଗୋବିନ୍ଦର ଗାୟକ ଭାବରେ ହିଁ ମୋର ପ୍ରସିଦ୍ଧି। ମୋର ସଙ୍ଗିତ ଟିମ୍‌ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ସଙ୍ଗିତ କାର୍ଯ୍ୟକ୍ରମ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri