Posted inଫୁରସତ

ପ୍ରଥମ ଦରମାରେ ଘର ପାଇଁ ମିଠା କିଣିଥିଲି: ମଧୁସୂଦନ ଦାଶ

କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଖମୋଳ ଗାଁରେ ମୋ ଜନ୍ମ। ବାଲିଆ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଜ୍ଞାନ ପଢିଥିଲି। ତା’ପରେ ରେଭେନ୍ସା କଲେଜରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର କଲି। ପଢା ସରିବା ପରେ ଡେରାବିଶ କଲେଜରେ କିଛିଦିନ ଅଧ୍ୟାପନା କରିଥିଲି। ସେଠାରେ ୪୦୦ ଟଙ୍କା ଦରମା ମିଳୁଥିଲା। ଏହାଥିଲା ୧୯୯୨ ମସିହାର କଥା। ପ୍ରଥମ ମାସ ଦରମା ପାଇବା ପରେ ଘର ଲୋକଙ୍କ ପାଇଁ ମିଠା ନେଇକି ଯାଇଥିଲି। ତା’ସହିତ ମୋ ପାଖରେ ଭଲ ପ୍ୟାଣ୍ଟସାର୍ଟ ନଥିବାରୁ ନିଜ ପାଇଁ ହଳେ ପ୍ୟାଣ୍ଟସାର୍ଟ କରିଥିଲି। ବାକି ଯାହା ବଳିଥିଲା ତାକୁ ଘରେ ଦେଇ ଦେଇଥିଲି। କାରଣ ସେତେବେଳେ ଘରର ଆର୍ଥିକ ସ୍ଥିତି ସେତେ ଭଲ ନଥିଲା। ବାପା ଚାଷ କାମ କରୁଥିଲେ। ତା’ସାଙ୍ଗକୁ ମୋର ଥିଲେ ୩ଟି ସାନ ଭଉଣୀ। ଘରର ବଡ଼ ଓ ମା’ବାପାଙ୍କର ଏକମାତ୍ର ପୁଅ ହୋଇଥିବାରୁ ଘର ପ୍ରତି ମୋର ବି କିଛି ଦାୟିତ୍ୱ ଥିଲା। ତେଣୁ ପ୍ରତିମାସ ଦରମା ପାଇଲା ପରେ ସମ୍ପୂର୍ଣ୍ଣ ଟଙ୍କା ଆଣି ଘରେ ଦେଇ ଦେଉଥିଲି। କ୍ରମେ ଦେଖିଲି ମୋର ଏହି ସ୍ବଳ୍ପ ରୋଜଗାର ଘର ଚଳେଇବାକୁ ଯଥେଷ୍ଟ ହେଉନାହିଁ। ତେଣୁ ଚାକିରି ସହିତ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀଛାତ୍ରଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି। ଏମିତି ପାଖାପାଖି ଦୁଇ ବର୍ଷ ବିତିଗଲା। ତା’ପରେ ମୋତେ ଡେରାବିଶ କଲେଜ ଛାଡ଼ିବାକୁ ପଡିଲା, କାରଣ ମୁଁ ସେଠାରେ କଣ୍ଟ୍ରାକଚୁଆଲ୍‌ ଅଧ୍ୟାପକ ଭାବେ ଅବସ୍ଥାପିତ ଥିଲି। ତା’ପରେ ଯାଜପୁରସ୍ଥିତ ଯୁଣଭଦ୍ରା କଲେଜରେ ଅଧ୍ୟାପନା କରିବାର ସୂଯୋଗ ମିଳିଲା। ସେଠାରେ ୬ ମାସ ଅଧ୍ୟାପନା କରିବା ଭିତରେ ମୁଁ ଓଏଏସ୍‌ ପରୀକ୍ଷା ଦେଇଥିଲି। ୟା’ପୂର୍ବରୁ ମଧ୍ୟ ଅନେକ ପରୀକ୍ଷାର ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ମୌଖୀକ ପରୀକ୍ଷାରେ କଟିଯିବାର ଅନୁଭୂତି ମୋର ଥିଲା। ସେଥିପାଇଁ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରିବି କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିଲି। ହେଲେ ସବୁ ଦ୍ୱନ୍ଦ୍ୱର ଅବସାନ ଘଟିଥିଲା ଯେବେ ମୁଁ ଓଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି। ଜୁଲାଇ ୧, ୧୯୯୬ରୁ ଚନ୍ଦ୍ରଶେଖରପୁରସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ଆମର ଟ୍ରେନିଂ ଚାଲିଲା। ପାଖାପାଖି ୨ ବର୍ଷ ଏହି ଟ୍ରେନିଂ ଚାଲିଥିଲା। ତା’ପରେ ୧୯୯୮ରେ ଆସିଷ୍ଟାଣ୍ଟ ସେଟେଲ୍‌ମେଣ୍ଟ ଅଫିସର୍‌ ଭାବେ ମୋର ପ୍ରଥମ ପୋଷ୍ଟିଂ ହେଲା ଫୁଲବାଣୀରେ। ଦୁଇବର୍ଷ ପରେ ଅତିରିକ୍ତ ତହସିଲଦାର ଭାବେ ଆସିଲି ସାଲେପୁର, କଟକକୁ। ତା’ପରେ ତହସିଲଦାର ଭାବେ ବଦଳି ହୋଇ ଗଲି ଅନୁଗୁଳ, ଛେଣ୍ଡିପଦା ତହସିଲକୁ। ଏଠାରେ ପ୍ରାୟ ୫ବର୍ଷ ରହିବା ଭିତରେ ସ୍ଥାନୀୟ କେତେଜଣ ସାହିତି୍ୟକଙ୍କୁ ନେଇ ସାରସ୍ବତ ସାହିତ୍ୟ ସଂସଦ ଗଢିଥିଲି; ଯାହାର ମୁଁ ଥିଲି ପ୍ରତିଷ୍ଠାତା ସଭାପତି। ତା’ପରେ ମୁଁ ବଦଳି ହୋଇ ଆସିଥିଲି ଜଗତ୍‌ସିଂହପୁର ଜିଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର ହୋଇ। ଏଠାରେ ରହିବା ଭିତରେ ମୋତେ ଜଗତ୍‌ସିଂହପୁର ବ୍ଲକ୍‌ର ବିଡିଓ ଭାବେ ମଧ୍ୟ କିଛିଦିନ ଦାୟିତ୍ୱ ସମ୍ଭାଳିବାକୁ ପଡିଥିଲା। ତା’ପରେ ପୁଣି ବିଡିଓ ଭାବେ କିଛିଦିନ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଯାଜପୁରର ରସୁଲପୁର ଓ ଧର୍ମଶାଳା ବ୍ଲକରେ କଟିଥିଲା। ଏହାପରେ ପଦୋନ୍ନତି ପାଇ ସିନିୟର୍‌ କ୍ଲାସ୍‌ ଓ୍ବାନ୍‌ ଅଫିସର୍‌ ହେଲି ଏବଂ ଉପଜିଲାପାଳ ଭାବେ କେନ୍ଦୁଝରର ଆନନ୍ଦପୁରରେ କିଛିଦିନ ଏବଂ ପୁରୀରେ ପ୍ରାୟ ୫ ବର୍ଷ କାମ କରିଥିଲି। ଏଥିସହିତ ବର୍ଷକ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟର ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବାର ସୂଯୋଗ ପାଇଥିଲି। ତେବେ ଆନନ୍ଦପୁରରେ ଥିଲାବେଳେ ଲେଖକ ସମବାୟ ସମିତି ଗଢିଉଠିଥିଲା। ଏହାପରେ ଭଦ୍ରକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ପରେ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଏବଂ ତା’ପରେ ପଦୋନ୍ନତି ପାଇ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ଯାଇଥିଲି। ବର୍ତ୍ତମାନ ମୁଁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ। ଏତଦ୍‌ବ୍ୟତିତ ଗପ ଓ କବିତା ଲେଖିବାରେ ବିଶେଷ ରୁଚି ରହିଛି। ୟା’ଭିତରେ ଚିତ୍ରିତ ଅନ୍ଧାର, ବୋଉ, ଚିତ୍ରଅଙ୍କା ନାମରେ ତିନୋଟି କବିତା ସଂକଳନ ମୋର ପ୍ରକାଶିତ ହୋଇସାରିଲାଣି। ସେହିପରି ଜରି ଗୋଟାଳି ଝିଅ ନାମରେ ଆଉ ଏକ କବିତା ସଂକଳନ ଖୁବ୍‌ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି। ଏସବୁବାଦ୍‌ ମୁଁ ଅନେକ ସ୍ତମ୍ଭ ମଧ୍ୟ ଲେଖିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?