Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଘରଲୋକଙ୍କ ପାଇଁ ଉପହାର କିଣିଥିଲି: ଆସିଷ୍ଟାଣ୍ଟ କମିଶନର୍‌ ମାନସୀ ପାତ୍ର

୧୯୯୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥାଏ। ସେତେବେଳେ ମୋ ବଡ଼ଭାଇ ନିଜ ପାଇଁ ବିଭିନ୍ନ ପ୍ରକାର ଫର୍ମ ପକାଇବା ସଙ୍ଗେ ସଙ୍ଗେ ମୋ ପାଇଁ ମଧ୍ୟ ପକାଉଥିଲେ। ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ସହିତ ପୋଲିସ ସବ୍‌ଇନ୍ସପେକ୍ଟର ପରୀକ୍ଷା ପାଇଁ ମଧ୍ୟ ଫର୍ମ ପକାଇ ଦେଇଥିଲେ। ପରିବାର ଭିତରେ ମୋ ବାପାଙ୍କର, ମୋ ବଡଭାଇଙ୍କର ଓ ମୋର ବି ପୋଲିସ ୟୁନିଫର୍ମ ପ୍ରତି ବହୁତ ଦୁର୍ବଳତା ଥିଲା। ସେଥିପାଇଁ ଭାଇ ଓ ମୁଁ ଏନ୍‌.ସି.ସି. ନେଇଥିଲୁ। ଏ ମନ ପାଞ୍ଚୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ନୀତିରେ ମୁଁ ସେହି ୧୯୯୭ ମସିହାରେ ସମସ୍ତ ପ୍ରକାରର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୋଲିସ ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ମନୋନୀତ ହୋଇଗଲି। ମାତ୍ର ମନ ଟିକେ ଦୁଃଖ ଥାଏ କାରଣ ସେତେବେଳେ ମୋର ପି.ଜି. କମ୍ପ୍ଲିଟ ହୋଇ ନ ଥାଏ। କ’ଣ କରିବି ଭାବୁଥାଏ। ତେବେ ମଣିଷ ଯେବେ ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ ତା’ର ସମସ୍ୟାର ସମାଧାନ ଆପେ ଆପେ ହୋଇଯାଏ। ମୋ କ୍ଷେତ୍ରରେ ବି ଠିକ୍‌ ସେୟା ହିଁ ହୋଇଥିଲା। ସେ ସମୟରେ ପୋଲିସ ଟ୍ରେନିଂ କଲେଜ ଅନୁଗୋଳରେ ଅନ୍ୟ ବ୍ୟାଚ ପିଲାଙ୍କର ଟ୍ରେନିଂ ଚାଲିଥିବାରୁ ନୂଆ ବ୍ୟାଚକୁ ଟ୍ରେନିଂ ଦେବା ସମ୍ଭବ ନଥିଲା। ସେଥିପାଇଁ ଆମେମାନେ ସିଲେକ୍ଟ ହୋଇ ସେହିଭଳି ରହିଗଲୁ। ପାଖାପାଖି ଗୋଟିଏ ବର୍ଷ ପରେ ଟ୍ରେନିଂରେ ଯୋଗଦେବା ପାଇଁ ଡାକରା ଆସିଲା। ସେତେବେଳକୁ ମୋର ପି.ଜି. କମ୍ପ୍ଲିଟ ହୋଇ ରେଜଲ୍ଟ ବାହାରି ସାରିଥାଏ। ଆଉ ଗୋଟିଏ ଦୁଇଟି କମ୍ପିଟେଟିଭ ପରୀକ୍ଷାରେ ମଧ୍ୟ ମୁଁ ଉତ୍ତୀର୍ଣ୍ଣ ହୋଇସାରିଥାଏ। ମାତ୍ର ପୋଲିସ ୟୁନିଫର୍ମର ଦୁର୍ବଳତା ନିକଟରେ ଆଉ ସବୁ ଚାକିରି ମୋତେ ତୁଚ୍ଛ ଲାଗିଥିଲା। ଶେଷରେ ୦୧ା୦୯ା୧୯୯୮ରେ ଟ୍ରେନିଂରେ ଯୋଗ ଦେଇଥିଲି। ସେହି ବର୍ଷ ଅକ୍ଟୋବର ମାସରେ ମୁଁ ମୋର ପ୍ରଥମ ଦରମା ପାଇଥିଲି। ସେତେବେଳେ ଦରମା ଟଙ୍କା ହାତକୁ ଦିଆଯାଉଥିଲା। ବର୍ତ୍ତମାନ ଭଳି ସାଲାରି ଆକାଉଣ୍ଟ, ଅନ୍‌ଲାଇନ, ଏ.ଟି.ଏମ୍‌. କିମ୍ବା ପେ.ଟି.ଏମ୍‌.ର ବ୍ୟବସ୍ଥା ନଥିଲା। ଖୁବ୍‌ କମ୍‌ ବୟସରୁ ମୁଁ ଚାକିରି ପାଇଯାଇଥିଲି। ପାଠପଢ଼ା ସାରି ବେକାର ହୋଇ ବସିବାର ଦୁଃଖ ଈଶ୍ୱରଙ୍କ କୃପାରୁ ମୁଁ ପାଇ ନ ଥିଲି। ଆବଶ୍ୟକତାଠାରୁ ଅଧିକ ଆଶା କରୁ ନ ଥିବା ମୋ ଭଳି ଜଣେ ମଣିଷ ପାଇଁ ଏହା ଅମାପ ଥିଲା। ନୋଟ୍‌ଗୁଡ଼ିକୁ ଗଣିବାବେଳେ ହାତରୁ ବାରମ୍ବାର ଖସିଯାଉଥିଲା। ଘରୁ ନେଇଥିବା ବାକ୍ସରେ ନୋଟ୍‌, ରେଜା ପଇସାକୁ ରଖି ଗଦି ତଳେ ସେମିତି ଥୋଇ ଦେଉଥିଲି। ସରଳ, ସୁନ୍ଦର, ନିଷ୍କପଟ ମନରେ କିଏ କେତେ ଦେଲେ ନ ଦେଲେ ବା ଠକି ଦେଲେ ଚିନ୍ତା ନ ଥିଲା। ବାପା, ଭାଇ ସମସ୍ତେ ଚାକିରି କରିଥିବାରୁ ମୋ ଉପରେ କିଛି ଦାୟିତ୍ୱ ବି ନଥିଲା। ତେଣୁ ପ୍ରଥମ ଦରମା ପାଇବା ଖୁସିରେ ସମସ୍ତଙ୍କ ପାଇଁ ଉପହାର କିଣିଥିଲି। ଈଶ୍ୱରଙ୍କ ନିକଟରେ ପ୍ରସାଦ ମଧ୍ୟ ଚଢ଼େଇଥିଲି। ସାଙ୍ଗସାଥୀମାନଙ୍କ ସହିତ ଭୋଜି ଭାତ କରିଥିଲି, ନିଜର ଛୋଟ ଛୋଟ ଆବଶ୍ୟକତା ପୂରଣ କରିଥିଲି। ପୂର୍ବ ଅଭ୍ୟାସବଶତଃ ବୁକ୍‌ ଫେୟାରକୁ ଯାଇ ମନ ପସନ୍ଦର ଗୁଡ଼ିଏ ପୁସ୍ତକ କିଣିଥିଲି। ଓଡ଼ିଆ ଭାଷା ସାହିତ୍ୟରେ ଲେଖନୀ ଚାଳନା କରୁଥିବାରୁ ଏବଂ ଓଡ଼ିଆ ସାହିତ୍ୟ ପ୍ରତି ଭଲ ପାଇବା ଥିବାରୁ ରେଡିଓରେ ପ୍ରସାରିତ ସାହିତ୍ୟ, ସଙ୍ଗୀତ, ନାଟକ, ଗଳ୍ପ, ଯୁବବାଣୀ ଆଦି ପ୍ରୋଗ୍ରାମ ଶୁଣିବା ପାଇଁ ଗୋଟିଏ ଟୁ ଇନ୍‌ ୱାନ୍‌ ୱାକ୍‌ମ୍ୟାନ୍‌ ମଧ୍ୟ କିଣିଥିଲି। ଆଜି ଦୀର୍ଘ ଚବିଶ ବର୍ଷ ପରେ ମଧ୍ୟ ସେହି ସରଳ, ସୁନ୍ଦର, ନିଷ୍କପଟ ମନକୁ ନେଇ ବଞ୍ଚିଛି। ପ୍ରାପ୍ୟଠାରୁ ଅଧିକ ପ୍ରାପ୍ତି କିମ୍ବା ଆବଶ୍ୟକତାଠାରୁ ଅଧିକ ଠୁଳ କରିବାର ଆଶା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?