
ରାଉରକେଲା,୨୮।୬(ସଂଗୀତା ଜେନା): ଦକ୍ଷିଣ ରାଉରକେଲା ଜଳଦା “ଏ” ବ୍ଲକ ଅନ୍ତର୍ଗତ ଫେଟ୍ କଲ୍ ଛକ ସ୍ଥିତ ହାଟିନଟୋଲା ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚରିତ୍ରକୁ ସନ୍ଦେହ ସହ ମାତ୍ର ୫ଶହ ଟଙ୍କା ପାଇଁ ସ୍ତ୍ରୀଙ୍କ ଜୀବନ ନେଇଯାଇଛନ୍ତି। ମୃତକ ହେଲେ ସବିତା ମୁଣ୍ଡା।
ସୂଚନାନୁଯାୟୀ, ହାଟିନଟୋଲା ବସ୍ତିରେ ରାଇସିଂ ମୁଣ୍ଡା ( 37) ଓ ସ୍ତ୍ରୀ ସବିତା ରହି ଆସୁଥିଲେ। ଗତ ଶୁକ୍ରବାର ରଥଯାତ୍ରା ଥିବାରୁ ସ୍ତ୍ରୀ ସବିତା ଘରେ ସ୍ବାମୀ ରଖିଥିବା ପାଞ୍ଚଶହ ଟଙ୍କା ନେଇ ଅନ୍ୟ ଜଣେ ଯୁବକଙ୍କ ସହ ରଥଯାତ୍ରା ଦେଖିବାକୁ ଯାଇଥିଲେ। ସ୍ବାମୀ ରାଇସିଂ କାମରୁ ଫେରି ଘରକୁ ଆସି ସ୍ତ୍ରୀ ନ ଥିବା ଦେଖିବାକୁ ପାଇଥିଲେ। ରାତି ପ୍ରାୟ ୧୧ଟା ବେଳେ ତାଙ୍କ ସ୍ତ୍ରୀ ଘରକୁ ଫେରିବା ପରେ ରାଇସିଂ ଘରେ ରଖିଥିବା ପଞ୍ଚଶହ ଟଙ୍କା କୁଆଡେ ଗଲାବୋଲି ସ୍ତ୍ରୀକୁ ପଚାରିଥିଲେ। ସବିତା ରଥଯାତ୍ରାରେ ଖର୍ଚ୍ଚ ହୋଇଯାଇଥିବା କଥା ଜଣାଇଥିଲେ। ସବିତାଙ୍କ ଚରିତ୍ରକୁ ସ୍ବାମୀ ଆକ୍ଷେପ କରିଥିଲେ। ଏହି କଥାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରାଇସିଂ ସ୍ତ୍ରୀଙ୍କୁ ଧକ୍କା ଦେବାରୁ ସ୍ତ୍ରୀ ତଳେ ପଡିଯାଇଥିଲେ। ସ୍ବାମୀ ସଙ୍ଗେସଙ୍ଗେ ଘରେ ଥିବା ଏକ ମୁନିଆ କାଠ ଫାଳିଆ ଧରି ସ୍ତ୍ରୀଙ୍କୁ ପିଟିବା ସହିତ ସେହି ପେଟକୁ ଭୁସି ଦେଇଥିଲେ। ଫଳରେ ସବିତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଶନିବାର ସକାଳେ ପାଖ ପଡୋଶୀ ଲୋକ ଖବରପାଇ ସ୍ଥାନୀୟ ଟାଙ୍ଗରପଲ୍ଲୀ ଥାନାକୁ ଖବର ଦେଇଥିଲେ। ଟାଙ୍ଗରପଲ୍ଲୀ ପୋଲିସ ଅଧିକାରୀ ନିରଞ୍ଜନ ସେଠୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ରାଇସିଂଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଘଟଣାସ୍ଥଳରେ ପୋଲିସ ସହିତ ସାଇଣ୍ଟିଫିକ ଟିମ୍ ପହଞ୍ଚି ଆସି ତଦନ୍ତ ଆରମ୍ଭ କରିଥିଲେ।