କ୍ଷୁଧାମୁକ୍ତ ଭାରତ ନା କ୍ଷୁଧା ମୃତ୍ୟୁ ଭାରତ

ସାରଦା ପ୍ରସାଦ କର

 

କ୍ଷୁଧା ମୃତ୍ୟୁ ଭାରତର ବିକଳ ଚିତ୍ର କାନ୍ଥ ଆଉଜା ମାରୁଛି ବିକାଶର ତୈଳଚିତ୍ର ପଛରେ। ୨୦୨୨ ମେ’, ଶ୍ରୀଲଙ୍କାର ବିତ୍ତୀୟ ବିପର୍ଯ୍ୟୟରେ ୫.୬ ମିଲିୟନ ଡଲାରର ଚାଉଳ, କ୍ଷୀର ପାଉଡର ଓ ଔଷଧ, ରାଶନ ଯୋଗାଇଥିବା ଭାରତ କ୍ଷୁଧାମୁକ୍ତ ବୋଲି ପ୍ରମାଣ କରିଛି। ସେହିଭଳି ଆଫ୍ରିକା ମହାଦେଶୀୟ ରାଷ୍ଟ୍ର ସୁଦାନ, ଦକ୍ଷିଣ ସୁଦାନ ଓ ଏରିଟ୍ରିଆ ଆଦିଙ୍କୁ ୨୦୨୧ ଅକ୍ଟୋବରରେ ୧୫୫ ମେଟ୍ରିକ୍‌ ଟନ୍‌ ଅଟା, ୬୫ ମେଟ୍ରିକ୍‌ ଟନ୍‌ ଚାଉଳ ଓ ୫୦ ମେଟ୍ରିକ୍‌ ଟନ୍‌ ଚିନି ଯୋଗାଇ ବିଶ୍ୱକୁ କ୍ଷୁଧାମୁକ୍ତ କରିବା ପ୍ରୟାସ କରିଛି ଭାରତ। ଚଳିତ ୨୦୨୩-୨୪ ବଜେଟରୁ ଆଫଗାନିସ୍ତାନକୁ ପଚିଶ ମିଲିୟନ ଡଲାର ଅର୍ଥାତ୍‌ ୨୦୦ କୋଟିର ମୁକ୍ତ ହସ୍ତ ଦାନ କରିଛନ୍ତି ବିତ୍ତମନ୍ତ୍ରୀ ନିର୍ମଳା ସିଥାରମଣ। ହେଲେ ବର୍ଷ ୨୦୨୨ରେ ୧୨୧ଟି ଦେଶକୁ ନେଇ ପ୍ରକାଶ ପାଇଥିବା ବିଶ୍ୱ ଭୋକିଲା ସୂଚକାଙ୍କରେ ଭାରତର ସ୍ଥାନ ୧୦୭। ଯଦିଓ ଭାରତ ଏ କଥାଟିକୁ ସ୍ବୀକାର କରିବାକୁ ଅରାଜି ତଥାପି ଅସଲ ସତଟି ହେଲା, ପାଉଡର ମାଖି ମୁହଁ ଯେତେ ଚକ୍‌ ଚକ୍‌ କଲେ ବି ଭାରତରେ ପୋଡ଼ିଯାଉଥିବା ପେଟର ବିକଳ ଚିତ୍ର ସାରା ବିଶ୍ୱ ଦେଖିପାରୁଛି।
ସାରା ବିଶ୍ୱର ତିନିଭାଗ ଗରିବ ଲୋକଙ୍କ ଭିତରେ ଭାଗେ ହଉଛନ୍ତି ଭାରତର, ଏ କଥା ସ୍ବୀକାର କରିବାକୁ ପଡ଼ିବ। ପାକିସ୍ତାନ ଆଉ ବାଂଲାଦେଶ ଆମ ସହ ଯୋଡ଼ିହେଲେ ବିଶ୍ୱ ଦାରିଦ୍ର୍ୟର ଅଧା ଭାଗୀଦାର ଏହି ତିନୋଟି ଦେଶ। ବାର୍ଷିକ ଚାରିଭାଗରୁ ତିନିଭାଗ ସମୟ ଦୈନିକ ଆଠ ଘଣ୍ଟା କାମ ନ ଥିଲେ ବେକାର(୧୮-୬୫ ବର୍ଷ)ବୋଲି ଷଷ୍ଠ ପଞ୍ଚବାର୍ଷିକ ଯୋଜନାରୁ ନିରୂପିତ ସଂଜ୍ଞା ପ୍ରତି ଆମେ ଯେମିତି ଉଦାସୀନ। ପାଠପଢୁଆ ଓ କୁଶଳୀ ଶ୍ରମଶକ୍ତି ଉପଯୋଗ ବିନା ଦେଶରେ ଆପରାଧିକ ମାମଲା ଉପରମୁହାଁ। ସରକାର ମୁଣ୍ଡ ପିଛା ଆୟର ଯେଉଁ ରଚନା ଦେଖଉଛନ୍ତି ତାହା ନେତା, ମନ୍ତ୍ରୀ ଆଉ ଶିଳ୍ପପତିଙ୍କ ଗଚ୍ଛିତ ଧନର ସାଧାରଣ ଲୋକଙ୍କ ମୁଣ୍ଡରେ ସମବଣ୍ଟନ ଖାତାପତ୍ର ବ୍ୟବସ୍ଥା କଥା। ଅଦୃଶ୍ୟ ମୁଦ୍ରା ବା କ୍ରିପ୍‌ଟୋ କରେନ୍‌ସିଠାରୁ ଆହୁରି ବିପଜ୍ଜନକ ଓ ଭୟଙ୍କର ଏହି ମୁଣ୍ଡ ପିଛା ଆୟ ବିଷୟ। ଦେଶର ବାର୍ଷିକ ମୁଣ୍ଡ ପିଛା ଆମିଷ ଭକ୍ଷଣକାରୀଙ୍କ ଭିତରେ ସବୁ ନିରାମିଷାଶୀ ସାଧୁସନ୍ଥଙ୍କୁ ଛନ୍ଦିବା କୌଶଳ ଭଳି ଅର୍ଥନୀତିର ଏହି ଗଣନା ସରକାରଙ୍କୁ ଉତ୍ସାହିତ କରେ। କଳାବଜାରର ପଞ୍ଚତାରକା ହୋଟେଲ ଖାଦ୍ୟରେ ଦେଶର ଭୋକିଲା ପେଟ ପୂରାଏ ଯେମିତି। ଖାଦ୍ୟ ଓ ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ, ପାଞ୍ଚବର୍ଷରୁ କମ୍‌ ଶିଶୁ ମୃତ୍ୟୁ ଓ ଅନାହାରକୁ ନେଇ ବିଶ୍ୱବ୍ୟାପୀ ସର୍ବେକ୍ଷଣରେ ଶହେ ମାର୍କରୁ ୨୦-୩୪.୯ ମାର୍କ ପର୍ଯ୍ୟନ୍ତ ଅତି ଜଟିଳ ବର୍ଗରେ ଭାରତର ସ୍ଥାନ ୨୯.୧। ସାଧାରଣ ବଣ୍ଟନ ବ୍ୟବସ୍ଥା (ଟାର୍ଗେଟେଡ୍‌ ପବ୍ଲିକ୍‌ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ) ୨୦୨୩-୨୪ ବଜେଟରେ ୩୨ ପ୍ରତିଶତ କମେଇ ସରକାର ବିଦେଶକୁ ଦାନକଲେ ଦାନୀ ହେବେ ହେଲେ ଦେଶର ଭୋକିଲା ପେଟ ଲୁଚେଇ ନ ପାରି ଲୋକହସା ହେବେ। ଆଦାନୀଙ୍କ ମିଛ ପଇସାରେ ମୋହର ମାରିଲେ ଦେଶ କେବେ ବି ବୃହତ୍ତମ ଅର୍ଥନୀତି ହେବନାହିଁ।
ପେଟ ଅଛି ମାନେ କ୍ଷୁଧା ରହିବ ହେଲେ କ୍ଷୁଧାମୁକ୍ତ ସମାଜ ପାଇଁ ସରକାର ଲୋକଙ୍କୁ ଯୋଗ୍ୟ କରିବେ। ଉତ୍ପାଦନଭିତ୍ତିକ ଶିଳ୍ପରେ ପଛୁଆ ଓ କର୍ମସଂସ୍ଥାନ ଯୋଗାଡ଼ କରିବାରେ ନିଜ ଅସହାୟତା କାରଣରୁ ଡିସେମ୍ବର ୨୫, ୨୦୦୦ରୁ ସରକାର ଏକ କୋଟି ଅତି ଗରିବଙ୍କ ପାଇଁ ଅନ୍ତ୍ୟୋଦୟ ଅନ୍ନ ଯୋଜନା କଲେ। ମାସିକ ୩୫ କିଲୋ ଖାଦ୍ୟଶସ୍ୟ, ୨ ଟଙ୍କା କିଲୋ ଗହମ ଆଉ ୩ ଟଙ୍କାରେ କିଲୋ ଚାଉଳ ପ୍ରକୃତ ଭୋକିଲା ପେଟ ପାଖରେ ପହଁଚିଲା କି ନାହିଁ ତାହା ଆଜିର ଦସ୍ତାବିଜରୁ ଜଣାପଡୁଛି। କିନ୍ତୁ ଏଥିରେ ବି ବାଟମାରଣା ହେଲା। ଥିଲାବାଲା ବି ଖାଇଲେ। ୧୯୯୯ରୁ ଆରମ୍ଭ ଭତ୍ତାଯୋଗ୍ୟ ବୃଦ୍ଧାବୃଦ୍ଧାଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ଦଶକିଲୋ ଖାଦ୍ୟଶସ୍ୟରେ ବି ବାଟମାରଣା ହେଲା। ସରକାର ନାରା ଦେଲେ ଯେ ଦେଶରେ ବିକାଶ ଆସିଗଲା। ସରକାର ବିଦେଶ ବୁଲି ପ୍ରଚାରସର୍ବସ୍ବ ହେଲେ, ନବରତ୍ନ ମାନର ଶିଳ୍ପସବୁ କ୍ଷତିଗ୍ରସ୍ତ ହେଲାବେଳେ ସରକାର ସେସବୁରୁ ପୁଞ୍ଜି ପ୍ରତ୍ୟାହାର କରି ନିଜ ଭଣ୍ଡାର ବଢ଼ିଛି କହି ମିଛ ବାଃ ବାଃ ନେଲେ। ନିଯୁକ୍ତି ତ୍ୱରାନ୍ବିତ କରି ନ ପାରି ସେନାର ସାଧାରଣ ନିଯୁକ୍ତି ପ୍ରକ୍ରିୟାକୁ ସରକାର ନିଜ ଅଙ୍ଗୀକାରବଦ୍ଧତାର ପ୍ରଚାର କଲେ। ଭାରତର ୧.୪ ବିଲିଅନ ଲୋକଙ୍କ ଭିତରୁ କୋଡିଏ ପ୍ରତିଶତ ଦୈନିକ ଚଳିବା ପାଇଁ ୧.୨୫ ଡଲାର ଖର୍ଚ୍ଚ କରନ୍ତି। ଏହା ହାରାହାରି ହିସାବ ଯେହେତୁ ଏମିତି ବି କେହି ଥାଇପାରନ୍ତି ଯାହାଙ୍କ ପକେଟରେ ଫଟା ପାହୁଲାଟିଏ ବି ନାହିଁ। ଅନେକଙ୍କ ଖାଦ୍ୟ ନିରାପତ୍ତା ବିପନ୍ନ। ୧୬.୩ ପ୍ରତିଶତ, ଯାହାଙ୍କ ଲାଗି ସୁଷମ ଖାଦ୍ୟ ସ୍ବପ୍ନ।
ବର୍ଷ ୨୦୨୨ ଆରମ୍ଭରୁ ବିଶ୍ୱରେ ଖାଦ୍ୟ ସଙ୍କଟ ୨୮୨ ମିଲିୟନରୁ ୩୪୫ ମିଲିୟନ ଛୁଇଁବାବେଳେ ଆମେ କିନ୍ତୁ ଉତ୍ସାହିତ ଥିଲୁ ଏଥିପାଇଁ କି ଆମ ପାଖରେ ମହଜୁଦ ଖାଦ୍ୟଶସ୍ୟ ରଖିବାକୁ ମଣ୍ଡିରେ ଜାଗା ନ ଥିଲା। ଆମେ ବାହାରକୁ ରପ୍ତାନି କରି ଲାଭାଂଶ କୃଷକକୁ ଦେଇ ଚାଷ ପ୍ରତି ଉତ୍ସାହ ସୃଷ୍ଟି କରିବା ପରିବର୍ତ୍ତେ ତାରି ଫସଲ ଉତ୍ପାଦ ତାକୁ ଦେଇ ଦାତାପଣରେ ବାନା ଉଡ଼େଇଲୁ। ଚାଷୀର ଉତ୍ପାଦ ଦୁଇଗୁଣା କରିବାକୁ ଯାଇ ସରକାର ”ଅର୍ଥଶ୍ରାଦ୍ଧ ଚମତ୍କାର“ ପରି ପ୍ରଚାର ନୀତିରେ ରହିଗଲେ। ବିଲ ମୁଣ୍ଡକୁ ଯିଏ ଯିବ ତା’ ହାତକୁ ଲାଭାଂଶ ଯିବ କଥାଟି ନ କରି ଭୋକିଲାକୁ ଆହାର ଦେବି କହି କୃଷି ଉତ୍ପାଦନଭିତ୍ତିକ ତଥା ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପକୁ ହିସାବ ଖାତାରେ ରଖିଲେ। ଦେଶରେ ୧୯୦ ମିଲିୟନ (ପାଖାପାଖି କୋଡ଼ିଏ କୋଟି) ଲୋକ ରାତିଟା ଉପାସରେ ଶୋଉଥିବା ଦେଶର ଚିତ୍ର ଅସ୍ପଷ୍ଟ କରି ପଡ଼ୋଶୀ ପାକିସ୍ତାନର କୋଟିଏ କେମିତି ଭୋକରେ ଅଛନ୍ତି ଦେଖେଇଲେ। ଦେଖିବାକୁ ଗଲେ ତୈଳ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଆଉ ଖାଦ୍ୟ ଉତ୍ପାଦନରେ ପଛୁଆ ହେବାରୁ ସର୍ବାଧିକ ଭୋକିଲା ଦେଶ ୟେମେନ୍‌ ଅପେକ୍ଷା ଆମ ପାଖରେ ଭୋକିଲା ପେଟ ଯଥେଷ୍ଟ ଅଧିକା। କ୍ଷୁଧାମୁକ୍ତ ଭାରତ ନା କ୍ଷୁଧା ମୃତ୍ୟୁର ଦେଶ ଭାରତ ତାହା ସରକାର ନିଜେ ସ୍ପଷ୍ଟ ହୁଅନ୍ତୁ।ବର୍ଷ ୨୦୨୧ ହିସାବ ଅନୁସାରେ, ବିଶ୍ୱର ଦୈନନ୍ଦିନ ଆତ୍ମହତ୍ୟା ୮ ଲକ୍ଷରୁ ଏକୁଟିଆ ଆମ ଭାଗ ୧,୬୪,୦୦୦। ଅଧିକାଂଶ ଋଣ ଚାପରେ ଚାଷୀ ଆଉ ଭୋକିଲା ମଣିଷ।
ମୋ: ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?