ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ

 

ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା ଦେଶବତ୍ସଳ ନେତୃବର୍ଗ ରୂପେ ଯେଉଁ ଅବିସ୍ମରଣୀୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ, ତା’ର ଉଜ୍ଜ୍ୱଳକୃତି ଓ ସାକ୍ଷର ଏବେ ମଧ୍ୟ ବହୁ ଆଇନଜୀବୀଙ୍କୁ ଦିଗ୍‌ଦର୍ଶନ ପ୍ରଦାନ କରିଆସିଛି। ଭାରତର ପ୍ରଖ୍ୟାତ ଜାତୀୟତାବାଦୀ ନେତାରୂପେ ମଧୁସୂଦନ ଦାସଙ୍କର ଜଣେ ବିଶିଷ୍ଟ ଆଇନଜ୍ଞ ତଥା ଦେଶବତ୍ସଳ ନାୟକ ରୂପେ ସର୍ବଶ୍ରେଷ୍ଠ ଅବଦାନ ଥିଲା ପରାଧୀନ ଭାରତରେ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓ ଓଡ଼ିଶାର ଗଠନ ବଳିଷ୍ଠ ଜନଜାଗରଣ ତଥା ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ। ଏହି ପ୍ରକ୍ରିୟା ୧୯୦୩ଠାରୁ ଆରମ୍ଭ ହୋଇ ୧୯୩୫ ପର୍ଯ୍ୟନ୍ତ ସୁଦୀର୍ଘ ପରିବ୍ୟାପ୍ତ ରହିଥିଲା। ପରାଧୀନ ଭାରତରେ ଓଡ଼ିଶା ପ୍ରଦେଶ ଗଠିତ ହୋଇ ନ ଥିଲେ ଏହା ଗଠନର ସମ୍ଭାବନା ସ୍ବାଧୀନ ଭାରତରେ ସୁଦୂର ପରାହତ ହୋଇଥାଆନ୍ତା। ସମଗ୍ର ଭାରତରେ ଆଇନଜୀବୀଙ୍କ ପାଇଁ ମଧୁସୂଦନ ଦାସଙ୍କ ସର୍ବଶ୍ରେଷ୍ଠ ଅବଦାନ ଥିଲା ଭାରତୀୟ ନାରୀଙ୍କୁ ଆଇନଜୀବୀ ବୃଦ୍ଧି ଗ୍ରହଣର ଯୁଗାନ୍ତକାରୀ ଅଧିକାର ପ୍ରଦାନ।
ଆଇନଜୀବୀ, ଆଇନଜ୍ଞ, ପାର୍ଲାମେଣ୍ଟାରିଆନ, ବିଧାୟକ ତଥା ଦେଶପ୍ରେମୀ ନେତା ରୂପେ ମଧୁସୂଦନ ଦାସଙ୍କ ଭୂମିକା ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା। ମଧୁବାବୁଙ୍କ ଜୀବନ ଇତିହାସରୁ ଉପନୀତ ହେଲୁ ଯେ ଜଣେ ଆଇନଜୀବୀର ଭୂମିକା କେବଳ କୋର୍ଟ କଚେରି ପରିସର ଭିତରେ ସୀମାବଦ୍ଧ ନୁହେଁ। ତାଙ୍କର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ସମାଜ ତଥା ଦେଶର ଉନ୍ନତି ଓ ଅଗ୍ରଗତି ପାଇଁ ଏକାନ୍ତ ପରିବ୍ୟାପ୍ତ। ମଧୁବାବୁ ନିଜକୁ ଜଣେ ସୁଦକ୍ଷ ଆଇନଜ୍ଞ ହିସାବରେ ପ୍ରତିଷ୍ଠିତ କରିବା ସଙ୍ଗେ ସଙ୍ଗେ ସେ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ, ସାହିତ୍ୟ ସାଧକ, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ଶିଳ୍ପୋଦ୍ୟୋଗୀ, କଳାପ୍ରେମୀ, ଶିକ୍ଷାବିତ୍‌, ଦାର୍ଶନିକ, ବ୍ୟବସ୍ଥାପକ ଓ ସମଗ୍ର ଭାରତବର୍ଷର ଜଣେ ଅଗ୍ରଗାମୀ ଚିନ୍ତାନାୟକ, ଜନନାୟକ ଏବଂ ରାଷ୍ଟ୍ରନାୟକ। ଏକାଧାରରେ ମଧ୍ୟ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍‌, ପ୍ରଥମ ଓଡ଼ିଆ ଏମ୍‌.ଏ., ପ୍ରଥମ ବିଲାତ ଯାତ୍ରୀ ତଥା ପ୍ରଥମ ଓଡ଼ିଆ ଓକିଲ। ସେ ମଧ୍ୟ ଥିଲେ ପ୍ରଥମ ଓଡ଼ିଆ ମନ୍ତ୍ରୀ ଏବଂ ମନ୍ତ୍ରୀପଦ ଅବୈତନିକ ଦାବି କରି ଇସ୍ତଫା ଦେବାରେ ଭାରତର ପ୍ରଥମ ମନ୍ତ୍ରୀ। ଛୋଟଲାଟ୍‌ ସଭା ଏବଂ ବଡ଼ଲାଟ୍‌ ସଭାରେ ମଧୁବାବୁ ଥିଲେ ପ୍ରଥମ ଓଡ଼ିଆ ସଦସ୍ୟ।
ମଧୁସୂଦନ ଯେଉଁ ଅନୁଷ୍ଠାନଗୁଡ଼ିକର ପ୍ରତିଷ୍ଠାତା ଥିଲେ, ସେଗୁଡ଼ିକ ହେଉଛି ଉତ୍କଳ ସମ୍ମିଳନୀ (୧୯୦୩), ଓଡ଼ିଆ ସାହିତ୍ୟ ମଞ୍ଚ ଉତ୍କଳ ସାହିତ୍ୟ ସମାଜ (୧୯୦୩), ନିଖିଳ ଉତ୍କଳ ଛାତ୍ର ସଂଗଠନ (୧୯୦୩), କୃଷକମାନଙ୍କ ସୁରକ୍ଷାର ପ୍ରଥମ ଅନୁଷ୍ଠାନ ପ୍ରଜା ପରିଷଦ (୧୯୦୯), ଉତ୍କଳ ଟ୍ୟାନେରୀ (୧୯୦୫), ତାଳଗୁଡ଼ ସଂସ୍ଥା (୧୯୦୪), ନାରୀ ଜାଗରଣ ପାଇଁ ବାଳିକା ଉଚ୍ଚ ବିଦ୍ୟାଳୟ (୧୯୦୮), ତନ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର (୧୯୦୫), ତାରକସି ଶିଳ୍ପର ଉନ୍ନୟନ ପାଇଁ ଓଡ଼ିଶା ଆର୍ଟ ଅଫ୍‌ ୱେୟାର ୱାର୍କସ ପ୍ରତିଷ୍ଠାନ (୧୮୯୭), ପ୍ରାଦେଶିକ ସ୍ତରରେ କ୍ରୀଡ଼ାର ଉନ୍ନୟନ ଓ ସଂଗଠନ ପାଇଁ ଓଡ଼ିଶା ସ୍ଥାୟୀ ରଙ୍ଗମଞ୍ଚ (୧୮୮୭), ବିହାରୀବାଗରେ ପ୍ରଥମ ଶାସ୍ତ୍ରୀୟ ଓଡ଼ିଶା ସଙ୍ଗୀତ ଆସର (୧୮୮୨) ଇତ୍ୟାଦି।
ଓଡ଼ିଶାବାସୀଙ୍କ ପାଇଁ ଆଇନଜୀବୀ ଭାବରେ ତାଙ୍କର ଗୌରବୋଜ୍ଜ୍ୱଳ ଅବଦାନ ହେଲା, ବ୍ରିଟିଶ୍‌ ସରକାରଙ୍କ କୂଟ ଚକ୍ରାନ୍ତମୂଳକ ଆକ୍ରମଣରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସୁରକ୍ଷା ପ୍ରଦାନ ସହିତ ଗଜପତି ପରମ୍ପରାକୁ ସ୍ବୀକୃତି ପ୍ରଦାନ ମହନୀୟ ବ୍ୟବସ୍ଥା ଗ୍ରହଣ। ଏହା ବାଦ୍‌ ମାନସିଂହ ପାଟଣା ଡକାୟତି ମୋକଦ୍ଦମା, ଖଣ୍ଡପଡ଼ା ଓ କେନ୍ଦୁଝର ରାଜାଙ୍କ ମୋକଦ୍ଦମା, ସୂର୍ଯ୍ୟମଣି ପାଟଦେଇ ପଟିଆରାଜା, ପୁରୀରାଜା ରାମଚନ୍ଦ୍ର ଦେବ ପ୍ରଭୃତିଙ୍କ ପୋଷ୍ୟପୁତ୍ର ଗ୍ରହଣ ମୋକଦ୍ଦମାରେ ମଧୁବାବୁ ଯେଉଁ ବିଜ୍ଞତା, ବାଗ୍ମୀତା, କାର୍ଯ୍ୟଦକ୍ଷତା, ବିଚକ୍ଷଣତାର ପରିଚୟ ଦେଇଛନ୍ତି, ତାହା ତାଙ୍କୁ ସବୁଦିନ ପାଇଁ ଓଡ଼ିଶା ଆଇନ ଜଗତରେ ଜଣେ ଜ୍ୟୋତିଷ୍କ ଭାବେ ପରିଗଣିତ କରାଇଛି। ଓଡ଼ିଶାର ଗରିବ ବୁଭୁକ୍ଷୁ ଜନସାଧାରଣ, କୁଶଳୀ କାରିଗର, ହରିଜନ ଏବଂ ନାରୀ ଜାତି ଓ ଶିକ୍ଷା ବ୍ୟବସ୍ଥା ପ୍ରତି ମଧୁବାବୁଙ୍କ ବୈପ୍ଳବିକ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବରେ ଅଭିଭୂତ କରିଥିଲା ମହାତ୍ମା ଗାନ୍ଧୀଙ୍କୁ। ତାଙ୍କର ଯୁଗାନ୍ତକାରୀ ମାନବଧର୍ମୀ ଚିନ୍ତାଧାରା ଯୋଗୁ ଜାତିର ଜନକ ମହାତ୍ମା ଗାନ୍ଧୀ ମଧୁବାବୁଙ୍କୁ ନିଜ ଜୀବନରେ ଜଣେ ପଥପ୍ରଦର୍ଶକ ଭାବରେ ଗ୍ରହଣ କରିଥିଲେ। ୧୯୨୪ ମସିହାରୁ ମଧୁବାବୁଙ୍କ ସ୍ବଦେଶୀ ଶିଳ୍ପ ଆନ୍ଦୋଳନ, ହରିଜନ ସଂସ୍ଥାପନ, ଗ୍ରାମ୍ୟ ଉନ୍ନୟନର ପରିକଳ୍ପନା, ମୌଳିକ ଶିକ୍ଷାର ପ୍ରବର୍ତ୍ତନ ପାଇଁ ଜନଜାଗରଣ ଅନେକାଂଶରେ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାକୁ ଗଭୀର ଭାବରେ ପ୍ରଭାବିତ ଓ ଆଲୋଡ଼ିତ କରିଥିଲା। ହରିଜନଙ୍କ ପ୍ରତି ମଧୁବାବୁ ଯେଉଁ ଚିନ୍ତାଧାରା ପୋଷଣ କରିଥିଲେ, ତାହା ଦେଖି ମହାତ୍ମା ଗାନ୍ଧୀ କହୁଥିଲେ ‘ସମାଜର ଏକ ଅଂଶ ପ୍ରତି ଆମେ ଯେଉଁ ଅପରାଧ କରି ଚାଲିଛେ, ମଧୁସୂଦନ ଦାସ ସେଇ ସମ୍ପର୍କରେ ମୋର ଆଖି ଖୋଲି ଦେଇଥିଲେ।’
ଜାତୀୟ ଗୌରବ ମଧୁସୂଦନ ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ଆରମ୍ଭ ହୋଇଛି ଓଡ଼ିଆମାନଙ୍କ ରାଜନୈତିକ ପରମ୍ପରା। ମଧୁବାବୁଙ୍କ ଜନ୍ମ ଦିବସକୁ ବାର୍‌ କାଉନ୍‌ସିଲଙ୍କ ନିଷ୍ପତ୍ତିକ୍ରମେ ଓଡ଼ିଶାର ସବୁ ବାର୍‌ ଆସୋସିଏଶନ ୧୯୯୮ ମସିହାରୁ ପ୍ରତିବର୍ଷ ‘ଓକିଲ ଦିବସ’ ଭାବେ ପାଳନ କରିଆସୁଛନ୍ତି। ମଧୁବାବୁଙ୍କ ନାମରେ ପ୍ରତିଷ୍ଠିତ ଓକିଲମାନଙ୍କୁ ମଧ୍ୟ ‘ମଧୁଜ୍ୟୋତି’ ଏବଂ ’ମଧୁ ସମ୍ମାନ’ରେ ସମ୍ମାନିତ କରାଯାଉଛି। ମଧୁସୂଦନ କେବଳ ଓଡ଼ିଶାର ବିଶାଳ ବ୍ୟକ୍ତିତ୍ୱ ନ ଥିଲେ, ଥିଲେ ସମଗ୍ର ଭାରତବର୍ଷର। ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟର ସତ୍ତା ରହିଥିବ, ମୁକୁଟବିହୀନ ସମ୍ରାଟ୍‌ ଉତ୍କଳ ଗୌରବ ମଧୁସୂଦନ ମୃତ୍ୟୁଞ୍ଜୟ ହୋଇ ରହିଥିବେ। ଜାଗ୍ରତ ପ୍ରହରୀ ମଧୁସୂଦନଙ୍କର ଓଡ଼ିଶା ପ୍ରତି ଅତୁଳନୀୟ ଅବଦାନ ଥିଲେ ମଧ୍ୟ ରାଷ୍ଟ୍ରମର୍ଯ୍ୟାଦା ପାଇବାରୁ ସେ ବଞ୍ଚତ୍ତ ହୋଇଛନ୍ତି। ସେଥିପାଇଁ ସମସ୍ତ ଓଡ଼ିଆ କୁଳବୃଦ୍ଧ ମଧୁବାବୁଙ୍କ ଜନ୍ମଦିବସକୁ ‘ଓକିଲ ଦିବସରେ ସୀମିତ ନ ରଖି ରାଷ୍ଟ୍ର ଦିବସ ରୂପେ’ ପାଳନ କରି ମଧୁବାବୁଙ୍କ ନୀତି, ଆଦର୍ଶ, ବହୁମୁଖୀ ପ୍ରତିଭାରେ ଅନୁପ୍ରାଣିତ ହେବା ସଙ୍ଗେ ସଙ୍ଗେ ତାଙ୍କ ଜନ୍ମ ଦିବସକୁ ରାଷ୍ଟ୍ର ଦିବସ ରୂପେ ପାଳନ କଲେ ମଧୁସୂଦନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
ଆଇନଜୀବୀ, ଅଧ୍ୟକ୍ଷ,
ରାଜ୍ୟ ଆଇନଜୀବୀ ପରିଷଦ, ଓଡ଼ିଶା
ମୋ: ୯୯୩୭୦୮୦୦୦୧


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri