ପିଲାଙ୍କ ପାଇଁ ଆମେ କେତେ ଚିନ୍ତିତ

ରାଜୀବ କୁମାର ନାୟକ

 

କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ଅନୁସାରେ ଅନୁଷ୍ଠାନ ହେଉଛି ଶେଷ ଆଶ୍ରୟ ଏବଂ ଏହାକୁ ଆଖି ଆଗରେ ରଖି ୨୦୧୫ ମସିହାଠାରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଅଧିନିୟମରେ ପ୍ରଥମଥର ସକାଶେ ବିକଳ୍ପ ଶିଶୁଯତ୍ନ ଉପରେ ଗୁରୁତ୍ୱାରୋପ କରି ପ୍ରତିପାଳନ ଯତ୍ନ ବ୍ୟବସ୍ଥାକୁ ସ୍ଥାନିତ କଲେ ଯେଉଁଠି ଗୋଟିଏ ଶିଶୁ ଶିଶୁଗୃହରେ ନ ରହି ଅନ୍ୟ ଏକ ପରିବାରରେ ରହିପାରିବା ଭଳି ସ୍ନେହଯତ୍ନ ପାଇପାରିବ। ନୂଆ ଅଧିନିୟମରେ ଆହୁରି ମଧ୍ୟ ପରବର୍ତ୍ତୀ ଯତ୍ନ ବା ଆଫ୍‌ଟର କେୟାରକୁ ଗୁରୁତ୍ୱ ଦିଆଯାଇଛି, ଯଦ୍ଦ୍ବାରା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ପିଲା ଅତିବେଶିରେ ଅଠର ବର୍ଷ ପର୍ଯ୍ୟନ୍ତ ରହିବାର ବ୍ୟବସ୍ଥା ରହିଛି । ଏହା ସହ ଅଠରରୁ ଏକୋଇଶ ବର୍ଷର ପିଲାଙ୍କ ସକାଶେ ଯେଉଁ ବାଳିକାବାଳକଙ୍କ ମା’ବାପା ନ ଥିବେ, ନିଜର ଘର ବୋଲି କିଛି ନ ଥିବ, ସମ୍ପର୍କୀୟ କେହି ନ ଥିବେ ବା ତାଙ୍କ କଥା ବୁଝିବାକୁ କେହି ଆଗ୍ରହ ପ୍ରକାଶ କରୁ ନ ଥିବେ ସେଭଳି ସ୍ଥଳେ ଶିଶୁଟି ଅନୁଷ୍ଠାନରୁ ଗଲା ପରେ ତାକୁ ଆର୍ଥିକ ହେଉ ବା ଅନ୍ୟ କିଛି ସହାୟତା ଯୋଗାଇ ଦେବା କଥା ।
କିନ୍ତୁ ଅସଲରେ ଶିଶୁ ଯତ୍ନ ଅନୁଷ୍ଠାନ ବା ବିକଳ୍ପ ଯତ୍ନ ବ୍ୟବସ୍ଥା ମାଧ୍ୟମରେ ଅନ୍ୟ ପରିବାରରେ ରହି ଅଠର ବର୍ଷରେ ପଦାର୍ପଣ କଲା ପରେ ସେ କ’ଣ କରୁଛି, କୁଆଡେ ଯାଉଛି ତା’ର ହିସାବ ସରକାରଙ୍କ ପାଖରେ ଅଛି ନା ଶିଶୁଗୃହ କର୍ତ୍ତୃପକ୍ଷଙ୍କ ପାଖରେ ଅଛି। ଏଭଳି କ୍ଷେତ୍ରରେ ଉପରଠାଉରିଆ ଭାବରେ ଦେଖିଲେ ସମଗ୍ର ଓଡ଼ିଶାରେ ତିରିଶ ଗୋଟି ଜିଲା ଥିବାବେଳେ ହାରାହାରି ହିସାବରେ ଗୋଟିଏ ଜିଲାରେ ଅନ୍ତତଃ ପକ୍ଷେ ତିନୋଟି କରି ଶିଶୁଗୃହ ଥିଲେ ଏବଂ ପ୍ରତ୍ୟେକଟି ଶିଶୁଗୃହରୁ ଅଠରରେ ପଦାର୍ପଣ କରି ବାହାରୁ ଥିବା ପିଲା ସଂଖ୍ୟା ଅତିକମ୍‌ରେ ପାଞ୍ଚ ହେଲେ ମଧ୍ୟ ପ୍ରତିବର୍ଷ ପାଖାପାଖି ଚାରିଶହ ଶିଶୁ ଅନୁଷ୍ଠାନ ଛାଡୁଛନ୍ତି। ଯଦି ବିଗତ ଦଶ ବର୍ଷର ଆମେ ଏକ ହିସାବ କରିବା ତେବେ ଏଭଳି ପିଲାଙ୍କ ସଂଖ୍ୟା ପାଖାପାଖି ପାଞ୍ଚ ହଜାର ହେବ, ଯାହାକି ଏକ ଛୋଟ ସଂଖ୍ୟା ନୁହେଁ। ଏତେ ସଂଖ୍ୟାରେ ପିଲାଙ୍କ ହିସାବ ନ ରହିବା ଶିଶୁ ଅଧିକାରର ସୁରକ୍ଷା ଭଳି ଏକ ସ୍ବର୍ଶକାତର ପ୍ରସଙ୍ଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଆଫ୍‌ଟର କେୟାର କଥା ଯାହା କୁହାଯାଉଛି ବାସ୍ତବରେ ସରକାର ଆଜି ପର୍ଯ୍ୟନ୍ତ ତାହା ବିଧିବଦ୍ଧ ଭାବରେ ଆରମ୍ଭ କରିପାରି ନାହାନ୍ତିି। କାଁ ଭାଁ କେତୋଟି ଉଦାହରଣ ଛାଡିଦେଲେ ପିଲାମାନଙ୍କୁ ସେଭଳି କିଛି ବୃତ୍ତିଗତ ତାଲିମ/ ପ୍ରଶିକ୍ଷଣ ଦିଆଯାଇ ପାରିନାହିଁ। ଅବଶ୍ୟ ଦଶମ ପାସ୍‌ କଲା ପରେ କିଛି କିଛି ସ୍ଥାନରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଆନ୍ତରିକତା ଦେଖାଇ ଶିଶୁ ଗୃହରେ ରହୁଥିବା ପିଲାଙ୍କୁ ଆଇଟିଆଇ ବା ପଲିଟେକ୍‌ ଭଳି କିଛି ବୃତ୍ତିଗତ ତାଲିମ କେନ୍ଦ୍ରରେ ନାମ ଲେଖାଇବା ସକାଶେ ଯତ୍‌ପରୋନାସ୍ତି ଚେଷ୍ଟା କରୁଛି। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ। ପିଲାମାନେ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବାବେଳେ ମଧ୍ୟ କମ୍ପ୍ୟୁଟର୍‌, ସିଲେଇ ଇତ୍ୟାଦି ବିଷୟରେ ସ୍ବଳ୍ପକାଳୀନ ତାଲିମ ଦିଆଯାଇପାରନ୍ତା ଯଦିଓ କିଛି ଜାଗାରେ ଏସବୁ ଜିନିଷ ରଖାଯାଇଛି, ହେଲେ ସେଠାରେ ପ୍ରଶିକ୍ଷକ ନାହାନ୍ତି। ତେଣୁ ଅନ୍ୟ କାମରେ ନିୟୋଜିତ କର୍ମଚାରୀ ଏହା ଶିଖାଇବାକୁ ଅନାଗ୍ରହ ପ୍ରକାଶ କରିବା ତ ଗୋଟିଏ କଥା, ସେମାନେ ମଧ୍ୟ ପୂର୍ଣ୍ଣ ମାତ୍ରାରେ ତାଲିମପ୍ରାପ୍ତ ନୁହନ୍ତି। କିଏ କେମିତି ନିଜ ଆଗ୍ରହକୁ ନେଇ ବିଷୟକୁ ଯାହା ଆୟତ୍ତ କରିଥିବେ ତାହା ଅନ୍ୟକୁ ତାଲିମ ଦେବା ପାଇଁ ଯଥେଷ୍ଟ ନୁହେଁ। ଆଫ୍‌ଟର କେୟାର ବ୍ୟବସ୍ଥା ଅନୁଯାୟୀ ଅନୁଷ୍ଠାନ ଛାଡ଼ିବାର ପରବର୍ତ୍ତୀ ସମୟରେ ପିଲାମାନଙ୍କ ଆଗ୍ରହ ଅନୁସାରେ କମ୍ପ୍ୟୁଟର,ସିଲେଇ ଭିନ୍ନ ମୋଟର ବାଇଣ୍ଡିଂ,ମୋଟରସାଇକେଲ ମରାମତି, ମୋବାଇଲ ଫୋନ୍‌ ମରାମତି ଭଳି ଅନେକ ସ୍ବଳ୍ପକାଳୀନ ଏବଂ ଦୀର୍ଘକାଳୀନ ତାଲିମ ଦିଆଯାଇ ପାରନ୍ତା। ଜନ ଶିକ୍ଷଣ ସଂସ୍ଥା, ଆରସେଟି, ଡିଡିୟୁଜିକେଓୟି ଭଳି ଅନେକ ଅନୁଷ୍ଠାନ ଏ ଦିଗରେ କାର୍ଯ୍ୟ କରୁଛନ୍ତି, ଯେଉଁମାନଙ୍କ ସହିତ ପିଲାଙ୍କୁ ଯୋଡାଯାଇ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯାଇପାରନ୍ତା। କେନ୍ଦ୍ର ସରକାରଙ୍କ ଜାତୀୟ କୌଶଳ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ କୌଶଳ ଭାରତ-କୁଶଳ ଭାରତ ବାର୍ତ୍ତା ନେଇ ସ୍କିଲ୍‌ ଇଣ୍ଡିଆ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ଅନେକ ସଂଖ୍ୟାରେ ଯୁବତୀଯୁବକ ସାମିଲ ହୋଇ ନିଯୁକ୍ତି ପାଇପାରନ୍ତେ।
ପିଲାମାନେ ଅଠରରେ ପଦାର୍ପଣ କଲେ ତାଙ୍କ ସକାଶେ ଆୟର ପନ୍ଥା ଯୋଗାଇବା ନିମିତ୍ତ ଏଭଳି କିଛି ପ୍ରଶିକ୍ଷଣ ପ୍ରଦାନ ନ କରି ଶିଶୁ ଯତ୍ନ ଅନୁଷ୍ଠାନରୁ ଛାଡିଦେବା ଦ୍ୱାରା ଅନେକ ପିଲା କାମଧନ୍ଦା ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଚାଲିଯାଉଥିବା ନଜିର ସାମ୍‌ନାକୁ ଆସୁଛି। ସମୟ ସମୟରେ ଏପରି କି ସେଠାରେ ନିର୍ଯାତନାର ଶିକାର ହେବା ଗଣମାଧ୍ୟମର ପୃଷ୍ଠାମଣ୍ଡନ କରୁଛି,ଯାହାକି ନୈରାଶ୍ୟର ବିଷୟ। ଏଭଳି କ୍ଷେତ୍ରରେ ଏତେଦିନଧରି ଦିଆଯାଇଥିବା ଯତ୍ନ ଓ ସୁରକ୍ଷା ପାଣିରେ ମିଳେଇଗଲା ଭଳି ହେଉଛି।
ଏଭଳି ପିଲାଙ୍କ ଉଚ୍ଚଶିକ୍ଷା ନିମିତ୍ତ ଓଡ଼ିଶା ସରକାର ଗ୍ରୀନ୍‌ ପାସେଜ୍‌, ବୈଷୟିକ ଶିକ୍ଷା ସ୍ଥଳେ ଗୋପବନ୍ଧୁ ଶିକ୍ଷା ସହାୟତା ଭଳି ଯୋଜନା ଆରମ୍ଭ କରିଥିବା ସ୍ବାଗତଯୋଗ୍ୟ। ଠିକ୍‌ ସେହିପରି ପି.ଏମ୍‌.କେୟାରସ୍‌ ଫର୍‌ ଚିଲ୍‌ଡ୍ରେନ ଯୋଜନା ମାଧ୍ୟମରେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ସନ୍ତାନସନ୍ତତିଙ୍କୁ ୧୮ବର୍ଷରେ ପଦାର୍ପଣ କଲାଠାରୁ ମାସିକ ବୃତ୍ତି ପ୍ରଦାନ ତଥା ୨୩ବର୍ଷରେ ପଦାର୍ପଣ କଲା ପରେ ଏକକାଳୀନ ଦଶ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ଅନେକ ଗୁରୁତ୍ୱ ବହନ କରେ। କିନ୍ତୁ ଯେଉଁମାନେ ଉଚ୍ଚ ଶିକ୍ଷା କରିବାରେ ଅନାଗ୍ରହ ବା ଅନ୍ୟ କୌଣସି କାରଣରୁ ବଞ୍ଚିତ ହେଉଛନ୍ତି ତାଙ୍କୁ ଯଦି ଧନ୍ଦାମୂଳକ ତାଲିମ ଯୋଗାଇ ଦିଆଯାଇ ପାରନ୍ତା ତା’ ହେଲେ ସେମାନେ ରୋଜଗାରକ୍ଷମ ହୋଇପାରନ୍ତେ। ଶିଶୁ ଯତ୍ନ ଅନୁଷ୍ଠାନରେ ରହି ନବମ/ଦଶମ ଶ୍ରେଣୀରେ ପଢୁଥିବା ଶିଶୁମାନଙ୍କ ମଧ୍ୟରେ ଆହୁରି ମଧ୍ୟ ନିୟମିତ ଭାବରେ କ୍ୟାରିୟର କାଉନସେଲିଂର ବ୍ୟବସ୍ଥା କରାଯିବା ବାଞ୍ଛନୀୟ। ବର୍ତ୍ତମାନର ସମୟ ହେଉଛି ସୂଚନାର ସମୟ ଏବଂ ଯାହା ପାଖରେ ଯେତେ ଅଧିକ ସୂଚନା ରହୁଛି ସେ ସେତେ ଉନ୍ନତି କରୁଛି । ତେଣୁ ପିଲାମାନଙ୍କୁ ଅଧିକରୁ ଅଧିକ ସୂଚନା ଯୋଗାଇବା ଆମର କର୍ତ୍ତବ୍ୟ, ଯଦ୍ଦ୍ବାରା ପିଲାଟିଏ କ’ଣ କରିବା ଉଚିତ, କ’ଣ ଅନୁଚିତ, ତା’ଦ୍ୱାରା କ’ଣ ହେବ, କ’ଣ ହେବ ନାହିଁ ନିଜକୁ ନିଜେ ପରଖିବ। ତା’ପାଖରେ ଅନେକ ବିକଳ୍ପ ବି ରହିବ ବାଛିବାକୁ, ଚିନ୍ତା କରିବାକୁ।
ତେଣୁ ସରକାର କାଳବିଳମ୍ବ ନ କରି ଅଗ୍ରାଧିକାର ଭିତ୍ତିରେ ଆଫ୍‌ଟର କେୟାର କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ଆବଶ୍ୟକ। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ବା ସେବା ପ୍ରଦାନକାରୀ ଅନୁଷ୍ଠାନ ଯେଉଁମାନଙ୍କର ଆଗ୍ରହ ଥିବ ଏବଂ ବୃତ୍ତିଗତ ତାଲିମ ସଂକ୍ରାନ୍ତରେ ଅଭିଜ୍ଞତା ଥିବ ସେମାନଙ୍କ ସହିତ ସରକାର ମିଳିତ ଭାବରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇ ପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଠର ବର୍ଷ ପର୍ଯ୍ୟନ୍ତ ସରକାର ଯେଭଳି ଭାବରେ ଶିଶୁ ଯତ୍ନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛନ୍ତି, ୧୮ରୁ ୨୧ ବର୍ଷର ପିଲାମାନଙ୍କ ସକାଶେ ମଧ୍ୟ ସେହି ସମାନ ଆନ୍ତରିକତା ଦେଖାଇଲେ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ବାଳକ ବାଳିକାଙ୍କ ଏକ ସୁନ୍ଦର ଭବଷ୍ୟତ ଗଢ଼ାଯାଇପାରନ୍ତା।
ପଦରପଡ଼ା, ବୌଦ୍ଧ
ମୋ: ୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri