କେତେ ସନ୍ତାନ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୧ ଜୁଲାଇ ବିଶ୍ୱ ଜନସଂଖ୍ୟା ଦିବସରେ ରାଜ୍ୟ ଜନସଂଖ୍ୟା ନୀତି ଚିଠା ବିଲ୍‌କୁ ଉନ୍ମୋଚନ କରିଛନ୍ତି। ଏଥିରେ ଦୁଇ ସନ୍ତାନ ନୀତି ପ୍ରଚଳନ ଲାଗି ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଦୁଇ ସନ୍ତାନ ନୀତିକୁ ଉଲ୍ଲଂଘନ କରିବେ ସେମାନଙ୍କୁ ସରକାରୀ ଯୋଜନାର ସମସ୍ତ ସୁବିଧାରୁ ବଞ୍ଚିତ କରାଯିବ। ଅନ୍ୟପକ୍ଷରେ ଦୁଇ ସନ୍ତାନ କିମ୍ବା ୧ ସନ୍ତାନଧାରୀ ମାତାପିତାଙ୍କ ଲାଗି ସରକାର ହାତ ଖୋଲାକରି ସୁବିଧା ଓ ସୁଯୋଗ ବାଣ୍ଟିବେ ବୋଲି ଜଣାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପ୍ରଦେଶ ଭାରତର ସର୍ବାଧିକ ଜନବହୁଳ ରାଜ୍ୟ। ସେଠାରେ ମୁସଲମାନ ସମ୍ପ୍ରଦାୟର ଏକ ବଡ଼ ଅଂଶ ଥିବା ସହିତ ଦଳିତ ଓ ପଛୁଆବର୍ଗଙ୍କ ସଂଖ୍ୟା ଅଧିକ ଅଛି।
ଯୋଗୀ ଆଦିତ୍ୟନାଥଙ୍କ ଏହି ଘୋଷଣାକୁ ଦେଖିଲେ ଲାଗୁଛି ଯେପରି ଭାଜପା ‘ଏପଟି ନ ହେଲେ ସେପଟି’ ଔଷଧ ଗିଳୁଛି। ରାମମନ୍ଦିର, ମୁସଲମାନ ବିରୋଧୀ ପଦକ୍ଷେପ ସହିତ ଦଳିତମାନଙ୍କ ବିରୋଧରେ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସତ୍ତ୍ୱେ ଭାଜପାର ଦର ହ୍ରାସ ପାଇବାରେ ଲାଗିଛି। ଏହା ପଛରେ, ମୁଖ୍ୟତଃ, ମୋଦି ସରକାରଙ୍କ ଅର୍ଥନୈତିକ ବିଫଳତା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ( ଆରଏସ୍‌ଏସ୍‌)ର ଅଧିକାଂଶ ସାମାଜିକ ଲକ୍ଷ୍ୟକୁ ପୂରଣ କରାଯାଇଥିବାବେଳେ ଜାତୀୟ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। କେବଳ ପେଟ୍ରୋଲ, ଡିଜେଲ କିମ୍ବା ଖାଇବା ତେଲ ନୁହେଁ, ସବୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟୁଥିବା ସହିତ ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶର ଏହି ଦୁର୍ଦ୍ଦଶା ପାଇଁ କେବଳ କରୋନାକୁ ଦୋଷ ଦେବାର ଯେଉଁ ଉଦ୍ୟମ ହେଉଛି ତାହା ଭଲ ଭାବେ ଦାନା ବାନ୍ଧି ପାରୁନାହିଁ। କାରଣ କରୋନା କେବଳ ଭାରତକୁ ନୁହେଁ, ସମଗ୍ର ପୃଥିବୀକୁ ଆକ୍ରାନ୍ତ କରି ରଖିଛି। କିନ୍ତୁ ଭାରତକୁ ଯେଉଁଭଳି କ୍ଷତି କରିଛି, ତାହା ସମ୍ଭବତଃ ଦୁଇ ତିନି ଦଶନ୍ଧି ପର୍ଯ୍ୟନ୍ତ ଉଠିପାରିବା କଷ୍ଟକର ହେବ।
ଏହି ବିଫଳତାର ପ୍ରଚ୍ଛଦପଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କର ଦୁଇ ସନ୍ତାନ ନୀତି ଘୋଷଣା କରିବା ବିଷୟକୁ ଦେଖାଯିବା ଦରକାର। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଭଳି ସନ୍ତାନ ସଂଖ୍ୟା ଅନୁଯାୟୀ ସରକାରୀ ନୀତି ପ୍ରଣୟନ କୌଣସି ରାଜ୍ୟର କ୍ଷମତା ପରିସରରେ ଆସୁ ନ ଥିବା ଭଳି ମନେହେଉଛି। ଦେଶର ଜନଗଣନା ବା ସେନ୍‌ସସ୍‌ କେବଳ କେନ୍ଦ୍ର ସରକାର ଦ୍ୱାରା କରାଯାଇଥାଏ, ଅର୍ଥାତ୍‌ ତାହା ଏକ କେନ୍ଦ୍ରୀୟ ବିଷୟ। ଯୋଗୀ ଆଦିତ୍ୟନାଥଙ୍କ ପୂର୍ବରୁ ଆସାମର ହିମନ୍ତ ବିଶ୍ୱଶର୍ମା ମନ୍ତ୍ରିମଣ୍ଡଳ ଏହିଭଳି ଏକ ଦୁଇ ସନ୍ତାନ ନୀତି ଚାଲୁ କରିବ ବୋଲି କହି ସାରିଛି। ଆଜିର ଭାରତର ମାନଚିତ୍ରକୁ ଦେଖିଲେ ଅନେକ ରାଜ୍ୟ ଅଣଭାଜପା ଶାସିତ ଅଛନ୍ତି। ଆସନ୍ତାକାଲି ହୁଏତ ମମତା ବାନାର୍ଜୀ ଇଚ୍ଛା କଲେ ୪ ସନ୍ତାନ ବିଶିଷ୍ଟ ନୀତି ପ୍ରଣୟନ କରିପାରନ୍ତି। ସେହିଭଳି ତାମିଲନାଡୁର ଷ୍ଟାଲିନ୍‌ ବା ମହାରାଷ୍ଟ୍ରର ଠାକ୍‌ରେ ତିନି ବା ପାଞ୍ଚ ସନ୍ତାନ ନୀତି କଲାବେଳକୁ ଓଡ଼ିଶାର ନବୀନ ସରକାର କୌଣସି ସନ୍ତାନ କରି ନ ପାରନ୍ତି। ସେଥିପାଇଁ ସୀମିତ ସନ୍ତାନ କାର୍ଯ୍ୟକ୍ରମ ଏକ ଜାତୀୟ ସ୍ତର ନୀତି ହେବା କଥା ବୋଲି ମନେହେଉଛି। ନଚେତ୍‌ ଉତ୍ତର ପ୍ରଦେଶର ଏହି ଘୋଷଣାକୁ ବାଚାଳାମି କିମ୍ବା ପରୀକ୍ଷାଗାର ଭାବେ ଦେଖାଯାଇପାରେ। ଏଠାରେ ମନେପଡୁଛି, ଗତ ଶତାବ୍ଦୀର ସତୁରି ଦଶନ୍ଧିର ମଧ୍ୟଭାଗରେ ସଞ୍ଜୟ ଗାନ୍ଧୀଙ୍କ ଦ୍ୱାରା ଉତ୍ତର ଭାରତରେ ପରିବାର ନିୟନ୍ତ୍ରଣ ଲାଗି ବନ୍ଧ୍ୟାକରଣ ବା ଷ୍ଟେରିଲାଇଜେଶନ କାର୍ଯ୍ୟକ୍ରମ ସରକାରୀ ସ୍ତରରେ ଜୋରଜବରଦସ୍ତ ଆରମ୍ଭ କରାଯାଇଥିତ୍ଲା। ସେତେବେଳେ ସଞ୍ଜୟଙ୍କ ଦୃଷ୍ଟି ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଉପରେ ଅଧିକ ନିବଦ୍ଧ ଥିଲା। ଜରୁରିକାଳୀନ ପରିସ୍ଥିତି ଶେଷ ହେବା ପରେ ଉଭୟ ସଞ୍ଜୟ ଓ ତାଙ୍କ ମାତା ଇନ୍ଦିରା ଗାନ୍ଧୀ ନିର୍ବାଚନରେ ପରାଜୟ ବରଣ କରିଥିଲେ। ତେବେ ଆଦିତ୍ୟନାଥଙ୍କ ଏଭଳି କଠୋର ନୀତି ପଛରେ ଉଦ୍ଦେଶ୍ୟ କ’ଣ ଥାଇପାରେ ତାହା ଚିନ୍ତା କରିବା ଦରକାର। କେବଳ ଅର୍ଥନୈତିକ ମଙ୍ଗଳ ପାଇଁ ଏଭଳି ପ୍ରୟାସ କରାଯାଇଥିବା ଯାହା କୁହାଯାଉଛି, ତାହା ଆଦୌ ଗ୍ରହଣୀୟ ନୁହେଁ।
ଏହି ପରିପ୍ରେକ୍ଷୀରେ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚାଇନା କଥା ଦେଖାଯାଉ। ୧୯୮୦ ବେଳକୁ ଚାଇନା ଜନସଂଖ୍ୟା ୧୦୦ କୋଟି ଛୁଇଁବାକୁ ଯାଉଥିବା ଲକ୍ଷ୍ୟକରି ସେଠାକାର ଏକଚ୍ଛତ୍ରବାଦୀ ସରକାର ଏକ ସନ୍ତାନ ନୀତି ପ୍ରଣୟନ କରିଥିଲେ। ଫଳରେ ଜବରଦସ୍ତ ପରିବାର ନିୟୋଜନ ଓ ଗର୍ଭପାତ କରାଯାଇଥିଲା। ଦେଶବ୍ୟାପୀ ଲୋକେ ତାହାକୁ ବିରୋଧ କରିଥିଲେ। ଯେହେତୁ ସେଠାରେ ସରକାରଙ୍କ ସ୍ବେଚ୍ଛାଚାରିତା ରହିଛି ସେହେତୁ ସରକାରଙ୍କ ନୀତିକୁ ଜନସାଧାରଣଙ୍କ ଉପରେ ଲଦି ଦିଆଯାଇଥିଲା ଓ ଲୋକେ ତାହାକୁ ମାନିଲେ। ହେଲେ ଏହାର ୩୫ ବର୍ଷ ପରେ ଦେଖାଗଲା କାମ କରିବାକୁ ସୁସ୍ଥସବଳ ଯୁବକ ମିଳିଲେ ନାହିଁ। ଦେଶରେ ବୃଦ୍ଧଙ୍କ ସଂଖ୍ୟା ବଢ଼ିଗଲା। ପରବର୍ତ୍ତୀ ସମୟରେ ଏକ ସନ୍ତାନ ନୀତିର ତ୍ରୁଟିକୁ ବୁଝି ଚାଇନା ସରକାର ‘ଦୁଇ ସନ୍ତାନ ନୀତି’ ୨୦୧୬ରେ ପ୍ରଣୟନ କଲେ। ତାହାର ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ସରକାରଙ୍କ ନୀତି ପରିବର୍ତ୍ତନ ଚରିତ୍ରକୁ ଦେଖି ସେଠାକାର ନାଗରିକ ଅଧିକ ସନ୍ତାନ ପାଇଁ ଆଗ୍ରହ ପ୍ରକାଶ କଲେନାହିଁ। ଏବେ, ବ୍ୟାକୁଳ ହୋଇ, ଚାଇନା ସରକାର ତିନି ସନ୍ତାନ ନୀତି ପ୍ରଣୟନ କଲେଣି। ବିଭିନ୍ନ ସୁବିଧା ସୁଯୋଗ ଯାଚିଲେ ମଧ୍ୟ ନବା ଲୋକ କେହି ନାହାନ୍ତି। ଏଭଳି ସ୍ଥିତିରେ କୌଣସି ନୀତି ବିଶେଷକରି ଜନସଂଖ୍ୟା ସଂକ୍ରାନ୍ତରେ ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ ସୁଚିନ୍ତିତ ମତାମତ ଲୋଡ଼ାଯିବା ଦରକାର। ତେବେ ଆଦିତ୍ୟନାଥ ଏଭଳି କଲେ କାହିଁକି? ମନେହେଉଛି ଯେପରି ଉତ୍ତର ପ୍ରଦେଶରେ ଭାଜପାର ସ୍ଥିତି ଅସମ୍ଭାଳ ହେଲାଣି। କରୋନା ସଂକ୍ରମଣରେ ବ୍ୟାପକ ମୃତ୍ୟୁ ସହିତ ସରକାରଙ୍କ ଅନ୍ୟ ନୀତିଗୁଡ଼ିକ ବିଫଳ ହୋଇଛି। କୃଷକ ଅଶାନ୍ତି, ବିଶେଷକରି ଆଖୁଚାଷୀଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ରାମମନ୍ଦିର ଭଳି ହିନ୍ଦୁତ୍ୱ କାର୍ଯ୍ୟକ୍ରମ ଉପରେ ପରଦା ପଡ଼ିଗଲାଣି। କୃଷ୍ଣଙ୍କ ଜନ୍ମଭୂମି ସମ୍ପର୍କରେ ଉଠାଯାଇଥିବା ବିବାଦ ଦାନା ବାନ୍ଧୁନାହିଁ। ସେଭଳିସ୍ଥଳେ କର ନ ହେଲେ ମର ନୀତିରେ ଉତ୍ତର ପ୍ରଦେଶ ହିନ୍ଦୁ ଭୋଟରଙ୍କୁ ଏକଜୁଟ କରିବାରେ ଏହା ଏକ ମୁଖ୍ୟ ପ୍ରୟାସ ଭାବେ ମନେହେଉଛି। ଦେଖିବାକୁ ବାକି ରହିଲା ଭୋଟ୍‌ ମେଶିନରେ ଏହାର କେଉଁଭଳି ପ୍ରଭାବ ପଡ଼ିବ।

  • ତଥାଗତ ସତପଥୀ

Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?