ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଶୋ-ରୁମ ଭିତରେ ଥିବା ୫୦ରୁ ଅଧିକ ନୂଆ ବାଇକ ସମେତ ବହୁ ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାଥମିକ ଆକଳନ ଅନୁସାରେ, ଏହି ଅଗ୍ନିକାଣ୍ଡରେ ଦେଢ଼ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।
ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ଦୋକାନୀଙ୍କ କହିବା ଅନୁସାରେ, ବୁଧବାର ସକାଳ ପ୍ରାୟ ୯ଟା ୧୫ ମିନିଟ ସମୟରେ ଶୋ-ରୁମରେ ରଖାଯାଇଥିବା ଏକ ଇଭି ସ୍କୁଟରରେ ହଠାତ୍ ନିଆଁ ଲାଗିଥିଲା। କିଛି ସମୟ ମଧ୍ୟରେ ନିଆଁ ଭୟଙ୍କର ରୂପ ନେଇ ଶୋ-ରୁମର ଅନ୍ୟ ଅଂଶକୁ ବ୍ୟାପି ଯାଇଥିଲା। ଶୋ-ରୁମ ଭିତରେ ରଖାଯାଇଥିବା ନୂଆ ବାଇକଗୁଡ଼ିକ ଗୋଟିଏ ପରେ ଗୋଟିଏ ନିଆଁରେ ଜଳିବାକୁ ଲାଗିଥିଲା। ଫଳରେ ନିଆଁ ଅତିଶୀଘ୍ର ସମଗ୍ର ଶୋ-ରୁମକୁ କବଳିତ କରିଥିଲା।
ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ବାଲେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟ ଧରି ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ଶୋ-ରୁମର ବହୁ ଅଂଶ ନିଆଁରେ ଜଳି ନଷ୍ଟ ହୋଇସାରିଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ।
ଇଭି ସ୍କୁଟରର ବ୍ୟାଟେରୀରୁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily

