ଇତିହାସ ରଚିବ ଚନ୍ଦ୍ରୟାନ-୩

ଜହ୍ନ ରାଇଜର ଏହି ରହସ୍ୟ ରୋମାଞ୍ଚ ଘେରା ପ୍ରସଙ୍ଗ ଉଦ୍‌ଘାଟନ କରିବା ପାଇଁ ମନୁଷ୍ୟ କେଉଁ ଆବହମାନ କାଳରୁ ଉଦ୍ୟମ କରି ଆସିଛି। ରୁଷିଆର ଏକ ଯାନ ଲୁନା-୨, ୧୯୫୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ। ଏହି ସିରିଜର ପରବର୍ତ୍ତୀ ଯାନ ଲୁନା-୩ ସେହି ୧୯୫୯ ମସିହା ଅକ୍ଟୋବର ୭ ତାରିଖରେ ଚନ୍ଦ୍ର ଚାରିପଟେ ଏକ ଉପଗ୍ରହ ସଦୃଶ ଘୂରିଘୂରି ପ୍ରଥମଥର ପାଇଁ ଚନ୍ଦ୍ରର ଦୂରପାର୍ଶ୍ୱର ଫଟୋଚିତ୍ର ଉତ୍ତୋଳନ କରେ। ରୁଷିଆର ଅନ୍ୟ ଦୁଇ ଯାନ ଲୁନା-୯ ଓ ଲୁନା-୧୭, ୧୯୬୬ ମସିହାରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବାକୁ ସକ୍ଷମ ହୁଅନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଆପୋଲୋ-୮ ଜରିଆରେ ତିନି ଜଣ ମହାକାଶଚାରୀ ୧୯୬୮ ମସିହା ଡିସେମ୍ବର ୨୪ ତାରିଖ ଦିନ ଚନ୍ଦ୍ରକୁ ସଫଳତା ପୂର୍ବକ ପରିକ୍ରମା କରିବାକୁ ସକ୍ଷମ ହୁଅନ୍ତି। ମାତ୍ର ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଥିଲା ୧୯୬୯ ମସିହା ଜୁଲାଇ ୨୦ ତାରିଖର ଦିନଟି; ଏହି ଦିନ ତିନି ଜଣ ମହାକାଶଚାରୀଙ୍କୁ ନେଇ ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟ ଏକ ଯାନ ଆପୋଲୋ-୧୧ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରେ ଏବଂ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ସର୍ବପ୍ରଥମେ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରନ୍ତି। ପରବର୍ତ୍ତୀ ୧୯୭୦ ମସିହା ନଭେମ୍ବର ୧୭ ତାରିଖରେ ରୁଷିଆ ଚନ୍ଦ୍ର ପୃଷ୍ଠକୁ ଏକ ସଫଳ ଅଭିଯାନ ପ୍ରେରଣ କରିଥିଲା। ଏଥିରୁ ଏକ ଚକଲଗା ଗାଡି (ନାମ: ଲୁନାଖୋଡ଼-୧) ବାହାରି ଚନ୍ଦ୍ରପୃଷ୍ଠରେ ଗଡିଗଡି ବିଚରଣ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକା ୧୯୭୨ ମସିହା ଡିସେମ୍ବର ମାସରେ ଆପୋଲୋ -୧୭ ଯାନ ଜରିଆରେ ଚନ୍ଦ୍ରକୁ ନିଜର ଶେଷ ଅଭିଯାନ ପ୍ରେରଣ କରିଥିଲା। ପରବର୍ତ୍ତୀ ସମୟରେ, ରୁଷିଆର ଅନ୍ୟ ତିନି ଅଭିଯାନ ଯଥା ଲୁନା -୧୬, ଲୁନା – ୨୦ ଓ ଲୁନା -୨୪ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସମୁଦାୟ ୬ଟି ଅଭିଯାନ (ଯଥା ଆପୋଲୋ-୧୨ ରୁ ଆପୋଲୋ – ୧୭: ଆପୋଲୋ-୧୩ ବ୍ୟତୀତ) ଚନ୍ଦ୍ରପୃଷ୍ଠରୁ ମୃତ୍ତିକା ଓ ପଥର ସଂଗ୍ରହ କରି ପୃଥିବୀକୁ ଆଣିବାକୁ ସକ୍ଷମ ହୋଇଛନ୍ତି। ଇତିମଧ୍ୟରେ ଗତ ୨୦୧୯ ମସିହା ଜାନୁୟାରୀ ୩ ତାରିଖରେ ଚାଇନା ବିଶ୍ୱର ତୃତୀୟ ରାଷ୍ଟ୍ର ରୂପେ ନିଜର ଏକ ଯାନ ‘ଚ୍ୟାଙ୍ଗ୍‌-୪’ କୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ସଫଳ ଅବତରଣ କରାଇବାରେ ସକ୍ଷମ ହୋଇଛି।
ଭାରତର ଚନ୍ଦ୍ର ଅଭିଯାନ : ଚନ୍ଦ୍ର ଦୌଡ଼ରେ ଆମ ଦେଶ ଭାରତ ମଧ୍ୟ ପଛରେ ପଡିନାହିଁ। ବିଳମ୍ବରେ ହେଲେ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ (ଇସ୍ରୋ) ଚଳିତ ବର୍ଷ ଜୁଲାଇ ୧୪ ତାରିଖ ଦିନ ଚନ୍ଦ୍ରକୁ ନିଜର ଏକ ନୂତନ ଅଭିଯାନ ‘ଚନ୍ଦ୍ରୟାନ-୩’ ପ୍ରେରଣ କରିଛି। ଏହା ପୃଥିବୀ ଚାରିପଟେ କିଛି ଦିନ ଅଣ୍ଡାକାର ପଥରେ ଘୂରିବା ପ୍ରକ୍ରିୟା ସମାପ୍ତ କରି ଅନ୍ତରୀକ୍ଷରେ ଦୀର୍ଘ ୨୨ ଦିନ ଯାତ୍ରା କଲା ପରେ ୩,୮୪,୦୦୦ କି.ମି ପଥ ଅତିକ୍ରମ ପୂର୍ବକ ଗତ ଅଗଷ୍ଟ ୬ ତାରିଖରେ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଯାଇଛି। ଇତି ମଧ୍ୟରେ ଯାନର କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋଚିତ୍ର ଉତ୍ତୋଳନ କରି ପୃଥିବୀକୁ ପ୍ରେରଣ କରିଛି। ଏହା କିଛି ଦିନ ଚନ୍ଦ୍ରକୁ ଏକ ବୃତ୍ତାକାର କକ୍ଷରେ ପରିକ୍ରମା କଲା ପରେ ଆଗାମୀ ଅଗଷ୍ଟ ୨୩ ତାରିଖ ଦିନ ଏକ ସ୍ବତନ୍ତ୍ର ଯାନକୁ ଚନ୍ଦ୍ରପୃଷ୍ଠର ବୈଜ୍ଞାନିକ ଅନୁସନ୍ଧାନ ନିମନ୍ତେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିରାପଦ ଭାବେ ଅବତରଣ କରାଇବାକୁ ଯୋଜନା ରହିଛି। ଏହି ଅଭିଯାନ ଜରିଆରେ ଭାରତ ଚନ୍ଦ୍ରମାଟିକୁ ଛୁଇଁବାର ଆଶା ରଖିଛି। ଏହି ଅଭିଯାନ ସଫଳ ହେଲେ ଭାରତ ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧିରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଓ ଚାଇନା ପରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ପରିଗଣିତ ହେବ। ଏହା ସମଗ୍ର ଦେଶ ପାଇଁ କମ୍‌ ଗୌରବର କଥା ନୁହେଁ ।
ଭାରତ ଚନ୍ଦ୍ର ଅଭିମୁଖେ ନିଜର ପ୍ରଥମ ଅଭିଯାନ ବିଗତ ୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ଦିନ ‘ଚନ୍ଦ୍ରୟାନ-୧’ ଜରିଆରେ ପ୍ରେରଣ କରିଥିଲା। ଏହି ପ୍ରକଳ୍ପରେ ସମୁଦାୟ ୩୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଯାନ ୨୦୦୮ ମସିହା ନଭେମ୍ବର ୮ ତାରିଖରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବା ସହିତ ନିଜର ଦୂରସମ୍ବେଦୀ ଯନ୍ତ୍ରାବଳି ଜରିଆରେ ଚନ୍ଦ୍ରପୃଷ୍ଠର ଖଣିଜ ସମ୍ପଦ, ପାଣିପାଗ, ଜଳର ଉପସ୍ଥିତି ଆଦି ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା। ଏକ ସ୍ମରଣୀୟ ଘଟଣା ରୂପେ, ୨୦୦୮ ମସିହା ନଭେମ୍ବର ୧୪ ତାରିଖ ଦିନ ଏହି ଯାନରୁ ଏକ ଉପକରଣ ବିଚ୍ଛିନ୍ନ ହୋଇ ଚନ୍ଦ୍ରପୃଷ୍ଠକୁ ଆଘାତ କରି ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ଚନ୍ଦ୍ରମାଟିରେ ଭାରତର ଜାତୀୟ ପତାକା ନିଦର୍ଶନ ସ୍ଥାପନ କରିଥିଲା। ଚନ୍ଦ୍ରୟାନ-୧ ଚନ୍ଦ୍ରକୁ ୩୪୦୦ ଥର ପରିକ୍ରମା କରିବା ପରେ ଦୁର୍ଭାଗ୍ୟକ୍ରମେ ୨୦୦୯ ମସିହା ଅଗଷ୍ଟ ୨୯ ତାରିଖ ଦିନ ତ୍ରୁଟିଯୁକ୍ତ ହୋଇ ବୈଜ୍ଞାନିକମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ମାତ୍ର ଚନ୍ଦ୍ରୟାନ-୧ ର ଏକ ବଡ଼ ଉପଲବ୍ଧି ଥିଲା ଚନ୍ଦ୍ରପୃଷ୍ଠରେ ଜଳ ଅଣୁର ସନ୍ଧାନ। ଏହାର ସଂଗୃହୀତ କିଛି ତଥ୍ୟକୁ ଭିତ୍ତିକରି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଓ ଭାରତୀୟ ଅନ୍ତରୀକ୍ଷ ସଂସ୍ଥା ଇସ୍ରୋର ବୈଜ୍ଞାନିକମାନେ ପରବର୍ତ୍ତୀ ସମୟରେ ଚନ୍ଦ୍ରପୃଷ୍ଠରେ ଜଳର ଅଣୁ ଉପସ୍ଥିତ ଥିବାର ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। ଭାରତ ଚନ୍ଦ୍ର ଅଭିମୁଖେ ନିଜର ଦ୍ୱିତୀୟ ଅଭିଯାନ ଦୀର୍ଘ ୧୧ ବର୍ଷର ନୀରବତା ପରେ, ଗତ ୨୦୧୯ ଜୁଲାଇ ୨୨ ତାରିଖରେ ଭାରତ ଚନ୍ଦ୍ରପୃଷ୍ଠକୁ ନିଜର ଦ୍ୱିତୀୟ ଅଭିଯାନ ‘ଚନ୍ଦ୍ରୟାନ-୨’ ଜରିଆରେ ପ୍ରେରଣ କରିଥିଲା। ଏହି ପ୍ରକଳ୍ପରେ ସମୁଦାୟ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଯାନ ୨୦୧୯ ଅଗଷ୍ଟ ୨୨ ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବାକୁ ଆରମ୍ଭ କରିଥିଲା। ପ୍ରଥମ ଅଭିଯାନରେ ଯେଉଁ ଆଶା ଅସମ୍ପୂର୍ଣ୍ଣ ରହି ଯାଇଥିଲା ଚନ୍ଦ୍ରୟାନର ଦ୍ୱିତୀୟ ଅଭିଯାନରେ ସେସବୁ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରାଯାଇଥିଲା। ପ୍ରଥମ ଅଭିଯାନଟି କେବଳ ଚନ୍ଦ୍ରପୃଷ୍ଠ ଉପରେ ଆକାଶରେ ରହି ଚନ୍ଦ୍ରକୁ ପ୍ରଦକ୍ଷିଣ କରିବା ତଥା ଯାନଟିରୁ ନିର୍ଗତ ଏକ ଉପକରଣ ଜରିଆରେ ଚନ୍ଦ୍ରପୃଷ୍ଠରେ ପିଟିହୋଇ ଚନ୍ଦ୍ରମାଟିକୁ ଛୁଇଁବାରେ ସୀମିତ ଥିଲା। ମାତ୍ର ଏହି ଅଭିଯାନ ଚନ୍ଦ୍ରପୃଷ୍ଠରେ ଏକ ଯାନକୁ ଧୀର ଅବତରଣ କରାଇ ଚନ୍ଦ୍ରପୃଷ୍ଠର ବିସ୍ତୃତ ବୈଜ୍ଞାନିକ ଅନୁସନ୍ଧାନ କରିବା ନିମନ୍ତେ ଅଭିପ୍ରେତ ନଥିଲା। (କ୍ରମଶଃ..)
-ଏଜୁକେଶନ୍‌ ଅଫିସର,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri