ଅସହାୟ ଜୀବନ

ଡ. ମୌସୁମୀ ପରିଡ଼ା

ମଣିଷ ପୃଥିବୀର ଶ୍ରେଷ୍ଠ ଜୀବ ହୋଇଥିବାରୁ ହିଂସ୍ର ଜୀବଜନ୍ତୁଙ୍କୁ ଆୟତ୍ତ କରିପାରେ। ମୁଣ୍ମୟ ପ୍ରତିମା କରି ଈଶ୍ୱରଙ୍କୁ ଆହ୍ବାନ କରିପାରେ, ପୁଣି ବିସର୍ଜି ମଧ୍ୟ ଆସିପାରେ ନଦୀନାଳରେ। ନିଜ ସମଧର୍ମୀ ଓ ସହଧର୍ମୀଙ୍କ ପ୍ରତି ବିଦ୍ୱେଷ ରଖେ। ଆତ୍ମୀୟମାନଙ୍କୁ ବିଭିନ୍ନ ଆଶ୍ରମରେ ଛାଡ଼ିଦେଇ ପଶୁଙ୍କୁ ଆଦର ସତ୍କାର ସହିତ ପାଳେ। ବାସ୍ତବରେ ମଣିଷ ନିଜ ସମଧର୍ମୀଙ୍କଠାରୁ ଯାହା ପାଇପାରେ ନାହିଁ ତାହା ପଶୁଙ୍କଠାରୁ ପାଏ ବୋଲି ତର୍କ କରେ। ଏସବୁର କାରଣ ମାନବୀୟ ମୂଲ୍ୟବୋଧର ଅବକ୍ଷୟ। କୋଉଠି ନା କୋଉଠି ଆମେ ଏତେ ପରିମାଣରେ ସ୍ବାର୍ଥାନ୍ବେଷୀ ହୋଇଯାଉଛେ ଯେ ଦେଣନେଣ ସମ୍ପର୍କଠାରୁ ଊର୍ଦ୍ଧ୍ୱରେ ଯେ କିଛି ସମ୍ପର୍କ ଥାଏ ତାହା ବୁଝିପାରୁନା। ସବୁ ନୀତିଆଦର୍ଶ କେବଳ ବହିଖାତା ଓ ଭାଷଣବାଜିରେ ରହିଯାଏ। ଅନେକ ସମୟରେ ବିଚାର ଓ କାମ ଭିତରେ କୌଣସି ତାଳମେଳ ରହେନାହିଁ।
ମଣିଷ ଦୁଃସାହସ କରିପାରେ। ଈଶ୍ୱରଙ୍କୁ ସ୍ଥିତି, ଆକାର, ପ୍ରକାରଭେଦ ଭିତରେ ସୀମିତ ରଖି ଷଡ଼ଯନ୍ତ୍ର ରଚେ, ପୁଣି ତାଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଏ। ଈଶ୍ୱରଙ୍କୁ ଭିନ୍ନ ଭିନ୍ନ ସଂଜ୍ଞା ଦେଇ ସାରା ବିଶ୍ୱକୁ ବିଭାଜିତ କରିଦିଏ। ବିଭିନ୍ନ ତର୍କ ଅନୁସାରେ ରୂପ ଓ ଆକାର ଦିଏ। ପୂଜାର୍ଚ୍ଚନା ସାରି କବାଟ କିଳିଆସେ। ଈଶ୍ୱର ଅସୁରକ୍ଷିତ ହୋଇ ମଣିଷ ଭୟରେ ମଣିଷ ହାତରେ ବନ୍ଦୀ ହୋଇଯାନ୍ତି! ସେ ବି ମଣିଷ ହାତରେ ଅସହାୟ! ମହାନ୍‌ ସ୍ରଷ୍ଟାଙ୍କ ସ୍ରଷ୍ଟା ହେବାର ଅହଂକାରରେ ଅନେକ ସମୟରେ ସେ ବିପର୍ଯ୍ୟସ୍ତ ହୁଏ। ନା ସେତେବେଳେ ବିଜ୍ଞାନ କୌଶଳ ତା’ ହାତ ଧରି ତାକୁ ସୁରକ୍ଷା ଦେଇପାରେ ନା ନିଜ ବୁଦ୍ଧି ବିବେକ। ମନେହୁଏ ସତରେ ସେ ବି କେତେ ଅସହାୟ। ନା ସେଠି ଈଶ୍ୱର ତାକୁ ରକ୍ଷା କରନ୍ତି ନା ବିଜ୍ଞାନ-କୌଶଳ। ନିଜକୁ ଶ୍ରେଷ୍ଠ ଜୀବ ମନେକରୁଥିବା ମଣିଷ ଅସହାୟ-ଜର୍ଜରିତ ହୁଏ। ସେ ଅସହାୟତା ତାକୁ କ୍ରୀଡ଼ନକ ବନାଇଦିଏ ନିଜ ସହିତ ଅନ୍ୟମାନଙ୍କ ପାଖରେ। ସମସ୍ୟାଗୁଡ଼ିକ ଛନ୍ଦିହୋଇଯାଆନ୍ତି ତା’ ହାତପାଦରେ, ଶିକୁଳିରେ ବାନ୍ଧି ହୋଇଯାଏ ବୁଦ୍ଧି ବିବେକ।
ସମସ୍ୟାର ହାହାକାର ଓ ଅସହାୟତାର ଡିଣ୍ଡିମ ସବୁଠି। ବ୍ୟାଙ୍କ୍‌ର ଜମାପୁଞ୍ଜିରେ ସୁଧ ହାର ଏତେ କମୁଛି କାହିଁକି ପଚାରିଲେ କର୍ମଚାରୀମାନେ କହିବେ, ଆଜ୍ଞା! ଆମେ ଚାକିରିରେ ଅଛୁ ଯାହା ଉପରୁ ଆଦେଶ ଆସିବ ସେ ଅନୁସାରେ କାମ କରିବାକୁ ବାଧ୍ୟ। ପେଟ୍ରୋଲ୍‌, ଡିଜେଲ୍‌ର ଦରବୃଦ୍ଧି ବିଭିନ୍ନ ଦେଶରେ ଏତେ ଅଲଗା କିପରି ପଚାରିଲେ ଉତ୍ତର ବି ସେହି ଅସହାୟତାରେ ଆସିବ। ସୁନା, ରୁପା ଆଦି ସୌଖୀନ ବସ୍ତୁର ଦାମ୍‌ ସହିତ ଦରଦାମ୍‌ ବୃଦ୍ଧିର କାରଣ ଜାଣିବାକୁ ଦୋକାନୀକୁ ପଚାରିଲେ ସେ ବି ନିଜ ଅସହାୟତାର ପ୍ରମାଣ ଦେବ। ସୁନା ଦୋକାନୀ ତ ଶହେ ଟଙ୍କା କାଟିଲେ ସେ କ୍ଷତିରେ ପଡ଼ିବ ବୋଲି ତର୍କ କରିବ। ବିଜୁଳି ବିଲ୍‌ ପାଇଁ ମିଟର୍‌ ରିଡିଂବାଲା ମନଇଚ୍ଛା ସମୟରେ ଆସି ବିଲ୍‌ ହାତରେ ଧରେଇଦେଇ କହିବ- ଆମର କିଛି ଦୋଷ ନାହିଁ, କମ୍ପାନୀ ଯାହା କରୁଛି! ଇଞ୍ଜିନିୟର୍‌ଙ୍କ ପାଖେ ଅଭିଯୋଗ ଦେବାକୁ ଗଲେ ସେ ନାହାନ୍ତି ବୋଲି କୁହାଯିବ। ଦେଖାହୋଇଗଲେ ଯେ କୋଉ ସମସ୍ୟାକୁ ବୁଝିପକେଇବେ ତା’ ନୁହେଁ। ସେ ବି ନିଜର ଅସହାୟତା ବଖାଣିବସିବେ ତାଙ୍କ ବିଭାଗର।
ଏମିତିକି ବିଲ ପାଗ ଦେଖି ଧାନ ରୋଇବାକୁ ଚାଷୀଟିଏ ମୁଲିଆକୁ ଖୋଜିଲେ ସେ ବି କହିଦେଉଛି- ଅନ୍ୟଜାଗାରେ କାମ ଅଛି। ଆଜି ନୁହଁ। କେବେକେବେ ଧାନରୁଆର ସମୟ ଗଡ଼ିଯାଉଛି। ଚାଷୀ ଅସହାୟ। ଦାଦନ ଖଟିବାକୁ ଯାଉଥିବା ଯୁବକମାନେ ପର ରାଜ୍ୟମୁହାଁ କାହିଁକି ପଚାରିଲେ କହୁଛନ୍ତି ସେମାନେ ମଧ୍ୟ ଅସହାୟ। ଅଫିସର୍‌ କହୁଛନ୍ତି ଉପରୁ ଆଦେଶ ଆସିଛି, ଆମ ହାତ ବନ୍ଧା। ପରିବା ଦୋକାନୀ ବି ଦରଦାମ୍‌ ବୃଦ୍ଧି କରି ଅସହାୟତା ଦର୍ଶେଇ ସଫେଇ ଦେଉଛି ଅମୁକ ଜାଗାରୁ ନିର୍ଦ୍ଦିଷ୍ଟ ପରିବା ଆସୁନି ବୋଲି ଦାମ୍‌ ବଢୁଛି, ଆମର ଏଥିରେ କିଛି ଭୂମିକା ନାହିଁ? ବିଭିନ୍ନ ଯୋଜନା ତିଆରି ହେଉଛି, କିନ୍ତୁ କର୍ମଚାରୀଙ୍କ ଦରମା ଦେବାବେଳକୁ ବିଭାଗରେ ଅର୍ଥାଭାବଜନିତ ଅସହାୟତା।
ରୋଗ ସଂକ୍ରମିତ ହେବାର କାରଣ ପାଇଁ ବି ଅସହାୟତା! ଯାତ୍ରୀବାହୀ ଯାନଗୁଡ଼ିକରେ କରୋନାବେଳେ ଏତେ ଲୋକଙ୍କୁ କାହିଁକି ନେଉଛ ବୋଲି ପ୍ରଶ୍ନ କଲେ ସେମାନେ ବି ପେଟପାଟଣା ଓ ଶଟ୍‌ଡାଉନ୍‌ର କ୍ଷତିପୂରଣ କଥା କହି ନିଜ ଅସହାୟତା ଦର୍ଶାଇବେ। ଚାକିରିରେ ଥିବା ବ୍ୟକ୍ତିମାନେ କର୍କଟ, ଉଚ୍ଚ ରକ୍ତଚାପ, ମଧୁମେହ, ସ୍ନାୟୁ ବା ଗ୍ୟାସ୍‌ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ନିର୍ଦ୍ଦିଷ୍ଟ ଦିନର ଛୁଟିଠାରୁ ଅଧିକ ନେଇପାରିବେ ନାହିଁ। ପରପାଖେ ମୁଣ୍ଡ ନୁଆଁଇ ଜୀବନ କାଟିବାକୁ ବାଧ୍ୟ। ତା’ର ଛୁଟି ଅନ୍ୟମାନଙ୍କ ପରି ଚିରାଚରିତ ଶୃଙ୍ଖଳାରେ ହେବାକୁ ବାଧ୍ୟ, ନ ହେଲେ ତା’ ଉପରିସ୍ଥ ଅଫିସର୍‌ ତା’ ନଁାରେ ଅଭିଯୋଗ ଫର୍ଦ୍ଦ ଯୋଡ଼ି ତା’ର ପ୍ରମୋଶନ୍‌ ଅଟକେଇ ଦେଇପାରେ। ଚାକିରି ନେଇଯାଇପାରେ। ତେଣୁ ସେ ଅସହାୟ।
ବର୍ଷକ ଭିତରେ ତିଆରି ହୋଇଥିବା ରାସ୍ତାରେ ପୋଖରୀ ପରି ଗାଡ଼ ହୋଇ ବାରମ୍ବାର ଦୁର୍ଘଟଣା ଘଟିଲେ କଣ୍ଟ୍ରାକ୍ଟର ଅସହାୟତା ଦର୍ଶାଏ- ସବୁଠି ତ ପିସି ଦେବାକୁ ପଡୁଛି। ଅଫିସ୍‌ଠୁ ଆରମ୍ଭ କରି ବହୁତ ଜାଗାରେ ପିସି ନ ଦେଲେ ଫାଇଲ୍‌ ଘୁଞ୍ଚିବନି। ତା ବାଦ୍‌ ପୁଣି ମୁଁ ଚଳିବି ନା ନାହିଁ? ଜନସାଧାରଣ ଚୁପ୍‌। ରୋଗୀମାନେ ବେସରକାରୀ ହାସ୍ପାତାଳରେ ଅସହାୟ। ଲମ୍ବା ବିଲ୍‌ ଦେଖି ଜମିବାଡ଼ି ବିକି ପଛରେ ଯେତେ ଚିତ୍କାର କଲେ ମଧ୍ୟ ସୁଫଳ ମିଳିପାରୁନାହିଁ, କାରଣ ସେମାନଙ୍କ ଉପରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉନାହିଁ।
ସରକାରୀ ବେସରକାରୀ ସବୁ ଜାଗାରେ ସମସ୍ୟା ଓ ଅସହାୟତା ନାମକ ବ୍ୟାଧି କରୋନାଠାରୁ ଆହୁରି ଉତ୍କଟ ଭାବେ ବ୍ୟାପିଯାଇଛି। ଆମେ ନିଜକୁ ସୁରକ୍ଷିତ ରଖିବାକୁ ୟା’ ତା’ ଦୋଷ ଦେଇ ମୁକୁଳିଯାଉଛୁ। କେବେ ପେଟପାଟଣାର ନଁାରେ ତ କେବେ ପାରିବାରିକ ସମସ୍ୟା ନଁାରେ ପ୍ରତିବାଦ କରୁନାହୁଁ। କିଛି ଲୋକ ଏଥିପାଇଁ କଷ୍ଟ ଭୋଗୁଛନ୍ତି ତ ଆଉ କିଛି ସାଡିଷ୍ଟିକ୍‌ ଅସହାୟତା ନଁାରେ ଅନ୍ୟକୁ ପ୍ରତାରିତ କରି ଖୁସି ହେଉଛନ୍ତି।
ଦିନେ ଗୌତମ ବୁଦ୍ଧଙ୍କ ସମ୍ପର୍କୀୟା ତାଙ୍କ ମୃତ ପିଲାକୁ ଧରି ଦୁଃଖରେ ମ୍ରିୟମାଣ ହୋଇ କହିଲେ ପିଲାଟିକୁ ବଞ୍ଚାଇଦେବାକୁ। ବୁଦ୍ଧ କହିଲେ, ସେଥିପାଇଁ ତାଙ୍କୁ ଗୋଟେ କାମ କରିବାକୁ ହେବ। ସନ୍ଧ୍ୟା ଭିତରେ ସେ ମହିଳାଙ୍କୁ ଏମିତି ଗୋଟେ ଘରୁ କିଛି ସୋରିଷ ଆଣିବାକୁ ହେବ ଯେଉଁ ଘର କେବେ ବି ମୃତ୍ୟୁକୁ ସାମ୍ନା କରି ନ ଥିବ। ମହିଳାଜଣକ ସମସ୍ତଙ୍କ ଘରକୁ ଯାଇ ବିଫଳ ହେଲେ। ଦିନ ବିତିଗଲାରୁ ସେ କ୍ଳାନ୍ତ ହୋଇ ସନ୍ଧ୍ୟାରେ ଆସି ବୁଦ୍ଧଙ୍କ ପାଦତଳେ ପଡ଼ି କହିଲେ- ମୁଁ ବୁଝିପାରିଛି! ସେ ପ୍ରକୃତରେ ବୁଝିପାରିଥିଲେ ଏ ସଂସାରରେ ଏମିତି କେହି ନାହିଁ ଯେ ଦୁଃଖ ନ ଭୋଗିଛି କି ଆତ୍ମୀୟସ୍ବଜନଙ୍କ ମୃତ୍ୟୁ ନ ଦେଖିଛି! ତେଣୁ ଆମେ ସଂସାରରେ ଏକା ଦୁଃଖୀ ବୋଲି କହିବା ଅନୁଚିତ। ସେଥିପାଇଁ ସହାନୁଭୂତି ପ୍ରଦର୍ଶନ କରିବାରେ କୃପଣ ହେବା କାହିଁକି। ଅନାବଶ୍ୟକ ଅସହାୟତା ଦର୍ଶାଇଲେ ମାନବିକତା ଦୁର୍ବଳ ହୋଇଯାଏ। ନିଜକୁ ଅସହାୟ ସାବ୍ୟସ୍ତ କରି ସମସ୍ୟାଠୁ ମୁକୁଳିବା ସହଜ। କାହା ପ୍ରତି ସମ୍ବେଦନଶୀଳ ହେବାରେ କିନ୍ତୁ କୌଣସି କ୍ଷତି ନାହିଁ। ସ୍ବାର୍ଥନିବୃତ୍ତ ହୋଇ କାହା ପାଇଁ କିଛି କରିବାର ସୁଖ ଦୁର୍ମୂଲ୍ୟ। ଏ ସମସ୍ୟା ଓ ଅସହାୟତା ଭରା ସଂସାରର ଶାନ୍ତି କେବେ ଫେରିବ ଓ ମଣିଷ କେବେ ସଚେତନ ହେବ, ସେହି ସମୟକୁ ଅପେକ୍ଷା।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri