ଉଚ୍ଚତାପ ଓ ହିଂସ୍ରତା

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ଦିନକୁ ଦିନ ଅଧିକରୁ ଅଧିକ ହିଂସ୍ର ହେବାରେ ଲାଗିଛି ମଣିଷ। କ’ଣ ହୋଇପାରେ ଏହାର କାରଣ? ଜୀବନଧାରଣ ଲାଗି ଆବଶ୍ୟକ ସଂସାଧନ ପାଇଁ ବଢ଼ିଚାଲିଥିବା ପ୍ରତିଯୋଗିତା, ଜୀବନ ସଂଗ୍ରାମର କଠୋରତା, ବସ୍ତୁବାଦୀ ଜୀବନଶୈଳୀ, ଅହଙ୍କାର ଇତ୍ୟାଦି ଏହା ମୂଳରେ ବିଦ୍ୟମାନ ଥିବାର ମତ ଦିଅନ୍ତି ମନସ୍ତତ୍ତ୍ୱବିତ୍‌ମାନେ। ତେବେ ବୈଜ୍ଞାନିକମାନେ ଜାଗତିକ ତାପମାତ୍ରା ବୃଦ୍ଧି ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନକୁ ଏହାର ଅନ୍ୟତମ କାରଣ ରୂପେ ଉପସ୍ଥାପନ କଲେଣି। ସେମାନଙ୍କ ମତରେ ଏହା ଭିନ୍ନ ଭିନ୍ନ ରୂପେ ଏ ପ୍ରକାର ଆଚରଣର ବୃଦ୍ଧି ଘଟାଇଥାଇପାରେ।
ତନ୍ମଧ୍ୟରୁ ପ୍ରଥମଟି ହେଲା ତାପଜନିତ ପ୍ରଭାବ, ଯାହାକି ଲୋକଙ୍କୁ ଅସ୍ବସ୍ତିକର ଅନୁଭବ କରିବାକୁ ଦେବା ଫଳରେ ତାଙ୍କଠାରେ ଧୈର୍ଯ୍ୟଚ୍ୟୁତି ଓ ଚିଡ଼ିଚିଡ଼ା ସ୍ବଭାବ ସୃଷ୍ଟି କରେ ଏବଂ ଏହା ତାଙ୍କ ଆକ୍ରମଣାତ୍ମକ ତଥା ହିଂସାତ୍ମକ ମନେଭାବ ତଥା କ୍ରୋଧ ଆଦି ଜାତ କରେ ବୋଲି ଜଣାପଡ଼ିଛି ଆମେରିକାର ‘ଆଇଓଓ୍ବା ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟ’ର ମନୋବୈଜ୍ଞାନିକ କ୍ରାଇଗ୍‌ ଏ. ଆଣ୍ଡେରଶନ୍‌ ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା କରାଯାଇଥିବା ଏକ ଦୀର୍ଘକାଳୀନ ଅଧ୍ୟୟନରୁ। ସେମାନେ ଦର୍ଶାଇଛନ୍ତି ଯେ ଏହି ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ତାଙ୍କ ଦ୍ୱାରା ଅନୁଷ୍ଠିତ ଅନେକଗୁଡ଼ିଏ ଅଧ୍ୟୟନରୁ ଗୋଟିଏରେ ୭୫ଡିଗ୍ରୀ ଫାରେନ୍‌ହିଟ୍‌ (ଆରାମଦାୟକ), ୫୭ ଡିଗ୍ରୀ ଫାରେନ୍‌ହିଟ୍‌(ଶୀତଳ) ଏବଂ ୯୭ ଡିଗ୍ରୀ ଫାରେନ୍‌ହିଟ୍‌ (ଉତ୍ତପ୍ତ) ତାପମାତ୍ରା ବିଶିଷ୍ଟ ପ୍ରକୋଷ୍ଠ ମଧ୍ୟରେ ତିନି ଦଳ ଲୋକଙ୍କୁ କିଛିଦିନ ଧରି ରହିବାକୁ ଦେଇଥିଲେ। ତତ୍ପରେ ସେମାନଙ୍କ ମାନସିକ ଅବସ୍ଥା ଅଧ୍ୟୟନରୁ ଉତ୍ତପ୍ତ ବା ଉଷ୍ମ ଏବଂ ଶୀତଳ ପ୍ରକୋଷ୍ଠର ଲୋକମାନେ ଆରାମଦାୟକ ପ୍ରକୋଷ୍ଠର ଲୋକଙ୍କ ତୁଳନାରେ ଅଧିକ ବିରକ୍ତିଭାବ ଏବଂ ଛୋଟ ଛୋଟ କଥାରେ କ୍ରୋଧିତ ହେବା ତଥା ହିଂସା ଆଚରଣ ପ୍ରକଟ କରିବା ଜଣାପଡ଼ିଲା। ଏହା ସର୍ବାଧିକ ଦେଖାଯାଇଥିଲା ଉଷ୍ମ ପ୍ରକୋଷ୍ଠବାସୀଙ୍କଠାରେ। ଅତଏବ ଗବେଷକମାନେ ସିଦ୍ଧାନ୍ତରେ ପହଞ୍ଚତ୍ଲେ ଯେ ଉଚ୍ଚତାପ ଆକ୍ରମଣାତ୍ମକ ସ୍ବଭାବ ବୃଦ୍ଧିକରେ।
ଉଚ୍ଚତାପ ସହିତ ହିଂସ୍ର ମନୋଭାବର ସମ୍ପର୍କ ମଧ୍ୟ ଜଣାପଡ଼ିଛି ଆମେରିକାର ‘ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌’ ବା ‘ଏଫ୍‌ଆଇବି’ ଦ୍ୱାରା ପଞ୍ଜୀକରଣ (୧୯୫୦ରୁ ୨୦୦୮ ମଧ୍ୟରେ) ହୋଇଥିବା ବିଭିନ୍ନ ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପରୁ। ସେ ଦେଶର ଚିକାଗୋ, ବ୍ରିଶ୍‌ବେନ୍‌, ଭାନ୍‌କୋଭର, ଡଲାସ୍‌ ଆଦି ସହରମାନଙ୍କରେ ଏହି ସମୟରେ ଘଟିଥିବା ଏପରି ଘଟଣାମାନ ବିଚାରକୁ ନେଇ ମନୋବିଜ୍ଞାନୀମାନେ ପରିବେଶର ତାପମାତ୍ରା ସହିତ ଏହାର (ହିଂସାତ୍ମକ କାର୍ଯ୍ୟର) ସମ୍ପର୍କ ରହିଛି ବୋଲି ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି। ଏହାକୁ ସ୍ବୀକୃତି ପ୍ରଦାନ କରିଛି ‘ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସଫେରିକ୍‌ ଆଡ୍‌ମିନିଷ୍ଟ୍ରେଶନ୍‌’। ଏହା ବ୍ୟକ୍ତି-ବ୍ୟକ୍ତିଠାରୁ ଆରମ୍ଭକରି ଦେଶ-ଦେଶ ମଧ୍ୟରେ ଉତ୍ତେଜନା ବା ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧିର କାରଣ ହୋଇପାରେ ବୋଲି ମତ ଦେଇଛନ୍ତି ଏହାର ଗବେଷକଗଣ। ସେମାନଙ୍କ ସୂଚନା ଅନୁସାରେ ଯଦି ଆଗାମୀ ଦଶକ ମଧ୍ୟରେ ବିଶ୍ୱର ତାପମାତ୍ରା ୧ଂ ବୃଦ୍ଧିପାଏ ତେବେ ତାହା ହିଂସାତ୍ମକ ଅପରାଧ ୬ ଶତାଂଶ ବୃଦ୍ଧି କରିବ।
ଆମେରିକୀୟ ସମାଜ ବିଜ୍ଞାନୀ ଖ୍ରୀଷ୍ଟୋଫର କେ. ବଟଲର୍‌ ଏବଂ ସ୍କଟ୍‌ ଗେଟସ୍‌ଙ୍କ ମତରେ ତାପମାତ୍ରା ବୃଦ୍ଧି ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ ବିଶେଷ ଭାବେ ପ୍ରଭାବିତ କରିଥାଏ ନିମ୍ନ ଆୟକାରୀବର୍ଗଙ୍କୁ। ସେମାନେ ୨୦୧୨ରେ ପୂର୍ବ ଆଫ୍ରିକାରେ ଚଳାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ସଂସାଧନର ଅଭାବ ହେତୁ ଏମାନଙ୍କ ମଧ୍ୟରେ ଆୟର ବିଭେଦତା ବଢ଼ିଥାଏ। ଏଣୁ ସେମାନେ ଅଧିକ ଦୁଃଖୀ, ଅସନ୍ତୁଷ୍ଟ ଏବଂ ହିଂସ୍ର ସ୍ବଭାବର ହୋଇଯାନ୍ତି।
ଉଚ୍ଚତାପ ପାରିବାରିକ ହିଂସାର ମଧ୍ୟ ଅନ୍ୟତମ କାରଣ ବୋଲି ମତଦେଲେଣି କିଛି ଭାରତୀୟ ପରିବେଶ ବିଜ୍ଞାନୀ। ତଦନୁଯାୟୀ ଭାରତ, ନେପାଳ ଓ ବାଂଲାଦେଶ ଭଳି ଦକ୍ଷିଣ ଏସିଆରେ ୧ଂ ତାପମାତ୍ରା ବୃଦ୍ଧି ଏହା ହାରାହାରି ପ୍ରାୟ ୨୧ ଶତାଂଶ ଏବଂ ଭାରତରେ ୨୩.୫ ଶତାଂଶ ଅଧିକ ହେବାର ସମ୍ଭାବନା ରହିଛି। ପ୍ରାୟ ୨ ଲକ୍ଷ ବିବାହିତା ଏବଂ ପୁରୁଷ ବନ୍ଧୁଙ୍କ ସହ ଜୀବନ ବିତାଉଥିବା ମହିଳାଙ୍କ ଉପରେ ଏକ ଦୀର୍ଘକାଳୀନ ସର୍ବେକ୍ଷଣ ଏବଂ କମ୍ପ୍ୟୁଟର ଅଧ୍ୟୟନରୁ ଏହା ଜଣାପଡିଛି। ତେବେ ସାରା ବିଶ୍ୱରେ ଏହା ମାତ୍ର ୪.୫ ଶତାଂଶ ବୃଦ୍ଧି ପାଇବ, ସମ୍ଭବତଃ ନାତିଶୀତୋଷ୍ଣ ଏବଂ ଶୀତପ୍ରଧାନ ଦେଶମାନଙ୍କରେ ଏହା କମ୍‌ ହେବା କାରଣରୁ।
ଏ କ୍ଷେତ୍ରରେ ଗଭୀର ଅନୁଧ୍ୟାନ ଚଳାଇଥିବା ଅନ୍ୟତମ ବୈଜ୍ଞାନିକ ହେଲେ ଚାଇନାର ଫ୍ୟୁଡାନ ବିଶ୍ୱବିଦ୍ୟାଳୟର ରେନ୍‌ଜିଇ ଚେନ୍‌। ୨୦୨୧ରେ ‘ଦ ଜର୍ନାଲ୍‌ ଅଫ୍‌ ଆମେରିକାନ୍‌ ମେଡିକାଲ ଆସୋସିଏଶନ’ର ମନସ୍ତତ୍ତ୍ୱ ବିଭାଗରେ ସେ ଏବଂ ତାଙ୍କ ସହଯୋଗୀମାନେ ପ୍ରକାଶ କରିଥିବା ଏକ ନିବନ୍ଧର ତଥ୍ୟ ଅନୁସାରେ ସମଗ୍ର ପୃଥିବୀ ତୁଳନାରେ ଦକ୍ଷିଣ ଏସିଆରେ ଅଧିକ ପାରିବାରିକ ହିଂସା ଘଟିବାର ଅନ୍ୟତମ କାରଣ ହେଲା ଏଠାରେ ବାରମ୍ବାର ଘଟୁଥିବା ଅଧିକ ତୀବ୍ରତର ଗ୍ରୀଷ୍ମ ପ୍ରବାହ।
ଏହି ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ସେମାନେ ୩୦ଟି ଦେଶରେ ୨୦୧୦ରୁ ୨୦୧୮ ମଧ୍ୟରେ ୧୫ରୁ ୪୯ ବର୍ଷ ବୟସ୍କା ମହିଳାଙ୍କ ଉପରେ ସର୍ବେକ୍ଷଣ କରିଥିଲେ। ଏଥିରେ ସେମାନଙ୍କୁ ସ୍ବାମୀ, ପ୍ରେମିକ କିମ୍ବା ସେହିଭଳି ଆପଣାର ଲୋକେ ଦେଉଥିବା ଉତ୍‌ପୀଡନ କଥା ବିଚାରକୁ ନିଆଯାଇଥିଲା। ଫଳରେ ସେମାନଙ୍କ ମଧ୍ୟରୁ ୨୫% ଦୈହିକ, ୧୨.୫% ଭାବପ୍ରବଣତାଜନିତ ଏବଂ ୯.୫% ଯୌନ ଉତ୍‌ପୀଡନର ଶିକାର ହେଉଥିବା ଜଣାପଡ଼ିଲା। ପୁନଶ୍ଚ ତହିଁରୁ ଏହା ମଧ୍ୟ ଜଣାପଡିଲା ଯେ ତାପମାତ୍ରା ଅଧିକ ହେଉଥିବା ସମୟରେ(ଗ୍ରୀଷ୍ମଋତୁ ଓ ଗ୍ରୀଷ୍ମ ପ୍ରବାହ କାଳରେ) ଯଥାକ୍ରମେ ଏ ଘଟଣା ୨୮.୩ %, ୮.୯% ଏବଂ ୨୬.୧% ବୃଦ୍ଧି ହେଉଛି। ଏଣୁ ଚେନ୍‌ ମତ ଦେଲେ ଯେ ଯଦି ସବୁଜ ଗୃହ ବାଷ୍ପ ନିର୍ଗମନକୁ ବର୍ତ୍ତମାନ ସ୍ତରରେ ନିୟନ୍ତ୍ରଣ କରା ନ ଯାଏ ତେବେ ଏହା ଆହୁରି ବୃଦ୍ଧିପ୍ରାପ୍ତ ହେବ।
ଚେନ୍‌ ଏବଂ ତାଙ୍କ ସହଯୋଗୀମାନଙ୍କ ଏହି ସିଦ୍ଧାନ୍ତକୁ ‘ହିଟ୍‌-ଆଗ୍ରେସନ ହାଇପୋଥେସିସ୍‌’ ବୋଲି କୁହାଯାଉଛି। ତଦନୁଯାୟୀ ଉଚ୍ଚତାପ ଅର୍ଥାତ୍‌ ଗ୍ରୀଷ୍ମ ଓ ଗ୍ରୀଷ୍ମ ପ୍ରବାହ ଆମ ମସ୍ତିଷ୍କର ତାପ ନିୟନ୍ତ୍ରଣ ଏବଂ ଭାବପ୍ରବଣତା ନିୟନ୍ତ୍ରଣ ସହିତ ସମ୍ପୃକ୍ତ ଅଂଶକୁ ଅଧିକ କ୍ରିୟାଶୀଳ କରେ, ଯାହାଫଳରେ ସାମାନ୍ୟ ଉତ୍ତେଜନା ଅତ୍ୟଧିକ ଆକ୍ରମଣାତ୍ମକ ତଥା ହିଂସାଭାବ ସୃଷ୍ଟିକରେ। ପୁନଶ୍ଚ ଅଧିକ ସମୟ ଧରି ଉଚ୍ଚତାପର ସମ୍ମୁଖୀନ ହେବା ‘ଆଡ୍ରେନାଲିନ୍‌’ ହର୍‌ମୋନ୍‌ର କ୍ଷରଣ ବୃଦ୍ଧିକରେ। ଏହା ଦେହ ଓ ମନର ଉଦ୍ଦୀପନାକୁ ଉଚ୍ଚତରସ୍ତରକୁ ନେଇଯାଏ। ଉଚ୍ଚତାପ ସହିତ ସମ୍ପୃକ୍ତ ଆହୁରି ଅନେକ ଘଟଣା ମଧ୍ୟ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଏ। ଯାହାକି ସାଧାରଣ ଭାବେ ହିଂସା ଏବଂ ନିର୍ଦ୍ଦିଷ୍ଟଭାବେ ପାରିବାରିକ ହିଂସାର ମଧ୍ୟ କାରଣ ହୋଇପାରେ।
ଉଚ୍ଚତାପର ହିଂସ୍ର ମନୋଭାବକୁ ପ୍ରରୋଚିତ କରିବା କେବଳ ମଣିଷ ମଧ୍ୟରେ ସୀମାବଦ୍ଧ ନୁହେଁ। ଅନ୍ୟାନ୍ୟ ପ୍ରାଣୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି। ‘ହାର୍ଭାର୍ଡ ସ୍କୁଲ୍‌ ଅଫ୍‌ ହେଲ୍‌ଥ’ର ଗବେଷକମାନଙ୍କ ଦ୍ୱାରା କୁକୁରମାନଙ୍କ ଉପରେ ହୋଇଥିବା ଏକ ପରୀକ୍ଷାରୁ ତାହା ଜଣାପଡ଼ିଛି। ତଦନୁଯାୟୀ ତାପମାତ୍ରା ବୃଦ୍ଧି ସହିତ କୁକୁର କାମୁଡ଼ା ଅଧିକ ହେବାର ସମ୍ପର୍କ ରହିଛି। ଅତଏବ ଗ୍ରୀଷ୍ମକାଳରେ ଏହା ଶୀତ ବା ବର୍ଷାକାଳ ତୁଳନାରେ ବୃଦ୍ଧିପାଇଥାଏ। କାରଣ ଏ ସମୟରେ ସେମାନଙ୍କଠାରେ ଯୌନ ଉତ୍ତେଜକ ଷ୍ଟେରଏଡ୍‌ର କ୍ଷରଣ ବଢ଼ିଯାଏ। ବିଗତ ୨୦୦୯ରୁ ୨୦୧୮ ମଧ୍ୟରେ ଆମେରିକାର ଆଠୋଟି ସହରରେ ଘଟିଥିବା ୬୯,୫୨୫ କୁକୁର କାମୁଡା ଘଟଣା ବିଚାରକୁ ନେଇ ସେମାନେ ଏ ସିଦ୍ଧାନ୍ତରେ ଉପନୀତ ହୋଇଥିବା କଥା ସୂଚିତ କରିଛନ୍ତି ‘ସାଇଣ୍ଟିକ୍‌ ରିସର୍ଚ୍ଚ’ ପତ୍ରିକାର ଜୁନ୍‌ ୨୦୨୩ ସଂଖ୍ୟାରେ। ପୁନଶ୍ଚ ତଦନୁଯାୟୀ ଓଜୋନସ୍ତରରେ କ୍ଷୟ ହେତୁ ଅଧିକ ମାତ୍ରାରେ ଅଲଟ୍ରାଭାଓଲେଟ୍‌ ରଶ୍ମିର ସମ୍ମୁଖୀନ ହେଲେ ମଧ୍ୟ ସେମାନେ ଏଭଳି ହିଂସ୍ର ଆଚରଣ ଦେଖାଇଥାନ୍ତି। ମାଙ୍କଡ଼, ମୂଷା, ଚୁଟିଆ ମୂଷା ଏବଂ ମଣିଷ କ୍ଷେତ୍ରରେ ଏଭଳି ଘଟିବାର ମଧ୍ୟ ସେମାନେ ପ୍ରମାଣ ପାଇଛନ୍ତି। ଅତଏବ ପୃଥିବୀର ତାପମାତ୍ରା ବୃଦ୍ଧିକୁ ରୋକାଯାଇ ନ ପାରିଲେ ତାହା ଜଳବାୟୁ ପରିବର୍ତ୍ତନ ତଥା ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ ଭଳି ହିଂସ୍ରତାକୁ ମଧ୍ୟ ବଢ଼ାଇ ଚାଲିବ।
ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ:୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri