
ନୂଆଦିଲ୍ଲୀ,୨।୭: କୋଭିଡ-୧୯ ଟିକା ଏବଂ ହଠାତ ମୃତ୍ୟୁ ବା ହୃଦଘାତ ବିଷୟରେ ଥିବା ଭୟ ଏବଂ ପ୍ରଶ୍ନର ଉତ୍ତର ଏବେ ମିଳିସାରିଛି। ICMR ଏବଂ AIIMS ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ସ୍ପଷ୍ଟ ଭାବରେ କହିଛି ଯେ ଭାରତରେ ଟିକା ଏବଂ ହଠାଥ ମୃତ୍ୟୁ ବା ହୃଦଘାତ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ।
ରିପୋର୍ଟ ଅନୁଯାୟୀ, ଏହି ମୃତ୍ୟୁର କାରଣ ଟିକା ନୁହେଁ, ବରଂ ପୂର୍ବରୁ ଥିବା ରୋଗ, ଖରାପ ଜୀବନଶୈଳୀ ଏବଂ ଶରୀର ଗଠନ (ଜେନେଟିକ କାରଣ)। ଅର୍ଥାତ, ଯଦି କାହାକୁ ପୂର୍ବରୁ ହୃଦରୋଗ, ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଅଛି ଏବଂ ଚିକିତ୍ସା ଠିକ ଭାବରେ କରାଯାଇ ନାହିଁ, ତେବେ ମୃତ୍ୟୁର ଆଶଙ୍କା ବଢ଼ିପାରେ। ଏହାର ଟିକା ସହିତ କୌଣସି ସମ୍ପର୍କ ନାହିଁ। ଅଧ୍ୟୟନରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ କୋଭିଡ ଟିକା ନିରାପଦ ଏବଂ ଲୋକଙ୍କୁ ଏହା ପ୍ରତି ଭୟଭୀତ ହେବାର ଆବଶ୍ୟକତା ନାହିଁ।
ଅଧ୍ୟୟନରୁ ଜଣାପଡିଛି ଯେ ଟିକା ଏବଂ ହୃଦଘାତ ମୃତ୍ୟୁ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ। ଅଧିକାଂଶ କ୍ଷେତ୍ରରେ, ମୃତ୍ୟୁର କାରଣ ପୂର୍ବରୁ ଥିବା ରୋଗ, ଜେନେଟିକ କାରଣ ଏବଂ ଅସ୍ବାସ୍ଥ୍ୟକର ଜୀବନଶୈଳୀ ଥିଲା। ଏହା ସହିତ, ଟିକା ଦ୍ୱାରା ସୃଷ୍ଟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଅତ୍ୟନ୍ତ ବିରଳ। ବିଶେଷକରି ୧୮ ରୁ ୪୫ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ହୃଦଘାତ ମୃତ୍ୟୁର ତଦନ୍ତ କରିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗବେଷଣା ଅଧ୍ୟୟନ କରାଯାଇଛି।
ଏହି ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି ଯେ ହୃଦଘାତ, ଖରାପ ଜୀବନଶୈଳୀ, ପୂର୍ବରୁ ଥିବା ରୋଗ ଏବଂ ଜେନେଟିକ କାରଣ ଏପରି ମୃତ୍ୟୁ ପାଇଁ ଦାୟୀ, ଟୀକାକରଣ ନୁହେଁ। ICMR ର ଏହି ଅଧ୍ୟୟନ ଦେଶର ୧୯ ଟି ରାଜ୍ୟର ୪୭ ଟି ପ୍ରମୁଖ ହସ୍ପିଟାଲରେ ୨୦୨୩ମସିହା ମେ ରୁ ଅଗଷ୍ଟ ମଧ୍ୟରେ କରାଯାଇଥିଲା। ଏଥିରେ, ସେହି ଲୋକମାନଙ୍କ ମାମଲା ଦେଖାଯାଇଥିଲା ଯେଉଁମାନେ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଉଥିଲେ, କିନ୍ତୁ ଅକ୍ଟୋବର ୨୦୨୧ ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଏହି ମୃତ୍ୟୁ ଏବଂ କୋଭିଡ ଟିକା ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ମିଳିନାହିଁ।
AIIMS ଦିଲ୍ଲୀ ଏବଂ ICMR ର ଦ୍ୱିତୀୟ ଅଧ୍ୟୟନ ଏବେ ବି ଚାଲିଛି। ଏହି ଅଧ୍ୟୟନର ଉଦ୍ଦେଶ୍ୟ ହେଉଛି ହୃଦଘାତ ମୃତ୍ୟୁର କାରଣଗୁଡ଼ିକୁ ଗଭୀର ଭାବରେ ବୁଝିବା। ପ୍ରାରମ୍ଭିକ ତଥ୍ୟରୁ ଜଣାପଡିଛି ଯେ ହୃଦଘାତ (ମାୟୋକାର୍ଡିଆଲ ଇନଫାର୍କ୍ସନ) ହେଉଛି ସବୁଠାରୁ ସାଧାରଣ କାରଣ। ଅନେକ କ୍ଷେତ୍ରରେ ଜେନେଟିକ କାରଣ ମଧ୍ୟ ମିଳିଛି। ଏପର୍ଯ୍ୟନ୍ତ ତଥ୍ୟରୁ ଏହା ମଧ୍ୟ ଜଣାପଡିଛି ଯେ ପୂର୍ବ ବର୍ଷ ତୁଳନାରେ ହୃଦଘାତ ମୃତ୍ୟୁ ସଂଖ୍ୟାରେ କୌଣସି ଅସ୍ବାଭାବିକ ବୃଦ୍ଧି ହୋଇନାହିଁ।